ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 11 ଜାନୁୟାରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 14 ଜାନୁୟାରୀରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । 21 ଜାନୁୟାରୀ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ ନାମାଙ୍କନ ପ୍ରତ୍ୟାହାର ପାଇଁ 24 ତାରିଖ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ ସୁମଦାୟ 1.46 କୋଟି ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସମୁଦାୟ 13750 ପୁଲିଙ୍ଗ ବୁଥ୍ରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦିଲ୍ଲୀର 2689ଟି ଆସନରେ ଭୋଟ ଗ୍ରହଣ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନର ଦୂଚନା ଦେଇଛନ୍ତି । 80 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପ୍ରଦାନ କରିବେ । ପାଞ୍ଚଦିନ ପୂର୍ବରୁ ଏନେଇ ଫର୍ମ ଭରିବାକୁ ପଡିବ ବୋଲି ଜଣାପଡିଛି । ନିର୍ବାଚନକୁ ସୂଚାରୁ ଭାବରେ ସମ୍ପାଦନ କରିବା ପାଇଁ 90 ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ର 67 ବିଧାୟକ ରହିଥିବା ବେଳେ ବିଜେପିର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା ।
Tag: BJP
ବିହାର, 5/1: ଏବେ ଏନପିଆରକୁ ନେଇ ବିଜେପି ଓ ସହଯୋଗୀ ଦଳ ଜେଡିୟୁ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ଏହାକୁ ନେଇ ଦୁଇ ଦଳ ଭାଗ ହେବାକୁ ଯାଉଛନ୍ତି । ଜେଡିୟୁ ମହାସଚିବ ପବନ ବର୍ମା ଦଳର ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କୁ ସିଏଏ-ଏନ୍ପିଆର ଯୋଜନାକୁ ସ୍ପଷ୍ଟ ରୂପେ ଖାରଜ କରିବାକୁ ଅନୁରୋଧ କରିଛନ୍ତି । ପବନ ବର୍ମା କହିଛନ୍ତି ଯେ, ଏହା ଭାରତକୁ ଭାଗ କରିବା ସହିତ ଅନାବଶ୍ୟକ ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ଏକ ଏଜେଣ୍ଡା ।
ବିହାରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ୍ ମୋଦି ଏନ୍ଆରପିକୁ ନେଇ ‘ଏକତରଫା’ ଘୋଷଣାରେ ଆଶ୍ଚର୍ଯ୍ୟ ହୋଇ ନୀତିଶ୍ କୁମାରଙ୍କୁ ଏକ ଖୋଲା ପତ୍ର ଦେଇଛନ୍ତି ପବନ ବର୍ମା। ସୂଚନାଯୋଗ୍ୟ, ସୁଶୀଲ୍ ମୋଦି କହିଥିଲେ ଯେ, ବିହାରରେ ମଇ 15ରୁ 18 ଭିତରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ନୀତିଶ୍ କୁମାର ଏନ୍ପିଆର ବିରୋଧରେ ରହିଛନ୍ତି । ଏହି ନୂତନ ଆଇନକୁ ନେଇ ଦେଶରେ ଭିନ୍ନ ଭିନ୍ନ ଜାଗାରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଜେଡେୟୁର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ମଧ୍ୟ ଏହା ବିରୁଦ୍ଧରେ ସ୍ବର ଉଠାଇଛନ୍ତି । (ଏଜେନ୍ସି)
କେଦାର ମିଶ୍ର
ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ । ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ ସିଂଙ୍କୁ ମୋଦୀ ସରକାର ନିଜ କ୍ୟାବିନେଟରେ ରଖିବାକୁ ବାଧ୍ୟ ହୋଇଥିଲେ। ଦଳର ବରିଷ୍ଠତା ଦୃଷ୍ଟିରୁ ଏମାନଙ୍କୁ ଅଣଦେଖା କରି ଶାସନ ଚଳାଇବା ମୋଦୀ-ଶାହାଙ୍କ ପକ୍ଷରେ ସମ୍ଭବ ନଥିଲା।
୨୦୧୯ ନିର୍ବାଚନ ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ସୁଷମା ସ୍ଵରାଜ ଓ ଅରୁଣ ଜେଟଲିଙ୍କ ପରଲୋକ ଘଟିଛି। ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ପର କଟା ସରିଛି। ଏ ଦୁହେଁ କେବଳ ନାମକୁ ମାତ୍ର ବରିଷ୍ଠ ମନ୍ତ୍ରୀ। ଏବେ କେବଳ ଦଳ ନୁହେଁ, ସରକାର ଚଳାଇବାରେ ମଧ୍ୟ ଅମିତ ଶାହା ଏବେ ଏକ ନମ୍ବର ଭୂମିକା ନେବା ଆରମ୍ଭ କରିଛନ୍ତି। ମୁଖ୍ୟଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏବେ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଅମିତ ଶାହାଙ୍କ ଉପସ୍ଥିତି ଢେର ଅଧିକ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହେଉ ବା ନାଗରିକତା ସଂଶୋଧନ ଆଇନ, ସବୁଥିରେ ଅମିତ ଶାହାଙ୍କୁ ସର୍ବାଧିକ “ମାଇଲେଜ” ମିଳୁଛି। ନାଗରିକତା ସଂଶୋଧନ ଆଇନ ସଂସଦରେ ଗୃହୀତ ହେବା ପରେ ମୋଦୀ ସରକାର ଯେଉଁ ପ୍ରବଳ କଣ ଆକ୍ରୋଶର ସାମ୍ନା କଲେ, ସେଥିଲାଗି କେବଳ ଅମିତ ଶାହ ଦାୟୀ ବୋଲି ମୋଦୀଙ୍କ ତରଫରୁ ଏକ ବାର୍ତ୍ତା ଦିଆଯାଇଥିଲା। ଜାତୀୟ ନାଗରିକ ପଞ୍ଜୀକରଣ ସମ୍ପର୍କରେ ପ୍ରତହମ ଥର ଲାଗି ମୋଦୀ ଓ ଶାହ ଦୁଇଟି ମତ ରଖିଲେ।
ଅନ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସ ଠିକ ୭୫ ବର୍ଷ ହେଉଥିବ, ଅର୍ଥାତ ବିଜେପିର ନିର୍ଦ୍ଧାରିତ ଅବସର ବୟସ। ତେଣୁ ୨୦୨୪ ବେଳକୁ ଅମିତ ଶାହାଙ୍କ ନେତୃତ୍ବକୁ ଏକ ବିକଳ୍ପ ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରିବାର ସବୁ ଉଦ୍ୟମ ଏବଠୁ ଆରମ୍ଭ ହୋଇ ଯାଇଛି-ହୁଏତ ଆଗରୁ ସେୟା ଲାଗୁଥିଲା। ଏବେ କିନ୍ତୁ ଅମିତ ଶାହ ଖୋଲାଖୋଲି ନିଜ ନେତୃତ୍ଵ ଜାହିର କରିବା ଆରମ୍ଭ କଲେଣି। କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ରେ ସେ ଯେଉଁ ପ୍ରକାର ରଣନୀତି ଆପଣାର କରିଛନ୍ତି, ସେଥିରେ ସେ କାହାକୁ ଖାତିର କରିବା ମନୋସ୍ଥିତିରେ ନାହାନ୍ତି। ଶାହ ଏବେ ନିଜକୁ ବିଜେପିର ଓ ସରକାରର ସର୍ବେସର୍ବା ବୋଲି କହିବାକୁ ସଙ୍କୋଚ କରୁନାହାନ୍ତି।
ବିଜେପି ଭିତରେ ନିଜର ପତିଆରା ପ୍ରତିଷ୍ଠା ସହିତ ଅମିତ ଶାହା ନିର୍ବାଚନ ପରଠୁ ବିଭିନ୍ନ ଆଞ୍ଚଳିକ କ୍ଷମତା କେନ୍ଦ୍ର ସହିତ ନିଜର ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଛନ୍ତି। ଗୋଟେ ପକ୍ଷରେ ଆନ୍ଧ୍ରର ଜଗନ୍ମୋହନ ରେଡ୍ଡୀ, ଓଡିଶାର ନବୀନ ପଟ୍ଟନାୟକ, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ପ୍ରମୁଖଙ୍କୁ ନିଜର ଘନିଷ୍ଠ ହେବାର ସୁଯୋଗ ଦେଇ ସେମାନଙ୍କର ସହଯୋଗ ନିଆ ଯାଉଛି। ଅପର ପକ୍ଷରେ ସୁଯୋଗ ଦେଖି ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଇତ୍ୟାଦି ଦଳକୁ ବିଜେପି ଅକ୍ତିଆର କରିନେବା ଭଳି ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ଭିତରେ ବିଲୟ କରିବା ର ଲକ୍ଷ୍ୟରେ ଓଡିଶାର ବିଜେଡି ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହା ଯାଇପାରେ।
କ୍ଷମତା ଦଖଲ କରିବା ପାଇଁ କିଛି ବି କରାଯାଇପାରେ- ଏହା ହେଉଛି ଅମିତ ଶାହଙ୍କ ଆଦର୍ଶ। ତେଣୁ ସରକାର ଗଢିବା ଲାଗି ଯେ କୌଣସି ବୈଧ ବା ଅବୈଧ ଉପାୟ ପ୍ରୟୋଗରେ ସେ ସିଦ୍ଧହସ୍ତ। ହରିଆନାରେ ସେ ଯେତେ କ୍ଷୀପ୍ରତାର ସହିତ ଦୂଷ୍ୟନ୍ତ ଚଉତାଲାଙ୍କ ସହ ବୁଝାମଣା କଲେ ଓ ବିନା ଦ୍ଵିଧାରେ ଦୂଷ୍ୟନ୍ତଙ୍କ ବାପା ଅଜୟ ଚୌତାଲାଙ୍କୁ ବିହାର ଜେଲରୁ ଛୁଟି ଦେଲେ କିମ୍ବା ଦେବେନ୍ଦ୍ର ଫଡନବିସଙ୍କୁ ୪୮ ଘଣ୍ଟା ମୁଖ୍ୟମନ୍ତ୍ରୀ କରାଇବାର ଲାଳସା ଦେଖାଇଲେ, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ- ବିଜେପି ଆଉ ଆଗପରି ମୁଖଲଜ୍ଜା ର ରାଜନୀତିରେ ବିଶ୍ଵାସ କରୁନାହିଁ।
ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ “ମୁହଁ ଓ ମୁଖା’ କୁ ନେଇ ବେଶ ରୋଚକ ଆଲୋଚନା ଚାଲିଥିଲା। ସେତେବେଳେ ବାଜପାୟୀଙ୍କୁ ମୁଖା ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅସଲ ମୁହଁ ବୋଲି କୁହା ଯାଉଥିଲା।ଏ ପ୍ରସଙ୍ଗରେ ଅନେକଥର ବାଜପାୟୀ ସଂସଦରେ ନିଜର ସ୍ବଭାବସୁଲଭ ଢଙ୍ଗରେ ରୋଚକ ବକ୍ତବ୍ୟ ମଧ୍ୟ ରଖିଥିଲେ। ତେବେ ସେତେବେଳେ ବିଜେପି ଓ ସରକାର ଉଭୟ ଉପରେ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ତୁଳନାରେ ଆଡଭାନୀଙ୍କ ପ୍ରଚ୍ଛନ୍ନ ପ୍ରଭାବ ରହିଥିଲା। ବର୍ତ୍ତମାନ ସମୟରେ ଠିକ ସେହି ସମାନ ସ୍ଥିତି ବିଜେପି ସରକାରରେ ଆସିଛି। ଏବେ ମୋଦୀ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଅମିତ ଶାହା। ଆସନ୍ତା ୪ ବର୍ଷ ଭିତରେ ମୋଦୀଙ୍କ ନେତୃତ୍ଵ କେବଳ ଆଳଙ୍କାରିକ ହୋଇ ରହିବ ଓ ବାସ୍ତବ କ୍ଷମତା ବଳୟ ଅମିତ ଶାହାଙ୍କ ପାଖରେ ରହିବ-ଏହାହିଁ ୨୦୧୯ ରାଜନୀତିର ସବୁଠୁ ବଡ ସୂଚକ ବୋଲି ଆମେ କହି ପାରିବା।
ଦଳରୁ ଇସ୍ତଫା ଦେଲେ ଜେଜେପି ବିଧାୟକ
ନୂଆଦିଲ୍ଲୀ,26/12 : ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜେଜେପିର ଜନୈକ ବରିଷ୍ଠ ନେତା ରାମ କୁମାର ଗୌତମ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ଉପ ସଭାପତି ରହିଥିବା 73 ବର୍ଷୀୟ ରାମ କୁମାର ଗୌତମ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ଦୁଷ୍ୟନ୍ତ ଚୌତାଲାଙ୍କୁ ସମାଲୋଚନା କରିଛନ୍ତି । ବିଜେପି ସହିତ ମେଣ୍ଟକୁ ନେଇ ଜେଜେପି ପକ୍ଷରୁ ସମାଲୋଚନା କରିଛନ୍ତି ଗୌତମ । ଗୌତମ କହିଛନ୍ତି ଦଳୀୟ ବିଧାୟକଙ୍କ ସମର୍ଥନ କାରଣରୁ ହିଁ ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ବିଜେପି ସହିତ ମେଣ୍ଟ ପୂର୍ବରୁ କୌଣସି ସଦସ୍ୟଙ୍କ ପରାମର୍ଶ ନେଇନଥିଲେ ଦୁଷ୍ୟନ୍ତ । ଆମ୍ବିଆନ୍ସ ମଲ୍ରେ ବିଜେପି ସହିତ ଆଲୋଚନା କରି ସମର୍ଥନର ନିଷ୍ପତ୍ତି ନେଇଥିଲେ ଦୁଷ୍ୟନ୍ତ । ଦଳର ଏକାଧିକ ସଦସ୍ୟ ଦୁଷ୍ୟନ୍ତଙ୍କ ନିଷ୍ପତ୍ତିକୁ ନେଇ ନିଜର ବିରୋଧାଭାସ ପ୍ରକଟ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
ପାରାଦୀପ, ୨୫/୧୨: ଗତକାଲି ଜେଏସ୍ଡବ୍ଲୁ କାର୍ଯ୍ୟାଳୟ ମଧ୍ୟରେ ହୋଇଥିବା ଭଙ୍ଗାରୁଜାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ ତାରିଖ ଅର୍ଥାତ୍ ଗତକାଲି ଦିବା ୧୧ ଘଟିକା ସମୟରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ନାମ ନେଇ କିଛି ଯୁବକ ଜେ.ଏସ୍.ଡବ୍ଲୁ ଇନ୍ଫ୍ରା ଷ୍ଟକଚର୍ ଲିମିଟେଡ କମ୍ପାନୀରେ ନିଯୁକ୍ତି ଦାବିରେ ଗଣ୍ଡଗୋଳ କରିବା ସହିତ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଫେଇ ଦେଇ ବିଜେପିର ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ କହିଛନ୍ତି ଯେ, ଏହି ଘଟଣାରେ ଦଳର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ। ବେରୋଜଗାର ଯୁବକମାନେ ନିଯୁକ୍ତି ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ସଂଗ୍ରାମ କରିବା ଉଚିତ୍। ନିଯୁକ୍ତି ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି। ପାରାଦୀପରେ ବିଭିନ୍ନ ସଙ୍ଗଠନ ତରଫରୁ ଏହି ଘଟଣାରେ ବିଜେପି ଦଳର ସମର୍ଥନ ରହିଥିବା ନେଇ ଅପପ୍ରଚାର କରାଯାଇଥିଲା।
ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି। ଆମ୍ ଆଦ୍ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଜେଏମଏମ୍ ନେତା ହେମନ୍ତ ସୋରେନ୍ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
୨୦୧୯ ଲୋକସଭାରେ ବହୁମତ ପାଇଥିଲେ ବି ରାଜ୍ୟରେ ବେଶ୍ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ୨୦୧୯ ମଇ ୨୩ତାରିଖରେ ଲୋକସଭା ନିର୍ବାଚନ ପରିଣାମରେ ବିଜେପି ଐତିହାସିକ ବିଜୟ ପାଇଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ବିଜେପି ଜିତିକରି ମଧ୍ୟ ସହଯୋଗୀଙ୍କ ଆସ୍ଥା ଜିତି ନପାରି ସେଠି ସରକାର ଗଢିବାରେ ଅସମର୍ଥ ରହିଲା। ସେହିପରି ହରିୟାଣରେ ସହଯୋଗୀ ବଳରେ ସରକାର ଗଢିଲା। କିନ୍ତୁ ଝାଡଖଣ୍ଡରେ ବିଜେପିକୁ ଏକ ବଡ ଝଟ୍କା ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ବହୁମତ ସହିତ ଜେଏମ୍ଏମ୍-କଂଗ୍ରେସ -ଆରଜେଡି ମେଣ୍ଟ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଏହା ସହିତ ଝାଡଖଣ୍ଡରେ ବିଜେପିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।
ଝାଡଖଣ୍ଡର ୮୧ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ୫ଟି ପର୍ଯ୍ୟାୟରେ ହୋଇଥିବାବେଳେ ଏହାର ପରିଣାମ ଆଜି ଆସିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ମହାମେଣ୍ଟ ନିଜ ଦମ୍ରେ ସରକାର ଗଢିବାକୁ ସମର୍ଥ ହେଉଥିବା ବେଳେ ଆରମ୍ଭରୁ ବିଜେପି ପଛୁଆ ରହିଛି। ଲୋକସଭା ନିର୍ବାଚନ ପରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳିଚାଲିଛି।
୨୦୧୯ ଅକ୍ଟୋବର ମାସରେ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଥମ ଝଟ୍କା ମିଳିଥିଲା ବିଜେପିକୁ। ଏହି ଦୁଇ ରାଜ୍ୟ ବିଜେପି ଶାସିତ ରାଜ୍ୟ ରହିଥିଲା। ମହାରାଷ୍ଟ୍ରରେ ବିଜେପି ଶିବସେନା ସହ ସରକାର ଚଳାଉଥିବାବେଳେ ହରିୟାଣାରେ ପୂର୍ଣ୍ଣ ବହୁମତରେ ସରକାର ଚଳାଉଥିଲା। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ହରିୟାଣାରେ ବିଜେପିକୁ ସରକାର ଗଢିବା ପାଇଁ ଅନ୍ୟ ଦଳର ସାହାରା ନେବାକୁ ପଡ଼ିଲା। ସେହିପରି ୨୮୧ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବୃହତ ଦଳ ଭାବେ ବିଜେପି ୧୦୫ଟି ଆସନ ଜିତିଥିବାବେଳେ ସହଯୋଗୀ ଦଳ ଶିବସେନାର ଆସ୍ଥାଭାଜକ ହୋଇନପାରି ମହାରାଷ୍ଟ୍ରକୁ ମଧ୍ୟ ନିଜ ହାତରୁ ଖସାଇବାକୁ ପଡ଼ିଥିଲା। ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏହି ଦୁଇ ସହଯୋଗୀ ଦଳ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଶିବସେନା କଂଗ୍ରେସ ଓ ଏନ୍ସିପି ସହ ମିଶି ସରକାର ଗଠନ କରିବାରେ ସମର୍ଥ ହେଲା। ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟ ବିଜେପି ହାତରୁ ଖସି ଯାଇଥିଲା। ସେହିପରି ହରିୟାଣାରେ ବିଜେପିକୁ ବହୁମତ ମିଳି ନପାରିବାରୁ ଜେଜେପି ସମର୍ଥନ ସରକାର ଗଢିବାରେ ଯଦିଓ ସମର୍ଥ ହେଲା, କିନ୍ତୁ ବିଜେପି ଏଠାରେ ଫୁଲ୍ ନୁହେଁ ବରଂ ଅଧା ସରକାର କରିବା ପାଇଁ ବାଧ୍ୟ ହେଲା।
ଝାଡଖଣ୍ଡରେ ବିଜେପିକୁ ଜନତା କଲେ ଫୁଲ୍ ଆଉଟ୍
ହରିୟାଣାରେ ମେଣ୍ଟ କରି ନିଜ ସତ୍ତା ବଂଚାଇଥିବାବେଳେ ଝାଡଖଣ୍ଡରେ କିନ୍ତୁ ବିଜେପିକୁ ସମର୍ଥନ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ଜେଏମଏମ୍-କଂଗ୍ରେସ-ଆରଜେଡିର ମହାମେଣ୍ଟ ବିଜୟୀ ହେବାକୁ ଯାଉଛନ୍ତି।
ବିଗତ ୭ ମାସ ମଧ୍ୟରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳି ଚାଲିଛି। ରାମମନ୍ଦିର, ଧାରା ୩୭୦ ଉଛେଦ, ସିଏଏ, ଏନ୍ଆରସି ପରି କିଛି ବି ପ୍ରସଙ୍ଗ ବିଜେପି ପାଇଁ ଲକି ସାବ୍ୟସ୍ତ ହେଲା ନାହିଁ। ମହଙ୍ଗା ଓ ବେରୋଜଗାରୀ ମାଡ଼ରେ ବିଜେପିର ସତ୍ତା ଆଜି ଦୁର୍ବଳ। କେବଳ ଭାଷଣବାଜି ନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ତଥା ଭାରତୀୟ ଅର୍ଥନୀତିରେ ସୁଧାର ପାଇଁ ପ୍ରୟାସ କରିବା ଏବେ ବିଜେପି ପାଇଁ ଏକମାତ୍ର ବିକଳ୍ପ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୦/୧୨: ଓଡିଶା ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଜିଲ୍ଲା ନିମନ୍ତେ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ ଏବଂ ୧୬ ତାରିଖ ଦୁଇ ଦିନ ଧରି ନିର୍ବାଚନ ହେବା ପରେ ବିଜେପିର ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ଆନୁଷ୍ଠାନିକ ଭାବରେ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି।
ଜିଲ୍ଲା ସଭାପତିଙ୍କ ତାଲିକା:
୧-ଅନୁଗୁଳ: ଦିଲେଶ୍ବର ପ୍ରଧାନ
୨-ଢେଙ୍କାନାଳ : ନରେଶ ମହାପାତ୍ର
୩-କଟକ ନଗର : ଲଲାଟେନ୍ଦୁ ବଡୁ
୪-କଟକ ସଦର : ପ୍ରକାଶ ଚନ୍ଦ୍ର ବେହେରା
୫-ଜଗତସିଂହପୁର : ସତ୍ୟବ୍ରତ ମହାପାତ୍ର
୬-କେନ୍ଦ୍ରପଡା : କିଶୋର ପଣ୍ଡା
୭-ଯାଜପୁର : ଗୌତମ ରାୟ
୮-ଭଦ୍ରକ : ହେମନ୍ତ ପାଢୀ
୯-ବାଲେଶ୍ବର : ଉମାକାନ୍ତ ମହାପାତ୍ର
୧୦-ବାରିପଦା : କାନ୍ଦରା ସୋରେନ
୧୧-ରାଇରଙ୍ଗପୁର : ନବଚରଣ ମାଝୀ
୧୨-କେନ୍ଦୁଝର : ଅଂଶୁମାନ ସବୁଜ ମହନ୍ତ ବର୍ମା
୧୩-ସୁନ୍ଦରଗଡ(ବଣାଇ) : ଅନୀଲ ବର୍ମା
୧୪-ସୁନ୍ଦରଗଡ (ପାନପୋଷ) : ଲତିକା ପଟ୍ଟନାୟକ
୧୫-ସୁନ୍ଦରଗଡ : ଭବାନୀ ଭୋଇ
୧୬-ଝାରସୁଗୁଡା : ମଙ୍ଗଳ ସାହୁ
୧୭-ଦେବଗଡ : ମୀନକେତନ ପ୍ରଧାନ
୧୮-ସମ୍ବଲପୁର : ଗିରିଶ ପଟେଲ
୧୯-ବରଗଡ : ଅଶ୍ବିନୀ ଷଡଙ୍ଗୀ
୨୦-ବୌଦ୍ଧ : ବିପ୍ର ଚରଣ ମହାନ୍ତି
୨୧-ସୁବର୍ଣ୍ଣପୁର : ପ୍ରମୋଦ ମହାପାତ୍ର
୨୨-ବଲାଙ୍ଗୀର : ଶିବାଜୀ ମହାନ୍ତି
୨୩-ନୂଆପଡା : ସୁବ୍ରତ ଠାକୁର
୨୪-କନ୍ଧମାଳ : ଜଗନ୍ନାଥ ସାହୁ
୨୫-ନବରଙ୍ଗପୁର :ଜଗଦୀଶ ବିଶୋଇ
୨୬-କୋରାପୁଟ : ସୁମନ୍ତ ପ୍ରଧାନ
୨୭-ମାଲକାନଗିରି : ଆଦିତ୍ୟ ମାଢୀ
୨୮-ରାୟଗଡା : ଶିବ ପଟ୍ଟନାୟକ
୨୯-ଗଜପତି : କେ ନାରାୟଣ ରାଓ
୩୦-ଗଞ୍ଜାମ : ବିଭୂତି ଜେନା
୩୧-ଘୁମୁସୁର : ଗୋକୁଳାନନ୍ଦ ମଲ୍ଲିକ
୩୨-ନୟାଗଡ : ଲାଲା ମନୋଜ ରାୟ
୩୩-ଖୋର୍ଦ୍ଧା : ରଶ୍ମି ରଞ୍ଜନ ମହାପାତ୍ର
୩୪-ପୁରୀ : ଆଶ୍ରିତ ପଟ୍ଟନାୟକ
ନୂଆଦିଲ୍ଲୀ,19/12 : ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍ର ପ୍ରସ୍ତାବ ଦେଇଥିଲେ । ଏହି ବିଲ୍ରେ ମନମୋହନ କେବଳ ବାଂଲାଦେଶ ଏବଂ ପାକିସ୍ତାନକୁ ଅନ୍ତର୍ଭୁକ୍ତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ବାଚସ୍ପତି ଏବଂ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିକଟରେ ଏହି ବିଲ୍କୁ ପାରିତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି ର ସାମ୍ପ୍ରଦାୟିକ ଚରିତ୍ରକୁ ନେଇ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କୁ ସାକ୍ଷତକାର ଦେଇ ନବୀନ ବାବୁ କହିଥିଲେ ଯେ ବିଜେପିର ଉଗ୍ର ସାମ୍ପ୍ରଦାୟିକ ଚରିତ୍ର କାରଣରୁ ତାଙ୍କ ସହ ସହଯୋଗ କରିବା ବିଜେଡି ପକ୍ଷରେ ସମ୍ଭବ ନୁହେଁ।
ହଠାତ ନିର୍ବାଚନ ସରିବା ପରେ ନବୀନ ବାବୁ ଓ ତାଙ୍କ ବିଜେଡି ଦଳ ବିଜେପିର ସାମ୍ପ୍ରଦାୟିକ ଚରିତ୍ର କଥା ଭୁଲିଗଲେ ଓ ନିଃସର୍ତ୍ତରେ ବିଜେପିର ସବୁଠୁ ବିଶ୍ଵସ୍ତ ସହଯୋଗୀ ହୋଇ ପଡିଲେ। ଯଦିଓ ବିଜେଡି ସମର୍ଥନ ବିଜେପି ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତେବେ ସଂସଦରେ ବିଭିନ୍ନ ବିଲ ଗୃହୀତ କରାଇବା ଲାଗି ବିଜେଡି ସମର୍ଥନ ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ରାଜ୍ୟର ବିଧାନସଭା ନିର୍ବାଚନ ଗଣିତକୁ ଦେଖିଲେ, ବିଜେଡ଼ିକୁ ସାମ୍ନା କରିବାର ସ୍ଥିତି ବିଜେପି ପାଖରେ ନାହିଁ। ପ୍ରଚଣ୍ଡ ସଂଖ୍ୟାମତ ଓ ଲୋକ ବିଶ୍ଵାସସତ୍ତ୍ଵେ ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଚାଲିଛି କାହିଁକି?ତିନୋଟି ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ଓ ସାରାଦେଶରେ ପ୍ରବାହିତ ହେଉଥବା ପ୍ରବଳ ମୋଦୀ ହାୱାକୁ ପରାହତ କଲା ପରେ ବିଜେପି ପାଖରେ ଏ ଆତ୍ମ ସମର୍ପଣ ପଛର ରହସ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।
ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟ କଥା ଆଜି ବିଜେଡି କହୁଛି। ତେବେ ୨୦୧୯ ପର୍ୟନ୍ତ ବିଜେଡ଼ିର ନିଜସ୍ଵ ସ୍ଲୋଗାନ ଥିଲା “କେନ୍ଦ୍ର ଅବହେଳା”। ୨୦୧୯ ନିର୍ବାଚନ ଆଗରୁ ନବୀନ ବାବୁ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର କଥା ମଧ୍ୟ ଉଠାଇଥିଲେ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ନରେନ୍ଦ୍ର ମୋଦୀ- ଅମିତ ଶାହାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରବଳ ଜନ ସମର୍ଥନ ପାଇଥିବା ନବୀନ ପଟ୍ଟନାୟକ ଆଜି ହଠାତ ମୋଦୀ-ଶାହାଙ୍କ ସବୁକଥାରେ ହଁ ମାରିବା ଅନେକଙ୍କୁ ଚକିତ କରିଛି।
ବିଜେଡି ରାଜ୍ୟର ସ୍ଵାର୍ଥ ଲାଗି କେନ୍ଦ୍ର ସହ ସହଯୋଗ କରୁଛି ବୋଲି ଯେଉଁ ଯୁକ୍ତି କରୁଛି, ତାହା ପଛରେ ସେମିତି କିଛି ଟାଣୁଆ ଯୁକ୍ତି ମଧ୍ୟ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉ କି ଧର୍ମ ଆଧାରିତ ନାଗରିକ ସଂଶୋଧନ ବିଲ, ଏ ଦୁଇଟି ଯାକ ଆଇନ ବିଜେଡ଼ିର ଆଦର୍ଶ ପରିପନ୍ଥୀ। ବିଜୁ ପଟ୍ଟନାୟକଙ୍କ ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା ଧର୍ମ ନିରପେକ୍ଷତା। ନିଜ ଜୀବନ କାଳରେ ବିଜେପିକୁ ସାମ୍ପ୍ରଦାୟିକ କହି ସେ ଏହି ଦଳ ସହିତ କୌଣସି ବୁଝାମଣାକୁ ଅସ୍ଵୀକାର କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠିତ ଦଳପ୍ରଥମେ ବିଜେପି ବୁଝାମଣା କରି ଦୁଇଥର ସରକାର ଗଢିଥିଲା। ତେବେ ଅଣ କଂଗ୍ରେସ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏହା ଏକ ବାସ୍ତବାଭିମୁଖୀ ପଦକ୍ଷେପ ଥିଲା ବୋଲି କୁହାଯାଇପାରେ।
ଆଜି ନବୀନଙ୍କ ନିଜ ରାଜନୈତିକ ପତିଆରା ଅତ୍ୟନ୍ତ ଦୃଢ ଓ ଓଡିଶାର ଜନମାନସରେ ତାଙ୍କ ବିରୋଧରେ ସେମିତି କୌଣସି ଅସନ୍ତୋଷ ନାହିଁ। ଗତ ନିର୍ବାଚନରେ ବିଜେପି ବିରୋଧରେ ହିଁ ନବୀନ ଜିତିଛନ୍ତି। ତେବେ ଏହି ବିପୁଳ ବିଜୟକୁ ସେ ବିଜେପି ପାଖରେ ସମର୍ପି ଦେବାର କାରଣ କଣ? ଧର୍ମ ଆଧାରରେ ନାଗରିକ ସଂଶୋଧନ ବିଲ ଅଣା ଯାଇଥିବାରୁ ଏହା ଦେଶର ସାମ୍ବିଧାନିକ ମୂଳ ଆଦର୍ଶ ବିରୋଧୀ। ନିଜକୁ ଧର୍ମ ନିରପେକ୍ଷ ଆଦର୍ଶ ଓ ଗାନ୍ଧୀବାଦର ଉତ୍ତରାଧିକାରୀ ବୋଲି କହୁଥିବା ଏହି ବିଲକୁ ନିଃସର୍ତ୍ତ ସମର୍ଥନ ଦେବାର କି କାରଣ ରହିଛି?
ବିଜେପି ସଂଘ ପରିବାରର ବିଚାରକୁ ନିଜର ନୂଆ ବିଚାର ଭାବେ ଗ୍ରହଣ କରିଛି କି? କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ବିଜେପି ସାଂସଦମାନେ ଯେଉଁ ଭାଷଣ ଦେଇଛନ୍ତି, ତାହା ସଂଘ ବିଚାରର ସମର୍ଥନ କରୁଛି। ତେଣୁ ବିଜେଡି ନିଜକୁ ଆଉ ଧର୍ମ ନିରପେକ୍ଷ ଆଦର୍ଶର ପ୍ରତିନିଧି ବୋଲି କହିବା ହାସ୍ୟାସ୍ପଦ ମନେହେବ। ବିଜେପି ଓଡିଶାରେ ପରାଜିତ ହୋଇ ମଧ୍ୟ ଆଜି ଓଡିଶାର ବିପୁଳ ସମର୍ଥନ ପାଉଛି, ତାର ଏକମାତ୍ର କାରଣ ହେଉଛି, ବିଜେପି ବିରୋଧୀ ଜନମତ ସହ ବିଜେଡି ବିଶ୍ଵାସଘାତକତା କରିଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣରୁ ସୁରକ୍ଷା ଦେଇ ନିଜର ନେତା ବାଛିଥିଲେ ସେମାନେ ଆଜି ଠକି ଯାଇଥିବାର ଅନୁଭବ କରିବାକୁ ବାଧ୍ୟ।
ନାଗରିକତ୍ବ ସଂଶୋଧନ ବିଲ୍କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ,9/12: ନାଗରିକତ୍ବ ସଂଶୋଧନ ବିଲ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି । ବିଲ୍ରେ କୌଣସି ତ୍ରୁଟି ନଥିବାରୁ ଏହାକୁ ଜେପିସିକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଆଗତ କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରି ଏହି ବିଲ୍ ପ୍ରଣୟନର ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
ରାଞ୍ଚି,3/12: ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । 67 ପ୍ରତିଶତଙ୍କ ମଧ୍ୟରୁ 17 ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ 50 ପ୍ରତିଶତ ଜେଏମ୍ଏମ୍ ପ୍ରାର୍ଥୀ, 42 ପ୍ରତିଶତ ଏଜେଏସ୍ୟୁ ପ୍ରାର୍ଥୀ ଏବଂ ବିଜେପି ଓ ଜେଭିଏମ୍ପିର 40 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ସମୁଦାୟ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି । ଗମ୍ଭୀର ଅପରାଧିକ ମାମଲା ତାଲିକାରେ ମଧ୍ୟ 50 ପ୍ରତିଶତ ସହିତ କଂଗ୍ରେସ ଉପରେ ରହିଛି । ଏହି ତାଲିକାରେ ଜେଏମ୍ଏମ୍ର 36 ପ୍ରତିଶତ ପ୍ରାର୍ଥୀ ରହିଥିବା ବେଳେ ବିଜେପିର 25 ପ୍ରତିଶତ ଏବଂ ଜେଭିଏମ୍ପିର 25 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । 8 ପ୍ରତିଶତ ସହ ଏଜେଏସ୍ୟୁ ଏହି ତାଲିକାରେ ସବୁଠୁ ତଳେ ରହିଛି ।(ଏଜେନ୍ସୀ)
ମୁମ୍ବାଇ, ୧/୧୨: ଚଳିତ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଓ ତା’ ପରବର୍ତ୍ତୀ ଅବସ୍ଥା ରାଜନୈତିକ ମାହୋଲରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିଛି। ରାଜ୍ୟରେ ଉଦ୍ଧବ ସରକାର କ୍ଷମତା ହାତେଇଛନ୍ତି। ରବିବାର ଦିନ ସଦନରେ ଉଦ୍ଧବ ଠାକ୍ରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ଙ୍କ ପ୍ରଶଂସା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସେ ସର୍ବଦା ତାଙ୍କ ମିତ୍ର ହୋଇ ରହିବେ। କିନ୍ତୁ ଦେବେନ୍ଦ୍ର ଫଡନାବିସ ସରକାର କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ସୋସିଆଲ୍ ମିଡ଼ିଆ ଅର୍ଥାତ୍ ଫେସ୍ବୁକ୍ରେ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିବା ନିମେନ୍ତ ସଂକେତ ଦେଇଛନ୍ତି। ପଙ୍କଜା ମୁଣ୍ଡେ ତାଙ୍କ ପିତା ଗୋପିନାଥ ମୁଣ୍ଡେଙ୍କ ଜନ୍ମଦିବସ ଅବସରରେ ୧୨ ଡିସେମ୍ବରକୁ ସମର୍ଥକଙ୍କ ବୈଠକ ଡାକିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୮-୧୦ ଦିନ ମଧ୍ୟରେ ସେ ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କ ପାଖରୁ ପଙ୍କଜା ହାରିଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ,30/11: ମହା ଅଘାଡି ବିକାଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ମହା ଅଘାଡି ବିକାଶ ସପକ୍ଷରେ 169ଟି ଭୋଟ ପଡିଥିବା ବେଳେ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଏଆଇଏମ୍ଆଇଏମ୍ , ସିପିଆଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ବିଧାୟକ ମାନେ ନିରପେକ୍ଷ ରହିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥାନ ନିଆଯାଇନଥିବା ଅଭିଯୋଗ କରି ଫଡନବିସ୍ଙ୍କ ନେତୃତ୍ବରେ ବିଜେପି ସଦସ୍ୟ ଗୃହତ୍ୟାଗ କରିଥିଲେ । ଏହି ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ବିଜେପି ପକ୍ଷରୁ କୁହାଯାଇଥିଲା ।
କେଦାର ମିଶ୍ର
କେୟାର ହସପିଟାଲର ପାକିସ୍ତାନ ଲିଙ୍କ, ଏକଥା ଶୁଣିବାକୁ ବଡ ଚାଞ୍ଚଲ୍ୟକର ମନେ ହେଉଛି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏ ହସପିଟାଲ କୁଆଡେ ଜଣେ ପାକିସ୍ତାନୀ ନାଗରିକ କିଣିବାକୁ ଯାଉଛନ୍ତି। ଏହାର ସୂତ୍ର କଣ, କେଉଁଠୁ ଏ ତଥ୍ୟ ଆସିଲା, ସେକଥା ଆମକୁ ଜଣାନାହିଁ। ତେବେ ଭୁବନେଶ୍ୱର କେୟାର ହସପିଟାଲ ଗୋଟେ ଅଲଗା ଅନୁଷ୍ଠାନ ନୁହଁ। ଏହା ହାଇଦରାବାଦ ସ୍ଥିତ କ୍ଵାଲିଟି କେୟାର ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀ ଦ୍ଵାରା ପରିଚାଳିତ ଅନୁଷ୍ଠାନ। ତେଣୁ ଏହି ସଂସ୍ଥାରେ କିଏ କିଏ ନିର୍ଦ୍ଦେଶକ ଅଛନ୍ତି, ଏଥିରେ କେଉଁ ସଂସ୍ଥାର ଆନ୍ତର୍ଜାତିକ ପୁଞ୍ଜି ଲାଗିଛି ଓ ଏହାର ସେୟାର ବିଶ୍ଵ ବଜାରରେ କେଉଁ କେଉଁ କମ୍ପାନୀ ହାତକୁ ଯାଇଛି, ତାର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ। ଓଡିଶା ସରକାର ଚାହିଁଲେ ମଧ୍ୟ କେୟାରର ପୁଞ୍ଜିଲଗାଣ ସମ୍ପର୍କିତ ସଠିକ ତଥ୍ୟ ପାଇରିବେ ନାହିଁ।
ତେବେ ଏ ସମ୍ପର୍କିତ କିଛି ବିଭ୍ରାନ୍ତିକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ବିଭିନ୍ନ ଖବର କାଗଜରେ କେୟାର କମ୍ପାନୀ ଯେଉଁ ଆରିଫ ମାସୁଦ ନକଭିଙ୍କୁ ବିକ୍ରି ହେବାକୁ ଯାଉଛି ବୋଲି କୁହାଯାଉଛି, ତାଙ୍କ ପାଖରେ ୨୦୧୬ ମସିହାରୁ କେୟାର ହସପିଟାଲର ୭୨% ଅଂଶଧନ ବିକ୍ରି ହୋଇସାରିଛି। ୧୪, ଜାନୁଆରୀ,୨୦୧୬ରେ ପ୍ରକାଶିତ “ଦି ଇକୋନମିକ ଟାଇମ୍ସ’ର ଖବର ଅନୁଯାୟୀ କେୟାର ହସ୍ପିଟାଲ ପାଇଁ ପୁଞ୍ଜି ବିନିଯୋଗକାରୀ ଆଡଭେଣ୍ଟ ଇଣ୍ଟରନେସନାଲ ଠାରୁ ଦୁବାଇର ଅବ୍ରାଜ ଗୃପ ୨୦୦୦ କୋଟି ଟଙ୍କା ବିନିମୟରେ ଏହାର ୭୨% ଅଂଶଧନ ଖରିଦ କରିଥିଲେ। ୨୦୧୬ରେ ଏକ ବିରାଟ ଆନ୍ତର୍ଜାତିକ ପୁଞ୍ଜିଲଗାଣକାରୀ କମ୍ପାନୀ ଭାବରେ ଉଭା ହୋଇଥିବା ଅବ୍ରାଜ ଗୃପ ତିନି ବର୍ଷ ଭିତରେ ଏକ ଠକ ବ୍ୟବସାୟୀ ସଂସ୍ଥା ଭାବରେ ବଦନାମ ହେବା ସହିତ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅରିଫ ମାସୁଦ ନକଭି ଦୁବାଇ ଓ ଲଣ୍ଡନ ସ୍ଥିତ ବିଭିନ୍ନ ଅଦାଲତରୁ ଦଣ୍ଡିତ ହୋଇସାରିଛନ୍ତି।
କିଏ ଏହି ଆରିଫ ମାସୁଦ ନକଭି ଓ ଅବ୍ରାଜ ଗୃପ?
୨୦୧୬ରେ ଅବ୍ରାଜ ଗୃପ ଯେତେବେଳେ କେୟାର ହସ୍ପିଟାଲରେ ପୁଞ୍ଜି ବିନିଯୋଗ କଲେ,ସେତେବେଳେ ଏହାକୁ ଆରବୀୟ କ୍ଷେତ୍ରର ସବୁଠୁ ବଡ ପୁଞ୍ଜିଲଗାଣ ପ୍ରକଳ୍ପ ଓ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଥିଲା।ପୃଥିବୀର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପରେ ଏହି କମ୍ପାନୀ ୧ ବିଲିଅନ ଡଲାର ପୁଞ୍ଜିଲଗାଣ କରିବ ବୋଲି କହିଥିଲା। ୨୦୧୯ ବେଳକୁ ଏହି କମ୍ପାନୀରେ ପୁଞ୍ଜି ଖଟାଇଥିବା ବିଶ୍ଵ ବ୍ୟାଙ୍କ ଓ ବିଲ ଗେଟ୍ସ-ମିଲିଣ୍ଡାଗେଟ୍ସ ଫାଉଣ୍ଡେସନ ଅବ୍ରାଜ ବିରୋଧରେ ଆର୍ଥିକ କୁପରିଚାଳନା ଓ ଠକେଇର ଅଭିଯୋଗ ଆଣିଥିଲେ। ଏହାର ପରିଣତି ସ୍ୱରୂପ କମ୍ପାନୀ ଏକ ପ୍ରକାର ଦେବାଳିଆ ହୋଇ ଯାଇଥିଲା ଓ ଏହାର ନିର୍ଦ୍ଦେଶକମାନେ ବିଭିନ୍ନ ମକଦ୍ଦମାରେ ଜେଲ ଗଲେ। ୧୯୬୦ରେ ପାକିସ୍ତାନର କରାଚିରେ ଜନ୍ମ ହୋଇଥିବା ଆରିଫ ନକଭି ଆମେରିକା, ୟୁରୋପ ସମେତ ଭାରତରେ ଦୀର୍ଘ ବର୍ଷ ବିଭିନ୍ନ ବ୍ୟବସାୟରେ ପୁଞ୍ଜି ଖଟାଇ ଆସିଛନ୍ତି।
୨୦୧୬ କଥା ୨୦୧୯ରେ ଉଠୁଛି କାହିଁକି?
କେୟାର ହସପିଟାଲ ଗୃପରେ ଅବ୍ରାଜର ଟଙ୍କା ଲାଗିବା ପ୍ରସଙ୍ଗ ଆଜିର ନୁହେଁ। ବିନା କେନ୍ଦ୍ର ସରକାରଙ୍କ ଅନୁମତିରେ ଏତେ ଟଙ୍କାର ବିଦେଶୀ ପୁଞ୍ଜି ଲଗାଣ ସମ୍ଭବ ନୁହେଁ। ଏହାକୁ ନେଇ ଜାତୀୟ ସ୍ତରରେ ବିଜେପି କିଛି ପ୍ରତିବାଦ କରିଛି କି? ଏହି ପ୍ରସଙ୍ଗ ଓଡିଶା ରାଜ୍ୟର ପ୍ରସଙ୍ଗ ନୁହେଁ। ପୁଞ୍ଜି ଲଗାଣ ଓ ଆନ୍ତର୍ଜାତିକ ବ୍ୟବସାୟର ଅନୁମତି, କେନ୍ଦ୍ର ସରକାରଙ୍କ ଅଧିକାର। ତେଣୁ ଏ ସମ୍ପର୍କରେ ସିବିଆଇ ଅନୁସନ୍ଧାନ ପାଇଁ ବିଜେପି ଓ କଂଗ୍ରେସ ସଭ୍ୟମାନେ ଓଡିଶା ବିଧାନସଭାରେ ଏକ ସ୍ଵତନ୍ତ୍ର ପ୍ରସ୍ତାବ ଆଣିବେ କି? କେୟାର ହସ୍ପିଟାଲ ର ପୁଞ୍ଜି କେଉଁ କମ୍ପାନୀ ହାତରେ କେତେ ରହିଛି, ତାହାର ପୂରା ଚିତ୍ର ଭାରତ ସରକାରଙ୍କ କମ୍ପାନୀ ଓ କର୍ପୋରେଟ ବିଭାଗରୁ ମିଳିଯିବା। ଅବ୍ରାଜ କମ୍ପାନୀ ଦେବାଳିଆ ହେଲା ପରେ ଏହା ନିଜର ଅଂଶଧନକୁ ବିଭିନ୍ନ କମ୍ପାନୀକୁ ବିକ୍ରି କରିଦେଇଛି। ଅବ୍ରାଜ ପାଖରେ ଥିବା ଏକ ବିଲିଅନ ଡଲାର ହେଲଥ କେୟାର ଫଣ୍ଡ ଏବେ ଆମେରିକାର ପ୍ରସିଦ୍ଧ ପୁଞ୍ଜି ଲଗାଣକାରୀ ସଂସ୍ଥା ଟିପିଜି ହାତରେ ରହିଛି।
ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ପୁଞ୍ଜି ଲଗାଣ ସମ୍ପର୍କିତ ଏକ ପ୍ରସଙ୍ଗ, ଯାହାକି କେନ୍ଦ୍ର ସରକାରଙ୍କ ଅଧିକାରର ବିଷୟ ତାକୁ ଓଡିଶା ବିଧାନସଭାରେ ଉଠା ଯାଉଛି କାହିଁକି? କେୟାରରେ ଅବ୍ରାଜ ଗୃପର ପୁଞ୍ଜି ଲଗାଣ ବିଜେପି ସରକାରଙ୍କ ଅମଳରେ ହୋଇଛି। ଏହା ବେଆଇନ ବୋଲି ବିଜେପି ସ୍ଵୀକାର କରୁଛି କି? ବର୍ତ୍ତମାନ ଦେଶରେ ପୁଞ୍ଜି ଲଗାଣକୁ ନେଇ ହତାଶାଜନକ ସ୍ଥିତି ରହିଛି। ତେଣୁ ଉପସାଗରୀୟ ଦେଶ ସମୂହ ଯଥା- ଦୁବାଇ, କୁଏତ, ସାଉଦି ଆରବ ଭଳି ଦେଶର ପୁଞ୍ଜି ଲଗାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉତ୍ସାହିତ କରୁଛନ୍ତି। କେୟାରରେ ଅବ୍ରାଜର ପୁଞ୍ଜି ଲଗାଣ ସେଇ ବୃହତ୍ତର ଲକ୍ଷ୍ୟର ଅଂଶବିଶେଷ। ଏହା ଯଦି ଦେଶ ବିରୋଧୀ ବା ଏଥିରେ ଯଦି ପାକିସ୍ତାନ ଲିଙ୍କ ରହିଛି, ତାହେଲେ ଏଠି ପାଇଁ ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରାଳୟ, ଅର୍ଥ ବିଭାଗ ଓ ବାଣିଜ୍ୟ ବିଭାଗ ଦାୟୀ ରହିବେ। ବିଜେପି ସରକାର କାହିଁକି ଜଣେ ପାକିସ୍ତାନୀ ନାଗରିକ ସ୍ଥାପନ କରିଥିବା କମ୍ପାନୀକୁ ଭାରତରେ ପୁଞ୍ଜି ଲଗାଣ ପାଇଁ ଅନୁମତି ଦେଲେ, ଏ ପ୍ରଶ୍ନ ବିଜେପି ନେତାମାନେ ତାଙ୍କ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି?
କେଦାର ମିଶ୍ର
ଓଡିଶା ରାଜନୀତିରେ ପିପିଲି ରାଜନୀତି ସବୁଠୁ ଅଲଗା। କେବଳ ଏହା ରାଜଧାନୀର ସବୁଠୁ ନିକଟତମ ନିର୍ବାଚନ ମଣ୍ଡଳୀ ଭାବରେ ନୁହଁ, ବରଂ ରାଜନୀତିର ସବୁ ନକାରାତ୍ମକ ଗୁଣର ପ୍ରୟୋଗଶାଳା ଭାବରେ ପିପିଲି ପରିଚିତ। ଏକଦା ଗାନ୍ଧୀ ଆନ୍ଦୋଳନ ଓ କଂଗ୍ରେସ ସତ୍ୟାଗ୍ରହର ପେଣ୍ଠସ୍ଥଳ ଭାବରେ ପରିଚିତ ପିପିଲି, ପରବର୍ତ୍ତୀ ସମୟରେ ହିଂସାର ରାଜନୀତି ଓ ନାଟକୀୟ ଯୁଦ୍ଧ ଭୂମି ଭାବରେ ଅଧିକ ବିଖ୍ୟାତ ହୋଇଛି। ଗୋଟେ ସମୟରେ ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଜୟକୃଷ୍ଣ ମହାନ୍ତି ଓ ତାଙ୍କ ପତ୍ନୀ କିରଣଲେଖା ମହାନ୍ତି ପିପିଲିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏକଥା ଆଜିର ପିପିଲିକୁ ଦେଖି ବିଶ୍ଵାସ କରିବା ସମ୍ଭବ ନୁହେଁ। ୧୯୮୫ ରୁ ଏହି ନିର୍ବାଚନ ମଣ୍ଡଳୀର ରାଜନୀତି ଦୁଇଜଣ ବାହୁବଳି ରାଜନେତାଙ୍କ କବଜାରେ ରହିଆସିଛି। ୧୯୮୫ ରୁ ୨୦୧୯, ସାତୋଟି ନିର୍ବାଚନରେ, ୬ ଥର ଜନତାଦଳ/ବିଜୁ ଜନତା ଦଳରୁ ପ୍ରଦୀପ ମହାରଥୀ ଜିତିଥିବା ବେଳେ,ଗୋଟିଏ ଥର କଂଗ୍ରେସରୁ ଯୁଧିଷ୍ଠିର ସାମନ୍ତରାୟ ଜିତିଛନ୍ତି। ତେବେ ଜିତିବା ହାରିବା ଅପେକ୍ଷା, ଏଠିକାର ରାଜନୀତି ଦୁଇଜଣ ନେତାଙ୍କ ହାତରେ କବଳିତ ହୋଇ ରହିଛି। ସେଥିଲାଗି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ କହିଥିଲେ- ଏଠି କେବଳ ମହାରଥୀ ଓ ସାମନ୍ତରାୟ-ତୃତୀୟ ଲୋକର ଏଠି ଜାଗା ନାହିଁ।
୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବନାମ ସାମନ୍ତରାୟ ଯୁଦ୍ଧର ଏକପ୍ରକାର ସମାପ୍ତି ଘଟିଥିଲା। କଂଗ୍ରେସ ପିପିଲିରେ ନୂଆ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା, ଯିଏ ମାତ୍ର ୫.୬୩% ଭୋଟ ପାଇଥିଲେ। ବିଜୟୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ୫୦.୬୬% ଭୋଟ ପାଇଥିବା ବେଳେ, ତାଙ୍କର ନିକଟତମ ପ୍ରତିଯୋଗୀ ଭାବରେ ବିଜେପିର ଆଶ୍ରିତ ପଟ୍ଟନାୟକ ୪୧.୬୨% ଭୋଟ ପାଇଥିଲେ। ମୋଟାମୋଟି ଦେଖିବାକୁ ଗଲେ ପିପିଲିରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଥିଲା। କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କର ଏକ ବିକଳ୍ପ ଭାବରେ ବିଜେପି ପାଇଁ ପିପିଲି ଏକ ଭଲ ସୁଯୋଗ ବୋଲି କୁହାଯାଇପାରେ। ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ର ବିଭିନ୍ନ କ୍ଷେତ୍ରରେ ବିଜେପି ଚମକପ୍ରଦ ସଫଳତା ପାଇଛି। ପୁରୀ ଓ ବ୍ରହ୍ମଗିରି ଆସନ ବିଜେପି ଜିତିଥିବା ବେଳେ, ପିପିଲି, ସତ୍ୟବାଦୀ,ଚିଲିକା,ରଣପୁର ଓ ନୟାଗଡ ଆସନରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି। କେବଳ ପିପିଲି ନୁହଁ, ପୁରା ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ଅଭିବୃଦ୍ଧି ଲାଗି ପ୍ରଶସ୍ତ ସମ୍ଭାବନା ଦେଖା ଦେଇଛି।
ତେବେ ପୁରୀରେ ସଫଳତା ଲାଗି ପିପିଲି ବାଟରେ ବିଜେପିକୁ ଯିବାକୁ ପଡିବ। ମହାରଥୀ-ସାମନ୍ତରାୟ ବନ୍ଧନୀରେ ରହିଥିବା ପିପିଲି ରାଜନୀତିର ଚକ୍ରବ୍ୟୁହକୁ ବିଜେପି ଭାଙ୍ଗି ପାରିବ କି? ପ୍ରଥମଥର ଲାଗି ବିଜେପି ଏଠାରେ ଉଭୟ ମହାରଥୀ ଓ ସାମନ୍ତରାୟଙ୍କ ଉପରେ ସିଧା ସିଧା ଅଭିଯୋଗ ଆଣିଛି। ଉଭୟ ନେତା ସରକାରୀ ଜମି ହଡପ କରିଛନ୍ତି ବୋଲି ବିଜେପି କହିଛି। ତେବେ ଏହାର ଉତ୍ତର ରଖି ପ୍ରଦୀପ ମହାରଥୀ ଯଦି ବିଜେପି ପ୍ରମାଣ ଦେବ, ତାହେଲେ ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି କହିଛନ୍ତି। ମହାରଥିଙ୍କର ଏହି ଚାଲେଞ୍ଜକୁ ବିଜେପି ଗ୍ରହଣ କରି ଆଇନଗତ ପଦକ୍ଷେପ ନେଇ ପାରିବ କି? କେବଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ରାଜନୈତିକ ସଫଳତା ମିଳିବ ନାହିଁ।
ପିପିଲିର ରାଜନୀତି ଏକ ବିକଳ୍ପ ମୁହଁ ର ସନ୍ଧାନରେ ଅଛି। ତାର ସୁଯୋଗ ବିଜେପି କୁ ହୁଏତ ମିଳିପାରିବ। ଦୀର୍ଘ ବର୍ଷ କ୍ଷମତାରେ ରହିଥିବା ମହାରଥିଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନୀ ହିଂସା, ଜମି ହଡପ, ବେବିନା ବେହେରା ଧର୍ଷଣ ଓ ହତ୍ୟାକାଣ୍ଡ ଭଳି ବହୁ ଦୁର୍ଘଟଣାରେ ମହାରଥିଙ୍କ ସମ୍ପୃକ୍ତି କଥା ଉଠିଛି। ତାକୁ ଉଠାଇବାରେ ବିଜେପି ସମର୍ଥ ହେବ କି?
ବିଜେପିର ପାରମ୍ପାରିକ ସାମ୍ପ୍ରଦାୟିକ ରାଜନୀତି ପୁରୀ ବା ପିପିଲିରେ କାମ କରିବ ନାହିଁ। କଂଗ୍ରେସ ଓ ବିଜେଡିରେ ନେତୃତ୍ବକୁ ନେଇ ଯେଉଁ ସ୍ଥିତାବସ୍ଥା ରହିଛି, ତାରି ବିରୋଧରେ ବିଜେପି ନିଜ ଲାଗି ସୁଯୋଗ ତିଆରି କରି ପାରିବ। ତେବେ ପୁରୀ ରାଜନୀତିରେ ଆଗାମୀ ଦିନରେ ନେତୃତ୍ଵ ବଦଳାଇବାକୁ ବିଜେଡି ମଧ୍ୟ ଚିନ୍ତା କରୁଛି। ମହେଶ୍ଵର ମହାନ୍ତି ପୁରୀରୁ ହାରିବା ପରେ ମହାରଥିଙ୍କର ବିକଳ୍ପ ବିଷୟରେ ବିଜେଡି ମଧ୍ୟ ଚିନ୍ତିତ। ସେହି ସମୟର ସଦୁପଯୋଗ ବିଜେପି କରିପାରିବା ଉପରେ ସବୁକିଛି ନିର୍ଭର କରୁଛି।
ରଙ୍ଗାଚରଣ ପ୍ରଧାନ
ଗୁମନାମ ହୈ କୋଇ।
ବଦନାମ ହୈ କୋଇ।
କିସ୍ କୋ ପତା , କୌନ ହୈ ଓହ୍
ଅଞ୍ଜାନ ହୈ କୋଇ।
ଚାଲନ୍ତୁ, ଇଏ ତ ହେଲା ପୁରୁଣା ସସପେନ୍ସ ହିନ୍ଦୀ ଫିଲିମ୍ ଗୁମନାମ୍ ର ଏକ ଲୋକପ୍ରୀୟ ଗୀତ। କିନ୍ତୁ ରାଜନୀତିରେ ଏବେ ଏମିତି ଏକ ସସପେନ୍ସ କାହାଣୀ ଚାଲିଛି ଯାହା ଫିଲମ୍ ଭଳି ଆମୋଦଦାୟକ ନୂହେଁ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି। କାହାଣୀଟି ହେଉଛି ଇଲେକ୍ଟୋରାଲ ବଣ୍ଡ ବିଷୟକୁ ନେଇ।
ଆଗରୁ କ’ଣ ହେଉଥିଲା ନା, ରାଜନୈତିକ ଦଳଗୁଡିକୁ ବିଭିନ୍ନ ଉପାୟରେ ଚାନ୍ଦା ମିଳୁଥିଲା। ଯେଉଁମାନେ କୌଣସି ପାର୍ଟିକୁ ଦେଖେଇକି ଦେଉଥିଲେ ସେମାନେ ଚେକ୍ ରେ ଦେଉଥିଲେ । ସେ କ୍ଷେତ୍ରରେ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କା ଓ ତା’ଠାରୁ ଅଧିକ ଚାନ୍ଦା ପାଇଁ ଚାନ୍ଦାଦାତାର ସମ୍ପୁର୍ଣ ପରିଚୟ ଓ ଚାନ୍ଦାର ପରିମାଣ ନିର୍ବାଚନ କମିଶନକୁ ଦେଉଥିଲେ ଓ କମିଶନ ମାଧ୍ୟମରେ ଜନସାଧାରଣ ତାହା ଜାଣୁଥିଲେ।
ଯେଉଁମାନେ ଲୁଚେଇକି ଦେଉଥିଲେ ସେମାନେ କ୍ୟାସ୍ ରେ ଦେଉଥିଲେ ତାହା କିଏ ଦେଇଛି ଜଣା ପଡୁନଥିଲା। କାରଣ ନିୟମ କହୁଛି ଜଣେ କେବଳ ଯଦି ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦିଏ, ତେବେ ଦଳ ତା’ର ପୁରା ନାଁ ଗାଁ ଠିକଣା ଓ ପରିମାଣ ନିର୍ବାଚନ କମିଶନକୁ ଜଣାଇବ। ପାର୍ଟି କହିବ ଯେ ସେ ପାଇଥିବା କୌଣସିଟି ନଗଦ ଚାନ୍ଦା ୨୦୦୦ ଟଙ୍କାରୁ ଅଧିକ ନୂହେଁ। ତେଣୁ ନିର୍ବାଚନ କମିଶନକୁ ସେହି ଚାନ୍ଦାଦାତାଙ୍କର ନାଁ କହିବା ଦରକାର ନାହିଁ। ଖାଲି ସମୁଦାୟ କେତେ କ୍ୟାସ୍ ମିଳିଛି ସେତିକି କହିବ। ତେବେ ଆପଣ ତ ଜାଣିଛନ୍ତି, ରାଜନୈତିକ ଦଳଗୁଡିକ ପାଖକୁ ଅଧିକାଂଶ ଚାନ୍ଦା କ୍ୟାସ୍ ରେ ଆସେ ଓ କ୍ୟାସ୍ ରେ ଖର୍ଚ୍ଚ ହୁଏ ଯାହା ସେମାନେ ହିସାବରେ ଦେଖାନ୍ତି ନାହିଁ।
ଧିରେ ଧିରେ ରାଜନୈତିକ ଦଳଗୁଡିକଙ୍କୁ ଭୋଟରେ ଲଢିବା ପାଇଁ ଅଧିକରୁ ଅଧିକ ଟଙ୍କା ଦରକାର ପଡିଲା। ମଦ ବାଣ୍ଟିବାର ଅଛି। ବଡ ବଡ ରାଲି କରିବାର ଅଛି । ବିଧାୟକ ବି କିଣିବାର ଅଛି ଏଥିପାଇଁ କ୍ୟାସ୍ ରେ ଏମିତି କେତେ ଆଣି ହେବ ଯେ ଏସବୁ ଖର୍ଚ୍ଚ କରିହେବ ?
ଏଣେ କେଉଁ ଲୋକ କିମ୍ବା କମ୍ପାନୀ କାହିଁକି ବା ଏତେ ଟଙ୍କାର ଚେକ୍ ଦେବ ? ଚେକ୍ ଦେଇଥିବା ଲୋକ କିମ୍ବା କମ୍ପାନୀର ସ୍ବାର୍ଥ ପାଇଁ ସରକାର ଯଦି କିଛି କରିବେ ତେବେ ଧରା ପଡିଯିବେ ।
ତେଣୁ ବିଜେପି ସରକାର ଚାହିଁଲା ଏମିତି ଗୋଟିଏ ବ୍ୟବସ୍ଥା ହେଉ ଯେଉଁଠି :
୧. ମୋଟା ରକମ ଚାନ୍ଦା ମିଳିବ
୨. କ୍ୟାସ୍ ରେ ଆଣିବା ଦରକାର ନାହିଁ, ବ୍ୟାଙ୍କ ମଧ୍ୟଦେଇ ଚାନ୍ଦା ଆସିବ
୩. କିନ୍ତୁ କେହି ଜାଣିବେନି। ସରକାରରେ ଥାଇ ଆମେ ତା’ କାମ କରିଦେବୁ କିନ୍ତୁ ସିଏ ଆମ ପାର୍ଟିକୁ ଟଙ୍କା ଦେଇଛି ବୋଲି କେହି ଜାଣିବେନି।
ଏହି ନୂଆ ବ୍ୟବସ୍ଥାର ନାଁ ହେଲା ଇଲେକ୍ଟୋରାଲ୍ ବଣ୍ଡ। ୨୦୧୭ ମସିହା ଫେବୄଆରୀ ୧ ତାରିଖ ଦିନ ପାର୍ଲିଆମେଣ୍ଟରେ ବଜେଟ ପଢିବା ବେଳେ ଅର୍ଥମନ୍ରୀ ଅରୁଣ ଜେଟଲି ଏଣିକି ଇଲେକ୍ଟୋରାଲ୍ ବଣ୍ଡ ଆରମ୍ଭ ହେବ ବୋଲି କହିଲେ।
ଏଠାରେ କିଛିଦିନ ପୂର୍ବେ ଘଟିଥିବା ଗୋଟିଏ ଘଟଣାକୁ ଉଦାହରଣ ଭାବେ ନିଅନ୍ତୁ। ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଓ ଜିଓଠାରୁ ସରକାରଙ୍କୁ ୪୦ ହଜାର କୋଟି ଟଙ୍କା ପାଇବାର ଥିଲା। କିନ୍ତୁ ସରକାର ସେଥିପାଇଁ ସେମାନଙ୍କୁ ଦୁଇବର୍ଷ ସମୟ ଦେଲେ। ହୁଏତ ସରକାର ସେମାନଙ୍କଠାରୁ ବିଜେପି ପାଇଁ ୨୦୦୦ କୋଟି ଟଙ୍କାର ପାର୍ଟି ଚାନ୍ଦା ଆଣିଥିବେ। କିଏ ଜାଣିଲା ? ଚେକ୍ ମାଧ୍ୟମରେ ଦେଇଥିଲେ ସିନା କିଏ ଜାଣିଥାନ୍ତା। କିନ୍ତୁ ସେମାନେ ଯଦି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଦେଇଥିବେ ତେବେ ତାହା କେହି ଜାଣି ପାରିବେ ନାହିଁ।
ଯଦି କେଉଁ କମ୍ପାନୀକୁ ସରକାରଙ୍କଠାରୁ କିଛି ଅନୈତିକ ସୁବିଧା ହାସଲ କରିବାର ଥିବ ସେମାନେ ଷ୍ଟେଟ୍ ବ୍ୟାଙ୍କକୁ ଯିବେ। ସେଠାରେ ଗୋଟିଏ ଚେକ୍ ଦେଇ ହୁଏତ ୧୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିବେ । ବଣ୍ଡ୍ ଏକ କାଗଜ ଫର୍ଦ। ସେଥିରେ ଦେଲାବାଲା କମ୍ପାନୀ କିମ୍ବା ପାଇବା ବାଲା ପାର୍ଟିର ନାଁ ଲେଖା ହୋଇ ନଥାଏ। କେବଳ ଚାନ୍ଦାର ପରିମାଣ ଓ ଗୋଟିଏ ଲୁକ୍କାୟିତ ନମ୍ବର ଲେଖା ହୋଇଥାଏ।
ବର୍ତମାନ କମ୍ପାନୀ ସେହି ବଣ୍ଡକୁ ନେଇ ସେ ଚାହୁଁଥିବା ଦଳକୁ ଦେବ। ଦଳ ବଣ୍ଡଟିକୁ ତା’ର ଏକ ସ୍ବତନ୍ତ୍ର ଆକାଉଣ୍ଟରେ ଜମା କରିଦେଲେ ତା’ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲା। ଏକଥା କେବଳ ଦେଲାବାଲା କମ୍ପାନୀ ଜାଣିଲା ଓ ନେଲାବାଲା ଦଳ ଜାଣିଲା। ଲୋକେ ଜାଣିବା ତ ଦୁରର କଥା, ନିର୍ବାଚନ କମିଶନ ବି ଜାଣିବେ ନାହିଁ। ପ୍ରତିବର୍ଷ ନିର୍ବାଚନ କମିଶନକୁ ହିସାବ ଦେବାବେଳେ ପାର୍ଟିମାନେ କେବଳ ଏତିକି ଜଣାଇବେ ଯେ ସେମାନେ ବର୍ଷକ ଭିତରେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସମୁଦାୟ କେତେଟଙ୍କା ପାଇଛନ୍ତି। କିନ୍ତୁ ସେମାନଙ୍କୁ କିଏ କିଏ କେତେଟଙ୍କାର ବଣ୍ଡ ଦେଇଛନ୍ତି ସେକଥା ଜଣେଇବେ ନାହିଁ।
ତେବେ ଆମେ କାହିଁକି ଏହାକୁ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି ବୋଲି କହୁଛୁ ?
(୧) ଯଦି ଦେଲାବାଲା ଓ ନେଲାବାଲା ବିଷୟରେ ନିର୍ବାଚନ କମିଶନ କିମ୍ବା ଲୋକେ ଜାଣିଲେ ନାହିଁ ଓ ଯଦି ସୂଚନା ଅଧିକାର ଆଇନ୍ ବଳରେ ବି ଏ ସମ୍ବନ୍ଧରେ ଜାଣିବା ମନା, ତେବେ ପାରଦର୍ଶିତା ଆଉ କେଉଁଠି ରହିଲା ? ଆମେ କେମିତି ଜାଣିବୁ ଯେ ସରକାରଙ୍କ ଅମୁକ ନିଷ୍ପତ୍ତି ଯୋଗୁଁ ଫାଇଦା ପାଇଥିବା ଗୋଟିଏ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଗୁପ୍ତଧନ ଦେଇନାହିଁ ବୋଲି ?
(୨) ଷ୍ଟେଟବ୍ୟାଙ୍କଠାରୁ ଏହି ବଣ୍ଡ କିଣା ଯାଉଛି ଓ ପ୍ରତ୍ୟେକ ବଣ୍ଡରେ ଗୋଟିଏ ଗୁପ୍ତ ନମ୍ବର ଅଛି। ଯେହେତୁ ଷ୍ଟେଟବ୍ୟାଙ୍କ ସରକାରଙ୍କ ଅଧିନରେ ଅଛି ତେଣୁ କେବଳ ସରକାରୀ ଦଳ ଜାଣିପାରିବ ଯେ କେତେ ନମ୍ବର ବଣ୍ଡଟିକୁ କିଏ କିଣିଛି ଏବଂ କେଉଁ ଦଳର ବ୍ୟାଙ୍କ ଆକାଉଣ୍ଟରେ ତାହା ଜମା ହୋଇଛି । ଫଳରେ ବିରୋଧୀ ଦଳଗୁଡିକଙ୍କୁ ଯେଉଁ ଲୋକ ବା କମ୍ପାନୀ ଟଙ୍କା ଦେଇଥିବେ ସରକାର ସେମାନଙ୍କ ପାଖକୁ ସିବିଆଇ, ଇନକମ୍ ଟ୍ୟାକ୍ସ ସ୍କ୍ବାଡ୍ ଓ ଇଡି ପଠେଇ ନାନା ପ୍ରକାର ହଇରାଣ କରିବେ। ଏହି କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ବିକ୍ରି ହୋଇଥିବା ସମୁଦାୟ ୨୧୫ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡରୁ ଏକୁଟିଆ ବିଜେପିକୁ ମିଳିଛି ୨୧୦ କୋଟି ଟଙ୍କା ଓ ଭାରତର ଅବଶିଷ୍ଟ ଦଳମାନଙ୍କୁ ମିଳିଛି ମୋଟ ମାତ୍ର ୫ କୋଟି ଟଙ୍କା। ସେହିବର୍ଷ ପାଇଁ ନିର୍ବାଚନ କମିଶନକୁ ବିଜେପି ଦେଇଥିବା ଆୟବ୍ୟୟ ହିସାବରୁ ଏଡିଆର୍ ନାମକ ଏକ ସଂସ୍ଥା ଏହି ତଥ୍ୟ ସଂଗ୍ରହ କରିଛି । ୨୦୧୮ ମାର୍ଚ୍ଚରୁ ଗତ ଅକ୍ଟୋବର ମାସ ମଧ୍ୟରେ ସମୂଦାୟ ୬୧୨୮ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ ବିକ୍ରି ହୋଇଛି।
(୩) ପାର୍ଲିଆମେଣ୍ଟରେ ଅରୁଣ ଜେଟଲୀ କହିଥିଲେ ଯେ କମ୍ପାନୀମାନେ ଗୋଟିଏ ଦଳକୁ ଯେଉଁ ଟଙ୍କା ଦେଉଛନ୍ତି ତାହା ଅନ୍ୟ ଦଳମାନେ ଜାଣିପକାଉଛନ୍ତି । ତେଣୁ ସେମାନେ ହଇରାଣରେ ପଡୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଇଲେକ୍ଟୋରାଲ୍ ବଣ୍ଡ ଭଳି ଏକ ଗୁପ୍ତ ବ୍ୟବସ୍ଥା କରାଗଲା।
ଅଦ୍ଭୁତ ଏ ଯୁକ୍ତି ! କମ୍ପାନୀମାନଙ୍କ ସୁବିଧା ପାଇଁ ଗୋଟିଏ ଚୋରା ଉପାୟ କାହିଁକି କରାଯିବ ?ସେମାନେ ଯଦି କୌଣସି ସ୍ବାର୍ଥ ହାସଲ ପାଇଁ ଚାନ୍ଦା ଦେଉନାହାନ୍ତି ତେବେ ସେ ବିଷୟଟି ପ୍ରଘଟ ହୋଇଯିବାରେ ଅସୁବିଧା କେଉଁଠି ଥିଲା ?
(୪) ଯଦି ପ୍ରକାଶ୍ୟରେ ଚାନ୍ଦା ମିଳୁଥିବାରୁ ରାଜନୈତିକ ଦଳମାନଙ୍କୁ ଅଧିକ ଅର୍ଥ ମିଳୁ ନଥିଲା ତାହେଲେ ନ ମିଳୁ। ସେମାନଙ୍କୁ ନିର୍ବାଚନ ବେଳେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କିଏ କହୁଛି ? ନିର୍ବାଚନ ପରେ ବିଧାୟକ କିଣିବାପାଇଁ ଆବଶ୍ୟକ ଟଙ୍କାର ବନ୍ଦୋବସ୍ତ କରିବା ପାଇଁ ଏପରି ଏକ ଲୁଚାଛପା ବ୍ୟବସ୍ଥା କାହିଁକି ହେବ ? କେଉଁ କାରଣରୁ ସରକାରୀ ଦଳ ବା ବିଜେପିକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି ? ସେମାନେ କ’ଣ ସରକାରଙ୍କ କାମ ଓ ସେହି ଦଳର ଆଦର୍ଶକୁ ଏତେ ଭଲ ପାଉଛନ୍ତି ? ଯଦି ପ୍ରକୄତରେ ସେଇଆ ହୋଇଥାଏ ତେବେ ସେମାନେ ଆଗ ଭଳି ଚେକ୍ ମାଧ୍ୟମରେ ଦିଅନ୍ତୁ ନା । ସେମାନଙ୍କର ଅନୈତିକ ସ୍ବାର୍ଥହାସଲ ଓ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ସରକାରୀ ଦଳର ଅମାପ ଟଙ୍କାର ଆବଶ୍ୟକତା ପାଇଁ ଏମିତି ଗୋଟିଏ ଗୁପ୍ତବ୍ୟବସ୍ଥା କାହିଁକି ହେବ ?
ପୄଥିବୀର ଆଉ କେଉଁ ଗଣତନ୍ତ୍ର ଏପରି ବେନିୟମ ଓ ଅନୈତିକ କାମକୁ ଆଇନସମ୍ମତ କରିଛି ?
(୫) ଏହି ବଣ୍ଡ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢି ସରକାରଙ୍କ ସମର୍ଥକମାନେ କୁହନ୍ତି ଯେ ଏଥିରେ ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେଉଥିବାରୁ ଓ ଷ୍ଟେଟବ୍ୟାଙ୍କ୍ କୌଣସି କମ୍ପାନୀକୁ ଯାଞ୍ଚ ପରଖ କରିସାରିବା ପରେ ତାକୁ ବଣ୍ଡ ବିକୁଥିବାରୁ ଏହା କଳାଟଙ୍କା ନୂହେଁ।
ଏହା ଏକ ହାସ୍ୟାସ୍ପଦ ଯୁକ୍ତି। ପ୍ରଥମତଃ ଗତ କିଛି ବର୍ଷରେ ଯେପରିଭାବରେ କିଛି ଲୋକ ବ୍ଯାଙ୍କଗୁଡିକୁ ଠକି ଓ ୠଣ ନ ଫେରାଇ ବିଦେଶକୁ ପଳାଇଛନ୍ତି ସେଥିରୁ ହିଁ ଜଣାପଡେ ବ୍ୟାଙ୍କ ଗୁଡିକ କିପରି ଯାଞ୍ଚ ପରଖ କରନ୍ତି । ଦ୍ବିତୀୟରେ , ଯଦି ଚାନ୍ଦା ଦେଇଥିବା ସେହି କମ୍ପାନୀଟି ଗୋଟିଏ ସେଲ୍ କମ୍ପାନୀ ହୋଇଥିବ ?
ସେଲ୍ କମ୍ପାନୀ କାହାକୁ କୁହାଯାଏ ?
କିଛି ଲୋକ କେବଳ କଳାଟଙ୍କା ଦେଣ ନେଣ କରିବା ପାଇଁ ବିଭିନ୍ନ ଫର୍ଜି କାଗଜ ପତ୍ର ଦେଖାଇ ଗୋଟିଏ କମ୍ପାନୀ ଗଢିଥାନ୍ତି ଓ ତା’ ସହିତ କମ୍ପାନୀ ନାଁରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି। ସେହି କମ୍ପାନୀ କେବଳ ନାମକୁ ମାତ୍ର ବ୍ୟବସାୟ କରିଥାଏ। ସେମାନେ ବ୍ୟାଙ୍କ ମାଧ୍ୟମରେ କିଛି କମ୍ପାନୀଙ୍କର କଳା ଟଙ୍କାକୁ ଧଳା କରିବା ପାଇଁ ଟଙ୍କା ଦେଇଥାନ୍ତି ଓ ଆୟକର ରିଟର୍ଣ ମଧ୍ୟ ଦାଖଲ କରିଥାନ୍ତି । କିନ୍ତୁ ସେମାନେ ଜାଣିଥାନ୍ତି ଯେ ଏହା ଦିନେ ନା ଦିନେ ଧରା ପଡିଯିବ। ତେଣୁ ବର୍ଷେ ଦୁଇ ବର୍ଷ ପରେ ସେମାନେ ଆଉ ରିଟର୍ଣ ଭରନ୍ତି ନାହିଁ ଓ ଆପେ ଆପେ ମୄତ ହୋଇଯାଆନ୍ତି।
ଏଠାରେ ଆମର କହିବାର କଥା ହେଲା ଯଦି ଏପରି ଏକ ସେଲ୍ କମ୍ପାନୀ ନିଜ ବ୍ୟାଙ୍କର ଚେକ୍ ଦେଇ ବଣ୍ଡ୍ କିଣିଥିବ ଓ ସେହି ବଣ୍ଡଟିକୁ ସରକାରୀ ଦଳକୁ ଦେଇଥିବ, ତାହେଲେ ଏଠାରେ ସବୁକିଛି ଠିକ୍ ହୋଇଛି ବୋଲି କେମିତି କୁହାଯିବ ?
(୬) ଆଉ ଗୋଟିଏ କଥା। ଆଗରୁ ପ୍ରାବଧାନ ଥିଲା ଯେ ଗୋଟିଏ କମ୍ପାନୀ ତାହାର ଗତ ତିନିବର୍ଷରେ କରିଥିବା ହାରାହାରି ଲାଭର ସର୍ବାଧିକ ୭.୫% ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାରେ ଖର୍ଚ୍ଚ କରି ପାରିବ । କମ୍ପାନୀଟି କେଉଁ ଦଳକୁ କେତେ ଚାନ୍ଦା ଦେଇଛି ତାହା ବାର୍ଷିକ ଆର୍ଥିକ ରିପୋର୍ଟରେ ପରିଷ୍କାର ଭାବେ ଉଲ୍ଲେଖ କରିବ ଯାହା ଫଳରେ କମ୍ପାନୀର ସେୟାରହୋଲ୍ଡରମାନେ ଜାଣିପାରିବେ ସେମାନଙ୍କ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛି । ଏହାଦ୍ବାରା ମଧ୍ଯ ସୁନିଶ୍ଚିତ କରାଯାଉଥିଲା ଯେ ଅତି କମ୍ ରେ ସେହି କମ୍ପାନୀଟି ତିନିବର୍ଷ ହେବ ବ୍ୟବସାୟ କରିଛି ଓ ବ୍ୟବସାୟଜନିତ ଲାଭରୁ ସେହି ଚାନ୍ଦା ଦେଇଛି, ତେଣୁ ତାହା ଏକ ସେଲ୍ କମ୍ପାନୀ ନୂହେଁ।
ମାତ୍ର ମୋଦୀ ସରକାର ସେହି ନିୟମକୁ ହଟାଇ ଦେଇଛନ୍ତି । ତେଣୁ ଏବେ କିଛି ଲୋକ ଏକ କମ୍ପାନୀ ଗଠନ କରି ସେଥିରେ କୌଣସି ବ୍ୟବସାୟ ନକରି ସବୁତକ ଟଙ୍କା ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଦେଇପାରିବ। ଏହି କାମ ସରିଯିବା ପରେ କମ୍ପାନୀଟି ଆପେ ଆପେ ମୄତ ହୋଇଯିବ ବା ସେଲ୍ କମ୍ପାନୀ ହୋଇଯିବ। କାରଣ କେବଳ ଏହି କାମ କରିବା ପାଇଁ କମ୍ପାନୀଟି ତିଆରି ହୋଇଥିଲା । ତେଣୁ ଏହା ଦ୍ବାରା ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେବା ସତ୍ତ୍ବେ ଦଳ ପାଖକୁ କଳାଟଙ୍କା ଆସିଲା ନାହିଁ କି ?
(୭) ଆଗରୁ ‘ବିଦେଶି ଚାନ୍ଦା ନିୟନ୍ତ୍ରଣ ଆଇନ୍’ରେ ଥିଲା ଯେ ଭାରତର କୌଣସି ରାଜନୈତିକ ଦଳ ବିଦେଶି ଚାନ୍ଦା ଗ୍ରହଣ କରିପାରିବ ନାହିଁ । ସରକାର ସେ ନିୟମ ବି ପରିବର୍ତ୍ତନ କରିଦେଲେ। ନୂଆ ନିୟମ ଅନୁଯାୟୀ କୌଣସି ଭାରତୀୟ କମ୍ପାନୀରେ ଯଦି କୌଣସି ବିଦେଶୀ କମ୍ପାନୀର ୫୦% ଅଂଶଧନ ଥାଏ ତେବେ ସେମାନେ ରାଜନୈତିକ ଦଳକୁ ଚାନ୍ଦା ଦେଇ ପାରିବେ। ତେଣୁ ଏଣିକି ବିଦେଶୀ କମ୍ପାନୀମାନେ ମଧ୍ୟ ସେମାନେ ଭାରତରେ ପୁଞ୍ଜି ଲଗେଇଥିବା କୌଣସି କମ୍ପାନୀ ମାଧ୍ୟମରେ ଇଲେକ୍ଟୋରାଲ ବଣ୍ଡ୍ କିଣି ସରକାରୀ ଦଳକୁ ଦେଇ ପାରିବେ ଓ ସରକାରଙ୍କଠାରୁ ନିଜ ମନ ମୁତାବକ କାମ ହାସଲ କରି ପାରିବେ।
ଏହାକୁ ବିଭିନ୍ନ ବିରୋଧୀଦଳ ଭିନ୍ନ ଭିନ୍ନ ସମୟରେ ପ୍ରତିବାଦ ଓ ବିରୋଧ କରିଥିଲେ ହେଁ ଅନ୍ୟାନ୍ୟ ପ୍ରମୁଖ ପ୍ରତିବାଦ ମଧ୍ୟରେ ଏହା ହଜି ଯାଇଥିଲା।
ତେବେ ପ୍ରତିବାଦ କେବଳ ବିରୋଧୀଦଳ କରି ନଥିଲେ। ଯେଉଁଦିନ ବଜେଟରେ ଏହାର ଘୋଷଣା ହେଲା ସେଦିନ ସୋମବାର ଥିଲା। ପୁର୍ବ ଶନିବାର ଦିନ ସରକାର ରିଜର୍ଭ ବ୍ୟାଙ୍କକୁ ମେଲ୍ ପଠାଇ ଏ ବିଷୟରେ ମତ ଦେବାକୁ ଏବଂ ଏଥିପାଇଁ ଆବଶ୍ୟକ ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନ ବିଷୟରେ ପରାମର୍ଶ ଦେବାକୁ କହିଲେ । ବିଷୟଟିର ଭୟଙ୍କର ସାମ୍ଭାବ୍ୟ ପରିଣାମ ରହିଥିବା ଅନୁଭବ କରି ପରଦିନ ରବିବାର ହୋଇଥିଲେ ସୁଦ୍ଧା ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣର ଉର୍ଜିତ୍ ପଟେଲ ଏଥିରେ ଘୋର ଆପତ୍ତି ପ୍ରକାଶ କରି ତୁରନ୍ତ ଉତ୍ତର ପଠାଇଲେ। ରିଜର୍ଭ ବ୍ୟାଙ୍କର ବୋର୍ଡ ମଧ୍ୟ ଆପତ୍ତି ଜଣାଇଲେ । ମାତ୍ର ସରକାର ତାଙ୍କ ଜିଦ୍ ରେ ଅଟଳ ରହିଲେ। ଫାଇଲ୍ ରେ ଲେଖାଗଲା ଯେ ରିଜର୍ଭ ବ୍ୟାଙ୍କ ଗଭର୍ଣର ବିଷୟଟିକୁ ବୁଝିପାରି ନାହାନ୍ତି ଓ ବଜେଟ ଛପା ସରିଥିବାରୁ ଆଉ ପଛକୁ ହଟିବାର ସମ୍ଭାବନା ନାହିଁ। ସେତେବେଳର ନିର୍ବାଚନ କମିଶନ ମଧ୍ୟ ଏହାକୁ ଘୋର ବିରୋଧ କରି ଚିଠି ଲେଖିଲେ ମଧ୍ୟ ମନ୍ତ୍ରୀ ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ପାର୍ଲିଆମେଣ୍ଟରେ ମିଛ କହିଲେ। ଶେଷରେ କମିଶନ ବାଧ୍ୟ ହୋଇ ଏହା ବିରୁଦ୍ଧରେ ସୂପ୍ରୀମ କୋର୍ଟ ଗଲେ ।
ସଂସଦରେ ଥିବା ସଂଖ୍ୟାଗରିଷ୍ଠତା ଓ ବିଶ୍ବସ୍ତ ମିଡିଆର ସହାଯତାରେ ସରକାର ଯେ କେବଳ ମନମୂଖୀଭାବେ ଆଇନ୍ ରେ ପରିବର୍ତ୍ତନ କଲେ ତାହା ନୂହେଁ, ନିଜେ ତିଆରି କରିଥିବା ଆଇନକୁ ମଧ୍ୟ ନିଜ ସୁବିଧା ଅନୁସାରେ ଭାଙ୍ଗି ଚାଲିଲେ । ହଫିଙ୍ଗଟନ ପୋଷ୍ଟରେ ପ୍ରକାଶିତ ସାମ୍ବାଦିକ ନିତୀନ ସେଠିଙ୍କ ରିପୋର୍ଟ ଅନୁସାରେ, ଗତ କର୍ଣାଟକ ନିର୍ବାଚନ ସମୟରେ ଅବଧି ସରିଯାଇଥିବା ୧୦ କୋଟି ଟଙ୍କାର ଏକ ଇଲେକ୍ଟୋରାଲ୍ ବଣ୍ଡକୁ ଗ୍ରହଣ କରିବା ପାଇଁ ସରକାର ଷ୍ଟେଟବ୍ୟାଙ୍କକୁ ବାଧ୍ୟ କରିଥିଲେ।
ଏହିପରି ଭାବେ ୨୦୧୭ ମସିହା ଫେବୄଆରୀ ୧ ତାରିଖରେ ଆଇନ୍ ପରିବର୍ତନ କରି ବେଆଇନର ନାମ ଆଇନ୍ ରଖାଗଲା, ଅସ୍ବସ୍ଥତାର ନାମ ପାରଦର୍ଶିତା ରଖାଗଲା ଓ ଅମାପ ଚାନ୍ଦାସଂଗ୍ରହରେ ଗୋଟିଏ ପାର୍ଟିର ଏକଚାଟିଆ ବ୍ୟବସ୍ଥାକୁ ନିର୍ବାଚନୀ ଗଣତନ୍ତ୍ର ବୋଲି କୁହାଗଲା । ଦେଢବର୍ଷ ଧରି ମାମଲାଟି ସୂପ୍ରୀମ୍ କୋର୍ଟରେ ପଡି ରହିଥିଲେ ମଧ୍ୟ ଏହାର ବିଚାରରେ ବିଶେଷ ଅଗ୍ରଗତି ହୋଇନାହିଁ । ଏଣେ ଦୁର୍ନୀତି, ବିଦେଶୀ ହସ୍ତକ୍ଷେପ ଓ ଦେଶ ଶାସନକୁ ସମ୍ପୁର୍ଣଭାବେ ଅସାଧୁ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ଛାଡିବା ପାଇଁ ଦ୍ବାର ସାହାଣ ମେଲା କରି ବିଜେପି ସ୍ଥାୟୀଭାବେ ଶାସନରେ ରହିବା ପାଇଁ ଇଲେକ୍ଟୋରାଲ୍ ବଣ୍ଡର ବନ୍ଦୋବସ୍ତ କରିସାରିଛି । ସ୍ତାବକ ଗଣମାଧ୍ୟମ ପାଇଁ ଏହା ହୁଏତ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ହୋଇପାରେ ମାତ୍ର ଦେଶର ଗଣତନ୍ତ୍ର ପାଇଁ ଏହା ଏକ ଟ୍ରାଜେଡି ।
ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍ଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସ୍ଥାନ ମିଳିଛି । ସାଧ୍ବୀ ପ୍ରଜ୍ଞା ଏହି କମିଟିର ସଦସ୍ୟ ହୋଇଛନ୍ତି । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସାଧ୍ବୀ ପ୍ରଜ୍ଞା ନିର୍ବାଚନରେ ବଡ ଜିତ୍ ହାସଲ କରିଥିଲେ । ଲୋକସଭା ପରେ ମଧ୍ୟ ସେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ରକ୍ଷା ମାମଲାରେ ଏହି କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ସାଧ୍ବୀ ପ୍ରଜ୍ଞା ସିଂହଙ୍କ ନାମ ସାମିଲ୍ ହୋଇଛନ୍ତି । ଏହି କମିଟିର ସଭାପତି ରାଜନାଥ ସିଂହ ରହିଥିବାବେଳେ ଏହି କମିଟିରେ ଫାରୁକ୍ ଅବଦୁଲ୍ଲା, ଏ.ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂ, ଶରଦ ପାଓ୍ବାର, ଜେପି ନଡ୍ଡା ପ୍ରମୁଖ ସାମିଲ୍ ରହିଛନ୍ତି । ତେବେ ସ୍ବାଧୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ୍ କରିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି । କମଲନାଥ ସରକାରର ମନ୍ତ୍ରୀ ପିସି ଶର୍ମା ଏହି ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ବିଜେପି କଥା ଓ କାମରେ ସବୁବେଳେ ଫରକ ରଖିଥାଏ। ସେହିପରି ଅନ୍ୟତମ କଂଗ୍ରେସ ନେତା ଜୟବୀର ସେର୍ଗିଲ୍ ଟୁଇଟ୍ କରି କହିଛନ୍ତି ଯେ, ପ୍ରଜ୍ଞା ଠାକୁର୍ ରକ୍ଷା ମନ୍ତ୍ରାଳୟ କମିଟିରେ ସାମିଲ୍ ହୋଇଛନ୍ତି। ବିଜେପି ସରକାର ଜାତୀୟତାକୁ ଏକ ନୂଆ ସଂଜ୍ଞା ଦେଇଛନ୍ତି । ବମ ବିସ୍ଫୋରଣ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କୁ ରକ୍ଷା ମାମଲାରେ ସାମିଲ୍ କରାଯାଇଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଜ୍ଞାଙ୍କୁ ‘ମନରୁ କ୍ଷମା ଦେଇନାହାନ୍ତି’ ବୋଲି କହିଥିଲେ, କିନ୍ତୁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସଦସ୍ୟତା କରାଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରି କହିଛି ଯେ, ଏବେ ଗଡ୍ସେଙ୍କ ଭକ୍ତଙ୍କ ଲାଗି ଅଚ୍ଛେ ଦିନ୍ ଆସିଛି ।
ଆସନ ହରାଇବା ନେଇ ମମତା ଭୟଭୀତ : ଓଓ୍ବେସୀ
ପଶ୍ଚିମବଙ୍ଗରେ ଆସନ ହରେଇବା ନେଇ ମମତା ଭୟଭୀତ ଅଛନ୍ତି ବୋଲି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ ମତ ଦେଇଛନ୍ତି । ଗତକାଲି ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ନିର୍ବାଚନରେ ଅଂଶଗ୍ରହଣ ନେଇ ଘୋଷଣା କରିଥିଲା । ଏହା ପରେ ମମତା ଓଓ୍ବେସୀଙ୍କ ଦଳକୁ ଉଗ୍ର ମୁସଲିମ ମାନସିକତା ଦଳ ବୋଲି କହିଥିଲେ । ଏହି ଘୋଷଣା ପରେ ମଙ୍ଗଳବାର ଦିନ ଓଓ୍ବେସୀ ମମତାଙ୍କୁ ପ୍ରତି ଆକ୍ରମଣ କରିଛନ୍ତି । ସାମାଜିକ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗ ପଛୁଆ ରହିଥିବା ବେଳେ ଦିଦି ଏଆଆଇଏମଏମ୍କୁ ଆକ୍ରମଣ କରିବା ପରାଜୟକୁ ନେଇ ସେ କେତେ ଭୟଭୀତ ତାହା ପ୍ରମାଣ କରୁଛି । ମମତା ଉଗ୍ର ଚିନ୍ତାଧାରା ଦଳ କଥା କହୁଛନ୍ତି ମାତ୍ର ବିଜେପି ପଶ୍ଚିମବଙ୍ଗରେ 42ରୁ 18 ଲୋକସଭା ଆସନରେ କିପରି ବିଜୟୀ ହେଲା ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି ।
କେଦାର ମିଶ୍ର
ଆମର ପ୍ରଭାବ ଏତେ ବେଶୀ ଯେ ଆମେ ନିର୍ବାଚନ ଜିତୁ ବା ଜିତୁ ସରକାର ଗଢିବାରେ ଆମକୁ କେହି ଅଟକେଇ ପାରିବେ ନାହିଁ- ଏମିତି ଏକ ବକ୍ତବ୍ୟ କିଛିଦିନ ତଳେ ଆମେ ବିଜେପିର ପ୍ରଭାବଶାଳୀ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଠାରୁ ଶୁଣିବାକୁ ପାଇଥିଲୁ। ଇଏ ହେଉଛନ୍ତି ସେହି ରାମ ମାଧବ ଯିଏ ଦୁଇ ବର୍ଷ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ, ସଂଖ୍ୟା ତ ନାହିଁ, ସରକାର କେମିତି ଗଢିବେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ହମାରେ ପାଶ ଅମିତ ଶାହା ହୈ ନା। ବିଜେପି ରାଜନୀତିର ଏହା ହେଉଛି ଅସଲ ସତ୍ୟ। ଅମିତ ଶାହା ଅଛନ୍ତି ମାନେ ସବୁକିଛି ସମ୍ଭବ। କ୍ଷମତା ଦଖଲ କରିବା ଲାଗି କିଛି ବି କରା ଯାଇପାରେ, କୌଣସି ବି ସ୍ତର ପର୍ୟନ୍ତ ଖସା ଯାଇପାରେ ଓ କାହା ସହିତ ମଧ୍ୟ “ଡିଲ” କରା ଯାଇପାରେ ଏକଥା ଆଜିର ବିଜେପିରେ ଅନାୟାସରେ ସମ୍ଭବ ହେଉଛି। ତେବେ ଏହା ମୂଳତଃ କଂଗ୍ରେସ ସଂସ୍କୃତି। ଅଶି ଦଶକରେ କଂଗ୍ରେସ ପାଇଁ ଏହା ଥିଲା ସାଧାରଣ ରାଜନୀତି। କଂଗ୍ରେସକୁ ବିରୋଧ କରି କ୍ଷମତାକୁ ଆସିଥିବା ବିଜେପିରେ ଏହି ସଂସ୍କୃତି ଆଜି ପ୍ରବେଶ କଲା ପରେ, ଆମେ କହି ପାରିବା ଯେ ସତରେ ପୃଥିବୀର ଆକାର ଗୋଲ। ଯାହା ଦିନେ ବିଜେପି ଲାଗି ଅପରାଧ ଥିଲା ଆଜି ତାହା ତାଙ୍କର ନୀତି ହୋଇ ଯାଇଛି।
ନିକଟରେ ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ସରିଛି। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ଭାବରେ ନିର୍ବାଚନ ଲଢିଥିଲେ ଓ ସରକାର ଗଢିବା ଲାଗି ମେଣ୍ଟକୁ ସହଜ ସମର୍ଥନ ମିଳିଛି। ହେଲେ ହରିଆଣାରେ ବିଜେପିକୁ ବହୁମତ ମିଳି ନଥିଲା। ସରକାର ଗଢିବା ଲାଗି ୪୬ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପିକୁ ମାତ୍ର ୪୦ ଆସନ ମିଳିଥିଲା। ଜନନାୟକ ଜନତା ପାର୍ଟି ହରିଆଣାରେ ୧୦ ଟି ଆସନ ପାଇ କ୍ଷମତାର ଚାବିକାଠି ନିଜ ହାତରେ ରଖିଥିଲା। ବିଜେପି ଏ ପ୍ରକାର ଚରିତ୍ରଙ୍କୁ ସମ୍ଭାଳିବାର କଳା କୌଶଳ ବଢିଆ ଜାଣିଛି। ନିର୍ବାଚନ ପୂର୍ବରୁ ପୂରା ଚୌତାଲା ପରିବାର ବିରୋଧରେ ଇଡି, ସିବିଆଇ ଓ ଆୟକର ବିଭାଗକୁ ଲଗା ଯାଇଥିଲା। ଚୌତାଲା ପରିବାରର ଦୁର୍ନୀତି ସମ୍ପର୍କରେ ବହୁ ବଡ ବଡ ଭାଷଣ ଦିଆ ଯାଉଥିଲା। ତେବେ ନିର୍ବାଚନ ପରେ ତୁରନ୍ତ ଚୌତାଲା ପରିବାର ସହିତ “ଡିଲ” କରି ସରକାର ଗଠନ କରାଗଲା। “ଡିଲ” ର ପ୍ରଥମ ଚିତ୍ର ଭାବେ ଆମେ ଦେଖିଲୁ ହରିଆଣା ଉପ ମୁଖ୍ୟମନ୍ତ୍ରୀ ଭାବେ ଦୂଷ୍ୟନ୍ତ ଚୌତାଲା ଶପଥ ନେଉଥିବା ଜେଲରେ ସଜା କାଟୁଥିବା ତାଙ୍କ ବାପା ଜେଲରୁ ଛୁଟି ପାଇଗଲେ। ଏ ପ୍ରକାର ବିକାକିଣାରେ ବିଜେପିର ଆଜିର ନେତୃତ୍ଵ ଅଶି ଦଶକର କଂଗ୍ରେସ ନେତୃତ୍ବକୁ ବଳି ଯିବା ଭଳି ମାନେ ହେଉଛି।
ତେବେ ନବେ ଦଶକରେ ବିଜେପି ଭାରତର ରାଜନୀତିରେ ବୁଝାମଣା ଓ ସମନ୍ବୟର ଯେଉଁ ରାଜନୀତି ଆରମ୍ଭ କରିଥିଲା, ସେଥିରେ ବର୍ତ୍ତମାନର ନେତୃତ୍ଵ ଆଉ ବିଶ୍ଵାସ କରୁନାହାନ୍ତି। ତେଣୁ ମହାରାଷ୍ଟ୍ରରେ ବିଜେପି-ଶିବସେନାର ବିଜୟ ସତ୍ତ୍ୱେ ମଧ୍ୟ ସରକାର ଗଠନ ସହଜ ହେଉନାହିଁ। ଶିବସେନା ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଲାଗି ଅଡି ବସିବା ପଛରେ ବିଜେପି ର ନିଜ କୃତକର୍ମ ହିଁ ଦାୟୀ। ମହାରାଷ୍ଟ୍ରରେ ଏକାକୀ ସରକାର ଗଠନ କରିବାର ଗୋପନ ଅଭିଳାଷ ପୋଷଣ କରି ବିଜେପି ଶିବସେନାକୁ ଦୁର୍ବଳ କରିବା ଆରମ୍ଭ କରିଥିଲା। ଯେତେବେଳେ ଭାରତର ରାଜନୀତିରେ ବିଜେପି ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ଥିଲା ସେତେବେଳେ ଶିବସେନା ଥିଲା ବିଜେପିର ପ୍ରଥମ ସହଯୋଗୀ। ତେଣୁ ଉଭୟ ଦଳ ଭିତରେ ଦୀର୍ଘ ବର୍ଷର ସମ୍ପର୍କ ରହିଆସିଛି।
ତେବେ ୨୦୧୪ ସାଧାରଣ ନିର୍ବାଚନ ପରେ ମହାରାଷ୍ଟ୍ରରେ ବିଜେପି ଏକୁଟିଆ ସରକାର ଗଢିବାର ସ୍ଵପ୍ନ ଦେଖିବା ଆରମ୍ଭ କଲା।ଏଥିପାଇଁ ବିଭିନ୍ନ ଉପାୟରେ ଶିବସେନାକୁ ଦୁର୍ବଳ କରିବାର ଯୋଜନା ଆରମ୍ଭ ହେଲା। ୨୦୧୪ ବିଧାନସଭା ନିର୍ବାଚନ ଦୁଇ ଦଳ ମିଳିତ ଭାବରେ ଲଢିବାରେ ବିଫଳ ହେବା ପରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଭାବୁଥିଲା। ତେବେ ସଂଖ୍ୟା ଗରିଷ୍ଠତାରୁ ୨୪ ଆସନ କମ ପାଇବା ପରେ ଏହା ସେତେବେଳେ ଶରଦ ପାୱାରଙ୍କ ଏନସିପି ସହ ମୂଲଚାଲ କରିବା ଆରମ୍ଭ କରି ଦେଇଥିଲା।ଅଗତ୍ୟା ଆଉ କୌଣସି ବାଟ ନ ପାଇ ଶିବସେନା ସେତେବେଳେ ବିଜେପିକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା। ତେବେ ଗତ ପାଞ୍ଚ ବର୍ଷ ଯାକ ଶିବସେନା ବିଜେପି ସରକାରର ସହଯୋଗୀ ଥିଲେ ମଧ୍ୟ ଉଭୟ ଦଳ ଭିତରେ ସବୁବେଳେ ଟଣାଓଟରା ଲାଗି ରହୁଥିଲା।
ଚଳିତ ନିର୍ବାଚନ ଫଳ ବାହାରିବା ପରେ ବିଜେପି ଅଧିକ ଦୁର୍ବଳ ହେବା ଓ କଂଗ୍ରେସ-ଏନସିପି ମେଣ୍ଟ ପାଖରେ ଶହେ ପାଖାପାଖି ଆସନ ରହିବା କାରଣରୁ ଶିବସେନାକୁ ଗୋଟେ ଭଲ ସୁଯୋଗ ମିଳିଛି। ଶିବସେନାକୁ ଇଡି, ସିବିଆଇ କି ଆୟକର ବିଭାଗର ଛାପା ଜରିଆରେ ଧମକାଇବାର କୌଶଳ କାମ କରିବାର ସମ୍ଭାବନା କମ। “ଡିଲ” ଓ ବିକାକିଣା ପାଇଁ ବିଜେପିର ଫର୍ମୁଲା ଶିବସେନା ପାଖରେ କାମ କରିବ ନାହିଁ। ତେଣୁ ବିଜେପି ଏବେ ତାର ପୁରୁଣା ଚାଲ ଖେଳିବା ଆରମ୍ଭ କରିଛି। ଯଦି ଶିବସେନା ଅଡି ବସେ ତାହେଲେ ଏନସିପି ସହ “ଡିଲ” କରିବାର ସଙ୍କେତ ଏବେ ମିଳୁଛି। ତେବେ ଏନସିପି ଯେ ଶିବସେନାଠୁ ବେଶୀ ମୂଲଚାଲ କରିବ ଏକଥା ବିଜେପି ନେତୃତ୍ଵ ଜାଣନ୍ତି। ରାଜନୀତିରେ ସବୁବେଳେ ବିକାକିଣା କମ କରେନାହିଁ, ଏଥିଲାଗି ବାଜପାୟୀ ଜମାନାର ବୁଝାମଣା କଥା ବି ରହିବା ଦରକାର- ସେକଥା ଆଉ ବିଜେପି ନେତୃତ୍ବର ମଗଜରେ ପଶୁନାହିଁ।
କେଦାର ମିଶ୍ର
୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି ପ୍ରତି ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ସବୁଠୁ ବେଶୀ ଗୁରୁତ୍ଵ ବହନ କରିବା ଆରମ୍ଭ କଲା।୨୦୧୭ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ କ୍ରମାଗତ ଭାବେ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଲା। ଯାହା ଫଳରେ ବିଜେପୁରରେ ସାଧାରଣ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ ହୋଇଥିଲା। ଫେବୃଆରି, ୨୦୧୮ର ବିଜେପୁର ଉପ ନିର୍ବାଚନ ଓଡିଶା ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ସବୁଠୁ ଉତ୍ତେଜନା ପ୍ରବଣ ନିର୍ବାଚନ ଭାବରେ ସ୍ଥାନ ପାଇବ। ୨୦୧୯ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବା ଲାଗି ବଦ୍ଧ ପରିକର ବୋଲି ଦାବି କରୁଥିବା ବିଜେପି ବିଜେପୁର ଉପ ନିର୍ବାଚନକୁ ସେମି ଫାଇନାଲ ଭାବରେ ଗ୍ରହଣ କରିଥିଲା। ଏହି ନିର୍ବାଚନ ଜିତିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବିଜେପୁରରେ ଡେରା ପକାଇ ନିର୍ବାଚନ ପରିଚାଳନା କରିଥିଲେ। ଟେଲିଭିଜନ ଚାନେଲ ଗୁଡିକରେ ଏହି ଉପ ନିର୍ବାଚନର ସବୁ ଛୋଟ ବଡ ଘଟଣା ପ୍ରସାରିତ ହେଉଥିଲା। ବିଜେପି ସମର୍ଥିତ ଓଡିଶାର ଗୋଟେ ଟେଲିଭିଜନ ଚାନେଲ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରିଥିବା ଜଣେ ଅନାମଧେୟ ମହିଳାଙ୍କୁ ବିଜେପିର ସୁପରଷ୍ଟାର ଭାବେ ଉପସ୍ଥାପିତ କରିଥିଲା। ପରବର୍ତ୍ତୀ ସମୟରେ ବିଜେପୁରର ସବୁଠୁ ବଡ ଗାଁ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କରା ଯାଇଥିଲା। ଫେବୃଆରି ୨୦୧୮ ପୂର୍ବରୁ ଓଡିଶାର ଗଣମାଧ୍ୟମରେ ବିଜେପୁର ଛଡା ଅନ୍ୟ କିଛି ଖବର ନଥିଲା।
ସେହି ନିର୍ବାଚନରେ ବିଜେପିର ସବୁ ପ୍ରକାର କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୯୩୩ ଖଣ୍ଡ ଭୋଟରେ ଜିତିଥିଲେ। ସେମି ଫାଇନାଲରେ ବିଜେଡି ଜିତିଥିଲା ଓ ଫାଇନାଲରେ ମଧ୍ୟ ବିଜେଡି ଜିତିଲା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ବିଜେପୁର ଚର୍ଚ୍ଚାକୁ ଆସିଲା, କାରଣ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ବିଜେପୁରରୁ ମଧ୍ୟ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ। ସ୍ଵାଭାବିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଆସନ ଭାବରେ ବିଜେପୁର ରେ ଫୋକସ ରହିଥିଲା। ମୁଖ୍ୟମନ୍ତ୍ରୀ ଜିତିବା ପରେ ହିଂଜିଳି କୁ ହାତରେ ରଖି ବିଜେପୁରରୁ ଇସ୍ତଫା ଦେଲେ। ତେଣୁ ଏଠାରେ ଆଉ ଥରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ନିର୍ବାଚନ ହେବ। ବିଜେଡି ତରଫରୁ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିର୍ବାଚନ ରେ ସାମ୍ନାସାମ୍ନି ହେଉଛନ୍ତି। ତେବେ ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ଯେଉଁ ପ୍ରକାର ଉତ୍ତେଜନା, ଆକର୍ଷଣ ଓ ଆଗ୍ରହ ରହିଥିଲା, ଏ ନିର୍ବାଚନରେ ତାର କାଣିଚାଏ ମଧ୍ୟ ଦେଖିବାକୁ ମିଳୁନାହିଁ ।
ବିଜେପି ନେତାମାନେ ୨୦୧୮ରେ ଯେମିତି ତମ୍ଭି ତୋଫାନ କରୁଥିଲେ, ଏହି ନିର୍ବାଚନରେ ସେମାନେ ଏକ ପ୍ରକାର ଅସ୍ତ୍ର ତ୍ୟାଗ କରି ବସି ଯାଇଛନ୍ତି। ୨୦୧୮ ସେମି ଫାଇନାଲର ନେତୃତ୍ଵ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବିଜେଡ଼ିର ଘନିଷ୍ଠ ବନ୍ଧୁ ହୋଇ ଯାଇଛନ୍ତି। ଯଦିଓ ବିଜେପିର କିଛି ରାଜ୍ୟ ସ୍ତରୀୟ ନେତା କିଛି କିଛି ପାଟିଗୋଳ କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ। କେବଳ ନିର୍ବାଚନ ଲଢିବାକୁ ପଡିବ ବୋଲି ବିଜେପି ନିର୍ବାଚନ ଲଢୁଛି, ନଚେତ ଏହି ଲଢେଇରେ ବିଜେପିର କୌଣସି ଆଗ୍ରହ ନାହିଁ।ନିର୍ବାଚନ ପ୍ରଚାର ଲାଗି ଆଉ ମାତ୍ର ଦଶ ଦିନ ହାତରେ ସମୟ ଥିବା ବେଳେ ବିଜେପିର ବଡ ମୁଣ୍ଡ, କେହିବି ବିଜେପୁରକୁ ଯାଇନାହାନ୍ତି। ବିଜେପି ତରଫରୁ କେବଳ ଔପଚାରିକ ପ୍ରଚାର ବ୍ୟତୀତ ଅଧିକ କିଛି ହେଉନାହିଁ ।
ବିଜୁ ଜନତା ଦଳ କିନ୍ତୁ ପାରମ୍ପରିକ ଶୈଳୀରେ ନିର୍ବାଚନ ଲଢୁଛି। କୌଣସି ବି ନିର୍ବାଚନକୁ ହାଲୁକା ଭାବରେ ବିଜେଡି ନିଏ ନାହିଁ। କଂଗ୍ରେସ ଓ ବିଜେପି ବିଜେପୁର ନିର୍ବାଚନ ପାଇଁ ଚିନ୍ତା କରିବାର ଯଥେଷ୍ଟ ଆଗରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରି ସାରିଥିଲା। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ପରେ ରୀତା ସାହୁଙ୍କୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିବାକୁ ସଙ୍କେତ ଦିଆ ସରିଥିଲା।ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକ ବହୁ ଆଗରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। ବରଗଡ ଜିଲା ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେପି ନେତାମାନେ ବହୁ ଆଗରୁ ବିଜେଡିରେ ସାମିଲ ହୋଇସାରିଥିଲେ। ଉପ ନିର୍ବାଚନ ଆଗରୁ ବରଗଡ ଜିଲାର ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେଡି ନିଜର ନିର୍ବାଚନୀ ବାର୍ତ୍ତା ଦେଇ ସାରିଥିଲା। ଆଜିର ତାରିଖରେ ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ସଂଗଠନ ବିଜେଡି ହାତକୁ ଚାଲି ଆସିଛି। ତେଣୁ ବିଜେଡି ବିଜେପୁରରେ ସହଜ ଓ ସ୍ଵାଭାବିକ ଭାବରେ ଜିତିବ ବୋଲି ଏକ ଧାରଣା ବଳବତ୍ତର ହେଉଛି।
ନିର୍ବାଚନରେ ଯିଏ ଜିତୁ ବା ହାରୁ, ନିର୍ବାଚନର ଲଢେଇ ପ୍ରାଥମିକତା ପାଇବା କଥା। ଏଥର ବିଜେପୁର ଉପ ନିର୍ବାଚନରେ ଲଢେଇ ଏକା ନାହିଁ। ବିଜେପି ତରଫରୁ ପାଟକୁରାରେ ଯେଉଁ ନୀତି ଅବଲମ୍ବନ କରା ଯାଇଥିଲା, ବିଜେପୁରରେ ମଧ୍ୟ ସେହି ସମାନ ନୀତି ଗ୍ରହଣ କରାଯାଇଛି। କେବଳ ସ୍ଥାନୀୟ ନେତାମାନେ ଏହି ଲଢେଇରେ ସାମିଲ ରହିବେ, ହେଲେ ରାଜ୍ୟ ଓ କେନ୍ଦ୍ର ନେତାଏ ନୀରବ ରହିବେ। ଆଗରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥିଲେ। ଆଜିକାଲି ତାଙ୍କ ମୁହଁରେ ସହମତି ଓ ସମନ୍ବୟର ମନ୍ତ୍ର ଶୁଣିବାକୁ ମିଳୁଛି। ତେଣୁ ନିର୍ବାଚନ ପରିବେଶ ନିପଟ ପାଣିଚିଆ ଲାଗୁଛି। ଗଣମାଧ୍ୟମର ମଧ୍ୟ ବିଜେପୁରକୁ ନେଇ ବିଶେଷ ଆଗ୍ରହ ନାହିଁ।