Categories
ବିଶେଷ ଖବର

ମୋଦୀଙ୍କ ସବୁଜ ପତାକା କାହା ପାଇଁ, ପେସେଞ୍ଜର ଟ୍ରେନ ନା ନବୀନ ପଟ୍ଟନାୟକଙ୍କ ପାଇଁ ??

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ ମଧ୍ୟ ସେ ତାଙ୍କ ସରକାରର କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିପାରନ୍ତି। ଗତ କାଲି ବାରିପଦାରେ ସେୟା ହେଲା ମଧ୍ୟ। ଗୋଟେ ସମାନ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ଶୁଭ ଦେବା, ଭୂମିପୂଜନ କରିବା ଭଳି କାମ କେବଳ ମୋଦୀ ସରକାରରେ ହିଁ ସମ୍ଭବ। ସେଦିନ ଜାମସେଦପୁରରୁ ବାଦାମପାହାଡ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ କଲେ।  ଟ୍ରେନ ଜାମସେଦପୁରରେ ଆଉ ପ୍ରଧାନମନ୍ତ୍ରୀ ବାରିପଦାରେ। ବାରିପଦାରେ ସବୁଜ ପତାକା ହଲେଇ ପ୍ରଧାନମନ୍ତ୍ରୀ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ। କିନ୍ତୁ ସେ ସବୁଜ ପତାକା ଟ୍ରେନ ପାଇଁ ନା ଆଉ କାହା ପାଇଁ, ସେ ପ୍ରଶ୍ନ ଏବେ ଓଡିଶା ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ମୋଦୀ ଗତ ଡିସେମ୍ବର ୨୪ ତାରିଖ ଦିନ ଖୁର୍ଦ୍ଧା ସଭାରେ ଯାହା କହିଥିଲେ, ବାରିପଦା ସଭାରେ ମଧ୍ୟ ଆପାତତଃ ସେୟା କହିବେ ବୋଲି ଆମେ ଭବିଷ୍ୟବାଣୀ କରିଥିଲୁ। ଏବେ ସେୟା ହିଁ ହୋଇଛି। ଖୁର୍ଦ୍ଧା ତୁଳନାରେ ବାରିପଦା ସଭାରେ ଓଡିଶା ସରକାରଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ଅଧିକ ନରମ ଥିଲା। କଂଗ୍ରେସ ପ୍ରତି ଅତ୍ୟନ୍ତ କଡା (ପ୍ରଧାନମନ୍ତ୍ରୀ ଭାବରେ ଏକପ୍ରକାର ଅଶୋଭନୀୟ) ଭାଷା ପ୍ରୟୋଗ କରିଥିବା ମୋଦୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ଉଚ୍ଚାରଣ କରିନଥିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ନବୀନ ଏବେ ମୋଦୀଙ୍କ ଭବିଷ୍ୟତ ପାଇଁ ସବୁଠୁ ବଡ ଆବଶ୍ୟକତା ପାଲଟିଛନ୍ତି।

କଂଗ୍ରେସର ରାଫାଲେ ଆକ୍ରମଣ ଯୋଗୁଁ ମୋଦୀ ଯେ ବିଚଳିତ ହୋଇ ପଡିଛନ୍ତି, ତାହାର ଝଲକ ବାରିପଦା ସଭାରେ ଗତ କାଲି ଦେଖିବାକୁ ମିଳିଥିଲା। କଂଗ୍ରେସକୁ ଆକ୍ରମଣ କରିବାରେ ହୁଏତ କିଛି ଅସୁବିଧା ନାହିଁ, କିନ୍ତୁ ଏହି ଆକ୍ରମଣ ଯେ ଆତ୍ମରକ୍ଷାର ବାଟ, ସେକଥା ମୋଦୀଙ୍କ ଭାଷଣରୁ ବାରି ହୋଇ ପଡୁଥିଲା। ମହିଳା ଶକ୍ତିକୁ ପ୍ରଶଂସା କରିବାକୁ ଯାଇ ଗୋଟେ ସାଧାରଣ ସଭାରେ ନିର୍ମଲା ସୀତାରମଣଙ୍କୁ ପ୍ରଶଂସା କରିବା ମୋଦୀଙ୍କ ଅସହାୟତାକୁ ଧାରା ପକେଇ ଦେଇଛି। ଆଜି ପର୍ୟନ୍ତ ସବୁ କଥାରେ ”ମୁଁ, ମୋର ଓ ମୋଦୀର” ବୋଲି କହୁଥିବା ନରେନ୍ଦ୍ର ମୋଦୀ ହଠାତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଛରେ ସେ ଭୟ ହିଁ କାମ କରୁଛି।

ତେବେ ସବୁଠୁ ବଡ କଥା ହେଲା, ରାଜ୍ୟ ସରକାର ବିରୋଧରେ ଚୁପ ରହିବା ପାଇଁ ମୋଦୀ ବାଧ୍ୟ ହୋଇଛନ୍ତି କି? ୨୦୧୯ ନିର୍ବାଚନରେ ସହଯୋଗୀ ଖୋଜିବାର ଉଦ୍ୟମର ଏହା ଅଂଶ ବିଶେଷ ମାତ୍ର। ଏବେ ମୋଦୀ ନବୀନଙ୍କୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଏହାପରେ ଓଡିଶା ବିଜେପିର ଆକ୍ରମଣ ଫସର ଫାଟିବା ଅବସ୍ଥାକୁ ଆସିଯାଇଛି। ବିଜେପି ଓ ବିଜେଡି ଭିତରେ ଭିତିରି ବୁଝାମଣା ର ଚର୍ଚ୍ଚା ବିଜେପିକୁ ବଡ ଅକଳିଆ ଅବସ୍ଥାରେ ପକାଇଛି। ପୂର୍ବୋଦୟ ବାହାନାରେ ବିଜେପି ଏବେ ତେଲେଙ୍ଗାନା, ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କର ଶରଣାପନ୍ନ ହୋଇଛି। ୨୦୧୯ ନିର୍ବାଚନରେ ନବୀନଙ୍କୁ କୌଣସି ପ୍ରକାରେ ହାତଛଡା କରିବାକୁ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହୁଁନାହିଁ।

ତେଣୁ ଆଜି ମୋଦୀ ନବୀନଙ୍କୁ ବନ୍ଧୁତ୍ଵର ସବୁଜ ପତାକା ପ୍ରଦର୍ଶନ କରି ଫେରି ଯାଇଛନ୍ତି ବୋଲି କହିବାରେ କୌଣସି ଅସୁବିଧା ନାହିଁ।