Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଥାନା ଅଧୀନରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ କରୋନାରେ ମୃତ୍ୟୁ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଆଜି କରୋନାରେ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଶ୍ରୀମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁବରଣ କରିଛନ୍ତି।

ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ୧0 ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ୧0ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗରେ ବାଣପୁର ଏବଂ ବାଲୁଗାଁ ର ସମସ୍ତ ଥାନା କର୍ମଚାରୀଙ୍କ ସହ ସମଗ୍ର ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ସଂକ୍ରମଣ ରୋକିବା ପାଇଁ ସଟ୍‌ଡାଉନ୍‌: ବାଣପୁର ଓ ଚିଲିକାର ଏହି ସବୁ ଅଞ୍ଚଳକୁ କରାଗଲା ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦନପୁର ଗ୍ରାମକୁ ସଟ୍‌ଡାଉନ୍‌ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗ୍ରାମକୁ ଆଜି ଅର୍ଥାତ୍‌ ୨୫ ତାରିଖ ମଧ୍ୟାହ୍ନ ୧୨ ଘଟିକାଠାରୁ ୨୮ ତାରିଖ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରିଛନ୍ତି।

ସେହିପରି ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ଓ ବଡ଼ ନଈରୀ ଗ୍ରାମ ପଞ୍ଚାୟତରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାନ ନଈରୀ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି। ଏହି ପଞ୍ଚାୟତର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି  ସାନନଈରୀ ପଞ୍ଚାୟତକୁ ଆଜି ଅର୍ଥାତ୍‌ ୨୫ ତାରିଖ ୧୨ ଘଟିକାଠାରୁ ଆସନ୍ତା ୨୯ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଅନୁରୂପ ଭାବେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ନିମିକ୍ଷେତା ଗାଁ ରୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ଵାଇଁ। ସରପଞ୍ଚ ଶ୍ରୀମତୀ ସ୍ଵାଇଁ ଆଜି ସକାଳ ୬ ଟାରୁ ଆସନ୍ତା ୨୮ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ନିମିକ୍ଷେତା ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ଏହି ସଟ୍‌ଡାଉନ୍‌ ସମୟରେ କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତକୁ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ରହିଛି। ଏତଦ୍‌ବ୍ୟତୀତ ଏହି ସମୟରେ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସଟ୍‌ଡାଉନ୍‌ ନିୟମକୁ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକରେ ଫେଲ୍‌ ମାରିଛି ‘ପରମ୍ପରାଗତ କୃଷି ବିକାଶ ଯୋଜନା’

ବାଣପୁର : ବାଣପୁର ବ୍ଲକରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଆଦିବାସୀ କୃଷକମାନଙ୍କ ପାଇଁ  ପ୍ରଚଳନ କରାଯାଇଥିବା ପାରମ୍ପରିକ କୃଷି ଯୋଜନା ବା ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଫଳପ୍ରସୂ ହୋଇପାରିନାହିଁ । ଏହି ଯୋଜନା ଜୈବିକ କୃଷି ଏବଂ ମାଟିର ଉତ୍ତମ ଗୁଣବତ୍ତା ଲାଗି ପ୍ରଚଳନ କରାଯାଇଥିଲା । ଏହି ଯୋଜନା  ଅନୁସାରେ ମାଟିରେ ରସାୟନିକ ସାରର କମ୍‌ ବ୍ୟବହାର ସହିତ କୃଷକ ମାନଙ୍କର ହିତ ଲାଗି ପ୍ରଚଳିତ ହୋଇଥିଲା । ଏହି ଯୋଜନାଟି ସର୍ବପ୍ରଥେମ ପରୀକ୍ଷା ମୂଳକ ଭାବେ 2017 ମସିହାରେ ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ କୃଷି ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିଲା ।

ଏକ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇକୋ ସଲ୍ୟୁସନ୍‌’ ଦ୍ବାରା ଏହି ଯୋଜନା ପ୍ରଚଳିତ ହୋଇଥିଲା। ଏହି  ଯୋଜନା ସମୁଦାୟ 21ଟି ଦଳର ପ୍ରାୟ 500 ଜଣଙ୍କ ଏକ ହଜାର ଏକର ଜମି ଉପରେ ପ୍ରୟୋଗ ହେବାର ଥିଲା । ଏହି ଯୋଜନାରେ କୃଷକ ମାନଙ୍କୁ ଜୈବିକ କୃଷି ଲାଗି ଆକର୍ଷିତ କରିବା ପାଇଁ କୃଷି ବିଭାଗ ତରଫରୁ ପ୍ରତ୍ଯେକଟି ଦଳକୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବାର ଯୋଜନା ଥିଲା ।

ଏହି ଯୋଜନା ପ୍ରଚଳନ ହେବା ନେଇ ସ୍ଥାନୀୟ କୃଷକମାନେ ବେଶ୍‌ ଆଶାବାଦୀ ହୋଇଥିଲେ । କିନ୍ତୁ ସ୍ଵେଚ୍ଛାସେବି ସଂଗଠନ ର ମନମୁଖୀ କାର୍ଯ୍ୟକୁ ଦେଖି ଲୋକେ ବିମୁଖତା ପ୍ରକାଶ କଲେ । ଏହି ଯୋଜନା ଯେପରି ଭାବରେ ପରିଚାଳିତ ହେବା କଥା, ସେପରି ହେଲା ନାହି । ଏବଂ ଏଥି ସହିତ ଏହି ଯୋଜନାରେ ମିଳିବାକୁ ଥିବା ରାଶି ମଧ୍ୟ ମିଳିଲା ନାହିଁ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ଟଙ୍କା ମିଳିବାର ଥିଲା କିନ୍ତୁ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ହିତାଧିକାରୀମାନଙ୍କୁ କୃଷି ବିଭାଗ କିମ୍ବା ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଚାଷୀମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିଲା ନାହିଁ ।

ଗରିବ ଚାଷୀ ମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉଭୟ ବ୍ଲକର କୃଷି ବିଭାଗ ଏବଂ ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଦା ବିଷ୍ଣୁ ପାଲଟି ଗଲେ । ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିରୋଧରେ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲା । ଚାଷୀମାନେ ଏନେଇ ଆନ୍ଦୋଳନ କରିବା ପରେ ମଧ୍ୟ ବ୍ଲକ୍‌ ପ୍ରଶାସନ ଚାଷୀମାନଙ୍କ କଥାକୁ ଗୁରୁତ୍ବର ସହ ନ ନେଇ ଏଡାଇ ଦେଇଛି । ଉଭୟ ସରକାର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଅପରିଣାମଦର୍ଶିତା ଲାଗି ଏହି ଯୋଜନା  ଫେଲ୍‌ ମାରିଲା । ଆଉ ଉକ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ କୃଷିମନ୍ତ୍ରୀଙ୍କ ଅନୁଗତ ହୋଇଥିବାରୁ ଅନେକ ଅଭିଯୋଗ ପରେ ମଧ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଏକଚାଟିଆ ବେପାର ଜାରି ରହିଛି ସ୍ଥାନୀୟରେ ମତ ପ୍ରକାଶ ପାଉଛି ।