Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହିଟ୍ ଷ୍ଟ୍ରୋକ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍‌ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍‌ କାର୍ଯ୍ୟ କରିବ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍‌ସ ଭୁବନେଶ୍ୱର ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ ବିଶେଷ ସହାୟକ ହେବାନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍‌ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାୱେଲ୍‌ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ବାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ଆୟୁଷ ବିଭାଗରେ କାର୍ଯ୍ୟକ୍ଷମ ଛଅ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ ୟୁନିଟ୍ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି। ଏଯାବତ ଏମ୍‌ସ ଭୁବନେଶ୍ବର ପକ୍ଷରୁ ପ୍ରାୟ ୧୫ରୁ ଊର୍ଧ୍ବ ସନ୍‌ ଷ୍ଟ୍ରୋକ୍‌ ପିଡ଼ୀତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି।

ଜେନେରାଲ୍ ମେଡିସିନ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକରେ ଏହି ୟୁନିଟ୍‌ର ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା।

 ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ହିଟ୍ ଷ୍ଟ୍ରୋକ ୟୁନିଟ୍ ର ନୋଡାଲ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଏହି ୟୁନିଟ୍‌ରେ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍‌ଏସ ଆଦି ଗଚ୍ଛିତ ରଖାଯାଇଛି। ସେହିପରି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି।

ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍‌ସ ଭୁବନେଶ୍ୱର ସର୍ବଦା ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଏଥିସହିତ ଏହି ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଚଣ୍ଡ ତାତିର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କ ସୁସ୍ଥତାକୁ ପ୍ରାଥମିକତା ଦେବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରରେ ଲୋ ଭିଜନ୍‌ କ୍ଲିନିକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି “ଲୋ ଭିଜନ୍ କ୍ଲିନିକ୍”। ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ କରନ୍ତି। ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଏହି ଲୋ ଭିଜନ୍‌ କ୍ଲିନିକ୍‌ ଉପରୋକ୍ତ ଦୃଷ୍ଟିଶକ୍ତିହୀନ ରୋଗୀଙ୍କ ପାଇଁ ଆଶାର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ।
ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁ ଉଦ୍‌ଘାଟନ କରିଥିଲେ। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ ବଶିଷ୍ଟ, ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡ. ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଉପସ୍ଥିତିରେ ଏହି କ୍ଲିନିକର ଶୁଭାରମ୍ଭ ହୋଇଯାଇଛି।

ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀ ଏବଂ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍‌ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ବର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍‌ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ ଯାହାକି ସେମାନଙ୍କର ସାଧାରଣ ଜୀବନଯାପନ ପ୍ରଣାଳୀକୁ ସ୍ବାଭାବିକ କରିବ।

ଚକ୍ଷୁ ବିଭାଗର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ କ୍ଲିନିକ୍‌ର ଦୂରଦର୍ଶୀ ପ୍ରଭାବ ଉପରେ ମତ ରଖିଥିଲେ। ନିୟମିତ ରୋଗୀ ପରାମର୍ଶ ଉପରେ ଗୁରୁତ୍ବ ଦେବା ସହିତ ଏମ୍‌ସ ନୂଆଦିଲ୍ଲୀକୁ “ରୋଶ୍‌ନି” ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଏମ୍‌ସ ତଥା ପ୍ରତିଷ୍ଠିତ ଚକ୍ଷୁ ସେବା ପ୍ରତିଷ୍ଠାନରେ ଏପରି କ୍ଲିନିକ୍‌ ସ୍ଥାପନ ହେଉଛି। ଏଥିସହିତ ଡ. ବିଶ୍ବାସ ଆଶା କର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ଚକ୍ଷୁ ଯତ୍ନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ପ୍ରସ୍ତୁତ ତାଲିମ ମାନୁଆଲକୁ ଉନ୍ମୋଚନ କରିଥିଲେ।

ରୋଗୀ କଲ୍ୟାଣ ଉପରେ ଏହାର ପ୍ରଭାବକୁ ପ୍ରକାଶ କରିବା ସହିତ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଏହି କ୍ଲିନିକ୍‌ର କାର୍ଯ୍ୟକ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି କ୍ଲିନିକରୁ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି। ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପୁନର୍ବାସ ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟଗୁଡ଼ିକ ସହିତ ବୁଝାମଣା କରାଯିବ। ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡ. ପରିଜା ସୂଚନା ଦେଇଛନ୍ତି।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସିଏମ୍‌ଏଫଏମ୍‌ ବିଭାଗ ମୁଖ୍ୟ ଡ. ସୋନୁ ସୁବା, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ମୁକୁନ୍ଦ ସାହୁ, ଡ. ଭାଗବତ ନାୟକ, ଡ. ପ୍ରିୟଦର୍ଶିନୀ ମିଶ୍ର, ଡ. ସନ୍ଦିପ ସାହୁ, ଡ. ବୃତେନ୍ଦୁ ମହାରଣା, ଡ. ବିଜ୍ଞା ପଣ୍ଡା, ରେସିଡେଣ୍ଟ୍‌ ଡାକ୍ତର, ନର୍ସିଂ ଅଧିକାରୀ, କର୍ମଚାରୀ ଏବଂ ସ୍ୱଳ୍ପ ଦୃଷ୍ଟିଶକ୍ତି ରୋଗୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାଉନ୍‌ ସିଣ୍ଡ୍ରୋମ୍‌ ଏବଂ ଅନ୍ୟାନ୍ୟ ଜେନେଟିକ୍‌ ବ୍ୟାଧି ନିମନ୍ତେ ସାମଗ୍ରୀକ ପ୍ରଚେଷ୍ଠା ସମୟର ଆହ୍ବାନ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ପେରିନାଟାଲ୍(ଜନ୍ମ ପୂର୍ବ ଏବଂ ପର ଅବସ୍ଥା) କ୍ଲିନିକ୍ ପକ୍ଷରୁ ପ୍ରତି ମଙ୍ଗଳବାର ଡାଉନ୍ ସିଣ୍ଡ୍ରୋମ୍‌ ପ୍ରଭାବିତ ଶିଶୁମାନଙ୍କ ପିତାମାତା ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ସମ୍ପର୍କରେ ନିୟମିତ କାଉନ୍‌ସେଲିଂ ପ୍ରଦାନ କରାଯାଉଛି। ଏହି କ୍ଲିନିକ୍‌ ସ୍ତ୍ରୀ ଏବଂ ପ୍ରସୂତୀ(ଗାଇନେକୋଲୋଜି), ଶିଶୁ(ପେଡିଆଟ୍ରିକ୍‌ସ), ଜନ୍ମଜାତ ଶିଶୁ (ନିଓନାଟୋଲୋଜି), ଶରୀର ରଚନା (ଆନାଟୋମି) ଏବଂ ମାନସିକ (ସାଇକିଆଟ୍ରିକ୍‌) ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ହେବା ସହିତ ଲୋକମାନଙ୍କୁ ସେବା ପ୍ରଦାନ କରୁଛି। ସେହିପରି ଏହି ଜାତୀୟ ଅନୁଷ୍ଠାନର ସାଇଟୋଜେନେଟିକ୍ ଲାବୋରୋଟୋରୀ ଦ୍ବାରା ମଧ୍ୟ କାରିଓଟାଇପିଂ ମାଧ୍ୟମରେ ଡାଉନ୍ ସିଣ୍ଡ୍ରୋମ ପରି ସାଧାରଣ କ୍ରୋମୋଜୋମ୍‌ ଜନିତ ସମସ୍ୟାକୁ ଚିହ୍ନଟ କରିବାରେ ସହାୟକ ହେଉଥିବା ଏମ୍‌ସ ଭୁବନେଶ୍ବର ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଆର୍‌ ଗାଏକ୍‌ୱାଡ୍‌ ପ୍ରକାଶ କରିଛନ୍ତି। ଏମ୍‌ସ ଭୁବନେଶ୍ବର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସ୍‌(ସ୍ୱୟଂଶାସିତ), ଚନ୍ଦକା, ଭୁବନେଶ୍ୱର ପକ୍ଷରୁ ମିଳିତ ଭାବେ ଡାଉନ୍ ସିଣ୍ଡ୍ରୋମ୍‌ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏପରି ମତ ପ୍ରକାଶ ପାଇଛି। ଡାଉନ୍‌ ସିଣ୍ଡ୍ରୋମ୍‌ ଦିବସ ଉପଲକ୍ଷେ ଗତକାଲି ଆଇଏଚ୍‌ଏସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସାହଜନକ ଉପସ୍ଥିତି ରହିଥିଲା।

ଭାରତରେ ପ୍ରତି ୮୩୦ ଜନ୍ମରେ ଜଣେ ଶିଶୁ ଡାଉନ୍ ସିଣ୍ଡ୍ରୋମ୍ ଦ୍ବାରା ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଶିଶୁମାନଙ୍କର ମୁଖମଣ୍ଡଳ ସାଧାରଣତଃ ସମତଳ ହୋଇଥାଏ। ସେହିପରି ଉର୍ଦ୍ଧ୍ବମୁଖୀ ଆଖି, ପାପୁଲିରେ ଏକମାତ୍ର ରେଖା ଏବଂ ପାଦର ବୁଢ଼ା ଆଙ୍ଗୁଠି ଏବଂ ଦ୍ବିତୀୟ ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ପରିଲକ୍ଷିତ ହୋଇଥାଏ। ଏତ୍‌ଦବ୍ୟତୀତ ଏହି ଶିଶୁମାନଙ୍କ ମଧ୍ୟରେ ଜନ୍ମଜାତ ହୃଦ୍‌ରୋଗ, ବାରମ୍ବାର ଶ୍ବାସକ୍ରିୟା ସଂକ୍ରମଣ ଏବଂ ବୌଦ୍ଧିକ ବିକାଶରେ ପ୍ରଭୂତ ମନ୍ଥରତା ଦେଖାଯାଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ।

ଅଧିକ ବୟସରେ ମାତୃତ୍ବ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ। ତେଣୁ ଏନେଇ ବ୍ୟାପକା ସଚେତନତା ସୃଷ୍ଟି କରିବା, ସଠିକ୍‌ ସମୟରେ ରୋଗ ନିରୂପଣ ନିମନ୍ତେ ସଚେତନ ହେବା ଏବଂ ଉପଯୁକ୍ତ ଚିକିତ୍ସା ଏବଂ ପୁନର୍ବାସ ପଦ୍ଧତି ଅବଲମ୍ବନ କରିବା ଆଦି ସମ୍ପର୍କରେ ଉପସ୍ଥିତ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ଡାଉନ୍ ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଆନାଟୋମୀ ବିଭାଗ ଏବଂ ଆଇଏଚ୍‌ଏସ ପକ୍ଷରୁ ଆୟୋଜିତ ଏପରି ଅନନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରଶଂସା କରିଥିଲେ।

ସାଧାରଣ ଜିନ୍‌ଗତ ବ୍ୟାଧି ଯେପରିକି ସ୍ପିଚ୍‌ ଥେରାପି, ଅକୁପେସ୍‌ନାଲ (ବୃତ୍ତିଗତ) ଥେରାପି, ଫିଜିଓଥେରାପି ଇତ୍ୟାଦି କ୍ଷେତ୍ରରେ ଆଇଏଚ୍‌ଏସ ବିଭିନ୍ନ ଚିକିତ୍ସା ଯୋଗାଇଆସୁଛି। ଏହି ବ୍ୟବସ୍ଥା ଗୋଟିଏ ଛାତତଳେ ଏବଂ ରୋଗୀକୈନ୍ଦ୍ରିକ ହେବା ଉଚିତ ବୋଲି ଆଇଏଚଏସର ନିର୍ଦ୍ଦେଶକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ର ମତ ଦେଇଛନ୍ତି। ସାଧାରଣ ଜିନ୍‌ଗତ ବ୍ୟାଧି ଥିବା ରୋଗୀଙ୍କୁ ଚିହ୍ନଟ, ପ୍ରତିରୋଧ ଏବଂ ଆଜୀବନ ପରିଚାଳନା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏନେଇ ଆମ ସମାଜରେ ଥିବା ନକରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଉଚିତ୍ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ଏମ୍‌ସ ଭୁବନେଶ୍ବର ଆନାଟୋମୀ ବିଭାଗ ପ୍ରଫେସର୍‌ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଆଇଏଚଏସର ଡ. ରମ୍ୟା ମୈତ୍ରୀ, ଡ. ଭବାନୀ ଶଙ୍କର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ଏନଏସଏସ ମହିଳା ସ୍ବେଚ୍ଛାସେବୀଙ୍କ ପାଇଁ ସ୍ବତନ୍ତ୍ର ସିପିଆର୍‌ ତାଲିମ କର୍ମଶାଳା

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ତେଣୁ ସମଗ୍ର ଦେଶରେ ସିପିଆର୍ (କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍) ତାଲିମ ଦେବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ ନିମନ୍ତେ ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି।

ଏମ୍‌ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ସମାନତା ଏବଂ ସୁସ୍ଥତା ନିମନ୍ତେ ମହିଳା ସ୍ବେଚ୍ଛାସେବୀଙ୍କୁ ସଶକ୍ତ କରିବା ଶୀର୍ଷକ ତିନିଦିନିଆ କର୍ମଶାଳାକୁ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦ୍‌ଘାଟନ କରିଥିଲେ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର୍‌ କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଏହାର ସଠିକତା ଉପରେ ନିର୍ଭର କରେ। ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଜଣେ ମହିଳା ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଶିକ୍ଷିତ ହୋଇଥାଏ। ସେହିପରି ଜଣେ ଛାତ୍ରୀଙ୍କୁ ସିପିଆର୍‌ ତାଲିମ୍‌ ପ୍ରଦାନ କରାଗଲେ, ତାଙ୍କ ଦ୍ବାରା ସମାଜ ବିଶେଷ ଉପକୃତ ହୋଇପାରିବ। ଏମ୍‌ସ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସୁସ୍ଥ ଜୀବନଶୈଳୀ, ମାସିକ ଋତୁସ୍ରାବଜନିତ ସମସ୍ୟା, ଉଚ୍ଚରକ୍ତଚାପ, ମଧୁମେହ, ଅସନ୍ତୁଳିତ ଜୀବନଶୈଳୀଜନିତ ସମସ୍ୟା ଆଦି ସମ୍ପର୍କରେ ବିଶେଷ ତାଲିମ ପ୍ରଦାନ କରାଯିବ। ଯାହାକି ବେଶ୍‌ ଲାଭଦାୟୀ ହୋଇପାରିବ ବୋଲି ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି।

ଏପରି କର୍ମଶାଳା ଦ୍ବାରା ଛାତ୍ରୀମାନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ଉପଚାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଯାହାକି ସେମାନଙ୍କୁ ଆତ୍ମବିଶ୍ବାସୀ କରିବ ବୋଲି ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ପ୍ରକାଶ କରିଛନ୍ତି।

ଏହି କର୍ମଶାଳାରେ କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, ବଲାଙ୍ଗୀର, ସୁବର୍ଣ୍ଣପୁର, ନବରଙ୍ଗପୁର ଭଳି ୧୦ଟି ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ଏନଏସଏସ ମହିଳା ସ୍ବେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଆଜି ଆରମ୍ଭ ହୋଇଥିବା କର୍ମଶାଳା ଚଳିତ ମାସ ୮ ପର୍ଯ୍ୟନ୍ତ ଚାଲିବ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱର ଏନଏସଏସ ବ୍ୟୁରୋ ପକ୍ଷରୁ ଏଯାବତ୍‌ ସମାଜର ବିଭିନ୍ନ ବର୍ଗରୁ ୧୦ହଜାରରୁ ଅଧିକ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରାଗଲାଣି। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଏକ ଲକ୍ଷ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସରିତା ପଟେଲ, ଆଞ୍ଚଳିକ ନିର୍ଦ୍ଦେଶକ, ଏନଏସଏସ, ଭୁବନେଶ୍ୱର, ଡ. ପି ଆର ମହାପାତ୍ର, ଡିନ୍‌, ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ ଅଧୀକ୍ଷକ, ଏମ୍‌ସ ଭୁବନେଶ୍ୱର, ମନୋରଂଜନ ନାୟକ, ସ୍ବତନ୍ତ୍ର ସଚିବ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ରମେଶ ଚନ୍ଦ୍ର ବେହେରା, ଏସ୍‌ଏନ୍‌ଓ ତଥା ଉପସଚିବ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ପ୍ରଜ୍ଞା ପାରମିତା ଗିରି, ଡ. ପ୍ରିୟମାଧବ ବେହେରା, ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

ଏନଏସଏସ ପ୍ରୋଗ୍ରାମ ଅଫିସର ଡ. ଶ୍ରୀତମ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟଯେ, ଭାରତରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ହୃଦ୍ରୋଗ କାରଣରୁ ମୃତ୍ୟୁ ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱର ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ୍‌କୁ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍‌ ଆକ୍ସେଲରେଟର୍‌ (ହେଲା) ମେସିନ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏମ୍‌ସ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଧର୍ମଶାଳା, ଟ୍ରମା କେନ୍ଦ୍ର ଏବଂ ହେଲା ମେସିନ୍‌ର ଉଦ୍‌ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟ କହିଛନ୍ତି ଯେ ଏହି ନୂତନ ସୁବିଧାଗୁଡ଼ିକ ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଯଥେଷ୍ଟ ମଜଭୁତ କରିବା ସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଣ ବୃଦ୍ଧି କରିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ତାଙ୍କର ଦିଗ୍‌ଦର୍ଶନ ତଥା ପ୍ରତିବଦ୍ଧତା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସ୍ବାସ୍ଥ୍ୟସେବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗପୂର୍ବକ ରୋଗୀସେବାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ସର୍ବଦା ତତ୍ପର ଥିବା ପ୍ରକାଶ କରିଥିଲେ। ଆଜି ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରୋଗୀ ସେବାକ୍ଷେତ୍ରରେ ଏକ ନୂତନ ସମୟର ସଂଯୋଗ ସହିତ ଆମ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ବେଶ ଲାଭବାନ ହେବ। ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ଧର୍ମଶାଳା କୋଠା ଅତ୍ୟନ୍ତ ସହାୟକ ହେବ। ସୁଲଭ ମୂଲ୍ୟରେ ଦରକାରୀ ସମୟରେ ଏହି ଧର୍ମଶାଳା ବନ୍ଧୁ ଭଳି ସହଯୋଗୀ ସାବ୍ୟସ୍ତ ହେବ। ସେହିଭଳି ଆଇସିୟୁ, ମଡ୍ୟୁଲାର୍ ଓଟି, ୱାର୍ଡ ଏବଂ ଅନ୍ୟାନ୍ୟ ଉଚ୍ଚ-ଯନ୍ତ୍ରପାତି ସହିତ ସଜ୍ଜିତ ନୂତନ ଟ୍ରମା କେନ୍ଦ୍ର ତ୍ବରିତ ଏବଂ ଗୁଣବତ୍ତାପୂର୍ଣ୍ଣ ଜରୁରୀକାଳୀନ ସେବା ଯୋଗାଇଦେବ। ଗୁରୁତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବ ଏହି ଟ୍ରମା କେନ୍ଦ୍ର। ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ର ଗୁରୁତର ଆଘାତଜନିତ ଅବସ୍ଥାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନରେ ବେଶ ଉପଯୋଗୀ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ନୂତନ ହେଲା ମେସିନ୍‌ ବିକିରଣ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଅପେକ୍ଷା ସମୟକୁ ହ୍ରାସ କରିବ ଏବଂ ସାମଗ୍ରୀକ କର୍କଟ ଚିକିତ୍ସା ଯୋଗାଇବାରେ ଏହା ସହାୟକ ହେବାନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ରଶ୍ମି ରଂଜନ ସେଠୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିଗଣ ଏମ୍‌ସ ମୁଖ୍ୟ ଅଡିଟୋରିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।

୧୫୯ଟି କୋଠରୀଯୁକ୍ତ ୪୯୨ ଶଯ୍ୟାବିଶିଷ୍ଟ ତିନି ମହଲା ଧର୍ମଶାଳା ନାଲ୍‌କୋର ସିଏସ୍‌ଆର ପାଣ୍ଠି ବିନିଯୋଗରେ ନିର୍ମାଣ କରାଯାଇଛି। ଏଠାରେ ଭୋଜନ ସୁବିଧା ସହିତ ପୁରୁଷ ଏବଂ ମହିଳାମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ଏହି ଧର୍ମଶାଳାରେ ସୁଲଭ ମୂଲ୍ୟରେ ରହିପାରିବେ। ରାଜ୍ୟ ତଥା ରାଜ୍ୟ ବାହାରୁ ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ଏହି ଧର୍ମଶାଳା ବେଶ୍‌ ଉପଯୋଗୀ ହେବ। ଓଡ଼ିଶା ତଥା ଦେଶର ନୂତନ ଏମ୍‌ସ ଗୁଡ଼ିକ ମଧ୍ୟରେ ଏପରି ଧର୍ମଶାଳା ବ୍ୟବସ୍ଥା ପ୍ରବର୍ତ୍ତନରେ ଏମ୍‌ସ ଭୁବନେଶ୍ୱର ଅଗ୍ରଣୀ।

ଏମ୍‌ସ ଭୁବନେଶ୍ୱରରେ ଆଜି ଉଦ୍‌ଘାଟିତ ହୋଇଥିବା ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ରରେ ମୋଟ ୮୬ଟି ଶଯ୍ୟା ଏବଂ ୧୯ ଟି ଆଇସିୟୁ ରହିଛି। ଏହି ନୂତନ କେନ୍ଦ୍ରରେ ଫଲୋଅପ୍ କ୍ଲିନିକ୍, ସିଟି ସ୍କାନ୍‌, ତିନୋଟି ମଡ୍ୟୁଲାର୍ ଓଟି, ଇଣ୍ଟରଭେନ୍‌ସନାଲ କ୍ୟାଥଲ୍ୟାବ୍ ସମେତ ଅନ୍ୟାନ୍ୟ ପରୀକ୍ଷା ସେବା ଉପଲବ୍ଧ। ଏଥିସହିତ ଏହି ଟ୍ରମା କେନ୍ଦ୍ର ରେସିଡେଣ୍ଟ୍‌ ଡାକ୍ତର ଏବଂ ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ତାଲିମ ପ୍ରଦାନରେ ମଧ୍ୟ ସକ୍ଷମ ହେବ। ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରମା କେନ୍ଦ୍ର ହୋଇଥିବାରୁ ଏହି କେନ୍ଦ୍ର ଗୁରୁତର ଆଘାତ ପୀଡ଼ିତମାନଙ୍କୁ ଗୁଣାତ୍ମକ ଏବଂ ଶୀଘ୍ର ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଅତ୍ୟାଧୁନିକ ହେଲା ମେସିନ୍‌ ବିକିରଣ ସେବା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଏକ ବିଶେଷ ବ୍ୟବସ୍ଥା କରିବ। ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ, ଗୁଣାତ୍ମକ ଏବଂ ବିସ୍ତୃତ କର୍କଟ ଚିକିତ୍ସା ବ୍ୟବସ୍ଥା ହେଲା ମେସିନ୍‌ ଦ୍ବାରା ସମ୍ଭବ ହୋଇପାରିବ। କର୍କଟ ରୋଗୀମାନେ ବର୍ତ୍ତମାନ ଏକ ଗୁଣବତ୍ତାପୂର୍ଣ୍ଣ ଜୀବନ ଅତିବାହିତ କରିବାର ସୁଯୋଗ ଲାଭ କରିପାରିବେ। ଏହି ଜ୍ଞାନକୌଶଳ ଚମତ୍କାର ଭାବରେ ଆଧୁନିକ ବିକିରଣ ଚିକିତ୍ସାକୁ ସୁସଂଗତ କରିବ ଏବଂ ଟ୍ୟୁମର୍‌କୁ ସଠିକ୍ ଭାବରେ ଟାର୍ଗେଟ୍ କରି ସାଧାରଣ ଟିସୁକୁ ସୁରକ୍ଷା ଦେଇଥାଏ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସହ ୬ ଟି ଏମ୍‍ସରେ ଉପଲବ୍ଧ ହେଲା କ୍ୟାଶ୍‍ଲେସ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଅବସ୍ଥିତ ୬ଟି ଏମ୍‍ସରେ କ୍ୟାଶ୍‍ଲେସ୍‍ ଚିକିତ୍ସା ସୁବିଧା ବର୍ତ୍ତମାନ ସମସ୍ତ ସିଜିଏଚଏସ୍‍ ହିତାଧିକାରୀ (ଚାକିରି କରୁଥିବା ଏବଂ ପେନସନଭୋଗୀ) ଙ୍କ ପାଇଁ ଉପଲବ୍ଧ ହେବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଏହି ୬ଟି ଏମ୍‍ସ ଏବଂ ସିଜିଏଚଏସ୍‍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ୬ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍‍ସରେ ଉପଲବ୍ଧ ରୋଗୀ ସେବା ସୁବିଧା କ୍ୟାଶ୍‍ଲେସ୍‍ ଆଧାରରେ ସିଜିଏଚ୍‍ଏସ୍‍ ହିତାଧିକାରୀଙ୍କୁ ସମ୍ପ୍ରସାରିତ କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହେବ (ସିଜିଏଚ୍‍ଏସ୍‍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଯେଉଁମାନେ ବ୍ୟକ୍ତିଗତ ଫେରସ୍ତ ଦାବି ଦାଖଲ କରିବା ଏବଂ ଅନୁମୋଦନ ଅନୁସରଣ କରିବା କଷ୍ଟକର ହୋଇପଡେ ।

ସିଜିଏଚଏସ୍‍ ହିତାଧିକାରୀମାନେ ପ୍ରଥମେ ଏମ୍‍ସ ରେ ଉପଲବ୍ଧ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ପାଇବେ, ପ୍ରଥମେ ଦେୟ ଦେବାରେ ଏବଂ ପରେ ଏମ୍‍ସରୁ ରୁ ଏ ବାବଦୀୟ ଅର୍ଥ ପାଇବାରେ ଅସୁବିଧା ରହିବନାହିଁ । ଏହି ପଦକ୍ଷେପ ସମୟ ସଞ୍ଚୟ କରିବ, କାଗଜପତ୍ର କାର୍ଯ୍ୟ ହ୍ରାସ କରିବ ଏବଂ ବ୍ୟକ୍ତିଗତ ଦାବି ସମାଧାନ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ, ସିଜିଏଚଏସ୍‍ ପେନସନଭୋଗୀ ହିତାଧିକାରୀ, ଏମ୍‍ସ ରେ ଚିକିତ୍ସା ପାଇଁ, ପ୍ରଥମେ ଦେୟ ଦେବାକୁ ପଡୁଥିଲା ଏବଂ ପରେ ସିଜିଏଚ୍‍ଏସ୍‍ରୁ ଫେରସ୍ତ ପାଇଁ ଦାବି କରିବାକୁ ପଡୁଥିଲା ।

ଏହି ପଦକ୍ଷେପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି

ସିଜିଏଚଏସ୍‍ ପେନସନଭୋଗୀ ଏବଂ ସିଜିଏଚ୍‍ଏସ୍‍ ହିତାଧିକାରୀଙ୍କ ଅନ୍ୟାନ୍ୟ ବର୍ଗ ଏହି ୬ ଏମ୍‍ସ ରେ ଓପିଡି ରେ କ୍ୟାଶ୍‍ଲେସ୍‍ ଚିକିତ୍ସା, ପରୀକ୍ଷା ନିରୀକ୍ଷା ଏବଂ ଇନଡୋର ଚିକିତ୍ସା ପାଇପାରିବେ ।

ଏହି ୬ଟି ଏମ୍‍ସରେ ସିଜିଏଚଏସ୍‍ ପେନସନଭୋଗୀଙ୍କ କ୍ରେଡିଟ୍ ବିଲ୍ ଏବଂ ଅନ୍ୟାନ୍ୟ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ସିଜିଏଚଏସ୍‍ କୁ ସମ୍ପ୍ରସାରିତ କରିବ ଏବଂ ସିଜିଏଚଏସ୍‍ ବିଲ୍ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଦେୟ ପ୍ରଦାନ କରିବ ।

ସିଜିଏଚଏସ୍‍ ହିତାଧିକାରୀଙ୍କ ଆଡମିଶନ କେବଳ ଏମ୍‍ସ ରେ ଚିକିତ୍ସା ପାଇଁ କେବଳ ବୈଧ ସିଜିଏଚଏସ୍‍ ହିତାଧିକାରୀ ଆଇଡି କାର୍ଡ ଦେଖାଇବାକୁ ପଡିବ ।

ଏମ୍‍ସ ସିଜିଏଚଏସ ହିତାଧିକାରୀଙ୍କ ପାଇଁ ଏକ ପୃଥକ ହେଲ୍ପ ଡେସ୍କ ଏବଂ ଏକ ପୃଥକ ଆକାଉଣ୍ଟିଂ ସିଷ୍ଟମ୍ ସୃଷ୍ଟି କରିବ ।

ଓପିଡି ଚିକିତ୍ସା ପାଇଁ କିମ୍ବା ଏମ୍‍ସ ରୁ ଡିସଚାର୍ଜ ସମୟରେ ଏମସ ରେ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିବା ଔଷଦ ହିତାଧିକାରୀମାନେ ସିଜିଏଚଏସ୍‍ ମାଧ୍ୟମରେ ସଂଗ୍ରହ କରିବେ ।

ସ୍ୱାସ୍ଥ୍ୟ ସଚିବ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ସିଜିଏଚଏସ୍‍ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସେବା-ଆଧାରିତ ବ୍ୟବସ୍ଥା ଯାହା ମାଧ୍ୟମରେ ବିଦ୍ୟମାନ ତଥା ଅବସରପ୍ରାପ୍ତ କର୍ମଚାରୀମାନେ ଚିକିତ୍ସା ସେବା ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଗୀମାନଙ୍କର ବଢୁଥିବା ଆବଶ୍ୟକତା ସହିତ ସମାନ୍ତରାଳ ଆନୁଷଙ୍ଗିକ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ସିଜିଏଚଏସ୍‍ ଅଧୀନରେ ଥିବା ହସ୍ପିଟାଲଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ସରକାର ଉଦ୍ୟମ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟ ଭବିଷ୍ୟତରେ ନୂଆଦିଲ୍ଲୀରେ ପ୍ରତିଷ୍ଠିତ ଏମସ ଅନୁଷ୍ଠାନ, ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡ଼ ଏବଂ ଜବାହରଲାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ପୁଡୁଚେରୀ ଏହି ଚୁକ୍ତିରେ ଅନ୍ତର୍ଭୁକ୍ତ ହେବ।

ଶ୍ରୀ ରାଜେଶ ଭୂଷଣ ବର୍ଣ୍ଣନା କରିଛନ୍ତି ଯେ ଏହି ଚୁକ୍ତିନାମା ଦ୍ୱାରା ଏକ ବଡ଼ ଗୋଷ୍ଠି ଉପକୃତ ହେବେ, କାରଣ ଏହା ଦୀର୍ଘ ପ୍ରକ୍ରିୟାକୁ ସହଜ କରିବ ଏବଂ ଚିକିତ୍ସା ସେବାରେ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ସିଜିଏଚଏସ୍‍ ସେବାଗୁଡିକର ପ୍ରସାର ମଧ୍ୟ ବ୍ୟାପକ ହେବ, କାରଣ ଏହି ଚୁକ୍ତିନାମା ହିତାଧିକାରୀମାନଙ୍କୁ ନିଜ ନିଜ ରାଜ୍ୟରେ ଥିବା ଏମ୍‍ସ ଅନୁଷ୍ଠାନରୁ ସିଜିଏଚଏସ ହିତାଧିକାରୀମାନେ ଲାଭ ପାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଜିଏଚଏସ୍‍ ଚିକିତ୍ସା ଏବଂ ଚିକିତ୍ସା ସେବାର ର୍ନିଦ୍ଦିଷ୍ଟ ହାରକୁ ସଂଶୋଧନ କରି ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସାହାଯ୍ୟ କରିଛି।

ସିଜିଏଚଏସ୍‍ ଅଧୀନରେ ହିତାଧିକାରୀଙ୍କୁ ଘରୋଇ ଚିକିତ୍ସା ପାଇଁ ସିଜିଏଚଏସ୍‍ ଅଧୀନରେ ଥିବା ସରକାରୀ ଡାକ୍ତରଖାନା ଏବଂ ଘରୋଇ ଡାକ୍ତରଖାନାକୁ ପଠାଯାଏ। ସିଜିଏଚଏସ୍‍ ପେନସନଭୋଗୀ ଏବଂ ସିଜିଏଚଏସ୍‍ ହିତାଧିକାରୀଙ୍କ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗଗୁଡିକ ହସ୍ପିଟାଲରେ କ୍ୟାଶ୍‍ଲେସ୍‍ ସୁବିଧା ପାଇଁ ଯୋଗ୍ୟ ଅଟନ୍ତି। ସିଜିଏଚଏସ୍‍ କେନ୍ଦ୍ର ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ସେମାନଙ୍କର ର୍ନିଭରଶୀଳ ପରିବାର ସଦସ୍ୟ, ମାନ୍ୟବର ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟାନ୍ୟ ବର୍ଗର ହିତାଧିକାରୀଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା (ଉଭୟ ଓପିଡି ଏବଂ ଆଇପିଡି) ଯୋଗାଇଥାଏ। ବର୍ତ୍ତମାନ ଦେଶର ୭୯ ଟି ସହରରେ ସିଜିଏଚଏସ୍‍ କାର୍ଯ୍ୟକ୍ଷମ ଅଛି।

ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ୨୨ ଟି ନୂତନ ଏମ୍‍ସ ପ୍ରତିଷ୍ଠା କରାଯାଇଛି ଏବଂ ସେମାନେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ପାଇଁ ସୁବିଧା ଯୋଗାଇବା ବ୍ୟତୀତ, ଏହି ଆଗଧାଡିର ଅନୁଷ୍ଠାନଗୁଡ଼ିକ ବିଭିନ୍ନ ବିଶେଷତା ଏବଂ ସୁପର ସ୍ପେସିଆଲିଟିରେ ହୃଦ୍‍ରୋଗ, ସ୍ନାୟୁବିଜ୍ଞାନ, ନ୍ୟୁରୋ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓ ଭାସ୍କୁଲାର ଥୋରାସିକ୍ ସର୍ଜରୀ, ଅଙ୍କୋଲୋଜି ଇତ୍ୟାଦିରେ ବିଶେଷଜ୍ଞ ରୋଗୀ ସେବା ସେବା ପ୍ରଦାନ କରନ୍ତି। ଏହି ଅନୁଷ୍ଠାନ ଟ୍ରାଉମା ଏବଂ ଜରୁରୀକାଳୀନ ଚିକିତ୍ସା ସେବା ସହିତ ରୋଗ ନିରୂପରଣ ଏବଂ ରକ୍ତ ଭଣ୍ଡାର ସୁବିଧା ପ୍ରଦାନ କରିଥାନ୍ତି।

ଏହି ଅଧିବେଶନରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶ୍ରମତୀ ଭି. ହେକାଲି ଝିମୋମି, ଯୁଗ୍ମ ସଚିବ ଶ୍ରୀମତୀ ଅଙ୍କିତା ମିଶ୍ର, ଯୁଗ୍ମ ସଚିବ ଡକ୍ଟର ମାନସଭି କୁମାର, ସିଜିଏଚଏସ୍‍ ନିର୍ଦ୍ଦେଶ ଡକ୍ଟର ଜୈନ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏମ୍‍ସ ଭୁବନେଶ୍ୱର, ଏମ୍‍ସ ପାଟନା, ଏମ୍‍ସ ରାୟପୁର, ଏମ୍‍ସ ଯୋଧପୁରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଏବଂ ଏମ୍‍ସ ଭୋପାଳ ଏବଂ ଏମ୍‍ଓ ଋଷିକେଶର ପ୍ରତିନିଧୀମାନେ ଏହି ରାଜିନାମା ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାଣ୍ଡିଆ କ୍ରେଜ: ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଓ ରୋଗୀଙ୍କ ଖାଦ୍ୟରେ ସାମିଲ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ରାଜ୍ୟର ପାରମ୍ପରିକ ତଥା ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ। ଛାତ୍ରଛାତ୍ରୀ ତଥା ଏଠାରେ ଭର୍ତ୍ତିା ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ମହତ ଉଦ୍ଦେଶ୍ୟନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ଉତ୍କଳ ଦିବସ ଏବଂ ଜି -୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ। ଏହି ଅବସରରେ ଚିକିତ୍ସାଧୀନ ରୋଗୀ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ଖାଦ୍ୟରେ ମାଣ୍ଡିଆ(ମିଲେଟ୍‌ସ)କୁ ପାଇ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଥିଲେ ଯେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ଏକ ଆନନ୍ଦର ବିଷୟ। ଏକାଧିକ ଭିଟାମିନ୍‌ ଏବଂ ମିନେରାଲ୍‌ସରେ ପରିପୂର୍ଣ୍ଣ ମାଣ୍ଡିଆ ଖାଇବା ଦ୍ବାରା ରୋଗୀମାନେ ଶୀଘ୍ର ଆରୋଗ୍ୟ ହୋଇପାରିବା ନେଇ ଆଶାବ୍ୟକ୍ତ କରିଥିଲେ ଡ. ବିଶ୍ବାସ।

ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ସର୍ବୋତ୍ତମ ସେବା, ଯତ୍ନ ପ୍ରଦାନ କରିବାର ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ବରୂପ ଏମ୍‌ସ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ସେହିଭଳି ଛାତ୍ରଛାତ୍ରୀମାନେ ଏହି ପାରମ୍ପରିକ ତଥା ଆମ ମାଟିର ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କର ସାମଗ୍ରୀକ ସ୍ବାସ୍ଥ୍ୟର ଯତ୍ନ ନେବାରେ ବେଶ୍‌ ସହାୟକ ହେବ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଥିଲେ।

ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମ୍‌ସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ, ଏମ୍‌ସ ଭୁବନେଶ୍ୱରରେ ଉତ୍କଳ ଦିବସ ଉପଲକ୍ଷେ ଛାତ୍ର ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରାଯାଇଥିବା ଅନୁଷ୍ଠାନର କୁଳସଚିବ ବି ବି ମିଶ୍ର ସୂଚନା ପ୍ରଦାନ କରିଥିଲେ।

ମାଣ୍ଡିଆ ସେବନର ଉପକାରିତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଏମ୍‌ସ ଓପିଡିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଜେନାଙ୍କ ଦ୍ୱାରା ଲିଖିତ “ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ମାଣ୍ଡିଆର ପ୍ରଭାବ”ଶୀର୍ଷକ ଏକ ପୁସ୍ତକକୁ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ସେହିପରି ଏମ୍‌ସର ଡାଏଟିସିଆନ୍‌ ସୌମ୍ୟା ସୁଚରିତା ପୃଷ୍ଟି ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ୍‌ କରିବାର ଉପକାରିତା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଡିନ୍ (ଏକାଡେମିକ୍) ଡ. ପି ଆର୍‌ ମହାପାତ୍ର, ଡିନ୍‌ (ପରୀକ୍ଷା) ଡ. ସୌଭାଗ୍ୟ ଜେନା, ଡିନ୍‌ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏବଂ ଛାତ୍ର ପ୍ରତିନିଧି ପ୍ରମୁଖ  କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏମ୍‌ସ ଭୁବନେଶ୍ୱରର ଏପରି ପଦକ୍ଷେପ ସମାଜରେ ମାଣ୍ଡିଆର ବ୍ୟବହାରକୁ ଆହୁରି ଅଧିକ କରିବ ବୋଲି ବିଶ୍ବାସ ରହିଛି। ଆମ ମାଟିର ଏହି ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟର ଦୈନିକ ଉପଯୋଗ ଆମକୁ ନିରୋଗ ରଖିବା ସହିତ ମାନସିକ ଭାବେ ଆମକୁ ଦୃଢ଼ କରିବା ନେଇ ଭରସା ଥିବା ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଘରେ ବସି ଏମସ ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଛନ୍ତି କି ? ଟିପି ରଖନ୍ତୁ ଏହି ଡାକ୍ତରଙ୍କ ନମ୍ବର

ଭୁବନେଶ୍ବର, ବର୍ତ୍ତମାନ କରୋନା ସମୟରେ ସାଧାରଣ ରୋଗୀମାନେ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ରୋଗୀମାନେ ଡାକ୍ତରଖାନା ଯିବକୁ ଭୟ କଲେଣି। ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମସ୍ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ।

ଏହି ଅନୁସାରେ ଆପଣ ଘରେ ବସି ଟେଲିଫୋନ ବା ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ସେଥିପାଇଁ ଏମସ ତରଫରୁ ମେଡିସିନ, ଶିଶୁ ରୋଗ, କରୋନା ରୋଗ ପରି 27 ବିଭାଗର ଡାକ୍ତରଙ୍କ ନାମ ଓ ଫୋନ ନମ୍ବର ପ୍ରଦାନ କରାଯାଇଛି। ଏହାକୁ ସୋମବାରରୁ ଶୁକ୍ରବାର ମଧ୍ୟରେ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କଲ କରିପାରିବେ। ସେହି ନମ୍ବରଗୁଡିକ ହେଲା

Categories
ଫଟୋ ଖବର

ଏମସ ଭୁବନେଶ୍ବରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାତମାନାବାନେ କୋଭିଡ ଟୀକା ଗ୍ରହଣ କରୁଛନ୍ତି

ଏମସ ଭୁବନେଶ୍ବରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାତମାନାବାନେ କୋଭିଡ ଟୀକା ଗ୍ରହଣ କରୁଛନ୍ତି