Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡିଶାର ଓଟିଟି ପ୍ଲାଟ୍‌ଫର୍ମ ‘ଆଓ ନେକ୍ସଟ୍‌’ ପକ୍ଷରୁ ୱେବ୍‌ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

ଭୁବନେଶ୍ୱର: ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟ୍‌ଫର୍ମ  ‘ଆଓ ନେକ୍ସଟ୍‌’ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡିଶାରେ ଆୟୋଜିତ ପ୍ରେସ୍ କନ୍‌ଫରେନ୍ସ ଏବଂ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍‌ରେ ଏହାର ଆଓ ନେକ୍ସଟ୍ ଓରିଜିନାଲ ସିରିଜ୍ ‘ଆନ୍ଥୋନି’ ରିଲିଜ୍ କରାଯାଇଛି ।

ଏହି ସୁପର୍‌ନ୍ୟାଚୁରାଲ ଥ୍ରିଲର୍ ୱେବ୍ ସିରିଜ୍ ‘ଆନ୍ଥୋନି’କୁ ବିରେନ୍ ଜ୍ୟୋତି ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି । ମୁଖ୍ୟ କଳାକାର ମନୋଜ ମିଶ୍ର, ପାର୍ଥ ସାରଥୀ ରାୟ,ଚୌଧୁରୀ ବିକାଶ, ଚୌଧୁରୀ ଜୟପ୍ରକାଶ ଏବଂ ନିର୍ଦ୍ଦେଶକ ଏହି ସ୍ପେଶିଆଲ ସ୍କ୍ରିନିଙ୍ଗ୍‌ରେ ଉପସ୍ଥିତ ଥିଲେ।

ଆଓ ନେକ୍ସଟ୍‌ର ସିଇଓ ଓ ପ୍ରତିଷ୍ଠାତା ତଥା ସିରିଜ୍‌ର ପ୍ରଡ୍ୟୁସର କୌଶିକ୍ ଦାସ  ଏବଂ ଆଓ ନେକ୍ସଟ୍‌ର ସିଏଫ୍‌ଓ ଓ ସହପ୍ରତିଷ୍ଠାତା ରାମ୍ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ବିଶେଷ ଅବସରରେ ଆଓ ନେକ୍ସଟ୍‌ର ବାର୍ଷିକ ସବସ୍କ୍ରିପ୍ସନ ଚଳିତ ଡିସେମ୍ବର ୧୭, ୧୮ ଏବଂ ୧୯ରେ ୩୯୯ଟଙ୍କା ପରିବର୍ତେ ୧୪୯ଟଙ୍କାର ଏକ ବମ୍ପର ଅଫର ମୂଲ୍ୟରେ ଉପଲବ୍ଧ ରହିଛି ।

ଏଥିରେ ଆନ୍ଥୋନି ଚରିତ୍ରରେ ଅଭିନୟ କରିଥିବା ମନୋଜ ମିଶ୍ର ହେଉଛନ୍ତି ଜଣେ ଲୋକପ୍ରିୟ ରାଜନେତାଙ୍କ ଗ୍ୟାଙ୍ଗର କୁଖ୍ୟାତ ସଦସ୍ୟ ଯାହାଙ୍କର ପ୍ରକୃତ ପରିଚୟ ଅଜ୍ଞାତ ରହିଛି ଏବଂ ଯିଏ ନିଜର ପରିଚୟ ହରାଇଛନ୍ତି । ଏହାକୁ ଫେରି ପାଇବା ପାଇଁ ହୋଇଥିବା ହଟ୍ଟଗୋଳ ଶେଷରେ ଚଳଚିତ୍ରର ମୁଖ୍ୟ ଚରିତ୍ରମାନଙ୍କ ଚାରିପାଖରେ ରହିଥିବା ଅନେକ ସତକୁ ଉନ୍ମୋଚନ କରୁଛି ।

ଏସମ୍ପର୍କରେ ନିର୍ଦ୍ଦେଶକ ବିରେନ୍ ଜ୍ୟୋତି ମହାନ୍ତି କହିଛନ୍ତି, ‘  ସ୍ୱଦେଶୀ ଓଡିଆ ଭାଷାରେ ଏକ ସୁପରନ୍ୟାଚୁରାଲ ଥ୍ରିଲର୍ ନିର୍ମାଣ କରିବା ଦୀର୍ଘ ସମୟ ହେବ ଏକ ସ୍ୱପ୍ନ ଥିଲା । ବର୍ତମାନ ସମୟରେ ଜାତୀୟ ହେଉ କିମ୍ବା ଆଂଚଳିକ, ଏକ ରୋମାଂଚକର ଅନୁଭୂତି ପାଇଁ ଦର୍ଶକଙ୍କ ଚାହିଦା ସର୍ବୋଚ୍ଚରେ ରହିଛି ଏବଂ ଏହି ପରୀକ୍ଷଣ ପାଇଁ ଆଓ ନେକ୍ସଟ୍‌ଠାରୁ ଏକ ଉନ୍ନତ ପ୍ଲାଟ୍‌ଫର୍ମ ଆଉ କିଛି ହୋଇପାରିବ ନାହିଁ ।

ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଏହି ଚଳଚିତ୍ରକୁ ନିର୍ମାଣ କରିବା ଲାଗି ଦେଇଥିବା ନିଜର ଅପାର ସହଯୋଗ ପାଇଁ ମୁଁ ସମସ୍ତ କାଷ୍ଟ୍ ଓ କ୍ରୁ ମେମ୍ବରଙ୍କ ପ୍ରତି କୃତଜ୍ଞ । ଆମେ  ସିରିଜ୍‌ର ସଫଳତାକୁ ନେଇ ଆଶାବାଦୀ ରହିଛୁ ଏବଂ ଏହା ପରବର୍ତୀ ସିଜନଗୁଡିକୁ ଲଂଚ୍ କରିବା ପାଇଁ ଉତ୍ସାହିତ ରହିଛୁ ।’

ସେହିପରି ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌଶିକ୍ ଦାସ କହିଛନ୍ତି, ‘ଓଡିଶାରେ ପ୍ରଥମ ସ୍ୱାଧୀନ ଓଡିଆ ଓଟିଟି ପ୍ଲାଟ୍‌ଫର୍ମ ଭାବେ ଆମର ଆମ ଦର୍ଶକଙ୍କ ପ୍ରତି ଏକ ନିର୍ଦ୍ଧିଷ୍ଟ ଦାୟିତ୍ୱ ରହିଛି, ଯେଉଁଠାରେ ଆପଣ ଅସୀମିତ ଆଓ ଓରିଜିନାଲ ଓଡିଆ ୱେବ୍ ସିରିଜ୍‌, ଓରିଜିନାଲ ଓଡିଆ ମୁଭି ଓ ସର୍ଟ ଫିଲ୍ମ, କ୍ଲାସିକ୍ ଓଡିଆ ମୁଭି, ତେଲୁଗୁ ଓ ତାମିଲ ମୁଭି ଉପଭୋଗ କରିପାରିବେ । ଆମେ ଏକ ଶୋ’ର ସଫଳତା ପାଇଁ ସେମାନଙ୍କର ଚାହିଦାକୁ ଧ୍ୟାନରେ ରଖିଛୁ ଏବଂ ସେହି ଅନୁଯାୟୀ ସୃଜନଶୀଳ ନିଷ୍ପତି ନେଉଛୁ ।’

ଆଓ ନେକ୍ସଟ୍‌ର ସିଏଫ୍‌ଓ ଓ ସହପ୍ରତିଷ୍ଠାତା ରାମ ପଟ୍ଟନାୟକ କହିଛନ୍ତି, ‘ଓଡିଆ ଦର୍ଶକମାନେ ନିଜ ଭାଷାରେ ଏଭଳି କିଛି ପୂର୍ବରୁ କେବେ ଦେଖିନଥିଲେ ଏବଂ ଆମେ ଏହାକୁ ଆମର ଦର୍ଶକମାନଙ୍କ ପସନ୍ଦଯୋଗ୍ୟ କରି କାହାଣୀ ପ୍ରତି ସମ୍ପୂର୍ଣ୍ଣ ନ୍ୟାୟ କରିବାକୁ ଚେଷ୍ଟା କରିଛୁ ।’