Categories
ଆଜିର ଖବର ଖେଳ ଜାତୀୟ ଖବର

ସୂର୍ଯ୍ୟ କୁମାର ଏବଂ ୱାଶିଂଟନଙ୍କ “ସଫ୍ଟ ସିଗନାଲ” ନିୟମରେ ଆଉଟକୁ ନେଇ ସମାଲୋଚନା କଲେ ବିରାଟ

ଅହମ୍ମଦାବାଦ: ଚତୁର୍ଥ ଟି-୨୦ରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ ୨-୨ରେ ବରାବର କରିନେଇଛି। କିନ୍ତୁ ଏହି ମ୍ୟାଚରେ “ସଫ୍ଟ ସିଗନାଲ”ର ନିୟମକୁ ନେଇ ବିବାଦ ଦେଖାଯାଇଛି। ଭାତତୀୟ ପାଳିରେ ସୂର୍ଯ୍ୟ କୁମାର ଯାଦବ ଏବଂ ୱାଶିଂଟନ ସୁନ୍ଦର ଏହି ନିୟମରେ ଶିକାର ହୋଇ ଆଉଟ ହୋଇଥିଲେ। ଭାରତୀୟ ଅଧିନାୟକ ଏହି ନିୟମକୁ ସମାଲୋଚନା କରିଛନ୍ତି। ଏହି ନିୟମକୁ ନେଇ କୋହଲୀ କହିଛନ୍ତି ଯେ, ମୁଁ ଜାଣି ପାରୁନି ଫିଲ୍ଡ ଅମ୍ପାୟାରଙ୍କ ପାଖରେ ନିଷ୍ପତ୍ତି ନେବାର ସୁଯୋଗ କାହିଁକି ରହିପାରୁ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ସୂର୍ଯ୍ୟ କୁମାର ଯାଦବ ୧୪ ତମ ଓଭରରେ ସେମ କୁରେନଙ୍କ ବଲରେ ଡେଭିଡ ମଲାନଙ୍କ ଦ୍ଵାରା କ୍ୟାଚ ହୋଇଥିଲେ। ରିପ୍ଲେରେ ବଲଟି ମାଟିରେ ସ୍ପର୍ଶ ହୋଇଥିବାର ସ୍ପଷ୍ଟ ଦେଖାଯାଇଥିଲା। କିନ୍ତୁ ସଫ୍ଟ ସିଗନାଲ ଯୋଗୁଁ ସୂର୍ଯ୍ୟ କୁମାରଙ୍କୁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ଯଦି ଫିଲ୍ଡ ଅମ୍ପାୟାର ସଫ୍ଟ ସିଗନାଲରେ ନଟ ଆଉଟ କରିଥାନ୍ତେ, ତେବେ ତୃତୀୟ ଅମ୍ପାୟାର ମଧ୍ୟ ନଟ ଆଉଟ ଘୋଷଣା କରିଥାନ୍ତେ।

ସେହିପରି ଅନ୍ତିମ ଓଭରରେ ୱାଶିଂଟନ ସୁନ୍ଦରଙ୍କୁ ସଫ୍ଟ ସିଗନାଲ ମାଧ୍ୟମରେ ଆଉଟ ଘୋଷଣା କରାଯାଇଥିଲା। ଯୋଫ୍ରା ଆର୍ଚରଙ୍କ ବଲରେ ୱାଶିଂଟନ ଏକ ବଢିଆ ସଟ ଖେଳିଥିଲେ। କିନ୍ତୁ ବାଉଣ୍ଡରୀରେ ଆଦିଲ ରଶିଦ ସେହି ବଲଟିକୁ କ୍ୟାଚ କରିଥିଲେ। ହେଲେ କ୍ୟାଚ ସମୟରେ ରଶିଦଙ୍କ ଗୋଡ଼ ବଉଣ୍ଡିରୀ ଲାଇନକୁ ସ୍ପର୍ଶ କରିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଯୋଗୁଁ ସୁନ୍ଦରଙ୍କୁ ତୃତୀୟ ଅମ୍ପାୟାର ମଧ୍ୟ ଆଉଟ ଘୋଷଣା କରିଥିଲେ।