Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ରଙ୍କ ଶୋକ

ନୂଆଦିଲ୍ଲୀ, ପ୍ରସାର ଭାରତୀର ପୂର୍ବତନ ବରିଷ୍ଠ ଅଧିକାରୀ ଓ ସୁସାହିତ୍ୟିକ ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଡଃ ମିଶ୍ର କହିଛନ୍ତି, “ବିଶ୍ୱାସ କରି ହେଉ ନାହିଁ ଯେ, ଅଭୟ ପାଢ଼ୀ ଆଉ ନାହାନ୍ତି । ମାତ୍ର ତିନି ଚାରି ସପ୍ତାହ ଆଗରୁ ସେ ମୋ ସହିତ କଥା ହୋଇଥିଲେ ।

କଲେଜ ପଢ଼ା ସମୟରୁ ମୋର ତାଙ୍କ ସହିତ ବନ୍ଧୁତା । କଳା, ସଂସ୍କୃତି ଓ ସାହିତ୍ୟରେ ତାଙ୍କର ଗଭୀର ରୂଚି ଥିଲା । ସେ ଅତ୍ୟନ୍ତ ସ୍ପଷ୍ଟ ଓ ଅମାୟିକ ସ୍ୱଭାବର ଥିଲେ । କଲେଜ ପଢ଼ା ବେଳର କୌଣସି ଆଲୋଚନା ବା ତର୍କ ପ୍ରସଙ୍ଗ ହେଉ ବା ଆକାଶବାଣୀ (ପରେ ପ୍ରସାର ଭାରତୀ)ରେ ବୃତିଗତ ଜୀବନଚର୍ଯ୍ୟା ଏବଂ ସାହିତ୍ୟ ଓ ସାମାଜିକ ଚିନ୍ତନ ସବୁଥିରେ ସେ ସାରଗର୍ଭକ କଥାମାନ କହୁଥିଲେ ।

ତାଙ୍କର ଆକସ୍ମିକ ବିୟୋଗ ଯୋଗୁଁ ବିଶେଷକରି ଓଡିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ପରିବାର ଓ ବନ୍ଧୁମାନଙ୍କ ପାଇଁ ଏହା ଏକ ବିରାଟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମସ୍ତଙ୍କୁ ମୋର ଗଭୀର ସମବେଦନା” ।