Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ସରକାର ଗଠନ କରିବା ମନ୍ତବ୍ୟ ପରେ ଜବାବ ଦେଲା ବିଜେପି: କହିଲା, ଦିନରେ ସ୍ଵପ୍ନ ଦେଖିବା ବନ୍ଦ କର

ଭୁବନେଶ୍ଵର: କଂଗ୍ରେସ ସହ ବିଜେଡ଼ି ମିଶି ରାଜ୍ୟରେ ସରକାର ଗଠନ କରିବ ସାଂସଦ ଦେବାଶିଷ ସାମନ୍ତରାୟ ଏକ ସଭାରେ କହିଛନ୍ତି। ତେବେ ସାଂସଦଙ୍କ ଏଇ ବକ୍ତବ୍ୟ ଉପରେ ବିଜେପି ନେତା ଗୋଲଖ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି।

ଗୋଲଖ କହିଛନ୍ତି ଯେ, ”ଦିନରେ ଶୋଇ ଦେବାଶିଷ ସ୍ୱପ୍ନ ଦେଖୁଛନ୍ତି। ଏମିତି ସ୍ୱପ୍ନ ଦେଖିବା ବନ୍ଦ କରିବା ପାଇଁ ମୁଁ ଉପଦେଶ ଦେଉଛି। ୨୪ ବର୍ଷରେ ବିଜେଡି ଯାହା କରିନଥିଲା, ୧୦୦ ଦିନରେ ବିଜେପି କରିଛି। ତେଣୁ ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି। ବିଜେଡିର ଘର ଖାଲି ହୋଇଗଲାଣି, ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି। ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କଲେ କେବେ ସଫଳ ହେବେନି।”

ଉଲ୍ଲେଖ ଯୋଗ୍ୟ ଯେ, ବିଜେଡି ଖୁବ ଶିଘ୍ର କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଠନ କରିବ ବୋଲି ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ। ଦେବାଶିଷଙ୍କ କହିଥିଲେ ଯେ, କୋର୍ଟରେ ପ୍ରାୟ ୩୦ ଟି ନିର୍ବାଚନ ଅନିୟମିତତା ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୦ଟିକୁ କୋର୍ଟ କୁଆଡେ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୭ଟି କିମ୍ବା ୮ ଟିରେ ଆମେ ଜିତିବା ନିଶ୍ଚିତ। ଆଉ ଜିତିବା ପରେ ସେଠାରେ ଉପନିର୍ବାଚନ ହେବ। ଉପନିର୍ବାଚନରେ ବିଜେଡି ଜିତି କଂଗ୍ରେସ ସହିତ ହାତ ମିଳାଇ ସରକାର କରିବ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆୟୋଜିତ ହେଲା ନୂଆଁଖାଇ ଭେଟଘାଟ

ଭୁବନେଶ୍ୱର: ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଭେଟଘାଟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଓଡିଶାର ୧୦ଜଣ ସଫଳ ଚାଷୀଙ୍କୁ ଅନ୍ନଦାତା ୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଯୋଗଦାନ କରି କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ୧୦୦ ଦିନରେ ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରି ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ସବଡିଭିଜନରେ ଶୀତଳ ଭଣ୍ଡାର କରିବା, ୬ଲକ୍ଷ ଚାଷୀଙ୍କୁ ପିଏମ୍ କିସାନରେ ସାମିଲ କରିବା ସହିତ ସହରାଂଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ ପରିବାର ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ଛାତ୍ରବୃତି ପ୍ରଦାନ କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡି ଖୋଲିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଆଗାମୀ ଖରିଫ୍ ଧାନ କିଣା କାରବାରର ବ୍ୟାପକ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଯେଉଁ ଅସାଧୁ ବ୍ୟକ୍ତିମାନେ ଧାନ କିଣା କାରବାରରେ ହେରଫେର କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରାକୃତିକ ପରିବେଶ ପ୍ରଦ୍ୟୁଷଣରୁ ରକ୍ଷା ପାଇବା ପାଇଁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କରିବା ପାଇଁ ଆହ୍ୱାନ ଦେବା ସହ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ସିଧାସଳଖ ଭାବରେ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ କୃଷକ ମୋର୍ଚ୍ଚାର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତର୍ାମାନଙ୍କୁ ପରାମର୍ଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ।

ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦିଜୀ ପରିବେଶର ସୁରକ୍ଷା ପାଇଁ ମା’ ପାଇଁ ଗଛଟିଏ ଆହ୍ୱାନକୁ ସଫଳ କରିବା ନେଇ ୩୦ଲକ୍ଷ ବୃକ୍ଷ କୃଷକ ମୋର୍ଚ୍ଚା ରାଜ୍ୟରେ ରୋପଣ କରିବ । ତତ୍‌ସହିତ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ସାରା ରାଜ୍ୟରେ ଘରକୁ ଘର ଯାଇ ସଦସ୍ୟତା କରିବା ପାଇଁ ଆହ୍ୱାନ ଦେବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀଙ୍କ ପାଖରେ ପହଁଚାଇବା କାମ କରିବ କୃଷକ ମୋର୍ଚ୍ଚା ।

ଏହି କ଼ାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଜେପି ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଗୋଲକ ମହାପାତ୍ର, ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ସିନେମା ତାରକା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ବିଜେପି ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ହୃଷୀକେଶ ଜେନା, ହଳପାଣି ମାଝୀ, ସୂର୍ଯ୍ୟନାରାୟଣ ମହାପାତ୍ର, ସମ୍ପାଦକ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ସୁଦର୍ଶନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ବାସଭବନ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେପି, ୨୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ବିଜେପିର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ବିଜେପି ସେପ୍ଟେମ୍ବର ୨୬ ତାରିଖରେ ଦିଲ୍ଲୀରେ ଥିବା ତାଙ୍କ ବାସଭବନକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ବିଜେପି ପଛୁଆ ଶ୍ରେଣୀ ମୋର୍ଚ୍ଚା ୟୁପି-ଦିଲ୍ଲୀ ସୀମା ଗାଜିଆବାଦରୁ ରାହୁଲ ଗାନ୍ଧୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପ୍ରଦର୍ଶନ କରିବ। ଏହାପୂର୍ବରୁ ବିଜେପି କର୍ମୀମାନେ ୟୁପିର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ୨୪ ସେପ୍ଟେମ୍ବର ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।

ରାଜ୍ୟ ବିଜେପି ମୁଖ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ସମ୍ପର୍କରେ ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ରାଜ୍ୟ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର କାଶ୍ୟପ ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ଦଳ ସର୍ବଦା ସଂରକ୍ଷଣ ବିରୋଧୀ ରହିଆସିଛି। ମୁଁ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନିନ୍ଦା କରୁଛି ଏବଂ ତାଙ୍କୁ କହିବାକୁ ଚାହେଁ ଯେ, ତାଙ୍କ ଗାଳିଗୁଲଜ ଆଉ ଦେଶରେ ଜାରି ରହିବ ନାହିଁ। ସେ ପଛୁଆ ଲୋକଙ୍କ ଉନ୍ନତି ପସନ୍ଦ କରନ୍ତି ନାହିଁ, ତେଣୁ ସେ ବିଦେଶୀ ମାଟିରେ ସଂରକ୍ଷଣକୁ ବିରୋଧ କରିଛନ୍ତି। ତାଙ୍କ ବିବୃତ୍ତି ଦେଶର ୮୫ ପ୍ରତିଶତ ପଛୁଆ ଏବଂ ଦଳିତଙ୍କ ପ୍ରତି ଅପମାନ।

ରାହୁଲ ଗାନ୍ଧୀ ବିଦେଶରେ କ’ଣ କହିଥିଲେ:

ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଆମେରିକା ଗସ୍ତ ସମୟରେ ଜର୍ଜେଟାଉନ୍ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ଭାରତରେ କେତେ ଦିନ ସଂରକ୍ଷଣ ଜାରି ରହିବ? ଏହା ଉପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସମୟ ଠିକ୍ ହେଲେ ସଂରକ୍ଷଣ ସମାପ୍ତ କରିବାକୁ କଂଗ୍ରେସ ଚିନ୍ତା କରିବ, ଯାହା ବର୍ତ୍ତମାନ ନୁହେଁ। ରାହୁଲ କହିଥିଲେ ଯେ, ‘ଯେତେବେଳେ ଆପଣ ଆର୍ଥିକ ଆକଳନକୁ ଦେଖିବ, ଆଦିବାସୀମାନେ ୧୦୦ ଟଙ୍କାରୁ ୧୦ ପଇସା ପାଉଛନ୍ତି, ଦଲିତମାନେ ୧୦୦ ରୁ ୫ ଟଙ୍କା ଏବଂ ଓବିସିକୁ ମଧ୍ୟ ପ୍ରାୟ ସମାନ ଟଙ୍କା ମିଳୁଛି।

ବାସ୍ତବତା ହେଉଛି ସେମାନଙ୍କୁ ଭାଗୀଦାରୀ ମିଳୁନାହିଁ। ଭାରତର ପ୍ରତ୍ୟେକ ବ୍ୟବସାୟ ନେତାଙ୍କ ତାଲିକା ଦେଖନ୍ତୁ। ମୋତେ ଆଦିବାସୀ ଏବଂ ଦଳିତଙ୍କ ନାମ ଦେଖାନ୍ତୁ। ମୋତେ OBC ର ନାମ ଦେଖାନ୍ତୁ। ମୁଁ ଭାବୁଛି ଶ୍ରେଷ୍ଠ ୨୦୦ ମଧ୍ୟରୁ ଗୋଟିଏ ହେଉଛି OBC। ସେମାନେ ଭାରତର ୫୦ ପ୍ରତିଶତ, କିନ୍ତୁ ଆମେ ଏହି ରୋଗର ଆରୋଗ୍ୟ କରୁନାହୁଁ। ତଥାପି ସଂରକ୍ଷଣ ଏକମାତ୍ର ମାଧ୍ୟମ ନୁହେଁ। ଅନ୍ୟାନ୍ୟ ଉପାୟ ମଧ୍ୟ ଅଛି।

Categories
ଆଜିର ଖବର ଜାତୀୟ ଖବର

ଏଫ୍ଆଇଆର୍ ପରେ ବି ମାନିଲେନି କେନ୍ଦ୍ର ମନ୍ତ୍ରୀ, କହିଲେ ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବି ଆତଙ୍କବାଦୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ ରେଳ ରାଜ୍ୟ ମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପ୍ରକୃତରେ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେସନରେ ଏହି ଏଫଆଇଆର ପଞ୍ଜିକୃତ ହୋଇଛି।

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ଆମେରିକୀୟ ଗସ୍ତ ସମୟରେ ଶିଖମାନଙ୍କ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ରବନୀତ ସିଂ ବିଟୁ ତାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଏହି ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ କଂଗ୍ରେସ ନେତାମାନେ ତାଙ୍କ ବିରୋଧରେ ଅନେକ ରାଜ୍ୟରେ ଏଫଆଇଆର ଦାଖଲ କରିଛନ୍ତି।

ଏହି ପ୍ରସଙ୍ଗରେ ଯେତେବେଳେ ରେଳ ରାଜ୍ୟ ମନ୍ତ୍ରୀ ରବନୀତ ସିଂ ବିଟୁଙ୍କୁ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ବିବୃତ୍ତିରେ ଦୁଃଖିତ କି ବୋଲି ପଚାରାଯାଇଥିଲା, କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି ଯେ, ମୋତେ କାହିଁକି ଦୁଃଖ ଅନୁଭବ ହେବ? ରବନୀତ ବିଟୁ କହିଛନ୍ତି ଯେ, ‘ଆମେ ପଞ୍ଜାବରେ ଅନେକ ପିଢୀ ହରାଇଛୁ। ପଞ୍ଜାବକୁ ଗାନ୍ଧୀ ପରିବାର ଜଳେଇଦେଲା। ଜଣେ ଶିଖ ଭାବରେ ମୋତେ ଯନ୍ତ୍ରଣା ହୁଏ।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି ଯେ, ‘ପରେ ମୁଁ ଜଣେ ମନ୍ତ୍ରୀ, ପ୍ରଥମେ ମୁଁ ଶିଖ। ଯଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ସମର୍ଥନ କରନ୍ତି, ତେବେ ଆପଣ କ’ଣ କହିବେ? ତାଙ୍କ ବିବୃତ୍ତି ପାଇଁ ସେ କ୍ଷମା ମାଗିବେ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, “ଖଡଗେ ସାହେବ କ୍ଷମା ମାଗିବା ଉଚିତ୍। ସେ ସ୍ପଷ୍ଟ କରିବା ଉଚିତ୍ ଯେ ରାହୁଲ ଗାନ୍ଧୀ ଭାଷଣରେ ଯାହା କହିଛନ୍ତି, କଣ ସେ ଭାବୁଛନ୍ତି ଯେ ଶିଖମାନଙ୍କୁ ଅନୁମତି ନାହିଁ?

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ବିଜେପିର ସଂକଳ୍ପ ପତ୍ର ଜାରି: ମହିଳାମାନଙ୍କୁ ଆର୍ଥିକ ସହାୟତା ସହିତ ୨୦ଟି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡା ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ ଦଳର ରାଜ୍ୟ ସଭାପତି ମୋହନ ଲାଲ ବଡୋଲିଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଜାରି କରିଛନ୍ତି। ହରିୟାଣା ପାଇଁ ବିଜେପି ୨୦ ଟି ବଡ ପ୍ରତିଶୃତି ଦେଇଛି। ଏଥିରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ହରିୟାଣାର ମହିଳାମାନଙ୍କୁ ପ୍ରତି ମାସରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

ସଂକଳ୍ପ ପତ୍ର ପ୍ରକାଶ କରିବାର ଏହି କାର୍ଯ୍ୟକ୍ରମ ରୋହତକରେ ବିଜେପିର ମିଡିଆ ସେଣ୍ଟରରେ ଆୟୋଜିତ ହୋଇଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ୍ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ବିଜେପିର ଅନେକ ବଡ ନେତା ଓମ ପ୍ରକାଶ ଧନକର, କୃଷ୍ଣ ପାଲ ଗୁର୍ଜର, ରାମ ବିଲାସ ଶର୍ମା, କୁଲଦୀପ ବିଷ୍ନୋଇ, ସୁଧା ଯାଦବ ଏବଂ ସତୀଶ ପୁନିଆ ମଧ୍ୟ ଅଂଶଗ୍ରହଣ କରିଥିଲେ।

ପ୍ରକାଶ ଯୋଗ୍ୟ ଯେ, ରୋଜଗାର ପ୍ରସଙ୍ଗରେ ବିରୋଧୀ ଦଳର ଟାର୍ଗେଟରେ ବିଜେପି ରହିଛି। ଏଭଳି ପରିସ୍ଥିତିରେ ବିଜେପି ସଂକଳ୍ପ ପତ୍ରରେ ନିଯୁକ୍ତି ସମ୍ପର୍କରେ ଏକ ବଡ଼ ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ବୀମା, ଅଗ୍ନିବୀରଙ୍କୁ ଚାକିରୀ, ଛାତ୍ରବୃତ୍ତି, ରେଳ କରିଡର ନିର୍ମାଣ, ଛାତ୍ରୀମାନଙ୍କ ପାଇଁ ସ୍କୁଟର ଭଳି ଅନେକ ବଡ ପ୍ରତିଶୃତି ଦିଆଯାଇଛି।

ବିଜେପିର ସଂକଳ୍ପ ପତ୍ର:

୧. ‘ଲାଡୋ ଲକ୍ଷ୍ମୀ ଯୋଜନା’ ଅଧୀନରେ ଥିବା ସମସ୍ତ ମହିଳାଙ୍କୁ ପ୍ରତି ମାସରେ ୨,୧୦୦ ଟଙ୍କା।

୨. IMT ଖରଖୌଦା ଲାଇନରେ ୧୦ ଟି ଶିଳ୍ପ ସହର ନିର୍ମାଣ। ପ୍ରତି ସହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ଚାକିରି ଯୋଗାଇବା ପାଇଁ ଉଦ୍ୟୋଗୀମାନଙ୍କୁ ବିଶେଷ ପ୍ରୋତ୍ସାହନ।

୩. ଚିରାୟୁ-ଆୟୁଷ୍ମାନ ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ପରିବାରରେ ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବୃଦ୍ଧଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

୪. ଘୋଷିତ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ରେ ୨୪ ଫସଲ କ୍ରୟ।

୫. ୨ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଗ୍ୟାରେଣ୍ଟି ‘ବିନା ସ୍ଲିପ୍ ଏବଂ ବିନା ଖର୍ଚ୍ଚରେ’।

୬. ୫ ଲକ୍ଷ ଯୁବକମାନଙ୍କ ପାଇଁ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଏବଂ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରୁ ମାସିକ ଷ୍ଟାଇପେଣ୍ଡ।

୭. ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର।

୮. ସରକାରୀ ଡାକ୍ତରଖାନାଗୁଡ଼ିକରେ ଡାଏଲିସିସ୍ ଏବଂ ସମସ୍ତ ଡାକ୍ତରଖାନାରେ ନିରାକରଣ ମାଗଣା।

୯. ପ୍ରତ୍ୟେକ ଜିଲ୍ଲାର ଅଲିମ୍ପିକ୍ ଗେମ୍ସ ନର୍ସରୀ।

୧୦. ହର ଘର ଗୃହିଣୀ ଯୋଜନା ଅଧୀନରେ ୫୦୦ ଟଙ୍କାରେ ସିଲିଣ୍ଡର।

୧୧. ଅବଲ୍ ବାଲିକା ଯୋଜନା ଅଧୀନରେ ଗ୍ରାମାଞ୍ଚଳର କଲେଜ ଯାଉଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ସ୍କୁଟର ଦିଆଯିବ।

୧୨. ପ୍ରତ୍ୟେକ ଅଗ୍ନିବୀଙ୍କୁ ସରକାରୀ ଚାକିରିର ଗ୍ୟାରେଣ୍ଟି।

୧୩. କେଏମପିର ଅର୍ବିଟାଲ୍ ରେଳ କରିଡର ନିର୍ମାଣ ଏବଂ ଭାରତ ସରକାରଙ୍କ ସହଯୋଗରେ ନୂତନ ବନ୍ଦେ ଭାରତ ଟ୍ରେନର ଆରମ୍ଭ।

୧୪. ଭାରତ ସରକାରଙ୍କ ସହଯୋଗରେ ଫରିଦାବାଦ ଏବଂ ଗୁରୁଗ୍ରାମ ମଧ୍ୟରେ ବିଭିନ୍ନ ଦ୍ରୁତ ରେଳ ସେବା ଏବଂ ଇଣ୍ଟରସିଟି ଏକ୍ସପ୍ରେସ ମେଟ୍ରୋ ସେବା ଆରମ୍ଭ।

୧୫. ଛୋଟ ପଛୁଆ ଜାତି (୩୬ ସମ୍ପ୍ରଦାୟ) ପାଇଁ ପର୍ଯ୍ୟାପ୍ତ ବଜେଟ୍ ସହିତ ପୃଥକ କଲ୍ୟାଣ ବୋର୍ଡ।

୧୬. DA ଏବଂ ପେନ୍ସନ୍ ସଂଯୋଗ କରୁଥିବା ବୈଜ୍ଞାନିକ ସୂତ୍ର ଉପରେ ଆଧାର କରି ସମସ୍ତ ସାମାଜିକ ମାସିକ ପେନ୍ସନ୍ ବୃଦ୍ଧି।

୧୭. ଭାରତର ଯେକୌଣସି ସରକାରୀ କଲେଜରୁ ମେଡିସିନ୍ ଏବଂ ଇଞ୍ଜିନିୟରିଂ ପଢୁଥିବା ଓବିସି ଏବଂ ଏସସି ଜାତିର ହରିୟାଣା ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଛାତ୍ରବୃତ୍ତି।

୧୮. ମୁଦ୍ରା ଯୋଜନା ବ୍ୟତୀତ ହରିୟାଣା ରାଜ୍ୟ ସରକାର ସମସ୍ତ ଓବିସି ବର୍ଗର ଉଦ୍ୟୋଗୀମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଦେବେ।

୧୯. ହରିୟାଣାକୁ ବିଶ୍ୱ ଶିକ୍ଷାର କେନ୍ଦ୍ର କରି ଆଧୁନିକ କୌଶଳର ତାଲିମ।

୨୦. ଦକ୍ଷିଣ ହରିୟାଣାର ଏକ ଆନ୍ତର୍ଜାତୀୟ ସ୍ତରର ଅରାଭଲୀ ଜଙ୍ଗଲ ସଫାରି ପାର୍କ।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ​​କାହିଁକି ବିବାଦ?: ସମର୍ଥନରେ କିଏ ଆଉ ବିରୋଧରେ କେତେ ଦଳ?

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅନୁମୋଦନ ଲାଭ କରିଛି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି, ଗୋଟିଏ ଦେଶ ଗୋଟିଏ ନିର୍ବାଚନ କେନ୍ଦ୍ର କ୍ୟାବିନେଟ ବୈଠକରେ ଉପସ୍ଥାପିତ ହୋଇଛି, ଯେଉଁଠାରେ ଏନଡିଏ ସରକାର ଏହାକୁ ଅନୁମୋଦନ କରିଛି। ଏଥି ସହିତ, ସମସ୍ତ ବିଧାନସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କମିଟି ପରାମର୍ଶ ଦେଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଏବେ ବିରୋଧୀ ଦଳର ନେତାମାନେ ବିରୋଧ ଆରମ୍ଭ କରିଛନ୍ତି।

ଶୀତ ଅଧିବେଶନରେ ଅନୁମୋଦନ ପାଇଁ ମୋଦୀ ସରକାର ସଂସଦରେ ସମ୍ପୃକ୍ତ ବିଲ୍ ଉପସ୍ଥାପନ କରିପାରିବେ ବୋଲି ବିଶ୍ୱାସ ରହିଛି। ଏଥି ସହିତ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସବୁଠାରୁ ବଡ ଆହ୍ଵାନ ହେଉଛି ଯେ, ସମ୍ବିଧାନ ଏବଂ ଆଇନକୁ ପରିବର୍ତ୍ତନ କରିବାକୁ ପଡିବ। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ଏଥିପାଇଁ ରାଜ୍ୟଗୁଡ଼ିକର ସମ୍ମତି ମଧ୍ୟ ଆବଶ୍ୟକ ହେବ। ଏଭଳି ପରିସ୍ଥିତିରେ କେଉଁ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସପକ୍ଷରେ ଅଛନ୍ତି ଏବଂ କେଉଁ ଦଳ ଏହାକୁ ବିରୋଧ କରୁଛନ୍ତି? ତାହା ଜାଣିବା ଜରୁରୀ…

ଜାଣନ୍ତୁ କେଉଁ ୩୨ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କୁ ସମର୍ଥନ କରିଛନ୍ତି?:

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ଏହି ପ୍ୟାନେଲ୍ ଦେଶର ୬୨ ଟି ରାଜନୈତିକ ଦଳର ମତାମତ ନେଇ ପରାମର୍ଶ ଲୋଡ଼ିଥିଲା ଏବଂ ସେଥିରୁ ୧୮ ଟି ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଆଲୋଚନା ପରେ ଏହି ପ୍ୟାନେଲ୍ ସେ ତାଙ୍କ ନିଷ୍ପତ୍ତି ଏବଂ ଅନୁସନ୍ଧାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୪୭ ଟି ରାଜନ୍ତିକ ଦଳ ମଧ୍ୟରୁ ୩୨ ଟି ଦଳ ଏହାକୁ ସମର୍ଥନ କରିଥିବାବେଳେ ୧୫ ଟି ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି।

କେଉଁ ଦଳ ସମର୍ଥନ କରନ୍ତି:

ଏହାକୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ବିଜେପି ଶୀର୍ଷରେ ରହିଛି। ଏହା ପରେ ନ୍ୟାସନାଲ ପିପୁଲ୍ସ ପାର୍ଟି, ଅପନା ଦଳ (ଏସ), ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ, ଆସାମ ଗଣ ପରିଷଦ, ବିଜୁ ଜନତା ଦଳ, ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ ପାସୱାନ), ମିଜୋ ନ୍ୟାସନାଲ ଫ୍ରଣ୍ଟ, ଜେଡିୟୁ, ରାଷ୍ଟ୍ରବାଦୀ ଲୋକତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି, ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି , ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ଅଫ ଆସାମ, ଶିବସେନା, ତେଲୁଗୁ ଦେଶମ୍ ପାର୍ଟି, ଏଆଇଏଡିଏମକେ ଏବଂ ଅକାଳୀ ଦଳ ଭଳି ଅନ୍ୟ ଦଳ ଅନ୍ତର୍ଭୁକ୍ତ।

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କେତେ ଦଳ ବିରୋଧ କରିଛନ୍ତି?:

ଦେଶର ୪ ଟି ଜାତୀୟ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କୁ ବିରୋଧରେ ବିରୋଧ କରିଥିଲେ। ଯେଉଁଥିରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏଏପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କିମ୍ବା ସିପିଆଇ (ଏମ୍) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ, ତୃଣମୁଲ କଂଗ୍ରେସ, ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ, ନାଗା ପିପୁଲ୍ସ ଫ୍ରଣ୍ଟ, ଦ୍ରାବିଡ ମୁନ୍ନେତ୍ର କଡ଼ଗମ, ରାଷ୍ଟ୍ରିୟ ଜନତା ଦଳ, ମରୁମଲାରଚୀ ଦ୍ରାବିଡ ମୁନେତ୍ର କଡ଼ଗମ, ଶିବସେନା ୟୁବିଟି, ଏନସିପି (ଶରଦ ପାୱାର) ଅନ୍ତର୍ଭୂକ୍ତ।

Categories
ଆଜିର ଖବର ଜାତୀୟ ଖବର

‘ମୋର ଇଚ୍ଛା ମୋ ହାତରେ ଅନେକ ଲୋକ ଅବସର ନିଅନ୍ତୁ’: ଏମିତି କାହାକୁ ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ରାସ୍ତାର ମରାମତି କରୁଥିବା ଏଜେନ୍ସି ଏବଂ କଣ୍ଟ୍ରାକ୍ଟରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଖରାପ ପ୍ରଦର୍ଶନ କରୁଥିବା ‘ଅପରେଟର’ଙ୍କୁ ବାହାରର ରାସ୍ତା ଦେଖାଯିବ। ‘ସ୍ଵଚ୍ଛତା ହିଁ ସେବା ୨୦୨୪ – ସ୍ଵଭାବ ସ୍ଵଚ୍ଛତା – ସଂସ୍କାର ସ୍ଵଚ୍ଛତା’ ଅଭିଯାନ ଅଧୀନରେ ବୃକ୍ଷରୋପଣ ଅଭିଯାନ ‘ଏକ ପେଡ୍ ମା କେ ନାମ’ ଉଦ୍ଘାଟନ କରିବା ପାଇଁ ଗାଜିଆବାଦରେ ପହଞ୍ଚିଥିବା ଗଡକରୀ ‘ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ (ଇପିଏ)’ ଯାଞ୍ଚ କରିଥିଲେ। ଏହି ସମୟରେ, ଯେତେବେଳେ ସେ ତ୍ରୁଟି ପାଇଲେ, ସେ ଦାୟୀବାନ ଲୋକଙ୍କୁ ଭର୍ତ୍ସନା କରିଥିଲେ।

ଶ୍ରୀ ଗଡକରୀ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ‘ମୁଁ ଦୀର୍ଘ ଦିନ ପରେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ବ୍ୟବହାର କରିଛି। ବହୁତ କାମ କରାଯାଇଛି। ବର୍ତ୍ତମାନ ମୋର ଇଚ୍ଛା ଯେ, ମୋ ହାତରୁ ‘ଅବସର’ ନିଅନ୍ତୁ, ଯେଉଁମାନେ କାମ କରୁନାହାଁନ୍ତି। କିଛି କଣ୍ଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରାଯିବା ଉଚିତ, କାହାର ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରାଯିବା ଉଚିତ୍। ଶ୍ରୀ ଗଡକରୀ ଚେତାବନୀ ଦେଇଛନ୍ତି ଯେ, ‘ଆସୋସିଏସନ୍ ପଦାଧିକାରୀମାନେ ଏଠାରେ ବସିଛନ୍ତି (ଇଭେଣ୍ଟରେ ଦର୍ଶକଙ୍କ ମଧ୍ୟରେ), ରାସ୍ତାଗୁଡିକ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବା ଉଚିତ୍। ମୁଁ ଆଜି ରାସ୍ତା ଦେଖିଲି ଏହାର ରକ୍ଷଣାବେକ୍ଷଣ ବହୁତ ଖରାପ ଅଟେ। ଆମେ ଆପଣମାନଙ୍କୁ ଛାଡିବୁ ନାହିଁ। ଯେଉଁମାନେ ଖରାପ କାମ କରନ୍ତି, ଆମେ ସେମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରିବା ପରେ ମଧ୍ୟ ସେମାନଙ୍କୁ କଳା ତାଲିକାଭୁକ୍ତ କରିବୁ ଏବଂ ସେମାନଙ୍କୁ ନୂତନ ‘ଟେଣ୍ଡର’ ପୂରଣ କରିବାକୁ ଦେବୁ ନାହିଁ।

ଶ୍ରୀ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ରାସ୍ତାର ଉନ୍ନତ ରକ୍ଷଣାବେକ୍ଷଣ କରୁଥିବା ଏଜେନ୍ସି ଏବଂ ଅପରେଟରମାନଙ୍କୁ ସରକାର ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରିବେ। ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ, ଯେଉଁମାନେ ଖରାପ କାମ କରନ୍ତି ସେମାନଙ୍କୁ ସିଷ୍ଟମରୁ ଫିଙ୍ଗି ଦିଆଯିବ। ଜୈବ ଇନ୍ଧନ ପରି ପରିବେଶ-ପ୍ରୋତ୍ସାହନ ନୀତି ତଥା ପଦକ୍ଷେପଗୁଡିକର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକ ପାଇଁ ମନ୍ତ୍ରଣାଳୟ ଅନେକ ଅଧ୍ୟୟନ କରୁଛି ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀରଙ୍କ ଉପରେ ଅମିତ ଶାହାଙ୍କ ବଡ ଘୋଷଣା: ଚାକିରି ପାଇଁ ଦେଲେ ଏହି ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ରାଜନୈତିକ ଦଳର ପ୍ରଚାର ଅଭିଯାନ ଚରମ ସୀମାରେ ରହିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଆଜି ଭିବାନୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ଅମିତ ଶାହା ଅଗ୍ନିପଥ ଯୋଜନା ବିଷୟରେ ଏକ ବଡ଼ ଦାବି କରିଛନ୍ତି।

ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଅଗ୍ନିପଥ ଯୋଜନା ମାଧ୍ୟମରେ ବିରୋଧୀ ରାହୁଲ ଗାନ୍ଧୀ ଏବଂ ହୁଡା ପରିବାର ଦେଶର ସୈନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛନ୍ତି। ଏହା ସହିତ ସେ ଅଗ୍ନିବୀରଙ୍କ ପାଇଁ ଏକ ବଡ଼ ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ହରିୟାଣାର ସମସ୍ତ ଅଗ୍ନିବୀରଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ସେମାନେ ସେନାରୁ ଫେରିବା ପରେ ଆମେ ସେମାନଙ୍କୁ ଚାକିରୀ ଦେବୁ।

ବିଜେପି ନେତା ଅମିତ ଶାହା କହିଛନ୍ତି ଯେ, କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ କେବଳ ଗୋଟିଏ ଏଜେଣ୍ଡା ଅଛି ଯାହା ସେମାନେ ପାକିସ୍ତାନ ସହ କଥା ହେବାକୁ ଏବଂ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଧାରା ୩୭୦ କୁ ଫେରାଇ ଆଣିବାକୁ ଚାହୁଁଛି, କିନ୍ତୁ ତାହା କେବେ କରି ପାରିବ ନାହିଁ।

ଏହି ରାଲିରେ ଅମିତ ଶାହା ମଧ୍ୟ କାଶ୍ମୀର ଦଖଲ କରିଥିବା ପାକିସ୍ତାନକୁ ନେଇ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଦଖଲ କରିଥିବା କାଶ୍ମୀର ମଧ୍ୟ ଆମର ଏବଂ ଏହା ଭାରତର ଏକ ଅଂଶ। ହରିୟାଣାର ଭୂମି ହେଉଛି ବୀର ଭୂମୀ, ହରିୟାଣାର ଯବାନମାନେ ଆଜି ଦେଶରେ ସେନାର ସମ୍ମାନ ବୃଦ୍ଧି କରୁଛନ୍ତି।

ସେ କହିଛନ୍ତି ଯେ, ଅଲିମ୍ପିକ୍ସ ହେଉ କିମ୍ବା ପାରାଲିମ୍ପିକ୍ସ ହେଉ, ଆମର ହରିୟାଣା ଯବାନମାନେ ଦେଶ ପାଇଁ ସମ୍ମାନ ଆଣିଛନ୍ତି। ସେ କହିଛନ୍ତି ଯେ, ହରିୟାଣାରେ କଂଗ୍ରେସ ନିଜ ମଧ୍ୟରେ ଲଢୁଛି। ଏଠାରେ ସମସ୍ତ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶିବସେନା ବିଧାୟକଙ୍କ ବିବାଦୀୟ ବିବୃତ୍ତି: ‘ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା ପୁରସ୍କାର’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ। ଏହି ସମୟ ମଧ୍ୟରେ ସେ ଶିଖମାନଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଥିଲେ। ଆମେରିକାରେ ତାଙ୍କର ବିବୃତ୍ତି ହେତୁ ଦେଶର ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି।

ଏହି ସମୟରେ ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ତାଙ୍କ ବିବୃତ୍ତି ହେତୁ ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ ଚର୍ଚ୍ଚାରେ ରହିଛନ୍ତି।

ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଜିଭ କାଟିବା ବ୍ୟକ୍ତିଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ରବନୀତ ସିଂ ବିଟୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବିବୃତ୍ତି ଦେଇଛନ୍ତି:

ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ଦେଇଥିବା ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତୀୟ ନୁହଁନ୍ତି, ସେ ଅଧିକାଂଶ ସମୟ ବାହାରେ ବିତାଇଛନ୍ତି। ସେ ନିଜ ଦେଶକୁ ଅଧିକ ଭଲ ପାଆନ୍ତି ନାହିଁ। ସେ ବିଦେଶ ଯାଇ ଭୁଲ୍ କଥା କହୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେଉଁ ମୋଷ୍ଟ ୱାଣ୍ଟେଡ, ବିଚ୍ଛିନ୍ନତାବାଦୀ, ବୋମା, ବନ୍ଧୁକ ଏବଂ ଗୁଳି ତିଆରି କରିବାରେ ବିଶେଷଜ୍ଞ, ସେମାନେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ପ୍ରଶଂସା କରିଛନ୍ତି। ବିମାନ, ଟ୍ରେନ୍, ରାସ୍ତା ବିସ୍ଫୋରଣ କରିବାକୁ ଚେଷ୍ଟା କରୁଥିବା ଦେଶର ଶତ୍ରୁମାନେ ରାହୁଲଙ୍କ ସମର୍ଥନରେ ଅଛନ୍ତି। ଯଦି ଏକ ନମ୍ବର ଆତଙ୍କବାଦୀ ଏବଂ ଦେଶର ସବୁଠାରୁ ବଡ ଶତ୍ରୁକୁ ଧରିବା ପାଇଁ ପୁରସ୍କାର ମିଳିବା ଉଚିତ୍, ତେବେ ଏହା ରାହୁଲ ଗାନ୍ଧୀଙ୍କ ନିକଟକୁ ଯିବା ଉଚିତ୍।”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ବାରାମୁଲ୍ଲା, ଜାମ୍ମୁ କାଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଆଜି ସକାଳେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟରେ ମିଳିତ ଅପରେସନରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ଅପରେସନ ଚାଲିଛି। କାରଣ ଗୁପ୍ତଚର ଇନପୁଟ ମାଧ୍ୟମରେ ମିଳିଥିବା ସୂଚନାରୁ ଜଣାପଡିଛି ଯେ ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି।

ସୂଚନା ପାଇବା ପରେ ସେପ୍ଟେମ୍ବର ୧୩-୧୪ ତାରିଖ ମଧ୍ୟରାତ୍ରିରେ ଚକ ଟପର କ୍ରିରି ଅଞ୍ଚଳରେ ଏକ ଅପରେସନ୍ କରାଯାଇଥିଲା। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ରାତି ସାରା ଜାରି ରହିଥିଲା। ଅଧିକାରୀଙ୍କ ଅନୁଯାୟୀ ଆହୁରୀ ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି। ଆତଙ୍କବାଦୀଙ୍କୁ ମାରିବା ପାଇଁ ଅପରେସନ ଚାଲିଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଦୋଡା ଗସ୍ତ

କେନ୍ଦ୍ର ଶାସିତ ଅଞ୍ଚଳରେ ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଚିନ୍ତାଜନକ। କାରଣ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଜଣେ ଷ୍ଟାର ପ୍ରଚାରକ ମଧ୍ୟ) ଆଜି ଡୋଡା ଗସ୍ତ କରିବେ। ସେ ଡୋଡାସ୍ଥିତ କ୍ରୀଡ଼ା ଷ୍ଟାଡିୟମରେ ନିର୍ବାଚନ ସାଧାରଣ ସଭାକୁ ସମ୍ବୋଧିତ କରିବେ। ନିର୍ବାଚନ ଘୋଷଣା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରାଲି ହେବ। ଏହା ପରେ ସେ ମଧ୍ୟ ସେପ୍ଟେମ୍ବର ୧୯ ତାରିଖରେ ଶ୍ରୀନଗର ଯିବେ। କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନିର୍ବାଚନ ପ୍ରଭାରୀ (ଜାମ୍ମୁ କାଶ୍ମୀର) କହିଛନ୍ତି ଯେ, ୧୯୮୨ ମସିହାରେ ଦେଶର ଜଣେ ପ୍ରଧାନମନ୍ତ୍ରୀ ଡୋଡା ଗସ୍ତରେ ଆସିଥିଲେ। ଜାମ୍ମୁ କାଶ୍ମୀରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବାରାମୁଲ୍ଲା, କୁପୱାରା ଏବଂ ବାନ୍ଦିପୋରା ଜିଲ୍ଲାରେ ଅକ୍ଟୋବର ୧ ତାରିଖ ୨୦୨୪ରେ ମତଦାନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

‘ଏହି ଦେଶରେ ରହିବାର କୌଣସି ଅଧିକାର ନାହିଁ, ରାହୁଲ ଗାନ୍ଧୀ … ଭାରତ ଛାଡ!: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ପୁଣିଥରେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ସେ କେବଳ ବିଦେଶ ଗସ୍ତରେ ଭାରତକୁ ଅପମାନିତ କରୁନାହାଁନ୍ତି, ବରଂ ଦେଶର ନିର୍ବାଚନ ବ୍ୟବସ୍ଥାକୁ ମଧ୍ୟ ସମାଲୋଚନା କରୁଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି, “ଶ୍ରୀ ରାହୁଲ ଗାନ୍ଧୀ … ଭାରତ ଛାଡ!”

ବଣ୍ଡି ସଞ୍ଜୟ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ, ବିଆରଏସ ଏବଂ ଏଆଇଏମ୍ଆଇଏମ୍ ଆସନ୍ତା ଜିଏଚଏମସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, କିନ୍ତୁ ଏଥର ବିଜେପି ବିଜୟ ପଞ୍ଜିକରଣ କରିବ ଏବଂ ଜିଏଚ୍ଏମ୍ସିରେ ଗେରୁଆ ପତାକା ଉଡିବ ଏବଂ ମେୟର ପଦବୀ ହାସଲ କରିବ।

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ରାହୁଲ ବିଦେଶ ଯାଇ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି ଏବଂ ଏଥିପାଇଁ ସେ କ୍ଷମା ମାଗନ୍ତୁ। ରାହୁଲଙ୍କ ଏହି ଦେଶରେ ରହିବାର କୌଣସି ଅଧିକାର ନାହିଁ। ଦେଶରେ କେବଳ ତ୍ରିରଙ୍ଗା ଉତ୍ତୋଳନ କରାଯିବା ଉଚିତ। ହିନ୍ଦୁ ତଥା ଦଳିତ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ବିଜେପିକୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବୃତ୍ତି ପାଇଁ ସମାଲୋଚନା କରିଥିଲେ। ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, କଂଗ୍ରେସର ରାଷ୍ଟ୍ର ବିରୋଧୀ ତଥା ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରିବା ହେଉ କିମ୍ବା ବିଦେଶୀ ମଞ୍ଚରେ ଭାରତ ବିରୋଧୀ କଥା ହେଉ, ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ତଥା ଭାବନାକୁ ସର୍ବଦା କ୍ଷତି ପହଞ୍ଚାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟିକେଟ ଫେରାଇଲେ ହରିୟାଣାର ବିଜେପି ପ୍ରାର୍ଥୀ କଂବଲଜିତ ସିଂ, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି?

ନୂଆଦିଲ୍ଲୀ: ପିହୋୱାର ବିଜେପି ପ୍ରାର୍ଥୀ କଂବଲଜିତ ସିଂ ଅଜରାନା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦଳକୁ ଟିକେଟ୍ ଫେରସ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂଙ୍କ ଟିକେଟ କାଟି କଂବଲଜିତ ସିଂଙ୍କୁ ପିହୋୱାରୁ ପ୍ରାର୍ଥୀ କରାଯାଇଥିଲା। ବିଜେପିରେ ସ୍ଥାନୀୟ ସ୍ତରରେ ଅସନ୍ତୋଷ ଥିବାରୁ ସେ ନିର୍ବାଚନରେ ​​ଭାଗ ନେବାକୁ ମନା କରି ଦେଇଛନ୍ତି ବୋଲି ଜଣାପଡିଛି। ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

୨୦୧୯ ବିଧାନସଭା ନିର୍ବାଚନରେ ​​ବିଜେପି ପୂର୍ବତନ ଭାରତୀୟ ହକି ଅଧିନାୟକ ସନ୍ଦୀପ ସିଂଙ୍କୁ ପିହୋୱା ଆସନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସର ମନଦୀପ ସିଂ ଚଟ୍ଟାଙ୍କୁ ୫୩୧୪ ଭୋଟରେ ପରାସ୍ତ କରିଥିଲେ। ଯେତେବେଳେ ବିଜେପି ସରକାର ଗଠନ ହେଲା ସେତେବେଳେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ କରାଯାଇଥିଲା। କିନ୍ତୁ ଗତ ବର୍ଷ ଜଣେ ଜୁନିଅର ମହିଳା ପ୍ରଶିକ୍ଷକ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏହା ପରେ ସନ୍ଦୀପ ସିଂଙ୍କ ଠାରୁ କ୍ରୀଡା ବିଭାଗ ପ୍ରତ୍ୟାହାର କରାଯାଇଥିଲା। ଯୌନ ଉତ୍ପୀଡ଼ନ ଅଭିଯୋଗ ହେତୁ ଦଳ ତାଙ୍କୁ ଏଥର ଟିକେଟ ଦେଇ ନାହିଁ। ତାଙ୍କ ସ୍ଥାନରେ କଂବଲଜିତ ସିଂ ଅଜରାନାଙ୍କୁ ଟିକେଟ ଦିଆଯାଇଥିଲା।

ପାକିସ୍ତାନୀ ସେନା ସହିତ ଫଟୋ ଭାଇରାଲ:

ପାକିସ୍ତାନୀ ସେନା ସହ କଂବଲଜିତ ସିଂ ଅଜରାନାଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେ ପାକିସ୍ତାନୀ ଅଧିକାରୀଙ୍କ ହାତରୁ ମିଠା ଖାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସୈନିକମାନଙ୍କ ସହ ଫଟୋ ମଧ୍ୟ ନେଇଥିଲେ। ଯେଉଁଥିପାଇଁ ଲୋକମାନେ ତାଙ୍କୁ ବିରୋଧ କରୁଥିଲେ। କଂବଲଜିତ ସିଂ ହରିୟାଣାର ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ପିହୋୱା ବିଧାନସଭା ଆସନରୁ ଟିକେଟ ଦେଇ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମୁଁ ହୃଦୟରୁ କୃତଜ୍ଞ। କିନ୍ତୁ ଦଳର କିଛି ବରିଷ୍ଠ ଏବଂ କର୍ମୀ ମୋ ନାମାଙ୍କନକୁ ବିରୋଧ କରୁଛନ୍ତି। ତାଙ୍କ ଭାବନାକୁ ସମ୍ମାନ କରି ମୁଁ ମୋର ଟିକେଟ୍ ଫେରସ୍ତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତ ବିରୋଧୀ ସାଂସଦଙ୍କ ସହ ରାହୁଲଙ୍କ ସାକ୍ଷାତ: କଡା ଆକ୍ରମଣ କଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଆମେରିକାରେ ବିବାଦ ସୃଷ୍ଟି କରିଛି। ଏହା ମଧ୍ୟରେ ସେ ଔ ଏକ ବିବାଦକୁ ଆସିଛନ୍ତି। ଯେଉଁଥିରେ ସେ ଭାରତ ବିରୋଧୀ ସାଂସଦଙ୍କୁ ଭେଟିଛନ୍ତି। ଆମେରିକାର ସାଂସଦ ଇଲହାନ ଉମରଙ୍କୁ ଭେଟିଥିବାରୁ ରାହୁଲଙ୍କୁ କଡ଼ା ସମାଲୋଚନା କରାଯାଇଛି। କିଛି ଚିତ୍ରରେ ରାହୁଲ ଗାନ୍ଧୀ କିଛି ଆମେରିକୀୟ ସାଂସଦଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ସାଂସଦମାନଙ୍କ ମଧ୍ୟରେ ଇଲହାନ ଉମର ମଧ୍ୟ ଅନ୍ତର୍ଭୁକ୍ତ।

ଇଲହାନ ଉମର ଜଣେ ଆମେରିକୀୟ ସାଂସଦ ଏବଂ ଡେମୋକ୍ରାଟିକ୍ ପାର୍ଟିର ନେତା। ସେ ଜଣେ ଆଫ୍ରିକୀୟ ଶରଣାର୍ଥୀ, ଯିଏ ନିର୍ବାଚନରେ ​​ଜିତିବା ପରେ ଆମେରିକା ସଂସଦରେ ପହଞ୍ଚିଛନ୍ତି। କାଶ୍ମୀର ଏବଂ ଖାଲିସ୍ତାନକୁ ଅଲଗା ଦେଶ କରିବା ପାଇଁ ସେ ସର୍ବଦା ସମର୍ଥନ କରିଆସୁଛନ୍ତି। ସେ ଆମେରିକାର ସଂସଦର ଦୁଇ ମୁସଲମାନ ମହିଳାଙ୍କ ମଧ୍ୟରୁ ଜଣେ, ଯିଏ ଇସ୍ରାଏଲକୁ ବିରୋଧ କରନ୍ତି। ଇଲହାନ୍ ମଧ୍ୟ ୨୦୨୨ ରେ PoK ଭ୍ରମଣରେ ଯାଇଥିଲେ। ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଲହାନଙ୍କ ଯାତ୍ରା ପାଇଁ ଅର୍ଥ ପ୍ରଦାନ କରିଥିଲା। ଇଣ୍ଡିଆ ବିରୋଧୀ ଇଲହାନ ମଧ୍ୟ ସିନେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବର୍ଜ୍ଜନ କରିଥିଲେ।

ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ କଂଗ୍ରେସ ନେତା: ବିଜେପି

ରାହୁଲ ଗାନ୍ଧୀଙ୍କ ଇଲହାନଙ୍କ ସାକ୍ଷାତକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୂଷ୍ୟନ୍ତ ଗୌତମ ରାହୁଲ ଗାନ୍ଧୀଙ୍କୁ ଇଲହାନ ଉମରଙ୍କୁ ଭେଟିଥିବାରୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ନେତାମାନେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ଆଜି ରାହୁଲ ଗାନ୍ଧୀ ଦେଶ ବିରୋଧରେ ସମ୍ପୂର୍ଣ୍ଣ ଭାବେ ଓହ୍ଲାଇଛନ୍ତି। ଆମେରିକା ଯାଇ ଏଭଳି ସାଂସଦଙ୍କ ସହ ରାହୁଲ ଗାନ୍ଧୀ ମିଶିଛନ୍ତି, ଯେଉଁମାନେ ଭାରତ ବିରୋଧରେ ପ୍ରଚାର କରନ୍ତି ଏବଂ ଭାରତ ବିରୋଧରେ ଅଭିଯାନ ଚଲାଉଛନ୍ତି।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ମଧ୍ୟ ରାହୁଲ ଗାନ୍ଧୀ ଇଲହାନ ଉମରଙ୍କୁ ଭେଟିବାର ଚିତ୍ର ସେୟାର କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ବର୍ତ୍ତମାନ ଖୋଲାଖୋଲି ଭାବେ ଭାରତ ବିରୋଧରେ କାର୍ଯ୍ୟ କରୁଛି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲଙ୍କ ପାଇଁ ପାକିସ୍ତାନରୁ ଆମ୍ବ ଆସେ ଏବଂ ଚାଇନାରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା ଆସିଥାଏ। ଭାରତ ବିରୋଧରେ ଥିବା ସମସ୍ତ ଜାତୀୟ ତଥା ବିଦେଶୀ ସାଂସଦ ତାଙ୍କର ବନ୍ଧୁ। ସେମାନେ ଭାରତକୁ ଭଲ ପାଆନ୍ତି ନାହିଁ, ସେମାନେ ଭାରତରେ ରହିବାକୁ ଚାହାଁନ୍ତି ନାହିଁ କିନ୍ତୁ ବ୍ରିଟିଶ ନୀତି ‘ବିଭାଜନ ଏବଂ ଶାସନ’ ଆଧାରରେ ଦେଶର ଲୋକଙ୍କୁ ଭାଗ କରି ଦେଶକୁ ଶାସନ କରିବାକୁ ଚାହାଁନ୍ତି।

ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି ଯେ, ଇଲହାନ ଉମର କାଶ୍ମୀର ଏବଂ ଖାଲିସ୍ତାନକୁ ପୃଥକ ଦେଶ କରିବାକୁ ସମର୍ଥନ କରୁଛନ୍ତି। ଏହି ଏଜେଣ୍ଡା ପାଇଁ ରାହୁଲ ଗାନ୍ଧୀ ଆମେରିକାରେ ସମର୍ଥନ ସଂଗ୍ରହ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଦେଶରେ ଦେଶକୁ ସମାଲୋଚନା କରିବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି: ବିଜେପି

ନୂଆଦିଲ୍ଲୀ: ବିଜେପି ନେତା ରିତୁରାଜ ସିହ୍ନା ରାହୁଲ ଗାନ୍ଧୀଙ୍କ ବିଦେଶରେ ଦେଇଥିବା ବିବୃତ୍ତିକୁ ଦୃଢ ନିନ୍ଦା କରିଛନ୍ତି, ଯେଉଁଥିରେ ସେ ଆମେରିକା ଗସ୍ତ ପରେ ଭାରତରେ ଅନୁଷ୍ଠିତ ଲୋକସଭା ନିର୍ବାଚନ କିମ୍ବା ଅନ୍ୟାନ୍ୟ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ରିତୁରାଜ ସିହ୍ନା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି ଯେ, ଯେତେବେଳେ ବି ସେ ବିଦେଶ ଯିବେ ସେ ଦେଶକୁ ସମାଲୋଚନା କରିବେ।

ସେ କହିଛନ୍ତି ଯେ, ଯଦି ଆପଣଙ୍କର ସେତେ ଜ୍ଞାନ ନାହିଁ, କେବେ, କେଉଁଠାରେ, କ’ଣ କହିବେ ଏବଂ କରିବେ, ତେବେ ଅନ୍ତତଃ ପକ୍ଷେ ଆପଣ ଆପଣଙ୍କ ପିତା ରାଜୀବ ଗାନ୍ଧୀଙ୍କଠାରୁ ଶିଖିବା ଉଚିତ୍। ସେ କିପରି ଉଭୟ ପକ୍ଷ ଏବଂ ବିରୋଧୀ ଦଳର ଲୋକଙ୍କୁ ସମ୍ମାନ କରୁଥିଲେ।

ରିତୁରାଜ ସିହ୍ନା କହିଛନ୍ତି ଯେ, ବିରୋଧୀ ଦଳରେ ଥିବାବେଳେ ସେ ଅଟଳ ବିହାରୀ ବାଜପେୟୀଙ୍କୁ ବିଦେଶରେ ପ୍ରତିନିଧିତ୍ୱ କରିବାର ଦାୟିତ୍ୱ ଦେଉଥିଲେ। କିନ୍ତୁ ଏଥିରୁ ଜଣାପଡୁଛି ଯେ, ଆପଣ ଉପଯୁକ୍ତ କୋଚିଂ ନେଇ ନାହାଁନ୍ତି, ସେଥିପାଇଁ ଅହଂକାରୀ ହୋଇ ଆପଣ ଜାଣିଶୁଣି ଅଜାଣତରେ ବାରମ୍ବାର ବିଦେଶ ଯାଇ ଦେଶର ସମ୍ମାନ ନଷ୍ଟ କରୁଛନ୍ତି। ଏଥିରେ ଦେଶବାସୀଙ୍କ ଦୃଷ୍ଟିରେ ଆପଣ ଶୁଭେଚ୍ଛୁ ନୁହଁନ୍ତି, ବରଂ ଦେଶଦ୍ରୋହୀ ହେଉଛନ୍ତି।

ମଙ୍ଗଳବାରଠାରୁ ତେଜସ୍ୱୀ ଯାଦବଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯାତ୍ରାକୁ ନେଇ ସିହ୍ନା ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ଏହା ଅତ୍ୟନ୍ତ ଭଲ କଥା। ତେଜସ୍ୱୀ ଯାଦବ ଜନସାଧାରଣଙ୍କ ସହିତ ମିଶିବାକୁ ଯାଉଛନ୍ତି, କିନ୍ତୁ ସେ ମଧ୍ୟ ଜନସାଧାରଣଙ୍କୁ କହିବା ଉଚିତ୍ ଯେ, ତାଙ୍କ ସହିତ ଯିଏ ଛିଡ଼ା ହୋଇଛି, ସେ ବିଦେଶ ଯାଇ କିପରି ନିଜ ଦେଶକୁ ଅପମାନିତ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚାଇନାର ଏଜେଣ୍ଟ ପରି ରାହୁଲ ଗାନ୍ଧୀ ବ୍ୟବହାର କରୁଛନ୍ତି: ସାଂସଦ ଜଗଦମ୍ବିକା ପାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଡୁମରିୟାଗଞ୍ଜର ଭାରତୀୟ ଜନତା ପାର୍ଟି ସାଂସଦ ଜଗଦମ୍ବିକା ପାଲ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମେରିକାରେ ରାୟବରେଲି ସାଂସଦ ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପି ସାଂସଦ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ବିରୋଧୀ ଦଳର ନେତା ହୋଇ ମଧ୍ୟ ସେ ଭାରତକୁ ସମାଲୋଚନା କରୁଛନ୍ତି।

ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ଯେ, “ଲୋକସଭାରେ ବିରୋଧୀ ଦଳର ନେତା ହୋଇ ମଧ୍ୟ ସେ (ରାହୁଲ ଗାନ୍ଧୀ) ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ସମାଲୋଚନା କରୁଛନ୍ତି। ଯେତିକି ଚାହିଁବେ ସେ ସଂସଦରେ ଭାରତକୁ ସମାଲୋଚନା କରିପାରିବେ। ସତ୍ୟ ହେଉଛି ୧୦ ବର୍ଷ ପୂର୍ବେ ଭାରତ ବିଶ୍ଵର ଶ୍ରେଷ୍ଠ ୫ ଦୁର୍ବଳ ଅର୍ଥନୀତି ମଧ୍ୟରେ ଗଣାଯାଇଥିଲା ଏବଂ ଆଜି ଯେତେବେଳେ ଭାରତ ବିଶ୍ଵର ଶ୍ରେଷ୍ଠ ୫ ଅର୍ଥନୀତି ମଧ୍ୟରେ ଅଛି ଏବଂ ୨୦୨୭ ସୁଦ୍ଧା ଶ୍ରେଷ୍ଠ ୩ ଅର୍ଥନୀତିରେ ପହଞ୍ଚିବ ବୋଲି କୁହାଯାଉଛି, ତା’ହେଲେ ଚାଇନାର ଏଜେଣ୍ଟ ପରି ସେ (ରାହୁଲ ଗାନ୍ଧୀ) ବ୍ୟବହାର କରୁଛନ୍ତି।

ଜଗଦମ୍ବିକା ପାଲ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚୀନ୍ ଏବଂ ପାକିସ୍ଥାନକୁ ପ୍ରଶଂସା କରୁଛନ୍ତି ଏବଂ ନିଜ ଦେଶକୁ ସମାଲୋଚନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯଦି ଆପଣ ତାଙ୍କୁ ଗାଳି ଦେବାକୁ ଚାହୁଁଛନ୍ତି, ତେବେ ଭାରତରେ ଗାଳି କରନ୍ତୁ। କିନ୍ତୁ, ବିଦେଶରେ ଭାବମୂର୍ତ୍ତିକୁ ଖରାପ କରି ଭାରତକୁ ସେ (ରାହୁଲ ଗାନ୍ଧୀ) ଅପମାନିତ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମଞ୍ଜୁ ହୁଡ୍ଡା କିଏ, ଯାହାଙ୍କର ପିତା ଡିଏସପି ଓ ସ୍ଵାମୀ ଗ୍ୟାଙ୍ଗଷ୍ଟର?: ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ବିରୋଧରେ ହେଲେ ପ୍ରାର୍ଥୀ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଆଉ ଏକ ମାସରୁ କମ୍ ସମୟ ବାକି ଅଛି। ବିଜେପି ଏବଂ କଂଗ୍ରେସ ସମେତ ସମସ୍ତ ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏସବୁ ମଧ୍ୟରେ ବିଜେପି ମଧ୍ୟ ୯୦ ଟି ସିଟ୍ ବିଶିଷ୍ଟ ହରିୟାଣା ପାଇଁ ୬୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୋଟିଏ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ଗଢି ସାମ୍ପଲା-କିଲୋଇରେ ମଞ୍ଜୁ ହୁଡାଙ୍କୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ କରିଛି। ମଞ୍ଜୁ ହୁଡା ଜଣେ ଗ୍ୟାଙ୍ଗଷ୍ଟରଙ୍କ ପତ୍ନୀ।

ବିଜେପି ତାଲିକା ବାହାରିବା ପରଠାରୁ ମଞ୍ଜୁ ହୁଡା ସମ୍ବାଦରେ ଅଛନ୍ତି। ତାଙ୍କ ସ୍ୱାମୀଙ୍କ ନାମ ରାଜେଶ ରୋହତକ। ରାଜେଶ ଜଣେ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର। ମଞ୍ଜୁ ଗୁରୁଗ୍ରାମର ବାସିନ୍ଦା। ତାଙ୍କ ପିତା ପ୍ରଦୀପ ଯାଦବ ପୋଲିସରେ ଡିଏସପି ରହିଛନ୍ତି। ମଞ୍ଜୁ ହୁଡା ରୋହତକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଅଟନ୍ତି। ସେ ୨୦୨୨ ରେ ସର୍ବସମ୍ମତି କ୍ରମେ ଏହି ପଦବୀକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

ଟିକେଟ ପାଇବା ପରେ ମଞ୍ଜୁ ହୁଡା କ’ଣ କହିଥିଲେ?:

ଟିକେଟ୍ ପାଇବା ପରେ ଭୁପେନ୍ଦ୍ର ହୁଡାଙ୍କୁ ମଞ୍ଜୁ ପିତାତୁଲ୍ୟ ବୋଲି କହିଥିଲେ। ସେ କହିଥିଲେ ଯେ, ସେ ମଧ୍ୟ ତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବେ। ମୋର କଠିନ ପରିଶ୍ରମ, ଲୋକଙ୍କ ସମର୍ଥନ ଏବଂ ମୋର ବିଶ୍ୱାସ ରହିଛି। ମୋର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ।

ମଞ୍ଜୁ ହୁଡା କିଏ?:

ମଞ୍ଜୁ ହୁଡା କହିଛନ୍ତି ଯେ, ମୋ ସ୍ୱାମୀ କାହା ପ୍ରତି କିଛି ଖରାପ କରିନାହାଁନ୍ତି। ଯଦି ଲୋକମାନେ ତାଙ୍କୁ ଜାଣନ୍ତି, ସେମାନେ ଅନୁଭବ କରିବେ ଯେ ସେ ତାଙ୍କ ବିଷୟରେ ଯାହା ଶୁଣିଛନ୍ତି ତାହାଠାରୁ ଭିନ୍ନ। ମଞ୍ଜୁ ହୁଡାଙ୍କ ସ୍ୱାମୀ ରାଜେଶ ରୋହତକର ଜଣେ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର। ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ଡକାୟତି ମାମଲାରେ ୧୨ରୁ ଅଧିକ ମାମଲା ରୁଜୁ ହୋଇଛି। ଏହି ମାମଲା ରାଜସ୍ଥାନ, ୟୁପି ଏବଂ ହରିୟାଣାରେ ପଞ୍ଜିକୃତ ହୋଇଛି।

ମଞ୍ଜୁ କହିଛନ୍ତି ଯେ, ସେ କେବଳ ତାଙ୍କ ସ୍ୱାମୀ ରାଜେଶଙ୍କ ପରାମର୍ଶରେ ରାଜନୀତିରେ ପ୍ରବେଶ କରିଛନ୍ତି। ପିତାଙ୍କ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ବହୁତ କିଛି ଶିଖିଛନ୍ତି। ସେ କହିଛନ୍ତି ଯେ, ପାର୍ଟି ତାଙ୍କୁ କେବଳ ଭୂମିରେ ଥିବା ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବାକୁ କହିଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଲାଗିବ ବଡ ଝଟକା!: କଂଗ୍ରେସରେ ଯୋଗଦେବେ ଏହି ପ୍ରସିଦ୍ଧ ଗାୟକ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ବିଜେପିକୁ ଆଉ ଏକ ଝଟକା ଲାଗିପାରେ। ପ୍ରସିଦ୍ଧ ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ୍ ନ ପାଇ କହ୍ନେୟା ମିତ୍ତଲ ନାରାଜ ଅଛନ୍ତି। ୟୁପି ନିର୍ବାଚନ ସମୟରେ କହ୍ନେୟା ମିତ୍ତଲଙ୍କ ଗୀତ ଲୋକପ୍ରିୟ ହୋଇଥିଲା। ସେ ‘ଜୋ ରାମ କୋ ଲାଏ ହେଁ, ହମ୍ ଉନକୋ ଲାଏଙ୍ଗେ’ ଗୀତ ଗାଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାଜନୀତିରେ ପ୍ରବେଶ କଲେ ରବିନ୍ଦ୍ର ଜାଡେଜା, ଭାଇରାଲ ହେଲା ବିଜେପି ସଦସ୍ୟତାର ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁଜୁରାଟର ଜାମନଗରର ଜଣେ ବିଜେପି ବିଧାୟକ। ରିଭାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଜାଡେଜା ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ।

ରବିନ୍ଦ୍ର ଜାଡେଜା ପତ୍ନୀ ରିଭାବାଙ୍କ ସହ ଅନେକ ଥର ପ୍ରଚାର କରିଛନ୍ତି। ନିର୍ବାଚନ ସମୟରେ ସେ ତାଙ୍କ ପତ୍ନୀ ରିଭାବାଙ୍କ ସହ ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ। ଜାଡେଜାଙ୍କ ପତ୍ନୀ ରିଭାବା ଜାମନଗର ଉତ୍ତର ସିଟ୍ ର ଜଣେ ବିଧାୟକ। ଏବେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା X ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ମାଧ୍ୟମରେ ସେ କହିଥିଲେ ଯେ, ରବିନ୍ଦ୍ର ଜାଡେଜା ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ହୋଇଛନ୍ତି। ୨୦୨୪ ଟି -୨୦ ବିଶ୍ୱକପ ପରେ ରିଭାବା ଏବଂ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ଟିମ୍ ଇଣ୍ଡିଆ ପାଇଁ ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କର ଆନ୍ତର୍ଜାତୀୟ ରେକର୍ଡ ଭଲ ରହିଛି। ଜାଡେଜା ଟି -୨୦ ବିଶ୍ୱକପ ପରେ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଜାଡେଜା ଭାରତ ପାଇଁ ୭୪ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ୫୧୫ ରନ୍ ସ୍କୋର କରାଯାଇଛି। ଏହି ଫର୍ମାଟରେ ସେ ୫୪ ୱିକେଟ୍ ମଧ୍ୟ ନେଇଛନ୍ତି। ଗୋଟିଏ ମ୍ୟାଚରେ ଜାଡେଜାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୫ ରନ୍ ରେ ୩ ଟି ୱିକେଟ୍ ନେଇଛନ୍ତି। ଜାଡେଜା ତଥାପି ଭାରତ ପାଇଁ ODI ଏବଂ ଟେଷ୍ଟ ଖେଳିବେ। ତାଙ୍କ ସହ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟି -୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଜାମ୍ମୁ କାଶ୍ମୀରରେ ନିର୍ବାଚନ: ସରକାର ଗଠନ କରିବ ବିଜେପି?, ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

ଶ୍ରୀନଗର: ଚଳିତ ବର୍ଷ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ସମୟ ଅଛି, କିନ୍ତୁ ଏହା ପୂର୍ବରୁ ନିର୍ବାଚନ ସର୍ଭେ ଆସିଛି। ଆସନ୍ତୁ ଜାଣିବା ଏହି ସର୍ଭେ କ’ଣ କହୁଛି:

ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର 18 ରେ 24 ଟି ଆସନ ପାଇଁ, ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର 25 ତାରିଖରେ 26 ଟି ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର 1 ତାରିଖରେ 40 ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ।

ଭୋଟ ଗଣତି ଅକ୍ଟୋବର 8 ତାରିଖରେ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହେବ, ଯେଉଁଥିରେ 90 ଟି ବିଧାନସଭା ଆସନ ରହିଛି। ନିର୍ବାଚନ ଆୟୋଗ (ECI) ଅନୁଯାୟୀ ଜାମ୍ମୁ କାଶ୍ମୀରର 90 ଟି ନିର୍ବାଚନମଣ୍ଡଳୀରେ 87.09 ଲକ୍ଷ ଭୋଟର ଅଛନ୍ତି, ସେଥିମଧ୍ୟରୁ 42.6 ଲକ୍ଷ ମହିଳା ଅଛନ୍ତି। 2014 ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ହେବ, ଯେଉଁଥିରେ 2019 ରେ ଧାରା 370 ରଦ୍ଦ କରାଯାଇଥିଲା। ସେବେଠାରୁ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇନଥିଲା। ଗତ ନିର୍ବାଚନରେ ​​ବିଜେପି 25 ଟି ଆସନ ଜିତିଥିଲା।

ଏହି ସମୟରେ, ନିର୍ବାଚନ ପୂର୍ବରୁ ଜାମ୍ମୁ କାଶ୍ମୀରକୁ ନେଇ ‘ଲୋକ ପୋଲ’ର ଏକ ସର୍ଭେ ବାହାରିଛି, ଯାହା ମାଧ୍ୟମରେ ଜଣାପଡିଛି ଯେ ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ କେଉଁ ଦଳ ଏଠାରେ କେତେ ସିଟ୍ ପାଇବ। ସର୍ଭେର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସର୍ଭେ ଅନୁଯାୟୀ ଇଣ୍ଡିଆ ବ୍ଲକ୍ (ନ୍ୟାସନାଲ କନଫରେନ୍ସ, କଂଗ୍ରେସ, ଜେକେଏନପିପି ଏବଂ ସିପିଏମ୍) 51 ରୁ 56 ଟି ସିଟ୍ ପାଇପାରନ୍ତି। ଜାମ୍ମୁ କାଶ୍ମୀରରେ କରାଯାଇଥିବା ଲୋକ ପୋଲର ମେଗା ସର୍ଭେରେ ଅନୁମାନ କରାଯାଇଥିଲା ଯେ ଇଣ୍ଡିଆ ବ୍ଲକର ଭୋଟ୍ ସେୟାର 40% ରୁ 42% ହୋଇପାରେ।

ବିଜେପି ବିଷୟରେ କହିବାକୁ ଗଲେ ଏଥର ଏହା 23 ରୁ 26 ଟି ସିଟ୍ ପାଇପାରେ ଏବଂ ଏହାର ଭୋଟ୍ ଅଂଶ 28% ରୁ 30% ହୋଇପାରେ। ମେହବୁବା ମୁଫତିଙ୍କ ନେତୃତ୍ୱରେ ପିଡିପି ଚାରିରୁ ଆଠଟି ସିଟ୍ ପାଇପାରେ ଏବଂ ଏହାର ଭୋଟ୍ ଅଂଶ 18% ରୁ 20% ହୋଇପାରେ। ଜାମ୍ମୁ କାଶ୍ମୀରର ମେଗା ପ୍ରିପୋଲ୍ ସର୍ଭେରେ 90 ଟି ନିର୍ବାଚନମଣ୍ଡଳୀରୁ 250 ଟି ନମୁନା ନିଆଯାଇଛି, ଯେଉଁଥିରେ ମୋଟ 22,500 ଜଣ ସାମିଲ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟେଣ୍ଡର ସ୍କାମ ମାମଲା: କଂଗ୍ରେସ ନେତାଙ୍କ ଘନିଷ୍ଠ ରାଜଦୀପ ସିଂଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପଞ୍ଜାବର ଖନ୍ନାରୁ ବଡ ଖବର ଆସୁଛି। ଏଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ରାତିରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣଙ୍କ ଘନିଷ୍ଠ ରାଜଦୀପ ସିଂଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଇଡି ଦଳ ଖନ୍ନାରେ ଚଢାଉ କରିଥିଲା।

ସୂଚନାନୁସାରେ, ଟେଣ୍ଡର ସ୍କାମ ମାମଲାରେ ଏହି ଗିରଫଦାରୀ କରାଯାଇଛି। ରାଜଦୀପ ସିଂ ବୃତ୍ତିରେ ଜଣେ କମିଶନ ଏଜେଣ୍ଟ ଏବଂ ସେ ଅନେକ ରାଜନେତାଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଭାରତ ଭୂଷଣ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ ସରକାରରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ରହିଛନ୍ତି।

ଅଭିଯୋଗ କଣ?:

ଭାରତ ଭୂଷଣ ଟେଣ୍ଡର ସ୍କାମ ମାଧ୍ୟମରେ ୨ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ମନ୍ତ୍ରୀ ଥିବା ସମୟରେ ଶସ୍ୟ ପରିବହନ ପାଇଁ ଟେଣ୍ଡର ଆବଣ୍ଟନରେ ଏହି ଘୋଟାଲା ହୋଇଥିଲା। ବାସ୍ତବରେ, ଶ୍ରମ ପରିବହନ ଟେଣ୍ଡର ସ୍କାମରେ ଅଭିଯୁକ୍ତମାନେ ସେମାନଙ୍କ ଗାଡିରେ ନକଲି ନମ୍ବର ପ୍ଲେଟ୍ ଲଗାଇ ଶସ୍ୟ ବଜାରକୁ ସାମଗ୍ରୀ ପରିବହନ କରୁଥିଲେ। ଏଥିସହ ଅଭିଯୁକ୍ତମାନେ ଟେଣ୍ଡର ନେବା ପୂର୍ବରୁ ଭୁଲ ଗାଡି ନମ୍ବର ଲେଖିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଲେଖାଯାଇଥିବା ନମ୍ବରଗୁଡିକ ସ୍କୁଟର, ବାଇକ୍ ଇତ୍ୟାଦି ଦୁଇ ଚକିଆ ଯାନ ଅଟେ। ଏହି ନମ୍ବର ଧାରଣ କରୁଥିବା ଯାନଗୁଡିକ ସାମଗ୍ରୀ ପରିବହନ ପାଇଁ ବୈଧ ନୁହେଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି ବିଧାୟକଙ୍କୁ ମୃତ୍ୟୁ ଧମକ: ମାୟାବତୀ ଉପରେ ଦେଇଥିଲେ ମନ୍ତବ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମାଣ୍ଟ ଆସନରୁ ବିଜେପି ବିଧାୟକ ରାଜେଶ ଚୌଧୁରୀଙ୍କୁ ମୃତ୍ୟୁ ଧମକ ମିଳିଛି, ଯାହା ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୨୩ ତାରିଖରେ ଟେଲିଭିଜନ ସାକ୍ଷାତକାର ବେଳେ ବିଜେପି ବିଧାୟକ ରାଜେଶ ଚୌଧୁରୀ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ନେତା ବୋଲି କହିଥିଲେ। ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ ଏବଂ ଆଜାଦ ସମାଜ ପାର୍ଟିର ମୁଖ୍ୟ ତଥା ସାଂସଦ ଚନ୍ଦ୍ରଶେଖର ଆଜାଦ ତାଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ।

ବିଜେପି ବିଧାୟକ ରାଜେଶ ଚୌଧୁରୀ ଶନିବାର ଅଜ୍ଞାତ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ, ଅଗଷ୍ଟ ୨୫ ତାରିଖ ରାତିରେ କେହି ଜଣେ ତାଙ୍କୁ ଫୋନ କରି ଧମକ ଦେଇଥିଲା ଯେ, ତାଙ୍କୁ ଏବଂ ତାଙ୍କ ପୁଅକୁ ହତ୍ୟା କରାଯିବ। ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୩୦ ତାରିଖରେ ମଧ୍ୟ କେହି ଜଣେ ଚୌଧୁରୀଙ୍କୁ ଫୋନ କରି ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତି ସମ୍ବନ୍ଧୀୟ ଭାଷା ବ୍ୟବହାର କରି ଧମକ ଦେଇ କହିଥିଲେ ଯେ, “ଆପଣ ଟିଭିରେ ଅନେକ ବିବୃତ୍ତି ଦିଅନ୍ତି। ଆମେ ଆପଣଙ୍କୁ ଦେଖିବୁ। ତୁମକୁ ମାରିବା ପାଇଁ ଆମ ନେତା ନିର୍ଦ୍ଦେଶ ଦେଇଛନ୍ତି। ”

ରାଜେଶ ଚୌଧୁରୀ ଅଭିଯୋଗରେ କହିଛନ୍ତି ଯେ, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ମଧ୍ୟ ଧମକ ପାଇଛନ୍ତି ଏବଂ ତାଙ୍କ ଜିଭ କାଟିବା ବ୍ୟକ୍ତିଙ୍କ ପାଇଁ କିଛି ଲୋକ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।