Categories
ଆଜିର ଖବର

ମଦ ଆଣିବାକୁ ଯାଇ ମହୁମାଛି ଆକ୍ରମଣରେ ମୃତ୍ୟୁବରଣ କଲେ ବ୍ୟକ୍ତି

ପୁଣେ : ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ମଦ ବିକ୍ରିକୁ ଅନୁମତି ମିଳିଛି । ଏହି କ୍ରମରେ ଦେଶରେ ବହୁ ସ୍ଥାନରେ ମଦ ବିକ୍ରି ହୋଇଛି । ମଦ ଦୋକାନ ଖୋଲିବା ପରେ ବହୁ ଅଜବ କଥା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୁଣେଠାରେ ଜଣେ  ବ୍ୟକ୍ତି ମଦ କିଣିବାକୁ ଯାଇ ମହୁମାଛି ଦଂଶନରେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୁଣେରେ ଦେହୁ ଗ୍ରାମରେ ମଦ ଦୋକାନ ଖୋଲାଯିବା ପରେ ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଏକ ଲମ୍ବା ଲାଇନ ଲାଗିଥିଲା । କିଛି ଘଣ୍ଟା ଧରି ଏହି ଲମ୍ବା ଲାଇନରେ ଛିଡା ହେବା ପରେ କିଛି ଲୋକଙ୍କ ଧକ୍କା ଓ କଥା କଟାକଟି ଆରମ୍ଭ ହୋଇଗଲା । ଏହା ପରେ ପୋଲିସ ଆସିଲା । ଏହା ମଧ୍ୟରେ ମଦ ଦୋକାନୀ ଦୋକାନର ସଟର ପକାଇଦେଲା ।

ମଦ ଦୋକାନ ବନ୍ଦ ହେବା ରାଗରେ ଜଣେ ଏହି ଦୋକାନକୁ ପଥର ପକାଇଲେ । ପଥରଟି ଯାଇ ମହୁମାଛିଙ୍କ ବସାରେ ବାଜିଲା । ଏହା ପରେ ମହୁମାଛି ଉଡି ଆସି ଦୋକାନ ସାମ୍ନାରେ ଛିଡା ହୋଇଥିବା ଲୋକଙ୍କୁ ଆକ୍ରମଣ କଲେ । ମହୁମାଛିଠାରୁ ବଞ୍ଚିବାକୁ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଏହି ଦୌଡାଦେୌଡିରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ମଧ୍ୟରେ 41 ବର୍ଷୀୟ ଜଣେ ବ୍ୟକ୍ତି ଅତ୍ୟଧିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । (ଏଜେନ୍ସି)