Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟରେ ୭୧.୬୧ ପ୍ରତିଶତ ମତଦାନ

ଗତକାଲି ସମାପ୍ତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ଏହି ମତଦାନରେ କେନ୍ଦୁଝରରେ ସର୍ବାଧିକ ପୁଲିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ପୁଲିଂ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ଭୋଟ ପଡିଛି। ସମ୍ବଲପୁରରରେ ୭୬.୩୮ ପ୍ରତିଶତ ମତଦାନ ହାର ରହିଥିବା ବେଳେ ଢେଙ୍କାନାଳରେ ୭୪.୯୮ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ନିର୍ବାଚନ : ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍‌ ଅଛନ୍ତି। ସେହିପରି ନିର୍ବାଚନରେ ୫୯,୫୦୦ ପୋଲିଂ ଅଧିକାରୀ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ୧୦ ହଜାର ୪୬୪ଟି ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ ୩,୧୮୬ଟି ସମ୍ବେଦନଶୀଳ ବୁଥ ରହିଛି। ନିର୍ବାଚନ ସୁରକ୍ଷା ପାଇଁ ୬୦୦ଟି ବୁଥରେ ସିଏପିଏଫ୍‌ ଫୋର୍ସ ନିୟୋଜିତ କରାଯାଇଛି।

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ୍‌ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର ୯୫ଟି ଆସନ ଉପରେ ମତଦାନ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟର ସମସ୍ତ ୨୬ଟି ଆସନ, କେରଳର ସମସ୍ତ ୨୦ଟି ଆସନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୧୪ଟି ଆସନ, ଉତ୍ତରପ୍ରଦେଶର ୧୦ଟି ଆସନ, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି ଆସନ,  ବିହାର ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ ଆସନ, ଆସାମରେ ୪ଟି, ଗୋଆରେ ଦୁଇଟି, ଜମ୍ମୁକାଶ୍ମୀର, ତ୍ରିପୁରା, ଦାଦ୍ରା ନଗର ହାବେଳୀ, ଡାମନ୍‌ ଏବଂ ଡିୟୁରେ ଗୋଟିଏ ଲେଖାଏଁ ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ତେବେ ତୃତୀୟ ପର୍ଯ୍ୟାୟରେ ୧୧୬ଟି ଆସନରେ ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଗୁଜୁରାଟରୁ ଗାନ୍ଧିନଗର, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି କେରଳର ଓ୍ବାୟନାଡରୁ, ସପା ନେତା ମୁଲାୟମ୍‌ ସିଂହ ଯାଦବ ଉତ୍ତରପ୍ରଦେଶ ମୈନପୁରୀରୁ, ଜୟାପ୍ରଦା ଓ ଆଜମ୍‌ ଖାନ୍‌ ୟୁପିରୁ ରାମପୁରରୁ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ୧୧୬ଟି ଆସନରୁ ପାଖାପାଖି ୧୬୨୨ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୪ରେ  ତୃତୀୟ ପର୍ଯ୍ୟାୟରେ ୬୮.୪୩%  ମତଦାନ ହୋଇଥିଲା। ଓଡ଼ିଶାର ୬ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହି ଆସନ ଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। ଏହା ସହିତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାରେ ଦୁଇ ପ୍ରମୁଖ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହେବ। ୭ଟି ପର୍ଯ୍ୟାୟ ବିଶିଷ୍ଟ ମତଦାନରେ ଅନ୍ତିମ ପର୍ଯ୍ୟାୟ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ଏବଂ ଭୋଟ୍‌ଗଣତି ମେ ୨୩ ତାରିଖରେ କରାଯିବ।

Categories
ଆଜିର ଖବର

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟର ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରଚାର ଶେଷ

ପଶ୍ଚିମବଙ୍ଗର ତିନିଟି ଜିଲ୍ଲାରେ ପାଞ୍ଚଟି ଲୋକସଭା ଆସନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏପ୍ରିଲ ୨୩ ରେ ପାଞ୍ଚଟି ଲୋକସଭା ଆସନ ବାଲୁରାଘାଟ,ଉତ୍ତର ମାଲଦା,ଦକ୍ଷିଣ ମାଲଦା ,ଜାଙ୍ଗିପୁର ଏବଂ ମୁର୍ଶିଦାବାଦ ରେ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ରେ ଭାରତୀୟ ଜନତା ପାର୍ଟି ,ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ,ଭାରତୀୟ ଜାତୀୟ କଂଗ୍ରେସ ଏବଂ ବାମ ପନ୍ଥୀ ଦଳ ଗୁଡିକ ନିଜର ପ୍ରାର୍ଥୀ ଦେଇଛନ୍ତି। ଏହି ପାଞ୍ଚଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବାମପନ୍ଥୀ ଦଳଗୁଡିକ ର ଶୀର୍ଷ ନେତାଗଣ ହାଇଭୋଲଟେଜ୍‌ ପ୍ରଚାର କରିଛନ୍ତି । ତେବେ ଏହି ହାଇଭୋଲେଟେଜ୍‌ ପ୍ରଚାର କେବଳ ମୋଦୀ ଏବଂ ମମତା ମଧ୍ୟରେ ସୀମିତ ରହିଛି। ଦୁର୍ନୀତିରୁ ନେଇ ଜାତିଆଣ ବାଦ, ଏନଆରସି ରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତିରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ଥିବା ମୁଦ୍ଦାଗୁଡିକୁ ଦଳମାନେ ପ୍ରଚାରରେ ସାମିଲ କରିଛନ୍ତି।  ତୃଣମୂଳ କଂଗ୍ରେସ ମୁଖ୍ୟ ମୋଦୀଙ୍କୁ ହରାଇବାକୁ ଆହ୍ଵାନ ଦେଇଥିବା ବେଳେ ମୋଦୀ ମଧ୍ୟ ତାଙ୍କ ଦଳ ସପକ୍ଷରେ ମତଦାନ କରିବାକୁ ଲୋକଙ୍କୁ କହିଛନ୍ତି।

ବାଲାଘାଟରେ ପ୍ରମୁଖ ସ୍ରୋତରେ ଥିବା ଦଳ ଯଥା ଏଆଇଟିଏମ୍‌ସି, ବିଜେପି, ,ଆରଏସ୍‌ପି, କଂଗ୍ରେସକୁ ମିଶାଇ ୧୩ ଜଣ ପ୍ରତିଯୋଗୀ ରହିଛନ୍ତି। କିନ୍ତୁ ମୁଖ୍ୟ ଲଢେଇ ଟିଏମ୍‌ସି ଓ ବିଜେପି ମଧ୍ୟରେ ହେବ। ୨୦୧୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅର୍ପିତା ଘୋଷ ରିଭଲ୍ଯୁସନାରୀ ସୋସିଆଲିଷ୍ଟ ପାର୍ଟି ର ବିମଲେନ୍ଦୁ ସରକାରକୁ ହରାଇ ସେହି ନିର୍ବାଚନ ମଣ୍ଡଳୀକୁ  ବାମପନ୍ଥୀ ଙ୍କ ହାତ ରୁ ଛଡାଇ ଆଣିଥିଲେ। ରିଭଲ୍ଯୁସନାରୀ ସୋସିଆଲିଷ୍ଟ ପାର୍ଟି ସେହି ଆସନ କୁ ନିଜ କବ୍ଜା ରେ ରଖିଥିଲା ଯାହା ୧୯୭୭ ରୁ ୨୦୦୯ ଯାଏଁ ଜନଜାତି ପ୍ରାର୍ଥୀ ପାଇଁ ସଂରକ୍ଷିତ ଥିଲା। ପୂର୍ବ ଲୋକସଭା ନିର୍ବାଚନରେ ଟିଏମସିର ଅର୍ପିତା ଘୋଷ ଆରଏସପି ର ବିମଲେନ୍ଦୁ ସରକାର ଙ୍କୁ ୧,୦୬,୯୬୪ ଭୋଟ ରେ ପରାସ୍ତ କରିଥିଲେ। ସେହି ଭୋଟ ରେ ଟି ଏମ ସି ୩୯.୮୫ ପ୍ରତିଶତ ଭୋଟ ଏବଂ ଆର ଏସ ପି ୨୯.୪୫ ପ୍ରତିଶତ ଭୋଟ ପାଇଥିଲା ଏବଂ ବିଜେପି ୨୧.୭୦ ପ୍ରତିଶତ ଓ କଂଗ୍ରେସ ୭.୮୫ ପ୍ରତିଶତ ଭୋଟ ପାଇଥିଲା।

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି : ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ୨୩ରେ ନିର୍ବାଚନ

ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ଲୋକ ସଭା ଆସନ ମଧ୍ୟରେ ରହିଛି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଏବଂ ଭୁବେନଶ୍ବର। ଏପ୍ରିଲ୍‌ ୪ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଏପ୍ରିଲ୍‌ ୨୩ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୭ଟି ସ୍ଥାନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବାର ଥିବାବେଳେ ୩୫ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।