ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ। ଗତକାଲି ସାଲେପୁର ବ୍ଲକ୍ ଅନ୍ତର୍ଗତ ମାଳ ଗାଁରେ ଆୟୋଜିତ ଏକ ସଭାରେ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅଫର ଦେଇଥିବା ଅଭିଯୋଗ ହୋଇଥିଲା। ସେ କହିଥିଲେ, ସାଲେପୁରର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଏହି ଅର୍ଥ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଶାସକ ଦଳର ମନ୍ତ୍ରୀ ଏଭଳି ଲାଞ୍ଚ ଯାଚିବା ଅପରାଧ। ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମନ୍ତ୍ରୀଙ୍କୁ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଅସିଦ୍ଧ ଘୋଷଣା କରାଯିବା ଉଚିତ। ଏହା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି।
