Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପାଖେଇଲା ନିର୍ବାଚନ, ଶିଘ୍ର ଭୋଟର ତାଲିକାରେ ଆପଣଙ୍କ ନାମ କରାନ୍ତୁ ସାମିଲ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗତ ଜାନୁଆରୀ ମାସ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଅଛି। ଏହାର ନକଲ ବୁଥ୍‌ସ୍ତରୀୟ ଅଧିକାରୀ (BLO) ଓ ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛି ।

ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ceoodisha.nic.in ଉପଲବ୍ଧ ଅଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କର ଧାରଣା ହେଉଥିବ ଯେ ଆଉ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇପାରିବ ନାହିଁ। ଏହା ସଂପୂର୍ଣ୍ଣ ଭୁଲ ଧାରଣା।ଭୋଟର ତାଲିକାରେ ନାମପଞ୍ଜିକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି କାର୍ଯ୍ୟ ସବୁବେଳେ ଚାଲୁ ରହିଛି ।

ରାଜ୍ୟର ସମସ୍ତ ଭୋଟରମାନଙ୍କୁ ନିବେଦନ କରାଯାଉଛି, ସେମାନେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନିଜର ନାମ ତନଖି କରନ୍ତୁ। ଯଦି ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବ ତାହାହେଲେ ସେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬ ଓ ସ୍ଥାନାନ୍ତର ପାଇଁ ଫର୍ମ ନଂ-୮ ମାଧ୍ୟମରେ ଆବେଦନ କରିପାରିବେ ।

ଭୋଟରମାନେ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in ରେ ଲଗ୍‌ଇନ୍‌ କରି କିମ୍ବା Voter Help Line App ଡାଉନ୍‌ଲୋଡ଼୍‌ କରି ଘରେ ବସି ମଧ୍ୟ ଆବେଦନ କରିପାରିବେ । ଏତଦ୍‌ବ୍ୟତୀତ ଭୋଟରମାନେ ମଧ୍ୟ ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନୀତେଶ କୁମାର ବ୍ୟାସ (ଭା.ପ୍ର.ସେ) ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଭୁବନେଶ୍ୱରସ୍ଥ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ସମୀକ୍ଷା ବୈଠକ କରାଇଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସଂକ୍ଷେପରେ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସଂପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଥିଲେ।

ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିକାରେ ଯୋଗଦେବା ନିମନ୍ତେ ଫର୍ମ, ତାଲିକାରୁ ବାଦ ଓ ତାଲିକାରୁ ତ୍ରୁଟି ସଂଶୋଧନ ନିମନ୍ତେ ଥିବା ବାକିଆ ଫର୍ମଗୁଡ଼ିକୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ମହିଳା, ଯୁବ, ବରିଷ୍ଠ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ପ୍ରାଚୀନ ଜନଜାତି ଗୋଷ୍ଠୀ (ପି.ଭି.ଟି.ଜି) ନିର୍ବାଚକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭୋଟର ତାଲିକାର ଶୁଦ୍ଧତା ଦୃଷ୍ଟିରୁ ସତର୍କତାର ସହ କଷ୍ଟସାଧ୍ୟ କ୍ଷେତ୍ର ପରିଦର୍ଶନ ସହ ଭୋଟର ତାଲିକା ପରୀକ୍ଷା କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ଓ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ନିର୍ବାଚନ ସମୟରେ ଚୋରାରେ କାରବାର ହେଉଥିବା ଟଙ୍କା, ମଦ, ନିଶାଦ୍ରବ୍ୟ ଚାଲାଣ ହେଉଥିବା ବାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସେହିସବୁ ସ୍ଥାନଗୁଡ଼ିକରେ ଜବତକାରୀ ଦଳମାନଙ୍କୁ ମୁତୟନ କରବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କାର୍ଯ୍ୟ ହୋଇପାରିବ।

ରାଜନୈତିକ ଦଳ ଓ ହିତାଧିକାରୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି। ଶେଷରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ ଓ ମୁକ୍ତ ଭାବେ ପରିଚାଳନା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇଦିନିଆ ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି ପୋଲିସ (ଆଇନଶୃଙ୍ଖଳା) ଶ୍ରୀ ସଂଜୟ କୁମାର (ଭା.ପୋ.ସେ) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ତଥା ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଏଏସ୍‌ଇ ଇଦି୍ରଶ୍‌ ଅଲ୍ଲିଖାନ୍‌, ଏଏସ୍‌ଇ ରାମକୃଷ୍ଣ ଟୁଙ୍ଗା, ଦେବରାଜ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ବିଭିନ୍ନ କ୍ଷେତ୍ରରେ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଜାଣନ୍ତୁ ଭୁଲ ଥିଲେ କିପରି କରିବେ ସଂଶୋଧନ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ନିତାନ୍ତ ପ୍ରୟୋଜନ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୧ ଅକ୍ବୋବର୨୦୨୪ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁରହିଛି। ଆସନ୍ତା ୨୭ ଅକ୍ବୋବର ୨୦୨୩ ତାରିଖ ଶୁକ୍ରବାର ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ୫ ଜାନୁୟାରୀ ୨୦୨୪ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଓ ଜିଲ୍ଲାସ୍ତରରେ ରାଜନୈତିକ ଦଳମାନେ ଭୋଟର ପଞ୍ଜିକରଣ ଅଧିକାରୀଙ୍କଠାରୁ ଚିଠା ଭୋଟର ତାଲିକାର ଏକକିତା ଲେଖାଏଁ ନକଲ କପି ପାଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି।

ପ୍ରକାଶିତ ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ  ୨୭ ଅକ୍ବୋବର ୨୦୨୩ ତାରିଖଠାରୁ ୦୯ ଡିସେମ୍ବର ୨୦୨୩ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଆସନ୍ତା ୨୬ ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବୈଠକରେ ସୂଚନା ଦେଇଛନ୍ତି।

୧୮-୧୯ ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆସନ୍ତା ନଭେମ୍ବର ମାସରେ ଦୁଇ ଗୋଟି ରବିବାର ଯଥା- ନଭେମ୍ବର ୫ ତାରିଖ ଓ ନଭେମ୍ବର ୧୯ ତାରିଖ ଏବଂ ଦୁଇ ଗୋଟି ଶନିବାର ଯଥା-ନଭେମ୍ବର ୧୧ ତାରିଖ ଓ ନଭେମ୍ବର ୨୫ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରିଛନ୍ତି।

ଏହି ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଯୋଗ୍ୟ ଭୋଟରମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବାରେ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଯୋଗୁ (ବୁଥପ୍ରତି ସର୍ବାଧିକ ୧୫୦୦ ଭୋଟର) ନିର୍ବାଚନ ଆୟୋଗ ୨୧୬ ଗୋଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ଭୋଟ ଗ୍ରହଣ କେନ୍ଦ୍ର ହେଉଛି ୩୭୮୦୯ ଏବଂ ଏହା ପୂର୍ବରୁ ୩୭୬୦୬ ଥିଲା। ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମୃତ ଭୋଟରଙ୍କ ତାଲିକା ବିଏଲ୍‌ଓଙ୍କ ଜରିଆରେ ପ୍ରଦାନ କଲେ ସେଗୁଡ଼ିକୁ ଯାଞ୍ଚ କରାଯାଇ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ
ଦିଆଯିବ।

ଏତଦ୍‌ବ୍ୟତୀତ ଭୋଟରମାନେ ଘରେ ବସି ମୋବାଇଲ୍‌ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କ ନାମ ଅଛି କି ନାହିଁ ଜାଣି ପାରିବେ। ନିର୍ବାଚନ ଆୟୋଗଙ୍କ େୱବ୍‌ସାଇଟ୍‌କୁ ଯାଇ ଭୋଟର ହେଲପ୍‌ଲାଇନ୍‌ ଆପ୍‌କୁ ବ୍ୟବହାର କରି ଫଟୋ ପରିଚୟ ପତ୍ରରେ ଥିବା ନମ୍ବରକୁ ବ୍ୟବହାର କଲେ ଭୋଟରଙ୍କ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି।

ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ବହୁଜନ ସମାଜ ପାର୍ଟିର ଓଡ଼ିଶା ଶାଖା ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କସିଷ୍ଟ)ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ ଓ ପ୍ରକାଶ ମିଶ୍ର, ଆମ୍‌ ଆଦ୍‌ମୀ ପାର୍ଟିର ସାଧାରଣ ସଂପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ଭୋଟ ଗଣତି ପାଇଁ ପ୍ରସ୍ତୁତି ବୈଠକ, ନିଆଗଲା ଏହି ପଦକ୍ଷେପ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣତି ସଂପର୍କରେ ଆଲୋଚନା କରିଥିଲେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି।

ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥି ଲାଗି ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଭାସୀ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌ ନର୍‌ୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମଥ୍‌ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ ରିଟର୍ଣ୍ଣିଂ କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଡି.ଆଇ.ଓ, ଏନ୍‌ଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଓଏସ୍‌ଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ୍ତ ଅଧିକାରୀ ସଂଜୟ କୁମାର ଲୁଗୁନ୍‌, ଆଇଟି ନୋଡାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ, ଭୋଟ ଗ୍ରହଣ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌, ୧୭ ନଭେମ୍ବର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ ତାରିଖ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ।

ଏଥର ପଦମ୍‌ପୁର ଉପନିର୍ବାଚନ ନିମନ୍ତେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ପରି ସକାଳ ୭ ଘଟିକାଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ପାଇଁ ନିର୍ବାଚନ ଆୟୋଗ ସମୟ ଧାର୍ଯ୍ୟ କରିଛନ୍ତି । ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା. ୦୧/୦୧/୨୦୨୨ରିଖ ସୁଦ୍ଧା ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି ।

ପଦମ୍‌ପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ଜଣାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଓ ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ ।

ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ ।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍‌ କରାଯିବା ସହ ଉତ୍ତେଳନାପ୍ରବଣ ବୁଥ୍‌ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଦମ୍‌ପୁର ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ(ଈଅPଏ)ଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଭୋଟଗ୍ରହଣ ଦିବସ ଅର୍ଥାତ୍‌ ଡିସେମ୍ବର ୫ ତାରିଖକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍‌ ସେଲର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା-୨୦୨୨, ଆପଣଙ୍କ ନାମ ଠିକ ଅଛି କି ନାହିଁ କେମିତି ଜାଣିବେ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା ।

ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮ ଲକ୍ଷ ୬୫ ହଜାର ୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨ ଲକ୍ଷ ୦୨ ହଜାର ୧୦୧ ଅର୍ଥାତ୍ ୬୪.୪୪ ପ୍ରତିଶତ ଦାବୀ ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ 6,63,469 ଅର୍ଥାତ୍ 35.56 ପ୍ରତିଶତ ଦାବୀ ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।

ଆଜି ଅର୍ଥାତ ୦୫ ଜାନୁୟାରୀରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ ଗୋଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।

ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର ୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜାର ୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩ ଲକ୍ଷ ୮୨ ହଜାର ୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪ ଲକ୍ଷ୧୦ ହଜାର ୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫ ଲକ୍ଷ ୨୩ ହଜାର ୭୪୪ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଜଣ ପୁରୁଷ  ଭୋଟର ଓ ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫  ଜଣ ମହିଳା ଭୋଟର ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩ କୋଟି ୨୫ ଲକ୍ଷ ୫୨ ହଜାର ୨୦୨ ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଜଣ ଭୋଟର ଅଛନ୍ତି। ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪ ପ୍ରତିଶତ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭ ପ୍ରତିଶତରେ ପହଞ୍ଚିଛି ।

୨୦୨୧ ମସିହାର ଚୂଡାନ୍ତ ଭୋଟର ତାଲିକା ରେ ୯୮.୬୬ ପ୍ରତିଶତ ଭୋଟରଙ୍କ ଫଟୋ ଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଚୂଡାନ୍ତ ଭୋଟର ତାଲିକା ରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୯୯.୭୪ ପ୍ରତିଶତ ହୋଇଛି ।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ସେହି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩ ଲକ୍ଷ ୩୮ ହଜାର ୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି ।

ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ମସିହାର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକ ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ୬୪% ରୁ ଅଧିକ ଭୋଟର ଆବେଦନ କରିଛନ୍ତି ।

ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ତଥା ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ www.ceoorissa.nic.in ରେ ତନଖି କରି ପାରିବେ ।

ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.inକୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର e-EPIC ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମାଳବିକା ହେଗେଡ୍‌ ହେଲେ ସିସିଡିର ନୂତନ ସିଇଓ

ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)କୁ ମିଳିଲା ନୂତନ ସିଇଓ । ସିସିଡିର ପ୍ରତିଷ୍ଠାତା ତଥା 60 ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂତନ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଥିଲେ।

ଗତ ବର୍ଷ ଜୁଲାଇ ମାସରେ ସିସିଡିର ପ୍ରତିଷ୍ଠାତ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ସିସିଡର ସ୍ବତନ୍ତ୍ର ବୋର୍ଡ ସଦସ୍ୟ ଏସ୍‌ବି ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ ରୂପେ କାର୍ଯ୍ୟ ଚଳାଉଥିଲେ । ତେବେ ପ୍ରାୟ ବର୍ଷ ପରେ ସିସିଡିର ନୂତନ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ନିଯୁକ୍ତି ପାଇଛନ୍ତି ।ଏଥିସହ କମ୍ପାନୀ ପକ୍ଷରୁ ଆଉ ତିନି ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚିତ କରାଯାଇଛି। ଆସନ୍ତା 2025 ଡିସେମ୍ବର 30 ପର୍ଯ୍ୟନ୍ତ ଏହି ବୋର୍ଡ କାର୍ଯ୍ୟକ୍ଷମ କରିବ ବୋଲି ଜଣାଯାଇଛି।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀଙ୍କୁ ଝଟ୍‌କା ଲାଗିଥିଲା ତାହା ନୁହେଁ କମ୍ପାନୀର ଭବିଷ୍ୟତ ପ୍ରତି ମଧ୍ୟ ପ୍ରଶ୍ନ ଉଠିଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀର ସେୟାର ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଥିଲା । ଏହା ପୂର୍ବରୁ ଫେବୃଆରୀ ତିନି ତାରିଖରେ କମ୍ପାନୀରୁ ବ୍ୟାପାର ନିଲମ୍ବନର ମଧ୍ୟ ସାମ୍ନା କରିବାକୁ ପଡିଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଅବିଶ୍ବାସ ହେଲେବି ସତ, ମାତ୍ର 1 ଡଲାରରେ କମ୍ପାନୀ କିଣିଲେ ସିଇଓ

ଓ୍ବେଲିଂଟନ୍‌ : ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ । ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ଦ୍ବାରା ପରିଚାଳିତ ଖବର ବିତରଣ କମ୍ପାନୀ ଷ୍ଟଫ୍‌ ପ୍ରିଣ୍ଟସ୍‌କୁ ବିକ୍ରି କରିବାର ନିଷ୍ପତ୍ତି ନେଇଛି ମ୍ୟାନେଜମେଣ୍ଟ । ଷ୍ଟଫ୍‌ ପ୍ରିଣ୍ଟସ୍‌ର ସିଇଓ ରହିଥିବା ସିନିଆଡ୍‌ ବାଉଚର୍‌ଙ୍କୁ ଏହି କମ୍ପାନୀ ବିକ୍ରୟ କରାଯିବା ନେଇ ଘୋଷଣା କରାଯାଇଛି । ଚଳି ମାସ ଶେଷ ସୁଦ୍ଧା ମାତ୍ର 1 ଡଲାର ବିନିମୟରେ କମ୍ପାନୀ ବାଉଚରଙ୍କ ନାମରେ ହୋଇଯିବ ।

ଉଲ୍ଲେଖଯୋଗ୍ୟ ଯେ, ଷ୍ଟଫ୍‌ ପ୍ରିଣ୍ଟସ୍‌ରେ 400 ସାମ୍ବାଦିକଙ୍କ ସମେତ 900 ଜଣ କାର୍ଯ୍ୟ କରନ୍ତି । କରୋନା ଲକ୍‌ଡାଉନ୍‌ ପୂର୍ବରୁ ଏହି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ତେବେ ସମ୍ପୂର୍ଣ୍ଣ କମ୍ପାନୀ ବାଉଚରଙ୍କୁ ହସ୍ତାନ୍ତର କରାଯାଇନାହିଁ । କିଛି ଅଂଶଧନ ନାଇନ୍‌ ନିଜ ପାଖରେ ରଖିଥିବା ବେଳେ ପ୍ରିଣ୍ଟିଂ ପ୍ରେସ୍‌ଟିକୁ ଲିଜ୍‌ରେ ପ୍ରଦାନ କରିଛି । ଫଳରେ ଭବିଷ୍ୟତରେ ଲାଭାଂଶରୁ କିଛି କମ୍ପାନୀକୁ ମିଳିପାରି ବୋଲି ନାଇନ୍‌ର ସିଇଓ ହ୍ୟୁଗ୍‌ ମାର୍କସ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ୟେସ୍‌ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ, ଜାଣନ୍ତୁ କିଏ?

ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍‌ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍‌ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏସ୍‌ବିଆଇର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସର ଏବଂ ସହକାରୀ ପରିଚାଳନା ନିର୍ଦ୍ଦେଶକଙ୍କୁ ଶନିବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନ୍‌ ଏକଜ୍ୟୁକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ସୁନୀଲ ମେହତାଙ୍କୁ ନନ୍‌ ଏକଜ୍ୟୁକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବରେ ଘୋଷଣା କରାଯାଇଛି । ସୁନୀଲଙ୍କ ବ୍ୟତିତ ଦୁଇ ବୋର୍ଡ ସଦସ୍ୟ ମହେଶ କ୍ରୀଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ନନ୍‌ ଏକଜ୍ୟୁକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବରେ ନିଯୁକ୍ତ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ମତ ରଖିଲେ ମାଇକ୍ରୋସପ୍ଟ ସିଇଓ : ଭାରତ ପାଇଁ ଏହା ଖରାପ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ ଜାହିର କରିଛନ୍ତି ସତ୍ୟ ନଡେଲା । ତାଙ୍କ ମତରେ ଶରଣାର୍ଥୀଙ୍କୁ ସୁଯୋଗ ମିଳିଲେ ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ଲାଭ ମିଳିବ । ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସିଏଏ ଭଲ ନୁହେଁ ବୋଲି ମତ ରଖିଛନ୍ତି ସତ୍ୟ ନଡେଲା । ସତ୍ୟ ନଡେଲା କହିଛନ୍ତି ଯେ,  ସିଏଏ, ଭାରତ ପାଇଁ ଅନୁକୂଳ ନୁହେଁ । ମୋତେ ଜଣେ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ଦେଖିବାର ଅଛି ଯେ, ଯିଏ ଭାରତ ଆସି ନିଜର ସକ୍ରିୟ ଯୋଗଦାନ ଦ୍ବାରା ଇନ୍‌ଫୋସିସ୍‌ର ଆଗାମୀ ସିଇଓ ହେଉଛନ୍ତି । ସତ୍ୟ ନଡେଲା ଭାରତର ସାଂସ୍କୃତିକ ଚଳଣିର ପ୍ରଶଂସା କରିବା ସହିତ କହିଛନ୍ତି ଯେ, ଭାରତରେ ଷ୍ଟାର୍ଟ-ଅର୍ପ ଆରମ୍ଭ କରାଯାଇ ଏକ ଏମ୍‌ଏନସିର ନେତୃତ୍ବ ନେଇହେବ। ଯାହା ଦ୍ୱାରା ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ବଡ଼ ଲାଭ ପହଞ୍ଚାଇବ ।

Categories
ବିଶେଷ ଖବର

ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଓ ଅବିଶ୍ବାସର ଉର୍ଦ୍ଧ୍ଵରେ ନ ରହିଲେ ଗଣତନ୍ତ୍ର ଅନ୍ଧକାରଆଡକୁ ଚାଲିଯିବ ନିଶ୍ଚୟ

କେଦାର ମିଶ୍ର

ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ ଭୋଟିଂ ମେସିନ କୁ ଦୋଷ ନଦେବାକୁ ଉପଦେଶ ଓ ପରାମର୍ଶ ମଧ୍ୟ  ଦିଆଯାଏ। ତେବେ ବିରୋଧୀ କଣ ସତରେ ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଭୋଟିଂ ମେସିନ ଓ ନିର୍ବାଚନ କମିଶନକୁ ଦୋଷ ଦେଉଛନ୍ତି। ଆଜି ଯେତେବେଳେ ଦେଶର ସବୁ ଗଣମାଧ୍ୟମ ଘୋଷଣା କରିସାରିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିପୁଳ ଆସନ ପାଇ ଜୟଯୁକ୍ତ ହୋଇସାରିଛନ୍ତି, ସେତେବେଳେ ବିରୋଧୀ ହାରି ସାରିଛନ୍ତି ଓ ହାରିବାର ପ୍ରତିକ୍ରିୟାରେ ଭୋଟିଂ ମେସିନ ଉପରେ ରାଗ ଅଜାଡୁଛନ୍ତି ବୋଲି ମାନିନେବା ଛଡା ଆଉ ବା ବାଟ କଣ ଅଛି? ୨୩ ତାରିଖ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପିରେ ଭୋଜିଭାତ ଆରମ୍ଭ ହୋଇଗଲାଣି। କଂଗ୍ରେସ ଶିବିର ନୀରବ। ତୃତୀୟ ସାମ୍ମୁଖ୍ୟ ଏବେ ହଜିଯାଇଛି। ଏବେ ଲାଗୁଛି, ଆଉ ୨୩ ରେ ଫଳ ଘୋଷଣା କରିବାର ଆବଶ୍ୟକତା କଣ? ଏକଜିଟ ପୋଲ କହିଛି, ମୋଦୀ ଜିତିଛନ୍ତି ମାନେ, ସେ ଜିତିଛନ୍ତି। ଶୁଣିବାକୁ ମିଳୁଛି, ମଇ ୨୬ ରେ କୁଆଡେ ନରେନ୍ଦ୍ର ମୋଦୀ ନିଜର “ମନ କି ବାତ” କହିବେ ଓ ୨୮ ତାରିଖରେ ଶପଥ ନେବେ। ଫଳ ବାହାରିବା ପୂର୍ବରୁ ଫଳ ପ୍ରଘଟ ହୋଇ ସାରିଛି।

ଜଣେ ନାଗରିକ ଭାବରେ ଏହା ହିଁ ଆମ ଲାଗି ଚିନ୍ତାର ବିଷୟ। ଶାସନରେ ଥିବା ଦଳ ଯେତେବେଳେ ଫଳ ବାହାରିବା ଆଗରୁ ଫଳ ଜାଣିଯିବାର ସୂଚନା ଦିଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଉଠିବା ସ୍ଵାଭାବିକ। ଯଦି ନିର୍ବାଚନ ପ୍ରକ୍ରିୟା ଏତେ ଗୋପନୀୟ, ତେବେ ଶାସକ ଦଳ ହଠାତ ଏକ୍ଜିଟ ପୋଲ କୁ ନେଇ ଏତେ ଉଲ୍ଲସିତ କେମିତି? ତା ସହିତ ଆଉ ଗୋଟେ କଥା ମଧ୍ୟ କହିବା ଉଚିତ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରେ ମଧ୍ୟ କଂଗ୍ରେସ ଭୋଟିଂ ମେସିନ ଓ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇଛି। ଚଳିତ ନିର୍ବାଚନ ତାରିଖ ଘୋଷଣାରେ ଅହେତୁକ ବିଳମ୍ବ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ସେନାବାହିନୀର ନିର୍ବାଚନୀ ବ୍ୟବହାର କରିବା ଉପରେ କମିଶନଙ୍କ ନୀରବତା, ଅନେକଙ୍କୁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏପରିକି ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ପ୍ରତିବାଦ ଓ ଭିନ୍ନମତକୁ କମିଶନ ରେକର୍ଡ କରିନାହାନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଉପଗ୍ରହ ନଷ୍ଟ କରିପାରୁଥିବା କ୍ଷେପଣାସ୍ତ ର ପ୍ରୟୋଗ କୁ ନେଇ ନିଜର ପ୍ରଥମ ନାଟକ ଆରମ୍ଭ କଲେ। ପାଞ୍ଚ ବର୍ଷ ଭିତରେ ଆମର ବୈଜ୍ଞାନିକ ସଫଳତା ବିଷୟରେ କହିବାକୁ ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ସୁଯୋଗ ଦେଲା। ମାଗଣାରେ ଓ ଲୋକଙ୍କ ଖର୍ଚ୍ଚ ରେ ମୋଦୀ ନିଜ ଦଳର ପ୍ରଚାର କଲେ। ସେଇଠୁ ନିର୍ବାଚନ କମିଶନଙ୍କ ଧୃତରାଷ୍ଟ୍ର ଭୂମିକା ଆମେ ଦେଖି ଆସୁଛୁ। ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବେଳେ ତାଙ୍କୁ ନିର୍ବାଚନ କମିଶନ ହାତ ଯୋଡି ବସି ରହିଲେ। ଏହାର ପରିଣତିରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଘେରକୁ ଚାଲିଆସିଲା।

ଏକ୍ଜିଟ ପୋଲ ଘୋଷଣା ହେବା ପରେ ପରେ ହଠାତ ଅନେକ ଗୁଡିଏ ଭୋଟିଂ ମେସିନ ରାସ୍ତା ଘାଟରେ ବୁହା ହେଉଥିବାର ଦେଖିବାକୁ ମିଳିଲା। ଏହାର ସ୍ପଷ୍ଟୀକରଣ ଦେଇ କମିଶନ କହିଲେ, ସେ ସବୁ ଅବ୍ୟବହୃତ ମେସିନ। ତେବେ ଅବ୍ୟବହୃତ ମେସିନ କୁ କେମିତି ରଖାଯିବ ଓ ତାର ପରିବହନ କେମିତି କରାଯିବ, ତାହାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସଶସ୍ତ୍ର ପୋଲିସର ଷ୍ଟ୍ରଙ୍ଗ ରୁମରେ ଅବ୍ୟବହୃତ ମେସିନ ରହିବା କଥା। ବେସରକାରୀ ଗାଡିରେ ଏ ସବୁ ମେସିନ ହଠାତ ଆବିର୍ଭୂତ ହେଲେ କାହିଁକି? ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ମୋଦୀ ଯେହେତୁ ଜିତି ସାରିଛନ୍ତି, ଆଉ କାହାକୁ କିଛି ପ୍ରଶ୍ନ କରିବା ଆଉ ସମ୍ଭବ ନୁହେଁ। ବିଜେପିର ମୁଖପାତ୍ର ଅର୍ଣ୍ଣବ ଗୋସ୍ଵାମୀଙ୍କ “ରିପବ୍ଲିକ” ଚାନେଲ ଏବେ କହିଲାଣି, ସାରା ଭାରତ କୁଆଡେ ନିର୍ବାଚନ କମିଶନଙ୍କ ସାଙ୍ଗରେ ଠିଆ ହୋଇଛି। ତେବେ ଭାରତ କହିଲେ, ଭାରତରେ ବିରୋଧୀ ଦଳ ବି ଅଛନ୍ତି, ଏ କଥା ଭକ୍ତମାନଙ୍କୁ ଆଉ ବୁଝାଇ ହେବନାହିଁ।

ପୃଥିବୀର ସବୁଠୁ ଉନ୍ନତ ଦେଶ ଆମେରିକା ସମେତ ୟୁରୋପରେ ମଧ୍ୟ ବାଲାଟ କାଗଜରେ ଆଜି ମଧ୍ୟ ଭୋଟଦାନ ହେଉଛି। କେବଳ ଭାରତ ନିଜକୁ ଅତ୍ୟନ୍ତ ଚତୁର ଓ  କୁଶଳୀ ଭାବି ଆମ ନିର୍ବାଚନର ସବୁଠୁ ମୁଖ୍ୟ ବ୍ୟବସ୍ଥାକୁ ଭୟଙ୍କର ଅବିଶ୍ଵାସ ଓ ସନ୍ଦେହ ଘେରରେ ରଖିଛି। ଏଠି କହିରଖିବା ଉଚିତ ହେବ ଯେ, ବର୍ଷ ବର୍ଷ ଧରି ଭୋଟିଂ ମେସିନ ଉପରେ ଯେଉଁ ସନ୍ଦେହର କଳା ବାଦଲ ରହିଛି, ତାହାର ପ୍ରତିକ୍ରିୟା ଆଦୌ ଶୁଭଂକର ହେବନାହିଁ। ପ୍ରତ୍ୟେକ ନିର୍ବାଚିତ ସରକାର ସନ୍ଦେହ ଓ ଅବିଶ୍ବାସର ଘେରରେ ରହିବେ। ତୁରନ୍ତ ଯଦି ଏହାର ସମାଧାନ ସୂତ୍ର ନ ବାହାରେ, ଗୋଟେ ସମୟରେ ଏହା ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହୋଇ ଠିଆ ହେବ।

ଭୋଟ ଗଣତିର ଆଗୁଆ ସୂଚନା ପାଇଁ ଲଗ ଅନ କରନ୍ତୁ   https://thesamikhsya.com , ଆସନ୍ତାକାଲି ସକାଳ 8 ଟାରୁ

 

Categories
ଆଜିର ଖବର

ଟ୍ବିଟ୍ଟର ସିଇଓଙ୍କ ସହିତ ଟ୍ରମ୍ପଙ୍କ ଆଲୋଚନା

ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ ଡର୍ସିଙ୍କ ସହିତ ଆଲୋଚନା କରିଥିଲେ ଟ୍ରମ୍ପ। ମଙ୍ଗଳବାର ଡର୍ସିଙ୍କ ସହିତ ଆଲୋଚନା କରିଥିବା ନେଇ ଏକ ଫଟୋ ଟ୍ବିଟ୍ଟରରେ ସେୟାର କରିଥିଲେ ଟ୍ରମ୍ପ। ଟ୍ରମ୍ପ ଲେଖିଥିଲେ ଜ୍ୟାକ୍‌ଙ୍କ ସହିତ ବିଶ୍ବରେ ସୋସିଆଲ ମିଡିଆର ପ୍ରଭାବ ନେଇ ବିସ୍ତୃତ ଆଲୋଚନା। ଏହି ବୈଠକରେ ହ୍ବାଇଟ୍‌ ହାଉସ୍‌ର ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ୍‌ ସ୍କେଭିନୋ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତିତ ଟ୍ବିଟ୍ଟରର ଆଇନ ଏବଂ ସୁରକ୍ଷା ସେଲ୍‌ ମୁଖ୍ୟ ବିଜୟା ଗାଡ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବରରେ ଟ୍ବିଟ୍ଟର ତାଙ୍କର ଫଲୋଅରଙ୍କୁ ହଟାଉଛି ବୋଲି ଅଭିଯୋଗ ବାଢିଥିଲେ ଟ୍ରମ୍ପ।

Categories
ବିଶେଷ ଖବର

ସଂବିତ ପାତ୍ରଙ୍କ ଶ୍ରୀଜଗନ୍ନାଥ ରାଜନୀତି, ଓଡିଶା ଓ ଓଡିଆଙ୍କ ଲାଗି ଏକ ସାମାଜିକ ସଙ୍କଟର ପ୍ରଶ୍ନ

କେଦାର ମିଶ୍ର

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି ,ମୋଦିଜୀ ପଠାଇଛନ୍ତି।

ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଆମେ ଗଢି ତୋଳିବୁ।

ପୁରୀ ବ୍ରହ୍ମଗିରି ରାସ୍ତାରେ ଏମିତି ସ୍ଲୋଗାନ ଲେଖାଥିବା କିଛି ପୋଷ୍ଟର ଓ ବ୍ୟାନର ଲାଗିଛି। ଏ ପୋଷ୍ଟରର ନାୟକ ହେଉଛନ୍ତି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀମାନ ସଂବିତ ପାତ୍ର । ଯେବଠୁ ସଂବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା ହେଲାଣି, ସେବଠୁ ସଂବିତ ପାତ୍ର ଆମ ସମସ୍ତଙ୍କ ଲାଗି ମନୋରଞ୍ଜନର ଏକ ମାଗଣା ପ୍ୟାକେଜ ଭାବରେ କାମ କରି ଚାଲିଛନ୍ତି। କେଉଁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧରି ନିର୍ବାଚନ ପ୍ରଚାର କଲେଣି ତ ଆଉ କେଉଁଠି ରାସ୍ତାରେ ଗଡିଲେଣି। ମୁଣ୍ଡିଆ ମାରି ମାରି ତାଙ୍କ କପାଳ ଏକ ପ୍ରକାର ଘୋରି ହୋଇଗଲାଣି। ପୁରୀ ସଦର ନିର୍ବାଚନ ମଣ୍ଡଳୀର ଜମାରସୁଆଁ ଗାଁରେ ଜଣେ ବୟସ୍କ ଭୋଟର ଆମକୁ କହିଥିଲେ, ସେ ଲୋକଟି (ସଂବିତ ପାତ୍ର) ବଡ ବିକଳ ହେଉଛନ୍ତି। ତେବେ ସମ୍ବିତଙ୍କ ଏ ପ୍ରକାର ନାଟକର ବହୁ ସମର୍ଥକ ମଧ୍ୟ ଅଛନ୍ତି। ଯେଉଁମାନେ ଜାତୀୟ ଟେଲିଭିଜନରେ ସମ୍ବିତଙ୍କ ବିତର୍କ ଦେଖିଛନ୍ତି, ସେମାନଙ୍କ ଲାଗି ସଂବିତ ଏକ ପ୍ରକାର ହିରୋ। ସମ୍ବିତଙ୍କ ପ୍ରଚାର କୌଶଳର ଏକ ମୁଖ୍ୟ ଉପାଦାନ ହେଉଛି ଧର୍ମ। ତାଙ୍କର ପ୍ରାୟ ବ୍ୟାନରରେ ଲେଖା ହୋଇଛି ଯେ “ପୁରୀ କୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ।“ ଏ ପ୍ରକାର ସ୍ଲୋଗାନ ଓ ପ୍ରତିଶୃତି ଦେଖିଲାପରେ ପ୍ରଥମ ପ୍ରଶ୍ନ ମନକୁ ଆସୁଛି- ଆଧ୍ୟାତ୍ମିକତା କଣ ଏକ ରାଜ୍ୟ ନା ଦେଶ ? ଆଧ୍ୟାତ୍ମିକତାର ଏକ ରାଜଧାନୀ ପୁଣି କଣ ? ପୁରୀ ଯଦି ଆଧ୍ୟାତ୍ମିକତା ର ରାଜଧାନୀ ହୁଏ ବାରାଣାସି ବା ଦ୍ଵାରକା କଣ ଆଧ୍ୟାତ୍ମିକତାର ଜିଲା ବା ତହସିଲ ହେବେ କି ?

ରାଜନୀତିରେ ସବୁ ଉଦ୍ଭଟତାକୁ ବାସ୍ତବ ବୋଲି ଉପସ୍ଥାପନ କରାଯାଇପାରେ। ସଂବିତ ପାତ୍ର ତାଙ୍କ ପ୍ରଚାରରେ ସେୟା କରିଚାଲିଛନ୍ତି। ତାଙ୍କ କଥାରେ ଆନ୍ତରିକତା କମ, ନାଟକୀୟତା ବେଶୀ। ପୁରୀ ଜିଲ୍ଲାର ଅନେକ ଗାଁ ଅଛି, ଯେଉଁଠି ପାତ୍ରଙ୍କୁ କେହି ଦେଖିନାହାନ୍ତି। କିନ୍ତୁ ପାତ୍ରଙ୍କ ପ୍ରଚାରତନ୍ତ୍ର ଏମିତି କହୁଛି, ଯେମିତି ସେ ପୁରୀର ଘରେ ଘରେ ପହଞ୍ଚି ସାରିଛନ୍ତି। ଓଡିଆରେ ଆମର ଗୋଟେ କଥା ଅଛି- କିଛି ବଡକୁହା ଅଛନ୍ତି, ଯେଉଁମାନେ କୁଆ ଉଡିଗଲେ, ଛୁଆ ଉଡିଗଲା ବୋଲି କହନ୍ତି। ସଂବିତ ସେ ପ୍ରକାର କଳାରେ ବେଶ ଧୁରନ୍ଧର। ପୁରୀ ଜିଲାର ରାଜନୀତିରେ ଭାରତୀୟ ଜନତା ପାର୍ଟିର ପ୍ରଭାବ ଆଜି ମଧ୍ୟ ସୀମିତ। ହେଲେ ପ୍ରଚାର ଓ ହୋ ହଲ୍ଲା ଜରିଆରେ ବିଜେପି ପୁରୀର ସହରୀ ମଧ୍ୟବିତ୍ତ ଓ ବିଜେଡ଼ିର ଅସନ୍ତୁଷ୍ଟଙ୍କ ପ୍ରିୟଭାଜନ ହେବା ଆରମ୍ଭ କରିଛି। ଇତି ମଧ୍ୟରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ବିଜେପିର ଲୋକପ୍ରିୟତା କିଛିଟା ବଢିଛି। ବ୍ରହ୍ମଗିରିରେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିରେ ଯୋଗ ଦେଇଥିବାରୁ ସ୍ଵାଭାବିକ ଭାବରେ କଂଗ୍ରେସ ଭୋଟ ଏବେ ବିଜେପି ହାତକୁ ଆସିଛି। ଲୁଲୁଙ୍କ ପ୍ରତି ରହିଥିବା ଭଲପାଇବାର ଲାଭ ବିଜେପିକୁ ଏଠାରେ ମିଳୁଛି। ଏଥିରେ ବିଜେପିର ପ୍ରଭାବ ବା ସଂବିତ ପାତ୍ରଙ୍କ ବ୍ୟକ୍ତିତ୍ବର ବିଶେଷ ଅବଦାନ ନାହିଁ।

ତେବେ ଆରମ୍ଭରୁ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ, ଏବେ ସେଇ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ। ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ନିର୍ବାଚନରେ କୌଣସି ଧାର୍ମିକ ପ୍ରସଙ୍ଗ ଓ ସଙ୍କେତର ବ୍ୟବହାର କାରାଯାଇପାରିବ ନାହିଁ।  କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ସଂବିତ ନିଜ ପ୍ରଚାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଓ ନାମକୁ ବ୍ୟବହାର କରୁଛନ୍ତି। “ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି, ମୋଦିଜୀ ପଠାଇଛନ୍ତି” ବୋଲି କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମର ରାଜନୈତିକ ବ୍ୟବହାର କରିବା। ଏ ପ୍ରସଙ୍ଗରେ ବହୁ ବିଳମ୍ବରେ ନିର୍ବାଚନ କମିଶନ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ଧାର୍ମିକତା ର ଅପପ୍ରୟୋଗ ସମ୍ବିତଙ୍କ ଲାଗି ନୂଆ ନୁହଁ। ଅନ୍ୟ ଧର୍ମ ପ୍ରତି ହିଂସ୍ର ଓ ଅସୂୟାମୂଳକ ଟିପ୍ପଣୀ ଦେବାର ଏକ କଳଙ୍କିତ ଇତିହାସ ତାଙ୍କ ନାମରେ ରହିଛି। ଭାରତୀୟ ଜନତା ପାର୍ଟିର ଜାତୀୟ ପ୍ରବକ୍ତା ଭାବରେ ଅନ୍ୟ ଧର୍ମକୁ ନିନ୍ଦିତ କରିବା ଓ ବିଶେଷ କରି ଇସଲାମ ବିରୋଧରେ ଘୃଣା ସୃଷ୍ଟି କଲାପରି ବହୁ ମନ୍ତବ୍ୟ ଶ୍ରୀ ପାତ୍ର ଦେଇଥାନ୍ତି। ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଶବ୍ଦ ପ୍ରୟୋଗ କରିବାରେ ମଧ୍ୟ ତାଙ୍କର ଦକ୍ଷତା ବେଶ ଜଣାଶୁଣା।

ସଂବିତ ନାଟକବାଜିରେ ବେଶ ପାରଙ୍ଗମ ହୋଇଥିବାବେଳେ ତାଙ୍କର ଦୁଇ ପ୍ରତିଯୋଗୀ ବିଜେଡ଼ିର ପିନାକୀ ମିଶ୍ର ଓ କଂଗ୍ରେସର ସତ୍ୟ ନାୟକ, ନିଜ ଉଚ୍ଚାରଣରେ ଅତ୍ୟନ୍ତ ମାର୍ଜିତ। ଏ ଦୁହିଙ୍କୁ ନାଟକ କରିବାର କଳା କୌଶଳ ଜଣାନାହିଁ। ଧର୍ମକୁ ନେଇ ପିନାକୀ ବା ସତ୍ୟ ସଂବିତ ପାତ୍ରଙ୍କ ସ୍ତରକୁ ଖସି ପାରିବେ ନାହିଁ। ତେବେ ଭୋଟ ରାଜନୀତିରେ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କୁ ଯିଏ ବି ଟାଣିଛି, ସେ ଓଡିଶାବାସୀଙ୍କର ପ୍ରତ୍ୟାଖ୍ୟାନ ସହିବାକୁ ବାଧ୍ୟ ହୋଇଛି। ସର୍ବ ଧର୍ମ ଓ ସବୁ ପନ୍ଥାର ମହା ସମନ୍ଵୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭୋଟ ମାଗିବାର ମାଧ୍ୟମ ବୋଲି ମନେ କରିବାର ଭୁଲ ଯୋଗୁଁ, ସଂବିତ ପାତ୍ର ଓ ତାଙ୍କର ବିଜେପିକୁ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ପଡିପାରେ!!

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

କାଳିଆ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ସିଇଓଙ୍କ ନିକଟରେ ଫେରାଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ ପରେ ଏହି ଯୋଜନାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ନବୀନ। ଲୋକେ ଏହାର ଦୃଢ ଜବାବ ଦେବେ। ପୂର୍ବରୁ ଏହି ଯୋଜନା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଥିଲା, କିନ୍ତୁ ବିଜେପିର ଅଭିଯୋଗ ପରେ  ଆଦର୍ଶ ଆଚରଣ ଭଙ୍ଗ ନେଇ ଏହି ଯୋଜନା ଉପରେ ନିର୍ବାଚନ କମିଶନ ଅଙ୍କୁଶ ଲଗାଇଥିଲେ। ପୂର୍ବରୁ ବିଜେଡ଼ି ତରଫରୁ କାଳିଆ ଯୋଜନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଆଜି ଖୋଦ୍‌ ବିଜେଡି ସୁପ୍ରିମୋ କାଳିଆ ଯୋଜନା ପାଇଁ ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଗୁଗୁଲ୍‌ ଇଣ୍ଡିଆ ସିଇଓଙ୍କ ଇସ୍ତଫା

ଗୁଗୁଲ୍‌ ଇଣ୍ଡିଆ ସିଇଓ ତଥା ଦକ୍ଷିଣ ପୂର୍ବ ଏସିଆର ଉପ ସଭାପତି ରାଜନ ଆନନ୍ଦନଙ୍କ ଇସ୍ତଫା। ଭାରତୀୟ ବଜାରରେ ପୂର୍ଣ୍ଣକାଳୀନ ନିବେଶ ଏବଂ ଷ୍ଟାର୍ଟଅପ୍‌ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ସେ ଅବସର ଗ୍ରହଣ କରିଛନ୍ତି ବାେଲି ଜଣାପଡିଛି। ୨୦୧୧ରେ ଗୁଗୁଲ୍‌ରେ ଯୋଗ ଦେଇଥିଲେ ରାଜନ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ନିଜର ଡିଗ୍ରୀ ହାସଲ କରିଥିବା ରାଜନଙ୍କ ସ୍ଥାନରେ ନିର୍ଦ୍ଦେଶକ ବିକାଶ ଅଗ୍ନିହୋତ୍ରୀ ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି। ଚଳିତ ଏପ୍ରିଲ୍‌ ମାସର ଶେଷ ଭାଗରେ ରାଜନ୍‌ କମ୍ପାନୀ ଛାଡିବେ ବୋଲି ଗୁଗୁଲ୍‌ ଏସିଆ ପାସିଫିକ୍‌ ସଭାପତି ସ୍କଟ୍‌ ବିଉମୋଣ୍ଟ ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି : ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ୨୩ରେ ନିର୍ବାଚନ

ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ଲୋକ ସଭା ଆସନ ମଧ୍ୟରେ ରହିଛି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଏବଂ ଭୁବେନଶ୍ବର। ଏପ୍ରିଲ୍‌ ୪ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଏପ୍ରିଲ୍‌ ୨୩ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୭ଟି ସ୍ଥାନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବାର ଥିବାବେଳେ ୩୫ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

କାଳିଆ ବନାମ କିଶାନ :  ଉଭୟ ବିଜେଡ଼ି ଓ ବିଜେପି ପରସ୍ପର ଉପରେ ଦୋଷ ଲଦାଲଦି

ରାଜ୍ୟ ସରକାରଙ୍କ କୃଷି ଓ କୃଷକମାନଙ୍କ ପାଇଁ ‘କାଳିଆ ଯୋଜନା’ର ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ବିଜେଡ଼ିକୁ ଟାର୍ଗେଟ କରୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ  ବିଜେପି ଚାପଗ୍ରସ୍ତ ହୋଇ ‘କାଳିଆ’ ସହାୟତାକୁ ବିରୋଧ କରୁଛି। ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପିଏମ୍‌ କିଷାନର ଯଥେଷ୍ଟ ଆଗରୁ କାଳିଆ ଯୋଜନା ଆସିଛି ବୋଲି କହିଛନ୍ତି ସସ୍ମିତ।  ବିଜେପି ଏବେ ଚାଷୀ ମାରଣ ନୀତିକୁ ଆପଣାଇଛି। ବିଜେପିର ଚାପରେ ସିଇଓ କାଳିଆ ଟଙ୍କାକୁ ଅଟକାଉଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରୁଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଶାସନିକ ସ୍ତରରେ ଏନେଇ ଅନୁମତି ନିଆଯାଇଥିବା ସତ୍ତ୍ବେ କାଳିଆ ଟଙ୍କାକୁ ଅବରୋଧ କରାଯିବାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ପିଏମ୍‌ କିଷାନ ଯୋଜନାକୁ ଅନୁମତି ମିଳୁଥିବାବେଳେ କାଳିଆକୁ ଅନୁମତି ନ ମିଳିବାକୁ ନେଇ ଇସିଙ୍କ ଦ୍ବାରସ୍ଥ ହେବେ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Categories
ଆଜିର ଖବର

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା : ନିର୍ବାଚନରେ ଲଢିବାପାଇଁ ଅଯୋଗ୍ୟ ଘୋଷିତ କରିବାକୁ ବିଜେପିର ଦାବି

ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ। ଗତକାଲି ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମାଳ ଗାଁରେ ଆୟୋଜିତ ଏକ ସଭାରେ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅଫର ଦେଇଥିବା ଅଭିଯୋଗ ହୋଇଥିଲା। ସେ କହିଥିଲେ, ସାଲେପୁରର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଏହି ଅର୍ଥ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଶାସକ ଦଳର ମନ୍ତ୍ରୀ ଏଭଳି ଲାଞ୍ଚ ଯାଚିବା ଅପରାଧ। ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମନ୍ତ୍ରୀଙ୍କୁ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଅସିଦ୍ଧ ଘୋଷଣା କରାଯିବା ଉଚିତ। ଏହା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି।

Categories
ଆଜିର ଖବର

୪ଟି ପର୍ଯ୍ୟାୟ ନିର୍ବାଚନକୁ ବିରୋଧ କଲା ବିଜେଡି : ନିର୍ବାଚନ କମିସନ ବିଜେପି ଦ୍ବାରା ପ୍ରଭାବିତ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା । ଅଧିକ ଆସନ ଥିବା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ଏପରି କରାଯାଇଛି। ରାଜ୍ୟର ନିର୍ବାଚନ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେପି ଦ୍ବାରା ସିଇଓ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଆନ୍ଧ୍ର ଓ ଗୁଜୁରାଟରେ ଅଧିକ ଆସନ ଥାଇ ବି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ବିଜେପି ଦୁର୍ବଳ ଥିବା ରାଜ୍ୟରେ ଅଧିକ ପର୍ଯ୍ୟାୟର ନିର୍ବାଚନ ହେଉଛି ବୋଲି ଅମର ପଟ୍ଟନାୟକ କହିଛନ୍ତି ।