Categories
ଆଜିର ଖବର ଜାତୀୟ ଖବର

ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟି ସରକାର ଗଠନ ପାଇ ଅନୁରୋଧ କଲେ ବିଷ୍ଣୁଦେବ ସାଏ

ରାୟପୁର: ଆଜି ସଂଧ୍ୟାରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବାଚ୍ୟ ବିଷ୍ଣୁଦେବ ସାଏ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ସେ ରାଜ୍ୟରେ ସରକାର ଗଠନ କରିବାକୁ ଡାକିବା ପାଇଁ ଅନୁରୋଧ କରିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ, ଛତିଶଗଡ ବିଜେପି ପ୍ରଭାରୀ ପ୍ରମୁଖ ସାମିଲ ଥିଲେ।

ବିଷ୍ଣୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା ପରେ ତାଙ୍କ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବେ। ସେ କୁନୁକୁରୀ ସଂରକ୍ଷିତ ଆସନରୁ ପ୍ରାୟ 25 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିନ ୧୪ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ନିଜସ୍ୱ ବାସଭବନକୁ ଯିବେ ଏବଂ ସଂଧ୍ୟାରେ କଟକ ଏସ.ସି.ବି. ମେଡିକାଲ କଲେଜ ଅଭିମୁଖେ ଯାତ୍ରା କରିବେ। ବାଲେଶ୍ୱର ରେଳ ଦୁର୍ଘଟଣାରେ ସେଠାରେ ଚିକିତ୍ସିତ ହେଉଥିବା ପିଡ଼ିତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିବେ।

୧୫ ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର ସୋମନାଥ ପ୍ରସାଦ ଜେନାଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଦିଗ୍‌ବିଜୟୀ ଗଜପତି” ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ରଖିବେ ଏବଂ ଉକ୍ତ ପୁସ୍ତକ ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦରଣୀୟା ମା’ ହୀରାବେନ୍ ମୋଦିଙ୍କ ୧୦୦ତମ ଜନ୍ମତ୍ସୋବରେ ଉଦ୍‌ଘାଟକ ଭାବେ ଯୋଗ ଦେବା ପାଇଁ ସେ ୧୭ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦିଙ୍କର ୧୦୦ତମ ଜନ୍ମତ୍ସୋବ ଅବସରରେ ଆଇ.ଆଇ.ସି. ନୂଆଦିଲ୍ଲୀ ଠାରେ ସି.ଏନ.ଏମ.ଏସ. (ସେଂଟର ଫର ନରେନ୍ଦ୍ର ମୋଦି ଷ୍ଟଡି) ଆନୁକୁଲ୍ୟରେ ଅନୁଷ୍ଠିତ “ଏକ ମା’ର ପ୍ରଭାବ: ମୋଦିଙ୍କ ମା’ କିପରି ମୋଦିଙ୍କ ନେତୃତ୍ୱ ଓ ଦୃଷ୍ଟିକୋଣକୁ ତିଆରି କରିଥିଲେ” କର୍ମଶାଳାରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ଉପରେ ପ୍ରକାଶ ପାଇବାକୁ ଥିବା ପୁସ୍ତକ “ମା’ ଓ“ସ୍ମରଣୀକା” ଉଭୟ ଉନ୍ମୋଚନ କରି ଉକ୍ତ ସଭାକୁ ଉଧ୍‌ବୋଧନ ଦେବେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ୧୯ ତାରିଖ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଲେ ବିଶ୍ବଭୂଷଣ ହରିଚନ୍ଦନ, ପାଦଛୁଇଁ ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଶେଷରେ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିବାରୁ ସେ ଆନ୍ଧପ୍ରଦେଶ ରାଜଭବନ ଛାଡିଛନ୍ତି। ସେଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ଉଭୟ ରାଜ୍ୟପାଳ ଏବଂ ଲେଡି ଗଭର୍ଣ୍ଣରଙ୍କୁ ବିଦାୟ ଦେଇଛନ୍ତି।

ତେବେ ଏହି ବିଦାୟ ବେଳେ ଜଗନମୋହନ ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି। ଯାହାକୁ ନେଇ ଆନ୍ଧ୍ର ପ୍ରଦେଶରେ ତାଙ୍କର ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ରାଜ୍ୟର ବହୁ ନେତା ତଥା ବରିଷ୍ଠ ଅଧିକାରୀ ଉଭୟଙ୍କୁ ବିଦାୟ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି। ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା। ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ  ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ। ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି  ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ।

ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳ କାହିଁକି ବିଶ୍ବଭୂଷଣ ଜଣେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ହେଲେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ରାଜ୍ୟ ରାଜନୀତିରେ ଏହି ଭିଟଘାଟକୁ ନେଇ ବେଶ୍ କିଛି ଆଲୋଚନା ଚାଲିଛି।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବଭୂଷଣ ଫୁଲତୋଡା ସହିତ ପ୍ରଭୃ ବାଲାଜୀଙ୍କ ଫଟୋ ଓ ଉତ୍ତରୀୟ ପ୍ରଦାନ ପରେ ଉଭୟ ବସି କିଛି ସମୟ କଥା ହୋଇଥିଲେ। ଏହାହିଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଉଭୟ କଣ ଏବଂ କେଉଁ ବିଷୟରେ କଥା ହେଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଦୁଇ ପ୍ରକାରର ଚର୍ଚ୍ଚା ସାମାନାକୁ ଆସିଛି। ଯାହାକୁ ବିଜେପି ନେତାମାନେ ଖଣ୍ଡନ କରୁଥିଲେ ମଧ୍ୟ ସାଧାରଣରେ ତାହାକୁ କେହି ଅସମ୍ଭବ ବୋଲି କହିପାରୁ ନାହାଁନ୍ତି।

ପ୍ରଥମ ଚର୍ଚ୍ଚା ହେଲା ଯେ, ରାଷ୍ଟ୍ରପତି ନିର୍ବାଚନ ଆଗରେ ଥିବାରୁ ଏହି ଭେଟଘାଟ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି। ପ୍ରତିଷ୍ଠିତ ମହଲରେ ଆଲୋଚନା ହେଉଛି ଯେ, ହୁଏତ ବିଶ୍ବଭୂଷଣଙ୍କୁ ମୋଦୀ ରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳରୁ ରାଷ୍ଟ୍ରପତି ହୋଇଛନ୍ତି। ସେ ଯେପରି ରାଜଭବନରୁ ରାଷ୍ଟ୍ରପତି ଭବନ ଗଲେ ବିଶ୍ବଭୂଷଣ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋଦୀ ଓଡିଶାର ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ବହୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ କରାଇଛନ୍ତି। ପୂର୍ବରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ବର୍ତ୍ତମାନର ସିଏଜି ଗିରିଶ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସଚିବ ପିକେ ମିଶ୍ରଙ୍କ ପରି ଅନେକ ବ୍ୟକ୍ତିତ୍ବ ଅଛନ୍ତି। ଏମାନେ ଦେଶର ବହୁ ଉଚ୍ଚପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେଣୁ ସେଥିରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି କୁହାଯାଇଛି।

ଚର୍ଚ୍ଚା ନମ୍ବର ଦୁଇରେ ହେଲା ଯେ, ବିଶ୍ବଭୂଷଣ ପୁଣି ଥରେ ଓଡିଶାର ପ୍ରତ୍ୟେକ୍ଷ ରାଜନୀତିକୁ ଆସିପାରନ୍ତି। କାରଣ ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ବାରମ୍ବାର ହାରିବାରେ ଲାଗିଛି। ଯେପରି ସଫଳତା ହାସଲ କରିବା କଥା ତାହା ହୋଇପାରୁ ନାହିଁ। ମୋଦୀଶାହା ଧର୍ମେନ୍ଦ୍ରଙ୍କୁ ବେଶ ପାୱାରଫୁଲ କଲେ ମଧ୍ୟ ଓଡିଶା ଲୋକେ ତାଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କର ବିକଳ୍ପ ଭାବେ ଅପରାଜିତା ଷଡଙ୍ଗୀଙ୍କୁ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ସେ ମଧ୍ୟ ଲୋକପ୍ରିୟତା ହାସଲ କରିପାରୁ ନାହାଁନ୍ତି।

ଏହା ବାଦ ବର୍ତ୍ତମାନ ଓଡିଶା ବିଜେପିରେ ରାଜ୍ୟ ସ୍ତରୀୟ ଚେହେରା ହେବା ପରି କେନ୍ଦ୍ରୀୟ ନେତୃତ୍ୟ ପାଖରେ କେହି ଦେଖା ଯାଉ ନାହାଁନ୍ତି। ଫଳରେ ମୋଦୀ ୨୦୨୪ ରେ ବିଶ୍ବଭୂଷଣଙ୍କୁ ଓଡିଶାର ବିଜେପି ଚେହେରା କରି ପ୍ରତ୍ୟେକ୍ଷ ରାଜନୀତିକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ କେହି କିଛି ମନ୍ତବ୍ୟ ଦେଇ ନାହାଁନ୍ତି। ହେଲେ ରାଜନୀତିରେ ଏ ସବୁ କିଛି ଅସମ୍ଭବ ନୁହେଁ ବୋଲି ଅଣ ରାଜନୈତିକ ବ୍ୟକ୍ତିତ୍ବ ମତ ପ୍ରକାଶ କରିଛନ୍ତି।