Categories
ଆଜିର ଖବର ଜାତୀୟ ଖବର

କେରଳ ରାଜ୍ୟପାଳ ଆରିଫ୍‌ ମୋହମ୍ମଦ ଖାନ୍‌ଙ୍କ ବୟାନକୁ ସମର୍ଥନ ଜଣାଇଲେ କଂଗ୍ରେସର ଦୁଇ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସର ଦୁଇ ବଡ ନେତା ସିଏଏକୁ ନେଇ କେରଳ ରାଜ୍ୟପାଳ ଆରିଫ୍‌ ମୋହମ୍ମଦ ଖାନ୍‌ଙ୍କ ବୟାନକୁ ସମର୍ଥନ କରିଛନ୍ତି। ଆରିଫ୍‌ ମୋହମ୍ମଦ ଖାନ୍‌ କହିଥିଲେ ଯେ, ନାଗରିକତା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସିଏଏକୁ ଲାଗୁ କରିବା ବ୍ୟତୀତ ରାଜ୍ୟସରକାରଙ୍କ ପାଖରେ କିଛି ଚାରା ନାହିଁ। କଂଗ୍ରେସର ବରିଷ୍ଠ ନେତା କପିଲ୍‌ ଶିବ୍ବଲ୍‌, ଜୟରାମ ରମେଶ ମଧ୍ୟ ରାଜ୍ୟପାଳ ଆରିଫ୍‌ ମୋହମ୍ମଦ ଖାନ୍‌ଙ୍କ ଏହି ବିଚାର ଉପରେ ସହମତି ଜଣାଇଛନ୍ତି।

କପିଲ୍‌ ଶିବ୍ବଲ ଶନିବାର ଦିନ କହିଥିଲେ ଯେ, ସଂସଦରେ ପାରିତ ହୋଇସାରିଥିବା ନାଗରିକତା ସଂଶୋଧନ ଆଇନକୁ କୌଣସି ରାଜ୍ୟ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ। ଯଦି ଏପରି କରନ୍ତି, ତେବେ ଏହା ଅସାମ୍ବିଧାନିକ ହେବ। ଏବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମଧ୍ୟ ଏହା ଉପରେ ବୟାନ ଦେଇ ଆରିଫ୍‌ଙ୍କ ମନ୍ତବ୍ୟ ଉପରେ ସହମତି ଜଣାଇଛନ୍ତି।

ସୂଚନାଯୋଗ୍ୟ, ସିଏଏ ବିରୋଧରେ ଦୁଇଟି ରାଜ୍ୟ ପ୍ରସ୍ତାବ ଆଣିସାରିଛନ୍ତି। ୩୧ ଡିସେମ୍ବରରେ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରି ଏହି ନିୟମକୁ ଫେରାଇବା ନେଇ ଦାବି କରିବା ସହିତ ଏହି ନିୟମ ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ଯାଚିକା ଦାୟର କରିଛନ୍ତି କେରଳ ସରକାର। ସେହିପରି ଜାନୁଆରୀ ୧୭ ତାରିଖରେ ପଞ୍ଜାବର କଂଗ୍ରେସ ସରକାର ମଧ୍ୟ ଏହି ନିୟମକୁ ଫେରାଇବା ନେଇ ବିଧାନସଭାରେ ପ୍ରସ୍ତାବ ରଖିବା ସହିତ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। (ଏଜେନ୍ସି)