Categories
ଆଜିର ଖବର

ପିଆରସିକୁ ନେଇ ଅଣାୟତ୍ତ ଅରୁଣାଚଳ ପ୍ରଦେଶ

ସ୍ଥାୟୀ ନାଗରିକତ୍ଵ ପ୍ରମାଣପତ୍ର ନେଇ ଅରୁଣାଚଳ ପ୍ରଦେଶରେ ହିଂସା କାରଣରୁ ତିନିଜଣଙ୍କର ହତ୍ୟା ହେବାପରେ ସେଠାରେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ସରକାର ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ଏହି ସମୟରେ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଁଡୁଙ୍କ ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଏକ ଟେଲିଭିଜନ ସାକ୍ଷାତକାରରେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ – ଆମ ରାଜ୍ୟ ବିବିଧତା ଭିତରେ ଏକତା ପାଇଁ ବେଶ୍‌ ପରିଚିତ ହାସଲ କରିଛି ।  ସେଥିପାଇଁ ବିରୋଧ ପ୍ରଦର୍ଶନ ନ କରି ହିଂସାରେ ଭାଗ ନ ନେଇ ଶାନ୍ତିର ସହ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ରାଜ୍ୟର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍‌ ତୁକୀ ରାଜ୍ୟରେ ବିଜେପି ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି । ତାଙ୍କ ମତରେ ବର୍ତ୍ତମାନର ପରିସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ଏକମାତ୍ର ଉପାୟ ।  ରାଜ୍ୟର ରାଜଧାନୀ ଇଟ୍ଟାନଗରରେ ଆଇନ୍‌  କାନୁନ୍‌ର ସ୍ଥିତି ବହୁତ ଜଟିଳ ପରିସ୍ଥିତିରେ ରହିଛି । ଗତ ତିନିଦିନ ଧରି  ରାଜ୍ୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରେ ରହିଥିବାବେଳେ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହିତ ହିଂସାରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଥିଲେ । ସ୍ଥାୟୀ ନାଗରିକତ୍ୱ ପ୍ରମାଣପତ୍ର (ପିଆରସି) ଦିଆଯିବା ପାଇଁ ରାଜ୍ୟ ସରକାର ପ୍ୟାନେଲ ଗଠନ କରିବା ପରେ ଏହି ଆନ୍ଦୋଳନ ତୀବ୍ର ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂରା ରାଜ୍ୟରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। କିଛି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି।