Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ସହିତ ବିଜେପିର ବାହାଘର, ଏପରି କାହିଁକି କଲା କଂଗ୍ରେସ

ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ବିଜେଡି ସହିତ ବିଜେପିର ବାହାଘର କରାଇଛି। ବିଜେଡିକୁ କନ୍ୟା କରାଯାଇଥିବା ବେଳେ ବିଜେପିକୁ ବର କରାଯାଇଛି। ଆଉ ବେଦୀରେ ପଣ୍ଡିତ ମନ୍ତ୍ରପାଠ କରି ହୋମ ମଧ୍ୟ କରୁଛନ୍ତି। ସେହି ବେଦୀରେ ବିଜେଡି ବିଜେପିର ହାତଗଣ୍ଠି ପକାଉଛନ୍ତି।

ଏହିପରି ଏକ ଦୃଶ୍ୟ ଭୁବନେଶ୍ବରର ମାଷ୍ଟରକ୍ୟାଟିନରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ଛାତ୍ର କଂଗ୍ରେସ ଏହାକୁ ଆୟୋଜନ କରିଥିଲା। ଏଥିରେ ଉପସ୍ଥିତ ଥିଲେ ଖୋଦ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ପୂର୍ବତନ ସଭାପତି ଜୟଦେବ ଜେନା, ବିଧାୟକ ସୁର ରାଉତରାୟ ପ୍ରମୁଖ ବହୁ ନେତା। ଏହି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ଜଣେ ଉଭୟ ବରକନ୍ୟାଙ୍କ ଉପରେ ଚାଉଳ ପକାଉଥିଲା।

ସେତିକି ନୁହେଁ, ଏହା ପୂର୍ବରୁ ଛାତ୍ର କଂଗ୍ରେସ ତରଫରୁ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ବଣ୍ଟନ କରାଯାଇଥିଲା। ଏଥିରେ ବିଜେଡି ସହିତ ବିଜେପିର ବାହାଘର ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଆଜି ତାରିଖ ସହିତ ସ୍ଥାନ ମାଷ୍ଟର କ୍ୟାଟିନ ଛକ ବୋଲି ଉଲ୍ଲେଖ କରାଯାଇଥିଲା।

ବିଜେଡି ବିଜେପି ସଂପର୍କକୁ ନେଇ ଏହିପରି ଏକ ଭିନ୍ନ ପ୍ରକାରର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ସେମାନଙ୍କର ଅଭିଯୋଗ ଯେ, ବିଜେଡି ବିଜେପି ଲୁଚାଛପାରେ ପ୍ରେମ କରୁଛନ୍ତି। ସେମାନେ ଲୋକ ନିନ୍ଦା ଭୟରେ ବାହା ହୋଇପାରୁ ନାହାଁନ୍ତି। ସେଥିପାଇଁ ଆମେ ଏହି ଗୁରୁ ଦାୟିତ୍ବ ବହନ କଲୁ ବୋଲି ଛାତ୍ର କଂଗ୍ରେସ କହିଛି।

ତେବେ ଏପରି ପ୍ରତିବାଦକୁ ଘୋର ବିରୋଧ କରିଛନ୍ତି ବିଜେଡି। ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ଯେ, କଂଗ୍ରେସ କହୁଛି ବିଜେଡି ବିଜେପି ଏକ, ସେପଟେ ବିଜେପି କହୁଛି କଂଗ୍ରେସ ବିଜେଡି ଏକ। ହେଲେ ଓଡିଶାର ଜନସାଧାରଣ ଭଲ ଭାବରେ ଜାଣନ୍ତି ବିଜେଡି କଣ। ସେଥିପାଇଁ ଓଡିଶାବାସୀ ପାଞ୍ଚ ଥର ଦଳକୁ ଜିତାଇ ଆଣିଲେଣି। ଏମିତି ଯେତେ ନାଟକ କଲେ ସେଥିରେ କିଛି ପ୍ରଭାବ ପଡିବ ନାହିଁ ବୋଲି ଭୂପିନ୍ଦର କହିଛନ୍ତି।