Categories
ଆଞ୍ଚଳିକ

ଆକ୍ସନ ମୋଡ଼ରେ ଚିଲିକା ତହସିଲଦାର: ଆଇନ ଉଲଙ୍ଘନକାରୀ ସାବଧାନ

ସୀତାରାମ ଅଗ୍ରଓ୍ବାଲ
ଚିଲିକା: ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହି ନିଷ୍ପତ୍ତିକୁ ଭୃକ୍ଷେପ କରୁନାହାନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟରୁ ଜରିମାନା ଆଦାୟ କରିଛନ୍ତି ଚିଲିକା ତହସିଲଦାର। ନିକଟରେ କାର୍ଯ୍ୟରେ ଯୋଗ ଦେଇଥିବା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ବରେ ବାଲୁଗାଁ ଏନ.ଏ.ସି ତରଫରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍‌ ଆଦାୟ କରାଯାଇଥିବା ବେଳେ ଏକ ମଲ୍‌ ଏବଂ ଲେଡିଜ୍‌ କର୍ଣ୍ଣର ଉପରେ ମଧ୍ୟ ଚଢାଉ କରାଯାଇଥିଲା। ଏହି ଚଢାଉରେ ୪ ହଜାର ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିଲା।

ତହସିଲଦାରଙ୍କ ସହିତ ଏହି ଚଢାଉରେ ଏନ.ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବରିଷ୍ଠ ରାଜସ୍ୱ ସହାୟକ ସନ୍ତୋଷ ପଟ୍ଟନାୟକ, ବାଲୁଗାଁ ଏନ.ଏ.ସି ଟାକ୍ସ କଲେକ୍ଟର ଅନନ୍ତ ପଟ୍ଟନାୟକ, ବାଲୁଗାଁ ପୋଲିସ ସି.ଏସ.ଆଇ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଚଢାଉ କରିବା ସହିତ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ ତହସିଲଦାର। ବିନା କାମରେ ଘରୁ ନ ବାହାରିବା ତଥା ମାସ୍କ ଏବଂ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କଲେ ପରବର୍ତ୍ତୀ ସମୟରେ ୧୦୦୦ ଟଙ୍କାର ଫାଇନ୍‌ ଆଦାୟ କରାଯିବା ନେଇ ଚେତାବନୀ ଦେଇଥିଲେ।

ତହସିଲଦାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଢେର ପ୍ରଶଂସା କରାଯାଇଥିବା ବେଳେ ଏହା ଆଇନ ଉଲ୍ଲଂଘନକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସେହିପରି ଅନୂରୂପ ଭାବେ ବିଗତ ୪ ଦିନ ମଧ୍ୟରେ ୨୬୦୦୦ ଟଙ୍କାର ଫାଇନ ଆଦାୟ କରାଯାଇଥିବା ନେଇ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ ସୂଚନା ଦେଇଛନ୍ତି।