ବାଣପୁର ବ୍ଲକରେ ଫେଲ୍‌ ମାରିଛି ‘ପରମ୍ପରାଗତ କୃଷି ବିକାଶ ଯୋଜନା’

Published: Jun 24, 2020, 6:01 pm IST

ବାଣପୁର : ବାଣପୁର ବ୍ଲକରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଆଦିବାସୀ କୃଷକମାନଙ୍କ ପାଇଁ  ପ୍ରଚଳନ କରାଯାଇଥିବା ପାରମ୍ପରିକ କୃଷି ଯୋଜନା ବା ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଫଳପ୍ରସୂ ହୋଇପାରିନାହିଁ । ଏହି ଯୋଜନା ଜୈବିକ କୃଷି ଏବଂ ମାଟିର ଉତ୍ତମ ଗୁଣବତ୍ତା ଲାଗି ପ୍ରଚଳନ କରାଯାଇଥିଲା । ଏହି ଯୋଜନା  ଅନୁସାରେ ମାଟିରେ ରସାୟନିକ ସାରର କମ୍‌ ବ୍ୟବହାର ସହିତ କୃଷକ ମାନଙ୍କର ହିତ ଲାଗି ପ୍ରଚଳିତ ହୋଇଥିଲା । ଏହି ଯୋଜନାଟି ସର୍ବପ୍ରଥେମ ପରୀକ୍ଷା ମୂଳକ ଭାବେ 2017 ମସିହାରେ ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ କୃଷି ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିଲା ।

ଏକ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇକୋ ସଲ୍ୟୁସନ୍‌’ ଦ୍ବାରା ଏହି ଯୋଜନା ପ୍ରଚଳିତ ହୋଇଥିଲା। ଏହି  ଯୋଜନା ସମୁଦାୟ 21ଟି ଦଳର ପ୍ରାୟ 500 ଜଣଙ୍କ ଏକ ହଜାର ଏକର ଜମି ଉପରେ ପ୍ରୟୋଗ ହେବାର ଥିଲା । ଏହି ଯୋଜନାରେ କୃଷକ ମାନଙ୍କୁ ଜୈବିକ କୃଷି ଲାଗି ଆକର୍ଷିତ କରିବା ପାଇଁ କୃଷି ବିଭାଗ ତରଫରୁ ପ୍ରତ୍ଯେକଟି ଦଳକୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବାର ଯୋଜନା ଥିଲା ।

ଏହି ଯୋଜନା ପ୍ରଚଳନ ହେବା ନେଇ ସ୍ଥାନୀୟ କୃଷକମାନେ ବେଶ୍‌ ଆଶାବାଦୀ ହୋଇଥିଲେ । କିନ୍ତୁ ସ୍ଵେଚ୍ଛାସେବି ସଂଗଠନ ର ମନମୁଖୀ କାର୍ଯ୍ୟକୁ ଦେଖି ଲୋକେ ବିମୁଖତା ପ୍ରକାଶ କଲେ । ଏହି ଯୋଜନା ଯେପରି ଭାବରେ ପରିଚାଳିତ ହେବା କଥା, ସେପରି ହେଲା ନାହି । ଏବଂ ଏଥି ସହିତ ଏହି ଯୋଜନାରେ ମିଳିବାକୁ ଥିବା ରାଶି ମଧ୍ୟ ମିଳିଲା ନାହିଁ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ଟଙ୍କା ମିଳିବାର ଥିଲା କିନ୍ତୁ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ହିତାଧିକାରୀମାନଙ୍କୁ କୃଷି ବିଭାଗ କିମ୍ବା ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଚାଷୀମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିଲା ନାହିଁ ।

ଗରିବ ଚାଷୀ ମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉଭୟ ବ୍ଲକର କୃଷି ବିଭାଗ ଏବଂ ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଦା ବିଷ୍ଣୁ ପାଲଟି ଗଲେ । ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିରୋଧରେ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲା । ଚାଷୀମାନେ ଏନେଇ ଆନ୍ଦୋଳନ କରିବା ପରେ ମଧ୍ୟ ବ୍ଲକ୍‌ ପ୍ରଶାସନ ଚାଷୀମାନଙ୍କ କଥାକୁ ଗୁରୁତ୍ବର ସହ ନ ନେଇ ଏଡାଇ ଦେଇଛି । ଉଭୟ ସରକାର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଅପରିଣାମଦର୍ଶିତା ଲାଗି ଏହି ଯୋଜନା  ଫେଲ୍‌ ମାରିଲା । ଆଉ ଉକ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ କୃଷିମନ୍ତ୍ରୀଙ୍କ ଅନୁଗତ ହୋଇଥିବାରୁ ଅନେକ ଅଭିଯୋଗ ପରେ ମଧ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଏକଚାଟିଆ ବେପାର ଜାରି ରହିଛି ସ୍ଥାନୀୟରେ ମତ ପ୍ରକାଶ ପାଉଛି ।

Related posts