Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସରକାରୀ କର୍ମଚାରୀମାନେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବହାର ପାଇଁ ତାଗିଦ୍

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା (EBG) କାର୍ଯ୍ୟକାରୀ କରିବାରେ ଜଡ଼ିତ ଥିବା ପ୍ରକ୍ରିୟା ବିଷୟରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ସମୟରେ ରାଜ୍ୟ ସରକାର ସମସ୍ତ ସରକାରୀ କ୍ରୟ ପାଇଁ EBG ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ନିଶ୍ଚିତ ଭାବରେ ସରକାରୀ ବିଭାଗକୁ ସମସ୍ତ କ୍ରୟ ପ୍ରକ୍ରିୟା ସମୟରେ ସତ୍ୟତା ଯାଞ୍ଚ କରିବାରେ ସାହାଯ୍ୟ କରିବ ଏବଂ ଠକେଇ ସମ୍ଭାବନାକୁ ଦୂର କରିବାରେ ସହାୟକ ହେବ। ତେଣୁ ସମସ୍ତ ସରକାରୀ ଏଜେନ୍ସିଗୁଡ଼ିକ ଏହି ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ତାଙ୍କ ସ୍ୱାଗତ ବକ୍ତବ୍ୟରେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ବାବଦରେ ବୁଝାଇବା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ବ୍ୟାଙ୍କ NeSL  ପ୍ଲାଟଫର୍ମରେ ସାମିଲ ହୋଇ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ କହିଥିଲେ । NeSL ନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ଇ.ପି. ନିବେଦିତା ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟିର ସମସ୍ତ ସରକାରୀ କ୍ରୟ ପାଇଁ EBG ର ବ୍ୟବହାର ଏବଂ ପ୍ରୟୋଗାତ୍ମକ ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ।

EBG ପଦ୍ଧତିକୁ ବାଧ୍ୟତାମୂଳକ କରିବା ପୂର୍ବରୁ ଏହାକୁ କେତେକ ବିଭାଗ ଏବଂ ସରକାରୀ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଇ ଅନୁଧ୍ୟାନ କରାଯିବ। ସଂଚୟ ଏବଂ ଆର୍ଥିକ ସେବା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାନ୍ତ ଦାସ ଧନ୍ୟବାଦ ଅର୍ପଣ କରିବା ଅବସରରେ କର୍ମଶାଳାରେ ଆଲୋଚିତ ତଥ୍ୟକୁ ସଂକ୍ଷିପ୍ତ କରି ତଥ୍ୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ବିଭିନ୍ନ ପ୍ରଶାସନିକ ବିଭାଗର ସଚିବ, ଆର୍ଥିକ ପରାମର୍ଶଦାତା, ସହକାରୀ ଆର୍ଥିକ ପରାମର୍ଶଦାତା, ବ୍ୟାଙ୍କ ପ୍ରତିନିଧି, ଜିଲ୍ଲାପାଳ, ସରକାରୀ ଉଦ୍ୟୋଗର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ପରବର୍ତ୍ତୀ ସମୟରେ ସମସ୍ତ ବ୍ୟାଙ୍କ ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଅର୍ଥ ପଠାଯାଇଥିବା ବେଳେ ଲୋକ ଯେପରି ପଇସା ଉଠାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭିନ୍ନ ବ୍ୟାଙ୍କ ଶାଖା, ଏଟିଏମ୍‌, ସିଏସ୍‌ ପିଏସ୍‌ ଏବଂ ବିସିଏସ୍‌ ଗୁଡିକରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ରଖିବା ସହିତ ପାଓ୍ବାର ବ୍ୟାକପ୍‌ ଏବଂ ନିରବଛିନ୍ନ ଇଣ୍ଟରନେଟ ସେବା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥବିଭାଗର ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ଏନେଇ ରିଜର୍ଭ ବ୍ୟାଙ୍କ ଜିଏମ୍‌ ଏବଂ ୟୁକୋ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର

ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଲେଖ ଜରୁରୀ ନୁହେଁ : ରାଜୀବ କୁମାର

ମୁମ୍ବାଇ,22/12 : ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଳେଖ ଜରୁରୀ ନୁହେଁ ବୋଲି ଅର୍ଥନୈତିକ ସଚିବ ରାଜୀବ କୁମାର ପ୍ରକାଶ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ଏବଂ କେଓ୍ବାଇସି ପାଇଁ ଧର୍ମ ଜରୁରୀ ବୋଲି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହି ସ୍ପଷ୍ଟୀକରଣ ପ୍ରକାଶ ପାଇଛି । ଅର୍ଥନୈତିକ ସଚିବ ରାଜୀବ କୁମାର ଶନିବାର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପରି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ । କୌଣସି ଗୁଜବକୁ ବିଶ୍ବାସ ନକରିବା ପାଇଁ ରାଜୀବ କୁମାରଙ୍କ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇଥିଲା । ଏହା ସହିତ ରାଜୀବ ସ୍ପଷ୍ଟ କରିଛନ୍ତି କି , ଫର୍ମରେ ଧର୍ମ ଏବଂ ଜାତୀୟତାର ବିକଳ୍ପ ରହିବ ମାତ୍ର ଧର୍ମ ସମ୍ପର୍କରେ ଉଲ୍ଲେଖ କରିବା ନ କରିବା ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ ।