Categories
ଆଜିର ଖବର

ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କ ଅଜବ ବିଶ୍ପାସ,ବର୍ଷା ପାଇଁ ନଦୀ କୂଳରେ ପାଞ୍ଚଦିନ ଧରି କରିବେ ପୂଜାପାଠ

ସମୀକ୍ଷା ବ୍ୟୁରୋ

ଅନେକ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଥାଏ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କ ପାଖରେ ଏହି ବିଶ୍ବାସ ବେଶୀ ଥାଏ। ହେଲେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ଯେ, ଏକ ଅଜବ ବିଶ୍ବାସ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଘଟିଛି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ। ରାଜ୍ୟରେ ବର୍ଷା ହେବା ପାଇଁ ନଦୀକୂଳରେ ପୂଜା ପାଠ କରୁଛନ୍ତି ଆନ୍ଧ୍ରର ଜଣେ ମନ୍ତ୍ରୀ। ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସତ। ଆଜି ଆନ୍ଧ୍ର ପ୍ରଦେଶର ନୂଆ ଏଣ୍ଡୱାମେଣ୍ଟ ମନ୍ତ୍ରୀ ଭି. ଶ୍ରୀନିବାସ ରାଜ୍ୟରେ ବର୍ଷା ହେବା ପାଇଁ ବିଜୱାଡାର କ୍ରିଷ୍ଣା ନଦୀକୂଳରେ ଏହି ପୂଜାପାଠ କରିଛନ୍ତି। ନଦୀକୂଳର ମାଲେଶ୍ବର ଦେବସ୍ଥାନମ ନାମକ ସ୍ଥାନରେ ଥିବା କନକ ଦୁର୍ଗା ମନ୍ଦିରରେ ମନ୍ତ୍ରୀ ଏହି ପୂଜା କରିଛନ୍ତି। ବିଶ୍ବାସ ରହିଛି ଯେ, କନକ ଦୁର୍ଗା ନିକଟରେ 5 ଦିନ ଧରି ଏକ ସ୍ବତନ୍ତ୍ର ପୂଜାପାଠ କଲେ ରାଜ୍ୟରେ ବର୍ଷା ହେବ। କିଛିଦିନ ଧରି ଆନ୍ଧ୍ରରେ ମୌସୁମୀ ବାୟୁ ସକ୍ରିୟ ନ ହେବାରୁ ବର୍ଷା ହେଉ ନାହିଁ। ଏହାକୁ ଦୃଷ୍ଟିରେ ରଖି କେତେକ ସମର୍ଥକ ମନ୍ତ୍ରୀ ଶ୍ରୀନିବାସଙ୍କୁ ସ୍ବତନ୍ତ୍ର ପୂଜାପାଠ କରିବା ପାଇଁ ଅନୁରୋଧ କଲେ। ମନ୍ତ୍ରୀ ଏଥିରେ ରାଜି ହୋଇ ପୂଜା କରିବାକୁ ମନ୍ଦିର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ଫଳରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ତ୍ରୀଙ୍କୁ ପୂଜାରେ ସମସ୍ତ ସାହାର୍ଯ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି।ପାଞ୍ଚ ଦିନ ଧରି ସେଠାରେ ମନ୍ତ୍ରୀ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକମାନେ ବେଶ୍ ଉତ୍ସାହିତ ହୋଇଥିବା ବେଳେ ବିରୋଧୀ ସମାଲୋଚନା କରିବାରେ ଲାଗିଛନ୍ତି।