Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡରେ ସରକାର: ଅମିତ ଶାହାଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଆତଙ୍କବାଦୀ ବିରୋଧୀ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ସେ ନିର୍ଦ୍ଦେଶାବଳୀ ଦେବାକୁ ଯାଉଛନ୍ତି। ଜୁନ୍ ୨୯ ତାରିଖରୁ ବାର୍ଷିକ ଅମରନାଥ ଯାତ୍ରା ପାଇଁ ଗୃହମନ୍ତ୍ରୀ ମଧ୍ୟ ସମୀକ୍ଷା କରୁଛନ୍ତି। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଭାଗ ନେଇଛନ୍ତି।

ଅମିତ ଶାହାଙ୍କ ଉଚ୍ଚସ୍ତରୀୟ ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ତିନି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ବୈଠକ କରିଥିଲେ। ଏଥିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଜମ୍ମୁରେ ହୋଇଥିବା ଆକ୍ରମଣ ସମେତ ଅନେକ ଆତଙ୍କବାଦୀ ଘଟଣା ପରେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆତଙ୍କବାଦ ବିରୋଧୀ କ୍ଷମତା ପୂର୍ଣ୍ଣ ଶକ୍ତି ସହିତ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ସପ୍ତାହ ପୂର୍ବରୁ ଜମ୍ମୁର ରିୟାସି ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ଭରା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜମ୍ମୁ କାଶ୍ମୀରର ସୁରକ୍ଷା ସମ୍ପର୍କରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ପରବର୍ତ୍ତୀ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ମହାନିର୍ଦ୍ଦେଶକ ଅନିଷ ଦୟାଲ ସିଂ, ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଆର.ଆର ସ୍ଵେନ ଏବଂ ଅନ୍ୟାନ୍ୟ ବରିଷ୍ଠ ସୁରକ୍ଷା କର୍ମୀ ଏଥିରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର

ମଞ୍ଜରୀ ଫଡନିସ୍‌ଙ୍କ ସହିତ ଅମିତ୍‌ ସାଧ୍‌ଙ୍କ ନୂଆ ଓ୍ବେବ୍‌ ଫିଲ୍ମ

ବର୍ତ୍ତମାନ ସମସ୍ତ ଷ୍ଟାର ଡିଜିଟାଲ ପ୍ଲାଟଫର୍ମ ଆଡକୁ ମୁହାଁଇ ଥିବା ବେଳେ ନିଜର ଦ୍ବିତୀୟ ଓ୍ବେବ୍‌ ଫିଲ୍ମ କରିବା ପାଇଁ ଯାଉଛନ୍ତି ଅମିତ୍‌ ସାଧ୍‌। ଭାରତୀୟ ଡିଜିଟାଲ ପ୍ଲାଟଫର୍ମରେ ନିଜର ଦ୍ବିତୀୟ ଓ୍ବେବ୍‌ ଫିଲ୍ମ ନିମନ୍ତେ ମଞ୍ଜରୀ ଫଡନିସ୍‌ଙ୍କ ସହିତ କାମ ଆରମ୍ଭ କରିବାକୁ ଯାଉଛନ୍ତି ସାଧ୍‌। ପ୍ରଥମେ ଆମାଜନ୍‌ ପ୍ରାଇମ୍‌ର ବ୍ରିଦ୍‌ରେ ଅଭିନୟ କରିଥିବା ବେଳେ ଏହି ଓ୍ବେବ୍‌ ଫିଲ୍ମଟି ଜୀ 5ର ରହିଛି। ଆସନ୍ତା ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ରେ ଏହା ପ୍ରସାରିତ ହେବ। ଅମିତ୍‌ ସାଧ୍‌ ଅକ୍ଷୟ କୁମାର ଅଭିନୀତ ଗୋଲ୍ଡରେ ନଜର ଆସିଥିବା ବେଳେ ୨୦୧୮ ଫିଲ୍ମ ବା ବା ବ୍ଲାକ୍‌ ସିପ୍‌ରେ ନଜର ଆସିଥିଲେ ମଞ୍ଜରୀ।

Categories
ଆଜିର ଖବର

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ : ଅମିତ ଫଙ୍ଗଲଙ୍କୁ ସ୍ବର୍ଣ୍ଣ

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ବକ୍ସର ମାନେ ଶୁକ୍ରବାର ତିନୋଟି ପଦକ ହାସଲ କରିଛନ୍ତି। ୫୨ କିଗ୍ରା ବର୍ଗରେ ଅମିତ୍‌ ଫଙ୍ଗଲଗ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪୯ କିଗ୍ରା ବର୍ଗରେ ଦୀପକ ସିଂ ଏବଂ ୫୬ କିଗ୍ରା ବର୍ଗରେ କବିନ୍ଦର ସିଂ ବିଷ୍ଟ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। କୋରିଆର କିମ୍‌ ଇଙ୍କ୍ୟୁଙ୍କୁ ପରାସ୍ତ କରିଥିବା ଫଙ୍ଗଲ ଚଳିତ ବର୍ଷର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହିତ ଫଙ୍ଗଲ ଚମତ୍କାର ରକ୍ଷଣ ସହିତ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ଦୀପକଙ୍କ ମୁକାବିଲା ଉଜ୍‌ବେକିସ୍ତାନର ନୋଡିର୍ଜୋନ୍‌ ମିର୍ଜାମେଡୋଭ୍‌ଙ୍କ ବିପକ୍ଷରେ ରହିଥିଲା। ଦୀପକ କଡା ମୁକାବିଲା କରିଥିଲେ ମଧ୍ୟ ରେଫରୀଙ୍କ ଠାରୁ ଏକ ୟେଲୋ କାର୍ଡ ପାଇ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଆଘାତପ୍ରାପ୍ତ ଥିବା କବିନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ମାତ୍ର ଆଘାତକୁ ପ୍ରତିପକ୍ଷ ବକ୍ସର ଆକ୍ରମଣ କରିବାରୁ କବିନ୍ଦର ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହେବା ସହିତ ମ୍ୟାଚ୍‌ ହରାଇଥିଲେ। କବିନ୍ଦର ଉଜ୍‌ବେକିସ୍ତାନ ବକ୍ସର ମିରାଜଜୀବେକ୍‌ ମିରାଜହେମଡୋଭ୍‌ଙ୍କ ବିପକ୍ଷରେ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।