Categories
ବିଶେଷ ଖବର

ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ; ଜୟ, ବିଜୟ, ଅପରାଜିତା ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଚଳାଇଛନ୍ତି ଷଡଯନ୍ତ୍ର

ସମୀକ୍ଷା ବ୍ୟୁରୋ

ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ କୁଆଡେ ଏହି କାମରେ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଯାହା ପଇସା ଖର୍ଚ୍ଚ ହେବ ତାହା ମଧ୍ୟ ଭରଣା କରିବା ପାଇଁ କୁଆଡେ ପ୍ରତିଶୃତି ଦିଆଯାଇଥିବା ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯିଏକି ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି, ସେ ହେଉଛନ୍ତି କୁଆଡେ ଏହି ଗୋଷ୍ଠୀର ପ୍ରଥମ ଟାର୍ଗେଟ। କାରଣ ହେଲା ଏହି ଗୋଷ୍ଠୀ ଭଲଭାବରେ ଜାଣିଛନ୍ତି ଯେ, ବୈଜୟନ୍ତ ଥରେ କ୍ଷମତାକୁ ଆସିଗଲେ ସେ ଅଧିକ ଶକ୍ତିଶାଳୀ ହୋଇଯିବେ। ଦିଲ୍ଲୀ ତଥା କେନ୍ଦ୍ର ବିଜେପିରେ ବୈଜୟନ୍ତଙ୍କ ବେଶ୍ ଦବଦବା ରହିଛି। ସେ ସିଧା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ କଥା ହୋଇପାରୁଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶକୁ ଏହି ଗୋଷ୍ଠୀ ପ୍ରଥମରୁ ବିରୋଧ କରୁଥିଲେ। ହେଲେ ପରବର୍ତ୍ତି ସମୟରେ ବୈଜୟନ୍ତଙ୍କ ନିଜସ୍ବ ନେଟୱାର୍କ ଦ୍ବାରା ସେ ବିଜେପିରେ ଯୋଗଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ହାତେଇ ପାରିଛନ୍ତି। ଏହାକୁ ନେଇ ସେହି ଗୋଷ୍ଠୀ କୁଆଡେ ଉତକ୍ଷିପ୍ତ।

ସେହିପରି ଏହି ଗୋଷ୍ଠୀ ବିଜୟ ମହାପାତ୍ର କିପରି ହାରିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। କାରଣ ଏହି ଗୋଷ୍ଠୀ ମଧ୍ୟ ନିଶ୍ଚିତ ଯେ, ବିଜୟ ଯଦି କ୍ଷମତାକୁ ଆସନ୍ତି ତାଙ୍କର କାଟତି ମଧ୍ୟ ଦଳରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବରୁ ସେ ଦଳ ଭିତରେ ଥିଲେ ମଧ୍ୟ ତାଙ୍କୁ ପଙ୍ଗୁ କରିଦିଆଯାଇଥିଲା। ହେଲେ ସେ ଏକ ଅଭୟ ଶକ୍ତି ନେଇ ପୁଣିଥରେ ଦଳକୁ ଫେରିଛନ୍ତି ବୋଲି ଏହି ଗୋଷ୍ଠୀର ଧାରଣା। ତେଣୁ ସେ ଯଦି କ୍ଷମତା ପ୍ରାପ୍ତ ହୁଅନ୍ତି ତେବେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ସେଥିରେ କର୍ମିମାନେ ତାଙ୍କ ଆଡକୁ ଢଳିବାର ମଧ୍ୟ ସମ୍ଭବାନା ରହିଛି। ତେଣୁ ସେ କିପରି ହାରିବେ ଏ ନେଇ ଏହି ଗୋଷ୍ଠୀ ଗୋଟି ଚାଳନା କରି ଚାଲିଛନ୍ତି।

ଆଉ ଜଣେ ହେଲେ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଏହି ଗୋଷ୍ଠୀର ବଡ ଟାର୍ଗେଟରେ। କାରଣ ଅପରିଜାତିଙ୍କ ମଧ୍ୟ ଦିଲ୍ଲୀ ଦରବାରରେ ଏବଂ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚ ରହିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀ ନେତାଙ୍କ ଆର୍ଶିବାଦରେ ଦଳରେ ଯୋଗ ଦେଇଛନ୍ତି। ଅପରାଜିତା ମଧ୍ୟ ଅନେକ ସମୟରେ ମୋଦୀଙ୍କ ପାଇଁ ସେ ରାଜନୀତିକୁ ଆସିଛନ୍ତି ବୋଲି କୁହନ୍ତି। ଅର୍ଥାତ ରାଜ୍ୟ ନେତାମାନେ ତାଙ୍କ ଆସିବାରେ ହାତ ନାହିଁ ବୋଲି ପରୋକ୍ଷରେ କହିଦେଇଛନ୍ତି। ସେ ଯଦି ଜିତିଯାଆନ୍ତି ତେବେ କେନ୍ଦ୍ରୀୟ ପ୍ରଶାସନ ଏବଂ କେନ୍ଦ୍ରୀୟ ନେତାଙ୍କ ସୁସଂପର୍କ,ତାଙ୍କୁ ଅଧିକ କ୍ଷମତାଶାଳୀ କରିଦେବ। ତେଣୁ ଅପରାଜିତା କିପରି ହାରିବେ ସେ ନେଇ ଏହି ଗୋଷ୍ଠୀର ନେତା କୁଆଡେ ରାତି ଅଧିଆ କାମରେ ଲାଗିପଡିଛନ୍ତି। ଭୁବନେଶ୍ବରର ଲୋକସଭା ଅଧିନସ୍ଥ ବିଧାନସଭାରେ କିଏ ପ୍ରାର୍ଥୀ ହେବ ତାହା ଖୋଦ ଅପରାଜିତା ନିର୍ଦ୍ଧାରଣ କରିଛନ୍ତି। ଯାହା ସେହି ଗୋଷ୍ଠୀକୁ ଖୁବ ଜୋରରେ ବାଧିଛି। ପୁରୀରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଗୋଷ୍ଠୀର ଟ୍ୟାର୍ଗଟରେ। ହେଲେ ଏହାଙ୍କ ପଛରେ ଏହି ଗୋଷ୍ଠୀ ସେତେ ସକ୍ରିୟ ନାହିଁନ୍ତି। କାରଣ ପୁରୀରେ ସମ୍ବିତଙ୍କ ଭବିଷ୍ୟତ କଣ ହେବ ଏମାନେ ଠଉରେଇ ସାରିଛନ୍ତି। ସେଥିପାଇଁ ଏହାଙ୍କ ପଛରେ ସେପରି ଜୋରଦାର ଷଢଯନ୍ତ୍ର କରାଯାଇ ନାହିଁ।

ଏହି ଖବରକୁ ନେଇ ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ହେଲେ ବିଜେପିର କୈଣସି ନେତା ଖୋଲାଖୋଲି କିଛି କହିବାକୁ ଶକ୍ତି ନ ଥିଲେ ମଧ୍ୟ ଭିତିରେ ଭିତରେ ଏହାକୁ ନେଇ ବେଶ୍ ଆଲୋଚନା ଚାଲିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବୁଢ଼ୀ ମାଉସୀଙ୍କ ପ୍ରେମରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

ବୌଦ୍ଧାୟନ

ଧୁଡୁଧୁଡିଆ ଦେହ,ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ।

ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । ଜିଲ୍ଲାପାଳ ଥିବା ସମୟରେ ଅଧିକାରୀଙ୍କ ଗହଣରେ ଗାଁକୁ ଆସୁଥିଲେ । ଆଉ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ । ବାବୁଆଣୀ ଥିଲେ ବି ସେଦିନର ଭଲପାଇବା ଆଉ ଅକୁଣ୍ଠ ସ୍ନେହ ମାଉସୀର ମନେ ରହିଛି । ଅଭିମାନ କରିଛି ୮୦ ବର୍ଷର ମାଉସୀ। କାହିଁକି ଯାଇଥିଲୁ ଦିଲ୍ଲୀ, ଆମ କଥା କଣ ମନେପଡିନଥିଲା ।

ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗି ଗାଁକୁ ଗାଁ ବୁଲୁଥିବାବେଳେ ଏବେ ଅନେକ ଚିତ୍ର ସବୁ କଏଦ ହୋଇଛି । ନେତ୍ରୀ ଓ ପ୍ରତିଶ୍ରୁତିର ବିଶ୍ୱାସ ଜନ୍ମାଇବାରେ ବୋଧେ ସଫଳ ହୋଇଛନ୍ତି ଫାୟାରବ୍ରାଣ୍ଡ ଅପରାଜିତା । କାରଣ ଲୋକ ବିଶ୍ୱାସ କରିଛନ୍ତି ବଦଳାଇବେ ପରିସ୍ଥିତି । ସେଥିପାଇଁ ନିଜ ଘରକୁ ଟାଣିଟାଣି ଅପରାଜିତାଙ୍କୁ ବୁଢୀମାଉସୀମାନେ ନେଇଯାଉଛନ୍ତି ।

ଘରର ସମୃଦ୍ଧିରେ କୁଳଲକ୍ଷ୍ମୀଙ୍କର ଏକ ବଡ ଭୂମିକା ଥାଏ ବୋଧେ ରହସ୍ୟକୁ ଠିକ ବୁଝିଛନ୍ତି ଅପରାଜିତା। ବୋହୂମାନଙ୍କୁ ଭେଟିବା ସହ ଶାଶୁ-ବୋହୁଙ୍କ ସିକ୍ରେଟ ସମ୍ପର୍କକୁ ପରଖିଛନ୍ତି । କାରଣ ଆଜି ଯିଏ ଶାଶୁ କାଲି ସିଏ ବୋହୁ ଥିଲେ । ୪୦ ବର୍ଷ ତଳେ ଏମାନେ ବି ଅଳତା ନାଇ ଘରେ ପାଦ ଦେଇଥିଲେ । ଏତିକି ବର୍ଷର ଗ୍ରାମ୍ୟ ଜୀବନର ଅଭିଜ୍ଞତା ବୁଝିବାକୁ ସେ ଚେଷ୍ଟା କରିଛନ୍ତି । କେବଳ ଅପରାଜିତା ନୁହଁ ବରଂ ଯେଉଁମାନଙ୍କୁ ଭେଟୁଛନ୍ତି ସମସ୍ତଙ୍କ ମନରେ ଗୋଟିଏ କଥା । ଗାଁକୁ ଆସିଛି ଘରର ଝିଅ । ଭଲମନ୍ଦଠାରୁ ଅଭିଯୋଗ ସବୁ କିଛି ବଖାଣିଦେଉଛନ୍ତି ।ex IAS turned politician aparajita sadangi in campaign mood

କେତେକ କୁହନ୍ତି ଏସବୁ ଭୋଟ ଉପରେ କୌଣସି ପ୍ରଭାବ ପକାଇବନି । କିନ୍ତୁ ଯଦି ଘରର ଶାଶୁ-ବୋହୁ ପସନ୍ଦ କରନ୍ତି ପୁରୁଷ ଭୋଟର ବା ଯିବେ କୁଆଡେ । କାରଣ ଏବେ ବି ପ୍ରତିଟି ଘରେ ସ୍ତ୍ରୀ ର ଏକ ସ୍ୱତନ୍ତ୍ର ଦବଦବା ଥାଏ । ଯିଏ ଯେତେ ଚିତ୍କାର କଲେ ବି ଘରେ ସ୍ତ୍ରୀ ର ଦାବି ସ୍ୱତନ୍ତ୍ର ଭୂମିକା ରଖିଥାଏ । ଏଠାରେ ପ୍ରଶ୍ନ ଉଠିପାରେ ନିର୍ବାଚନ ସମୟରେ ତ ନେତା/ନେତ୍ରୀଙ୍କର ଭିନ୍ନ ଚରିତ୍ର ସବୁ ଦେଖିବାକୁ ମିଳେ ଏଥିରେ ଭିନ୍ନତା କଣ ।
ବଡ ଫରକ ହେଉଛି କୁଟିଳତାର ହସ ଓ ହୃଦୟର ହସ ସବୁବେଳେ ଅଲଗା ମନୋଭାବ ସୃଷ୍ଟି କରିଥାଏ । ଚିତ୍ର ଓ ଚରିତ୍ର ଭିତରର ନଜରିଆକୁ ବଦଳାଇଦେଇଥାଏ । ଚା ଖଟିରୁ ମସାଣି ଜୁଇ ସବୁଠି ପହଁଚିଥାନ୍ତି କେବଳ ବାସ୍ତବ ଚରିତ୍ର । ଜଟଣୀରୁ ବାଲିପାଟଣା, ଭୁବନେଶ୍ୱରରୁ ବେଗୁନିଆ ଏବେ ବିଫଳତାର ପ୍ରସଙ୍ଗ ପେଡି ଧରି ନିଜ ମିଶନରେ ଲାଗିଛନ୍ତି ନେତ୍ରୀ ଜଣକ ।
Categories
ବିଶେଷ ଖବର

ଶେଷରେ ଅପରାଜିତାଙ୍କ ହୋର୍ଡିଙ୍ଗରେ ଧର୍ମେନ୍ଦ୍ରଙ୍କ ଭୂମିକା, ଲାଇଫ ସାଇଜ ଫଟୋ ରୁ ପାସପୋର୍ଟ କୁ ଖସି ଆସିଲା!!

ରିପୋର୍ଟ-ସମୀକ୍ଷା ବ୍ୟୁରୋ , ଫଟୋ-ସଂଜୀବ ମୁଖାର୍ଜୀ

ବିଜେପି ଫୋକସରେ ଓଡ଼ିଶା, ଏ ଖବର ଆମେ ବାରମ୍ବାର ପଢୁଛୁ ଓ ଶୁଣୁଛୁ। ମାସେ ଭିତରେ ପ୍ରଧାନମନ୍ତ୍ରୀ ତିନି ଥର ରାଜ୍ୟ ଗସ୍ତ କରୁଥିବା ହେତୁ ଏ ଖବରର ଗୁରୁତ୍ୱ ମଧ୍ୟ ରହିଛି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି ର ପରାଜୟ ଏହାକୁ ଅଧିକ ପୂର୍ବାଭିମୁଖୀ କରିଛି, ତାହା ମଧ୍ୟ ସତ। ହିନ୍ଦୀ ଅଞ୍ଚଳର କ୍ଷତି କୁ ପୂର୍ବ ଭାରତରେ ଭରଣା କରିବାର ଲକ୍ଷ୍ୟ ନେଇ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପରେ ବିଜେପି ନଜର ରଖିଛି। ହେଲେ ଏ ଦୁଇ ରାଜ୍ୟର ଶାସନ ସମ୍ଭାଳିଥିବା ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳ ସହ ଲଢ଼େଇ ବିଜେପି ଲାଗି ସହଜ ହେଉନାହିଁ। ତ୍ରିପୁରା, ଆସାମ ଓ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପି ଯେଉଁ ରଣନୀତି ରଖି ସଫଳ ହୋଇ ଥିଲା, ସେ ରଣନୀତି ଓଡ଼ିଶାରେ କାମ କରୁନାହିଁ। ଓଡ଼ିଶାର ରାଜନୀତିରେ ଆଜି ମଧ୍ୟ ଉଗ୍ର ସାମ୍ପ୍ରଦାୟିକତା ଗ୍ରହଣୀୟ ନୁହେଁ। ୨୦୦୭-୦୮ କନ୍ଧମାଳ ଦଙ୍ଗା ରେ ବିଜେପି ଓ ସଙ୍ଘ ପରିବାରର ସଂପୃକ୍ତି କୁ ଓଡିଶାର ଜନସାଧାରଣ ଗ୍ରହଣ କରିପାରିନଥିଲେ ଓ ସେହିଦିନଠୁ ବିଜେପି ନିଜ ସ୍ଥିତି ଓଡିଶାରେ ସୁଧାରି ପାରିନାହିଁ।

ଯେତେ ପ୍ରକାର କୌଶଳ ଓ ରଣନୀତି ଆପଣାର କଲେ ମଧ୍ୟ ଓଡିଶାରେ ତାହା କାଟୁ ନକରିବା କାରଣରୁ ବିଜେପିର ରାଜ୍ୟ ୟୁନିଟରେ ଏହାକୁ ନେଇ ହତାଶା ମଧ୍ୟ ଅଛି। ରାଜ୍ୟ ନେତୃତ୍ୱ କିଏ ନେବା ତାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଉନଥିବା ବେଳେ ରାଜ୍ୟ ଭିତରେ ଏହାକୁ ନେଇ ଏବେ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି। ମାତ୍ର ଅଳ୍ପ ଦିନ ତଳେ ସରକାରୀ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଏବେ ବିଜେପି ରାଜ୍ୟ ନେତା ଭାବରେ ନିଜକୁ ସବୁଠୁ ବଡ ବୋଲି ଉପସ୍ଥାପନା କରି ଚାଲିଛନ୍ତି।

ଅପରାଜିତାଙ୍କ ଯୋଗଦାନକୁ ନେଇ ଗଣମାଧ୍ୟମର ଚର୍ଚ୍ଚା ଓ ସଂଘ ମୁଖିଆ ମୋହନ ଭାଗବତଙ୍କୁ ତାଙ୍କର ସାକ୍ଷାତ କରିବା ଘଟଣାକୁ ନେଇ, ବିଜେପି ରାଜ୍ୟ ଶାଖାର ସେ ହିଁ ପ୍ରମୁଖ ଶକ୍ତି କେନ୍ଦ୍ର ବୋଲି ଯେଉଁ କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବେଳେ କିଛିଟା ଥମି ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଖୁର୍ଦ୍ଧା ସଭାରେ ଅପରାଜିତାଙ୍କୁ ସେମିତି କିଛି ଖାସ ଭୂମିକା ମିଳିନଥିଲା। ସେହି କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଚର ଗୋଷ୍ଠୀ ବେଶ ପ୍ରଚାରିତ କରିଥିଲେ ଓ ରାଜ୍ୟ ବିଜେପିର ଅସଲ ମୁଖିଆ କେବଳ ଧର୍ମେନ୍ଦ୍ର ହିଁ ବୋଲି ଏକ ବାର୍ତ୍ତା ଦେବାର ଉଦ୍ୟମ କରିଥିଲେ।

ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ନୂଆବର୍ଷ ପାଇଁ ଲାଗିଥିବା କେତୋଟି ହୋର୍ଡିଙ୍ଗ, ବିଜେପି ରାଜ୍ୟ ରାଜନୀତିରେ ପୁଣି ହଟଚମଟ ସୃଷ୍ଟି କରିଛି। ରାଜଧାନୀର ପ୍ରମୁଖ ଛକ ମାନଙ୍କରେ ଲଗା ଯାଇଥିବା ଏହି ବିଶାଳକାୟ ହୋର୍ଡିଙ୍ଗ ସବୁରେ ମୋଦୀ-ଶାହାଙ୍କ ବିରାଟ ଚିତ୍ର ସହିତ ସମତୁଲ ଛବି ଅପରାଜିତାଙ୍କର ରହିଛି। ଉଭୟ ବିଶାଳକାୟ ଛବିର ବନ୍ଧନୀ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ , ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କର ତିନୋଟି ପାସପୋର୍ଟ ସାଇଜର ଫଟୋ ଦିଆ ଯାଇଛି। ଏହି ହୋର୍ଡିଙ୍ଗ ରାଜଧାନୀର କେନ୍ଦ୍ରରେ ବିଜେପି ନେତୃତ୍ୱ ବଦଳର ସ୍ପଷ୍ଟ ସଙ୍କେତ ଦେଉଛି କି? ଧର୍ମେନ୍ଦ୍ରଙ୍କ ଭୂମିକା ଲାଇଫ ସାଇଜରୁ ଖସି ଆସି ଶେଷରେ ପାସପୋର୍ଟ ସାଇଜରେ ପହଞ୍ଚି ଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଇତି ମଧ୍ୟରେ ବିଜେପିର ନିୟମିତ ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ ଅପରାଜିତା ମୁଖ୍ୟ ଭୂମିକାରେ ରହୁଛନ୍ତି। ଦୀର୍ଘ ଦିନ ଧରି ବିଜେପିର ମିଡିଆ ଦାୟିତ୍ଵ ଧର୍ମେନ୍ଦ୍ରଙ୍କ ଖାସ ଅନୁଗତମାନେ ତୁଲାଇ ଆସୁଥିଲେ। ରାଜ୍ୟ ବିଜେପି ର ଦାୟିତ୍ଵ କ୍ରମେ କ୍ରମେ ଧର୍ମେନ୍ଦ୍ରଙ୍କ ହାତରୁ ଅପରାଜିତାଙ୍କ ହାତକୁ ଚାଲି ଯାଉଥିବା ବିଷୟରେ ଏବେ ସୂଚନା ସ୍ପଷ୍ଟ ହୋଇ ଚାଲିଛି। ତେବେ ବିଜେପି ଭିତରେ ଏହି ନେତୃତ୍ୱ ପରିବର୍ତ୍ତନର ଅଦୃଶ୍ୟ ପ୍ରକ୍ରିୟା ଦଳୀୟ କର୍ମୀଙ୍କୁ ସନ୍ଦେହ ଘେରରେ ରଖୁଛି।

କେବଳ ମୋଦୀ ଓ ଶାହାଙ୍କ ଉପରେ ନିର୍ଭର କରି ବିଜେପି ଓଡିଶାରେ ସଫଳତା ପାଇବାର ଆଶା କରିବା ଆକାଶ କଇଆଁ ଚିଲିକା ମାଛ ପରି ହେବ। ଓଡିଶା ନେତୃତ୍ଵରେ ସ୍ପଷ୍ଟତା ନ ଆସିଲେ, ବିଜେପି ନିଜ ସ୍ଥିତି ରକ୍ଷା କରିବା ମଧ୍ୟ ସମ୍ଭବ ହୋଇନପାରେ!

Categories
ବିଶେଷ ଖବର

ବିଜେପିରେ ଅପରାଜିତାଙ୍କ ଭୂମିକା ଅତ୍ୟନ୍ତ ସୀମିତ ନା ତାଙ୍କ ଲାଗି ଏକ ବୃହତ୍ତର ଭୂମିକା ସତରେ ବାକି ଅଛି!

ସମୀକ୍ଷା ବ୍ୟୁରୋ

ଅପରାଜିତା ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁର୍ଦ୍ଧା ସଭାରେ କୌଣସି ବିଶେଷ ଭୂମିକାରେ ଦେଖିବାକୁ ମିଳିନଥିଲା। ଏହି ସଭାରେ ତାଙ୍କୁ ଗୋଟେ ବଡ ଭୂମିକା ନେବାକୁ ହୁଏତ ସୁଯୋଗ ସୃଷ୍ଟି କରାଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେ ଚର୍ଚ୍ଚା ଏହା ଫଳରେ ଥମି ଯାଇଛି। ଏପରିକି ତାଙ୍କୁ ମୋଦୀ ଆସିବା ପୂର୍ବରୁ ଭାଷଣ ଦେବାକୁ ଡକାଯାଇନଥିଲା।ବେମାନ ବନ୍ଦର କିମ୍ବା ହେଲିପ୍ୟାଡରେ  ମୋଦୀଙ୍କୁ ସ୍ଵାଗତ କରିବା ଲାଗି ମଧ୍ୟ ସେ ସୁଯୋଗ ପାଇନଥିଲେ। ବରଂ ଅପରାଜିତାଙ୍କ ଜାଗାରେ ବିଜେପିର ପୁରୁଣା ମହିଳା ନେତ୍ରୀ ସଞ୍ଚିତା ମହାନ୍ତି ଓ ସୁରମା ପାଢି ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଅଧିକ ସୁଯୋଗ ପାଇଥିଲେ। ଅପରାଜିତାଙ୍କର ଭୂମିକାକୁ ସଙ୍କୁଚିତ କରିବା ଲାଗି ରାଜ୍ୟ ନେତୃତ୍ୱ ସଚେତନ ଭାବରେ ପ୍ରୟାସ କରିଥିଲା ନା ଅପରାଜିତାଙ୍କ ଭୂମିକା ମୂଳରୁ ଅନାବଶ୍ୟକ ଭାବରେ ବଡ ଦିଶୁଥିଲା, ସେ କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରାଜିତା ନିଜକୁ ରାଜ୍ୟ ବିଜେପିର ଏଲିଟ ଗୋଷ୍ଠୀର ବୋଲି ଏକପ୍ରକାର ଧାରଣା ସୃଷ୍ଟି କରୁଥିଲେ। ସେ ସିଧାସଳଖ ଉପର ମହଲରୁ ନିର୍ଦ୍ଦେଶ ପାଇ ଆସିଛନ୍ତି ଓ ତାଙ୍କୁ ସେ ଭୂମିକା ଦେବାକୁ ରାଜ୍ୟ ନେତୃତ୍ୱ ଏକପ୍ରକାର ବାଧ୍ୟ ବୋଲି ଏକ ଖବର ବ୍ୟାପକ ହୋଇଥିଲା। ତେଣୁ ତୁରନ୍ତ ତାଙ୍କର ପକ୍ଷ ଛେଦନ ଦରକାର ବୋଲି ଜଣେ ତୁଙ୍ଗ ବିଜେପି ନେତା ତାଙ୍କର ଅନୁଗତ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଅପରାଜିତାଙ୍କ ନୂଆପଲ୍ଲୀ କାର୍ୟାଳୟ ଉପରେ ରାଜ୍ୟ ନେତୃତ୍ୱ ତରଫରୁ ସତର୍କ ଦୃଷ୍ଟି ରଖାଯାଇଛି। ତାଙ୍କ ସହିତ ଭେଟା ହେଉଥିବା ଦଳୀୟ ନେତା ଓ ସାମ୍ବାଦିକଙ୍କ ଖବର ତୁରନ୍ତ ରାଜ୍ୟ ନେତୃତ୍ୱ ପାଖରେ ପହଞ୍ଚି ଯାଉଛି। ଗତ ପନ୍ଦର ଦିନ ଧରି ଗଣମାଧ୍ୟମରେ ଅପରାଜିତାଙ୍କ ପ୍ରଭାବ ଦଳ ଭିତରେ ଏକପ୍ରକାର ଗୋଷ୍ଠୀ ବିବାଦକୁ ତୀବ୍ରତର କରିଛି। ସେଥିପାଇଁ ବୋଧହୁଏ ଅପରାଜିତାଙ୍କୁ ଦଳୀୟ ନେତୃତ୍ୱ ତାଙ୍କ ସୀମା ସମ୍ପର୍କରେ ସଚେତନ କରିଦେଇଛନ୍ତି। ସମୀକ୍ଷା ସହ କଥାବାର୍ତ୍ତା ବେଳେ ଜନୈକ ସଂଘ କର୍ମକର୍ତ୍ତା କହିଛନ୍ତି ଯେ ଅପରାଜିତା ନିଜର ପ୍ରଶାସକୀୟ ଆଦବ କାଇଦା ଦଳ ଭିତରେ ଯଦି ଦେଖେଇବେ ତାହେଲେ ତାଙ୍କୁ କୌଣସି ବିଶେଷ ସୁଯୋଗ ମିଳିବ ନାହିଁ।

ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତାଙ୍କୁ ଟିକେଟ ମିଳିବା ଏତେ ସହଜ ନୁହଁ ବୋଲି କୁହାଯାଉଛି। ପାଇକ ବିଦ୍ରୋହକୁ ନିର୍ବାଚନର କେନ୍ଦ୍ରୀୟ ବିଷୟ କରିବାକୁ ବିଜେପି ଚାହୁଁ ଥିବାରୁ ଓ ଖୁର୍ଦ୍ଧା ରେ ଖଣ୍ଡାୟତ ଭୋଟରଙ୍କର ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ଗତ କାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ପୁରୁଖା ନେତା ବିଶ୍ଵ ଭୂଷଣ ହରିଚନ୍ଦନଙ୍କୁ ଅଧିକ ଗୁରୁତ୍ଵ ଦିଆ ଯାଇଥିଲା। ବିଶ୍ବଭୂଷଣଙ୍କ ପରିବାର ଖୁର୍ଦ୍ଧା ରାଜନୀତିରେ ସବୁବେଳେ ପ୍ରମୁଖ ଭୂମିକା ନେଇ ଆସୁଛନ୍ତି। ୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଶ୍ବଭୂଷଣଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ବିଜେପି ଟିକେଟରେ ଲଢିଥିଲେ। ଅପରାଜିତାଙ୍କ ଆଗମନ ହରିଚନ୍ଦନ ପରିବାର ଭିତରେ ଅସନ୍ତୋଷ ସୃଷ୍ଟି କରିଛି।

ଏତେ ସବୁ ଜଟିଳ ରାଜନୈତିକ ସମୀକରଣ ଭିତରେ ଅପରାଜିତା କିନ୍ତୁ ନିଜର ରାଜନୈତିକ ଲକ୍ଷ୍ୟ ସ୍ଥିର କରି ଆଗେଇ ଚାଲିଛନ୍ତି। ଗତ କାଲିର ସଭା ଆଦୌ ଅନ୍ତିମ ଦୃଶ୍ୟ ନୁହେଁ, ବରଂ ଆଗକୁ ଆହୁରି ଅନେକ ଚକିତ କଲା ପରି ଖବର ଅପରାଜିତାଙ୍କ ଶିବିରରୁ ଆସିପାରେ ବୋଲି ସୂଚନା ମିଳୁଛି!

Categories
ବିଶେଷ ଖବର

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ମହିଳା ହେବେ, ଓଡିଶା ପାଇଁ ସଂଘର ନୂଆ ଫର୍ମୁଲା

କେଦାର ମିଶ୍ର

ଗତ କିଛିଦିନ ହେବ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖିଆ ମୋହନ ଭାଗବତ ଓଡିଶାରେ ଅଛନ୍ତି। ତାଙ୍କ ରହଣି କାଳରେ ସେ ଓଡିଶାର ଦୁଇଜଣ ବିଶିଷ୍ଟ ମହିଳାଙ୍କୁ ସାକ୍ଷାତ କରିବାକୁ ନେଇ ବିଜେପି ରାଜନୀତିରେ ସମୀକରଣ ବଦଳିବାର ସୂଚନା ମିଳୁଛି। ଭାଗବତ ପ୍ରଥମେ ଓଟିଭିର ମାଲିକାଣୀ ଜାଗୀ ମଙ୍ଗତ ପଣ୍ଡାଙ୍କ ସହ ସାକ୍ଷାତ କରିଥିଲେ। ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଯେଉଁ ଗୁଞ୍ଜରଣ ଶୁଭୁଛି, ସେହି ପରିପ୍ରେକ୍ଷୀରେ ଭାଗବତଙ୍କ ସହ ଜାଗୀଙ୍କ ସାକ୍ଷାତକାରର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ତେବେ ରାଜ୍ୟ ବିଜେପି ନେତାଙ୍କୁ ବିଶେଷ ଗୁରୁତ୍ଵ ନଦେଇ ନିକଟରେ ଦଳକୁ ଆସିଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କୁ ସଂଘ ମୁଖିଆ ଭେଟି ଆଲୋଚନା କରିବା ପ୍ରସଙ୍ଗ, ଏବେ ବିଜେପି ରଣନୀତିର ପରିବର୍ତ୍ତନ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି।

୨୦୧୯ ନିର୍ବାଚନରେ ଓଡିଶା ବିଧାନସଭା ଲାଗି ଦିଲ୍ଲୀ ମୋଡେଲ କାର୍ୟକାରୀ କରାଯିବାର ସମ୍ଭାବନା ରହିଛି ବୋଲି ଆମେ ପୂର୍ବରୁ ସୂଚନା ଦେଇଥିଲୁ। କିରଣ ବେଦୀଙ୍କୁ ଶେଷ ମୁହୂର୍ତ୍ତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଗଲା ପରି ଅପରାଜିତା ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଉଭୟ ଓଡିଆ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ନିଜର ପ୍ରତିଷ୍ଠା ତିଆରି କରିବାରେ ବିଫଳ ହୋଇଛନ୍ତି ବୋଲି ସଂଘ ଓ ବିଜେପି ନେତୃତ୍ୱ ଏକପ୍ରକାର ବୁଝି ସାରିଛନ୍ତି। ତେଣୁ ଜଣେ ନୂଆ ମୁହଁ ମାଧ୍ୟମରେ ଭୋଟରଙ୍କ ପାଖକୁ ଯିବାଲାଗି ସଂଘ ପରିବାର ବିଜେପିକୁ ପରାମର୍ଶ ଦେଇଥିବାର ଚର୍ଚ୍ଚା ଏବେ ଶୁଣିବାକୁ ମିଳୁଛି। ଅପରାଜିତା ଷଡଙ୍ଗୀ ଆଗାମୀ ଦିନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷିତ ହେବାର ସମ୍ଭାବନା ଏବେ ଅଧିକ।

ଏହା ସହିତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ମହିଳା ଆରକ୍ଷଣ ବିଲ ସପକ୍ଷରେ ଯେଉଁ ଅଭିଯାନ ଚାଲିଛି, ତାର ମୁକାବିଲା ପାଇଁ ବିଜେପି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ବିଜେଡି କୁ ନୈତିକ ଭାବରେ ଆହ୍ଵାନ ଦେଇପାରେ। ଆମେ କେବଳ ସଂରକ୍ଷଣ ନୁହେଁ, ବରଂ ସିଧା ସଳଖ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛୁ ବୋଲି କହି  ବିଜେପି ନିଜର ପ୍ରଚାର ଅଭିଯାନକୁ ଗୋଟେ ନୂଆ ଟୁଇଷ୍ଟ ଦେବାର ସମ୍ଭାବନା ଏବେ ସ୍ପଷ୍ଟ ଦିଶୁଛି। ମହିଳାଙ୍କ ନୂଆ ନେତୃତ୍ୱ ପାଇଁ ଧର୍ମେନ୍ଦ୍ର ବାବୁ ନିଜର ଅଭିଳାଷକୁ ବଳି ପକେଇଲେ ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି କରାଯିବ। ନବୀନଙ୍କୁ ମୁକାବିଲା କରିବାରେ ଦଳର ପୁରୁଖା ନେତା ସମର୍ଥ ହେଉନଥିବାରୁ, ନୂଆ ନେତାଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ କିଛି ଅସୁବିଧା ନାହିଁ ବୋଲି ସଂଘ ବିଶ୍ଵାସ କରୁଛି।

ତେବେ ସବୁଠୁ ବଡ କଥା ହେଉଛି, ଭାଗବତ ନିଜ ଓଡିଶା ଗସ୍ତ ସମୟରେ ଯେଉଁ ଦୁଇଜଣ ବିଶିଷ୍ଟ ମହିଳାଙ୍କୁ ଭେଟିଛନ୍ତି, ଦୁହେଁ ଓଡିଆ ଘରର ବୋହୁ ହୋଇଥିଲେ ମଧ୍ୟ ଉଭୟ ଅଣ ଓଡିଆ। ଯଦି ଅଣ ଓଡିଆ ବୋହୁଙ୍କୁ ଓଡିଆ ବୋଲି ଗ୍ରହଣ କରିବାକୁ ସଂଘ ଓ ବିଜେପି ଓଡିଶାବାସୀଙ୍କୁ ଆହ୍ଵାନ ଦେବେ, ତାହେଲେ କେଉଁ ମୁହଁରେ ସେମାନେ ସୋନିଆଁ ଗାନ୍ଧୀଙ୍କୁ ବିଦେଶିନୀ ବୋଲି କହିବେ? ଅନ୍ୟ ଏକ ଘଟଣାକ୍ରମରେ ବିଜେପି ଓ ସଂଘର ଜଣେ ବହୁ ପୁରୁଖା ନେତା ମୋହନ ଭାଗବତଙ୍କ ସହ ଦେଖା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଭାଗବତ ସମୟ ଦେଇନଥିଲେ। ନାରାଜ ନେତା ଜଣକ ପାର୍ଟି ଅଫିସରେ ଏହାକୁ ନେଇ ପାଟିତୁଣ୍ଡ କଲାପରେ ପରଦିନ ପ୍ରାର୍ଥନାସଭାକୁ ତାଙ୍କୁ ଡକାଯାଇଥିଲା । ମାତ୍ର ଅଳ୍ପ ସମୟ ପାଇଁ ସେ ସଂଘ ମୁଖିଆଙ୍କୁ ଦେଖା କରିଥିଲେ।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ର ପୁରୁଣା ନେତୃତ୍ୱ ସେତିକି ଅସୁରକ୍ଷିତ ହୋଇପଡୁଛନ୍ତି। ଏବେ ଅପରାଜିତାଙ୍କ କର୍ୟାଳୟରେ ବେଶ ଭିଡ ଜମୁଛି। ଗଣମାଧ୍ୟମରେ ତାଙ୍କୁ ଅଧିକରୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଖୋଦ ବିଜେପିର ଭୁବନେଶ୍ୱର କାର୍ୟାଳୟ ଆଗରେ ଅପରାଜିତାଙ୍କର ଏକ ବିଶାଳକାୟ ପୋଷ୍ଟର ଲାଗିଛି। ଏହି ସବୁ ପୃଷ୍ଟଭୂମିରେ ଅପରାଜିତା ଯେତେବେଳେ ସଂଘ ମୁଖିଆଙ୍କ ସହ ପ୍ରାୟ ୨୫ ମିନିଟ ଆଲୋଚନା କରୁଛନ୍ତି, ସେଠି ରାଜ୍ୟ ବିଜେପି ନେତୃତ୍ୱ ଯେ କ୍ରମଶଃ ତାଙ୍କ ହାତମୁଠାକୁ ଚାଲିଯାଉଛି, ସେ କଥା ଜଳ ଜଳ ହୋଇ ଦେଖାଯାଉଛି। ଅପରାଜିତା ଯଦି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି କିମ୍ବା ଜାଗୀ ମଙ୍ଗତ ପଣ୍ଡା ଯଦି ବିଜେପିରେ ଯୋଗ ଦିଅନ୍ତି, ତାହେଲେ ଓଡିଶାରେ ବିଜେପିର ଜ୍ୟାମିତି ପୂରା ବଦଳିଯିବ। ୨୦୧୯ ସାଧାରଣ ନିର୍ବାଚନରେ ନୂଆ ବାଜି ଲଗେଇବାକୁ ବିଜେପି ଏବେ ମନସ୍ଥ କରିଛି ବୋଲି ଏବେ ଆଭାସ ମିଳୁଛି।