Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମାଳବିକା ହେଗେଡ୍‌ ହେଲେ ସିସିଡିର ନୂତନ ସିଇଓ

ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)କୁ ମିଳିଲା ନୂତନ ସିଇଓ । ସିସିଡିର ପ୍ରତିଷ୍ଠାତା ତଥା 60 ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂତନ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଥିଲେ।

ଗତ ବର୍ଷ ଜୁଲାଇ ମାସରେ ସିସିଡିର ପ୍ରତିଷ୍ଠାତ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ସିସିଡର ସ୍ବତନ୍ତ୍ର ବୋର୍ଡ ସଦସ୍ୟ ଏସ୍‌ବି ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ ରୂପେ କାର୍ଯ୍ୟ ଚଳାଉଥିଲେ । ତେବେ ପ୍ରାୟ ବର୍ଷ ପରେ ସିସିଡିର ନୂତନ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ନିଯୁକ୍ତି ପାଇଛନ୍ତି ।ଏଥିସହ କମ୍ପାନୀ ପକ୍ଷରୁ ଆଉ ତିନି ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚିତ କରାଯାଇଛି। ଆସନ୍ତା 2025 ଡିସେମ୍ବର 30 ପର୍ଯ୍ୟନ୍ତ ଏହି ବୋର୍ଡ କାର୍ଯ୍ୟକ୍ଷମ କରିବ ବୋଲି ଜଣାଯାଇଛି।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀଙ୍କୁ ଝଟ୍‌କା ଲାଗିଥିଲା ତାହା ନୁହେଁ କମ୍ପାନୀର ଭବିଷ୍ୟତ ପ୍ରତି ମଧ୍ୟ ପ୍ରଶ୍ନ ଉଠିଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀର ସେୟାର ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଥିଲା । ଏହା ପୂର୍ବରୁ ଫେବୃଆରୀ ତିନି ତାରିଖରେ କମ୍ପାନୀରୁ ବ୍ୟାପାର ନିଲମ୍ବନର ମଧ୍ୟ ସାମ୍ନା କରିବାକୁ ପଡିଥିଲା । (ଏଜେନ୍ସି)

Categories
ଆଜିର ଖବର

ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି । ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହସନ ସେଞ୍ଚୁରିଅନର ସବୁଜିମାଭରା ସୁନ୍ଦର କ୍ୟାମ୍ପସ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଓ ଟେକ୍ସଟାଇଲ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଏବଂ କାଫେ କଫି ଡେ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପରିଦର୍ଶନ କରିବା ସମୟରେ ସେଠାରେ ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରି ବୁଝିଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ଭିଜି ସିଦ୍ଧାର୍ଥ ; ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିବା ଜଣେ ସଫଳ ଉଦ୍ୟୋଗୀଙ୍କ କାହାଣୀ

କେଦାର ମିଶ୍ର

(ଏ ଲେଖା ପ୍ରକାଶ ପାଇଲା ବେଳକୁ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି ଓ ସେ ଆତ୍ମହତ୍ୟା କରିଥିବା କଥା ସତ୍ୟ ପ୍ରମାଣିତ ହୋଇଛି।ତେବେ ଏହି ଘଟଣା ର ପୃଷ୍ଠଭୂମି ଓ ପ୍ରଭାବ ବିଷୟରେ ଆମେ ଯାହା ଲେଖିଛୁ ତାହା ଅପରିବର୍ତ୍ତିତ ରହିଛି।)

ଭିଜି ସିଦ୍ଧାର୍ଥ ନିଖୋଜ। ମାଙ୍ଗାଲୋର ପୂର୍ବରୁ ସେ କେଜାଣି କୁଆଡେ ହଜିଗଲେ। ହୁଏତ କୌଣସି ମୁହୂର୍ତ୍ତରେ ତାଙ୍କ ବିଷୟରେ କିଛି ଗୋଟେ ଦୁଃସମ୍ବାଦ ପହଞ୍ଚିପାରେ। ତେବେ ଭିଜି ସିଦ୍ଧାର୍ଥ କିଏ? କଣ ତାଙ୍କର ପରିଚୟ? କର୍ଣ୍ଣାଟକ ଚିକମାଗାଲୁର ରେ ଜନ୍ମିତ ମେଧାବୀ ଛାତ୍ର ଜଣକ ନିଜ ପରିବାରରେ ପ୍ରଥମ ପ୍ରଜନ୍ମର ବ୍ୟବସାୟୀ। ହୁଏତ ତାଙ୍କ ଶ୍ଵଶୁର ବିଖ୍ୟାତ ଲୋକ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ.ଏମ.କ୍ରୀଷ୍ଣାଙ୍କର ସେ ଜୋଇଁ। ତେବେ ନିଜ ଗୋଡରେ ନିଜେ ଠିଆ ହୋଇ ଗତ କୋଡିଏ ବର୍ଷ ଭିତରେ ସେ ଦେଶର ଜଣେ ଅଗ୍ରଣୀ ବ୍ୟବସାୟୀ ଓ ଉଦ୍ୟୋଗୀ ଭାବରେ ସଫଳତା ପାଇଥିଲେ। ୧୯୯୬ରେ କର୍ଣ୍ଣାଟକରେ ଯୁବକ ଯୁବତୀଙ୍କ ଲାଗି ଖଟି କରିବାର ଏକ ସ୍ଥାନ ଭାବରେ ସେ “କାଫେ କଫି ଡେ” ପ୍ରତିଷ୍ଠା କରିଥିଲେ। କଫିର ପ୍ରଥମ କର୍ପୋରେଟ ବଜାର ସୃଷ୍ଟି କରିଥିବା ସିଦ୍ଧାର୍ଥ ଗତ ୨୩ ବର୍ଷ ଭିତରେ କଫି ବ୍ୟବସାୟକୁ ଯୁଗାନ୍ତକାରୀ ପରିଚୟ ଦେଇଛନ୍ତି। ଆଜି ୬ ଟି ଦେଶରେ କାଫେ କଫି ଡେ ର ୧୭୭୦ ଟି ଶାଖା ରହିଛି। ଦେଶର ସବୁ ଛୋଟ ବଡ ସହରରେ ସିସିଡି ଏକ ପ୍ରମୁଖ ଆକର୍ଷଣ। ସହରୀ ମଧ୍ୟବିତ୍ତ ଓ ପେଷାଦାର କୋର୍ପୋରେଟ ଚାକିରିଆଙ୍କ ଲାଗି ସିସିଡି ସବୁଠୁ ସହଜ ଠିକଣା।

ସିସିଡି ସମେତ ମାଇଣ୍ଡ ଟ୍ରି, ୱେ ଟୁ ୱେଲ୍ଥ ଭଳି କମ୍ପାନୀରେ ସେ ନିର୍ଦ୍ଦେଶକ ଭାବରେ ରହିଛନ୍ତି। ବିଶେଷକରି କଫି ଓ କଦଳୀ ଚାଷ କରି ତାର ରପ୍ତାନି କ୍ଷେତ୍ରରେ ସେ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି। କେବଳ କାଫେ କଫି ଡେ ରେ ୩୦ ହଜାର  ଓ ଅନ୍ୟାନ୍ୟ ଟେକ୍ନୋଲୋଜି କମ୍ପାନୀରେ  ୨୦ ହଜାର  ନିଯୁକ୍ତି ସୃଷ୍ଟି ହୋଇଛି। ସିଦ୍ଧାର୍ଥଙ୍କ ମାଲିକାନାରେ ୧୨ ହଜାର ଏକରର କଫି ବଗିଚା ଓ ୩୦୦୦ ଏକର କଦଳୀ ବଗିଚା ରହିଛି।

ଏତେ ସବୁ ସଫଳତା ପାଇବା ପରେ ହଠାତ ସିଦ୍ଧାର୍ଥ ନିଖୋଜ ହୋଇଯିବାର କାରଣ କଣ? ନିଖୋଜ ହେବା ଆଗରୁ ସେ ଯେଉଁ ଚିଠିଟି ଲେଖିଛନ୍ତି ତାହା ଏକ ପ୍ରକାର ଆତ୍ମହତ୍ୟା ପୂର୍ବର ଶେଷଲିପି ଭଳି ଲାଗୁଛି। ତେଣୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଏତେ ସଫଳ ଜଣେ ଉଦ୍ୟୋଗୀ ନିଜକୁ ଏମିତି ନଷ୍ଟ ହେବାକୁ ଦେଲେ କାହିଁକି? ନିଜ କମ୍ପାନୀର ନିର୍ଦ୍ଦେଶକମାନଙ୍କୁ ସେ ଲେଖିଥିବା ଚିଠିରେ ତିନୋଟି କଥା ସେ କହିଛନ୍ତି-

୧. କଠୋର ପରିଶ୍ରମ ସତ୍ତ୍ୱେ ଏକ ଲାଭଦାୟକ ବ୍ୟବସାୟ ର ମଡେଲ ସେ ପ୍ରତିଷ୍ଠା କରିପାରିନାହାନ୍ତି।

୨. ସେ ଏବେ ଋଣଗ୍ରସ୍ତ ଓ ତାଙ୍କ ଉପରେ ଋଣ ଶୁଝିବାର ପ୍ରବଳ ଚାପ ରହିଛି। କମ୍ପାନୀର ଅଂଶୀଦାରମାନେ ନିଜ ନିଜ ଶେୟାର ଫେରେଇଦେବାକୁ ବାଧ୍ୟ କରୁଛନ୍ତି।

୩. ଆୟକର ବିଭାଗରୁ ତାଙ୍କୁ ପ୍ରବଳ ହଇରାଣ କରାଯାଉଛି।

ବ୍ୟବସାୟ କ୍ଷେତ୍ରରେ ଏଇ ତିନୋଟି ଚାପ ସବୁବେଳେ ବ୍ୟବସାୟୀମାନଙ୍କ ଉପରେ ରହିଥାଏ। ବର୍ତ୍ତମାନ ସମୟରେ ଅର୍ଥନୀତିର ମାନ୍ଦାବସ୍ଥା ଅତି ସ୍ପଷ୍ଟ ବାରି ହୋଇପଡୁଛି। ଏହାର ଚାପ ଏବେ ଶିଲ୍ପପତି ଓ ଉଦ୍ୟୋଗୀମାନଙ୍କ ଉପରେ ପଡିବ। ଏହାକୁ ହୁଏତ ବ୍ୟବସାୟ ପରିଚାଳନାରେ ବିଫଳତା ବୋଲି କହି ଆମେ ଅଣଦେଖା କରିପାରିବା। ତେବେ ଏହି ଘଟଣାରୁ ଆମର ଅର୍ଥନୈତିକ ସ୍ଵାସ୍ଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେମିତି ଚାଷର ଦୁଃସ୍ଥିତି କାରଣରୁ ଚାଷୀ ଆତ୍ମହତ୍ୟା ବଢୁଛି,  ସେମିତି ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ବ୍ୟବସାୟ ଉପରେ ଚାପ ବଢୁଛି। ଏହି ଚାପ ଯୋଗୁଁ ବିଜୟ ମାଲ୍ୟା ବା ନୀରବ ମୋଦୀଙ୍କ ଭଳି ଅର୍ଥନୈତିକ ଅପରାଧୀ ସୃଷ୍ଟି ହେଉଛନ୍ତି କିମ୍ବା ଯେଉଁମାନେ ଏହି ଚାପ ସମ୍ଭାଳିବାରେ ଅସମର୍ଥ ସେମାନେ ସିଦ୍ଧାର୍ଥଙ୍କ ପରି ନିଜକୁ ସମାପ୍ତ କରି ଦେଉଛନ୍ତି। ସିଦ୍ଧାର୍ଥ ଯେହେତୁ ବଡ ବ୍ୟବସାୟୀ ତାଙ୍କ ନିଖୋଜ ହେବା ପ୍ରସଙ୍ଗ ଏବେ ଚର୍ଚ୍ଚା ରେ ରହିଛି। ହେଲେ ବହୁ ସାନ ସାନ ବ୍ୟବସାୟୀ ଇତି ମଧ୍ୟରେ ଜିଏସଟି ର ଚାପ ସମ୍ଭାଳି ନ ପାରି ଆତ୍ମହତ୍ୟା କରୁଥିବାର ଖବର ମିଳୁଛି। ସିଦ୍ଧାର୍ଥ ମଧ୍ୟ ଆୟକର ବିଭାଗ ଦ୍ଵାରା ଅତ୍ୟାଚାରିତ ହେଉଥିଲେ ବୋଲି ଲେଖିଛନ୍ତି। ତେବେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ।

ହେଲେ ଏହି ପ୍ରସଙ୍ଗ ଭାରତର କର୍ପୋରେଟ ଜଗତ ଓ ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଯୋଜନା ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି। ୧୯୯୨ ରେ ନୂଆ ଅର୍ଥନୀତି ଆସିଲାବେଳେ ଟିକସ ଓ କର ଆଦାୟ କରିବାର ଆତଙ୍କୀ ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି କୁହାଯାଉଥିଲା। ହେଲେ ନରେନ୍ଦ୍ର ମୋଦୀ ସରକାର ଟିକସରାଜ ଉପରେ ସର୍ବାଧିକ ଗୁରୁତ୍ଵ ଦେଇଚାଲିଛି। ଏହାର ଚାପ ଏବେ କର୍ପୋରେଟ ଜଗତକୁ ଆତଙ୍କିତ କରିବା ସ୍ଵାଭାବିକ।

ସିଦ୍ଧାର୍ଥ ପ୍ରସଙ୍ଗ ଏତେ ଶୀଘ୍ର ସରିବାକୁ ଯାଉନି। କାଫେ କଫି ଡେ ହୁଏତ ଆଗାମୀ ଦିନରେ କୋକାକୋଲା ହାତକୁ ଚାଲିଯିବ। ମାଇଣ୍ଡ ଟ୍ରି ଏହା ପୂର୍ବରୁ ଏଲ ଆଣ୍ଡ ଟି ହାତକୁ ଯାଇ ସାରିଛି। ବୋଧ ହୁଏ କୌଣସି ସ୍ଥାନୀୟ ଦେଶୀ ଉଦ୍ୟୋଗୀ ଏବେ ଆଉ ଷ୍ଟାର୍ଟ ଅପ କଥା ଏଠି ଭାବିବା ସମ୍ଭବ ନୁହେଁ। ଅବଶ୍ୟ ପୁଞ୍ଜିବାଦୀ ଅର୍ଥନୀତିରେ ସଚରାଚର ଏହା ହିଁ ସତକଥା। ବଡ ମାଛ ମାନଙ୍କ ଖେଳରେ ସିଦ୍ଧାର୍ଥଙ୍କ ପରି ଛୋଟ ମାଛମାନେ ବଳି ପଡିବାକୁ ବାଧ୍ୟ ହେବେ!!