Categories
ଆଞ୍ଚଳିକ

ପ୍ରକାଶ ପାଇଲା ବାଣପୁର ଓକିଲ ସଂଘର ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା, ଜାଣନ୍ତୁ ସେମାନେ କିଏ

ବାଣପୁର ( ସୀତାରାମ ଅଗ୍ରୱାଲ): ମାର୍ଚ୍ଚ ୩୦ ରେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଜି ପ୍ରାର୍ଥୀଙ୍କ ଚୂଡାନ୍ତ ନାମ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ଚଳିତ ବର୍ଷ ନିର୍ବାଚନ ରୋଚକ ସ୍ଥିତିରେ ପହଁଚିଛି। ଚଳିତ ବର୍ଷ ଏକାଧିକ ନୂତନ ଚେହେରାଙ୍କୁ ଦେଖିବାକୁ ମିଳିଛି ନିର୍ବାଚନ ମୈଦାନରେ।

ସଂଘ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବୀ ପ୍ରସାଦ ସାମନ୍ତରାୟଙ୍କ ମଧ୍ୟରେ ଲଢେଇ ହେବ। ସେହିପରି ଭାବେ ଉପସଭାପତି ପଦବୀ ପାଇଁ ୩ ପ୍ରାର୍ଥୀ ଯଥାକ୍ରମେ ରାମଚନ୍ଦ୍ର ପଲାଇ, ଚିତ୍ରସେନ ସାହୁ ଏବଂ ଶ୍ରୀନିବାସ ରାଓ ଙ୍କ ମଧ୍ୟରେ ଲଢେଇ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ସମ୍ପାଦକ ପଦବୀ ପାଇଁ ମନୋଜ କୁମାର ମହାପାତ୍ର ଏବଂ ରଞ୍ଜନ କୁମାର ବେଦମତ୍ତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

ମନୋଜ ପୁର୍ବରୁ ଉକ୍ତ ସଂଘର ସମ୍ପାଦକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେବେ ରଞ୍ଜନ କୁମାର ବେଦମତ୍ତା। ରଞ୍ଜନ ବାଣପୁର ଓକିଲ ସଂଘର ପ୍ରତ୍ୟେକ ନିର୍ବାଚନରେ ରଣନୀତିକାର ସାଜି ଏକାଧିକ ପ୍ରାର୍ଥୀମାନଙ୍କୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ନିଭାଉଥିବା ବେଳେ ଚଳିତଥର ସମର୍ଥକଙ୍କ ଅନୁରୋଧ କ୍ରମେ ନିଜେ ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ମୈଦାନକୁ ଓଲ୍ହାଇଛନ୍ତି।

ଅନୁରୂପଭାବେ ସହ ସମ୍ପାଦକ ପଦବୀ ପାଇଁ ନରେନ୍ଦ୍ର କୁମାର ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେବେ ୩ ଗୋଟି କାର୍ଯ୍ୟକାରୀ ସମିତି ସଭ୍ୟ ପାଇଁ ପାଞ୍ଚ ଜଣ ପ୍ରାଥୀ ଯଥାକ୍ରମେ ଦେବବ୍ରତ ବଡ଼ଜେନା, ସୁପ୍ରଭା ସାମନ୍ତରାୟ,ସନ୍ତୋଷ କୁମାର ମହାପାତ୍ର, ନରେଶ କୁମାର ଚମ୍ପତ୍ତି ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରତିଦ୍ବନ୍ଦିତା କରୁଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, କୁଳମଣି ବେହେରା ଏବଂ ସନ୍ତୋଷ ପାତ୍ର ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ମଞ୍ଚ ପରିଚାଳନା କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।