Categories
ବିଶେଷ ଖବର

ଜଷ୍ଟିସ୍ ଚନ୍ଦ୍ରଚୁଡ ହେବେ ଦେଶର ୫୦ ତମ ପ୍ରଧାନ ବିଚାରପତି: କେନ୍ଦ୍ରକୁ ସୁପାରିଶ କଲେ ସିଜେଆଇ ୟୁୟୁ ଲଲିତ

ନୂଆଦିଲ୍ଲୀ: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୯ ତାରିଖରେ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ।

ଅକ୍ଟୋବର ୭ ତାରିଖରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇ ଲଲିତଙ୍କୁ ଏକ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲେ। ଆଜି ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସମସ୍ତ ବିଚାରପତିଙ୍କ ସହ ସାକ୍ଷାତ ପରେ ସିଜେଆଇ ୟୁୟୁ ଲଲିତ ଏହି ନାମ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି।

ଜଷ୍ଟିସ୍ ଲଲିତ ହେଉଛନ୍ତି ଦ୍ୱିତୀୟ ସିଜେଆଇ, ଯିଏକି ବାରରୁ ସୁପ୍ରିମକୋର୍ଟକୁ ସିଧାସଳଖ ଉନ୍ନୀତ ହେବେ। ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍.ଏମ୍ ସିକ୍ରି, ଯିଏ ଜାନୁଆରୀ ୧୯୭୧ରେ ୧୩ ତମ ସିଜେଆଇ ହୋଇଥିଲେ। ଜଷ୍ଟିସ ଲଲିତଙ୍କ ପିତା ଜଷ୍ଟିସ ୟୁ.ଆର ଲଲିତ ମଧ୍ୟ ଜଣେ ବରିଷ୍ଠ ଓକିଲ ତଥା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଥିଲେ।

ଯଶବନ୍ତ ଚନ୍ଦ୍ରଚୂଡ କିଏ?:

ନଭେମ୍ବର ୧୧ ତାରିଖ ୧୯୫୯ ରେ ଜନ୍ମ ହୋଇଥିବା ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେ ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି, ହାର୍ଭାର୍ଡ ଲ ସ୍କୁଲ ଏବଂ ଅନେକ ବିଦେଶୀ ଆଇନ ବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି। ୧୯୯୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ସିନିୟର ଆଡଭୋକେଟ୍ ଭାବରେ ମନୋନୀତ କରିଥିଲେ।