Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପାଖେଇଲା ନିର୍ବାଚନ, ଶିଘ୍ର ଭୋଟର ତାଲିକାରେ ଆପଣଙ୍କ ନାମ କରାନ୍ତୁ ସାମିଲ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗତ ଜାନୁଆରୀ ମାସ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଅଛି। ଏହାର ନକଲ ବୁଥ୍‌ସ୍ତରୀୟ ଅଧିକାରୀ (BLO) ଓ ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛି ।

ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ceoodisha.nic.in ଉପଲବ୍ଧ ଅଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କର ଧାରଣା ହେଉଥିବ ଯେ ଆଉ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇପାରିବ ନାହିଁ। ଏହା ସଂପୂର୍ଣ୍ଣ ଭୁଲ ଧାରଣା।ଭୋଟର ତାଲିକାରେ ନାମପଞ୍ଜିକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି କାର୍ଯ୍ୟ ସବୁବେଳେ ଚାଲୁ ରହିଛି ।

ରାଜ୍ୟର ସମସ୍ତ ଭୋଟରମାନଙ୍କୁ ନିବେଦନ କରାଯାଉଛି, ସେମାନେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନିଜର ନାମ ତନଖି କରନ୍ତୁ। ଯଦି ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବ ତାହାହେଲେ ସେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬ ଓ ସ୍ଥାନାନ୍ତର ପାଇଁ ଫର୍ମ ନଂ-୮ ମାଧ୍ୟମରେ ଆବେଦନ କରିପାରିବେ ।

ଭୋଟରମାନେ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in ରେ ଲଗ୍‌ଇନ୍‌ କରି କିମ୍ବା Voter Help Line App ଡାଉନ୍‌ଲୋଡ଼୍‌ କରି ଘରେ ବସି ମଧ୍ୟ ଆବେଦନ କରିପାରିବେ । ଏତଦ୍‌ବ୍ୟତୀତ ଭୋଟରମାନେ ମଧ୍ୟ ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଓଡିଶାର ଚୁଡାନ୍ତ ଭୋଟର ତାଲିକା, ଆଶାତିତ ଭାବେ ବୃଦ୍ଧି ପାଇଛି ଯୁବ ଭୋଟର ସଂଖ୍ୟା

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି।

ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦। ଗତବର୍ଷ ଡ୍ରାଫ୍ଟ ତାଲିକାରେ ଏହି ତୃତୀୟ ଲିଙ୍ଗି ସଂଖ୍ୟା ଥିଲା ୩ ହଜାର ୪୦୬। ଅନ୍ୟପକ୍ଷରେ ଗତ ବର୍ଷ ଡ୍ରାଫ୍ଟ ତାଲିକାରେ ପୁରୁଷ ଭୋଟର ସଂଖ୍ୟା ଥିଲା ୧ କୋଟି ୬୬ ଲକ୍ଷ ୩୦ ହଜାର ୯୨୯ ଏବଂ ମହିଳା ଭୋଟର ସଂଖ୍ୟା ଥିଲା ୧ କୋଟି ୬୦ ଲକ୍ଷ ୨୦ ହଜାର ୮୭୮ ।

ଏହି ପରିସଂଖ୍ୟାନରୁ ଜଣାପଡିଛି ଯେ, ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଡ୍ରାଫ୍ଟ ତାଲିକାଠାରୁ ଚୁଡାନ୍ତ ତାଲିକାରେ ବେଶ ବୃଦ୍ଧି ପାଇଛି। ହିସାବ ଅନୁସାରେ ଡ୍ରାଫ୍ଟ ତାଲିକାରେ ଯୁବ ଭୋଟର ସଂଖ୍ୟା ଥିଲା ୨୮୪୧୪୮। ତେବେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୭୫୪୯୪୬। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ଯୁବ ଭୋଟର ସଂଖ୍ୟା ୪୭୦୭୯୮ ଭୋଟର ବୃଦ୍ଧି ଘଟିଛି। ମୁଖ୍ୟତଃ ଯୁବ ଭୋଟରଙ୍କୁ ଯୋଡିବା ପାଇଁ ଯେଉଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା ସେଥିରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

ତେବେ ଭିନ୍ନକ୍ଷମ ଭୋଟର ଡ୍ରାଫ୍ଟ ତାଲିକାରୁ ଚୁଡାନ୍ତ ତାଲିକାରେ ହ୍ରାସ ପାଇଛି। ପୂର୍ବରୁ ୪ ଲକ୍ଷ ୬୫ ହଜାର ୩୫୬ ଥିବା ବେଳେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି। ସେହିପରି ରାଜ୍ୟରେ ବରିଷ୍ଠ ନାଗିରକ ସଂଖ୍ୟା ମଧ୍ୟ ୬ ଲକ୍ଷ ୮୫ ହଜାର ୦୪୮। ଡ୍ରାଫଟ ତାଲିକାରେ ଏହି ସଂଖ୍ୟା ଅଧିକ ରହିଥିଲା। ସେଥିରେ ବରିଷ୍ଠ ନାଗରିକ ସଂଖ୍ୟା ୭ ଲକ୍ଷ ୮୭ ହଜାର ୧୦୨ ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ, ଅର୍ଥାତ୍‌ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି।

ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥ୍‌ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in/Voters Help Line App ଦ୍ୱାରା କିମ୍ବା ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିଖାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ନୂଆ ଭୋଟର ତାଲିକା, ଯୋଗ ହେଲେ ୩ ଲକ୍ଷ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଅର୍ଥାତ୍‌  ଅକ୍ଟୋବର ୨୭ ଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ସର୍ବସାଧାରଣଙ୍କ ଅବଗତି ପ୍ରକାଶ କରାଯାଇଛି।

ଏହି ତାଲିକାରୁ ଜଣାପଡିଛି ଯେ, ମୋଟ ୩ ଲକ୍ଷ ୧୧ ହଜାର ୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବା ବେଳେ ମୋଟରେ ୮୦ ହଜାର ୩୦ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ବିଭିନ୍ନ ଜିଲ୍ଲା ହିସାବରେ ନୂଆ ଭୋଟର ଯୋଗ ହେବା ଏବଂ ବାଦ ପଡିବା ତାଲିକା ହେଲା

ବରଗଡ଼ ଜିଲ୍ଲାରେ ୧୨୭୦୧ ଜଣ ଭୋଟର ଯୋଗ, ୬୨୫୧ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି

ଝାରସୁଗୁଡ଼ା ଜିଲ୍ଲାରେ ୫୧୬୦ ଜଣ ଯୋଗ ଓ ୪୬୨ ଜଣ ବାଦ୍‌

ସୁନ୍ଦରଗଡ଼ ଜିଲ୍ଲାରେ ୧୪୧୩୩ ଜଣ ଯୋଗ ଓ ୨୪୬୭ ଜଣ ବାଦ୍‌

ସମ୍ବଲପୁର ଜିଲ୍ଲାରେ ୪୫୩୩ ଜଣ ଯୋଗ ଓ ୧୨୪୯ ଜଣ ବାଦ୍‌

ଦେବଗଡ଼ରେ ୧୬୬୨ ଜଣ ଯୋଗ ଓ ୩୩୯ ଜଣ ବାଦ୍‌

କେନ୍ଦୁଝରରେ ୧୦୨୪୮ ଜଣ ଯୋଗ ଓ ୨୩୧୯ ଜଣ ବାଦ୍‌

ମୟୂରଭଞ୍ଜରେ ୧୩୫୯୬ ଜଣ ଯୋଗ ଓ ୧୩୮୮ ଜଣ ବାଦ୍‌

ବାଲେଶ୍ୱରରେ ୧୪୭୫୯ ଜଣ ଯୋଗ ଓ ୪୯୭୩ ଜଣ ବାଦ୍‌

ଭଦ୍ରକରେ ୧୧୫୬୬ ଜଣ ଯୋଗ ଓ ୬୬୯୭ ଜଣ ବାଦ୍‌

ଯାଜପୁରରେ ୮୩୪୨ ଜଣ ଯୋଗ ଓ ୨୨୦୯୧ ଜଣ ବାଦ୍‌

ଢେଙ୍କାନାଳରେ ୮୨୪୫ ଜଣ ଯୋଗ ଓ ୩୨୯ ଜଣ ବାଦ

ଅନୁଗୋଳରେ ୯୫୬୪ ଜଣ ଯୋଗ ଓ ୭୧୮ ଜଣ ବାଦ୍‌

ସୁବର୍ଣ୍ଣପୁରରେ ୪୧୧୦ ଜଣ ଯୋଗ ଓ ୧୦୯ ଜଣ ବାଦ୍‌

ବଲାଙ୍ଗିରରେ ୨୪୫୯୮ ଜଣ ଯୋଗ ଓ ୨୪୬୦ ଜଣ ବାଦ୍‌

ନୂଆପଡ଼ାରେ ୪୨୯୦ ଜଣ ଯୋଗ ଓ ୬୧୨ ଜଣ ବାଦ୍‌

ନବରଙ୍ଗପୁରରେ ୭୮୪୯ ଜଣ ଯୋଗ ଓ ୧୪୫୭ ଜଣ ବାଦ୍‌

କଳାହାଣ୍ଡିରେ ୯୯୧୮ ଜଣ ଯୋଗ ଓ ୯୯୮୦ ଜଣ ବାଦ୍‌

କନ୍ଧମାଳରେ ୩୯୦୫ ଜଣ ଯୋଗ ଓ ୨୪୨ ଜଣ ବାଦ୍‌

ବୌଦ୍ଧରେ ୨୪୮୮ ଜଣ ଯୋଗ ଓ ୭୮୪ ଜଣ ବାଦ୍‌

କଟକରେ ୨୫୪୫୬ ଜଣ ଯୋଗ ଓ ୧୬୦୦ ଜଣ ବାଦ୍‌

କେନ୍ଦ୍ରାପଡ଼ାରେ ୮୩୮୧ ଜଣ ଯୋଗ ଓ ୧୫୬ ଜଣ ବାଦ୍‌

ଜଗତସିଂହପୁରରେ ୯୨୩୭ ଜଣ ଯୋଗ ଓ ୩୬୩୯ ଜଣ ବାଦ୍‌

ପୁରୀରେ ୧୧୪୫୭ ଜଣ ଯୋଗ ଓ ୧୩୬୭ ଜଣ ବାଦ

ଖୋର୍ଦ୍ଧରେ ୨୫୫୬୨ ଜଣ ଯୋଗ ଓ ୩୯୯୦ ଜଣ ବାଦ୍‌

ନୟାଗଡ଼ରେ ୫୧୧୨ ଜଣ ଯୋଗ ଓ ୨୫୨୬ ଜଣ ବାଦ୍‌

ଗଞ୍ଜାମରେ ୧୯୯୮୫ ଜଣ ଯୋଗ ଓ ୫୮୨୫ ଜଣ ବାଦ

ଗଜପତିରେ ୪୪୫୦ ଜଣ ଯୋଗ ଓ ୪୩ ଜଣ ବାଦ୍‌

ରାୟଗଡ଼ାରେ ୬୨୫୬ ଜଣ ଯୋଗ ଓ ୧୫୦ ଜଣ ବାଦ୍‌

କୋରାପୁଟରେ ୮୩୨୩ ଜଣ ଯୋଗ ଓ ୫୩୪ ଜଣ ବାଦ୍‌

ମାଲକାନ୍‌ଗିରି ଜିଲ୍ଲାରେ ୫୧୧୯ ଜଣ ଯୋଗ ଓ ୨୭୩ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି ।

ଏ ସଂପର୍କରେ ସବିଶେଷ ସୂଚନା ସଂପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ତଥା ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଏଏସ୍‌ଇ ଇଦି୍ରଶ୍‌ ଅଲ୍ଲିଖାନ୍‌, ଏଏସ୍‌ଇ ରାମକୃଷ୍ଣ ଟୁଙ୍ଗା, ଦେବରାଜ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ବିଭିନ୍ନ କ୍ଷେତ୍ରରେ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସଚେତନତା ପାଇଁ ବାହାରିଲା ରଥ

ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ସଂଶୋଧନ ନିମନ୍ତେ ସଚେତନତା ସୃଷ୍ଟି କରିବ।

୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ।

ଗୋଟିଏ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧରାଯାଇଛି ଏବଂ ନୂତନ ଭୋଟର ମାନେ ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ। ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ନାମ ଯୋଗ ପାଇଁ ଫର୍ମ ନଂ ୬, ଭୋଟର ତାଲିକରୁ ନାମ ବାଦ ଦେବା କିମ୍ବା କାଟିବା ପାଇଁ ଫର୍ମ ନଂ ୭ ଓ ତୃଟି ସଂଶୋଧନ ପାଇଁ ଫର୍ମ ନଂ୮ କୁ ଉପଯୋଗ କରିପାରିବେ।

ଏଥିସହ ଆଜି ଅପରାହ୍ନରେ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳ ମାନଙ୍କ ସହଯୋଗ ଲୋଡି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ଚଳିତ ମାସ ୫,୧୧,୧୯ ଓ ୨୫ ତାରିଖ ସ୍ୱତନ୍ତ୍ର ପ୍ରଚାର ଦିବସ ଗୁଡିକରେ ଭୋଟର ମାନେ ନିଜ ନାମ ଯୋଗ, ବାଦ କିମ୍ବା ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ।

ଉକ୍ତ ଦିନ ଗୁଡିକରେ ସମ୍ପୃକ୍ତ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିବେ। ଭୋଟର ତାଲିକାକୁ ସ୍ଵଚ୍ଛ ଓ ନିର୍ଭୁଲ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକର ସହଯୋଗ ଲୋଡ଼ା ଯାଇଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ଦଳ ଗୁଡିକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଆପଣଙ୍କର ଗୋଟିଏ ଭୋଟ ଦେଶର ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିପାରେ : ମୋଦି

ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଏକ ଟ୍ବିଟ୍‌ କରିଛନ୍ତି। ରବିବାର ସକାଳୁ ଟ୍ବିଟ୍ଟର ଜରିଆରେ ଦେଶବାସୀଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦାନ ପାଇଁ ଅନୁରୋଧ କରିବା ସହିତ ଆପଣଙ୍କର ଗୋଟିଏ ଭୋଟ ଦେଶର ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିପାରେ ବୋଲି ଟ୍ବିଟ୍‌ କରିଛନ୍ତି ମୋଦି। ‘ଆଜି ଲୋକସଭାର ଅନ୍ତିମ ପର୍ଯ୍ୟାର ଭୋଟଗ୍ରହଣ। ସମସ୍ତ ଭୋଟର ମାନେ ରେକର୍ଡ ସଂଖ୍ୟାରେ ଭୋଟଗ୍ରହଣ କରିବାକୁ ମୋର ଅନୁରୋଧ। ଆପଣଙ୍କର ଗୋଟିଏ ଭୋଟ ଦେଶର ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିପାରେ। ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟର ମାନେ ଉତ୍ସାହିତ ହୋଇ ଅଧିକ ସଂଖ୍ୟାରେ ଭୋଟ ପ୍ରଦାନ କରନ୍ତୁ ବୋଲି ମୋଦି ତାଙ୍କ ଟ୍ବିଟ୍‌ରେ ଉଲ୍ଳେଖ କରିଛନ୍ତି’। ଗତକାଲି କେଦାରନାଥରେ ପୂଜାର୍ଚ୍ଚନା କରିଥିବା ମୋଦି ଆଜି ବଦ୍ରିନାଥରେ ପୂଜାର୍ଚ୍ଚନା କରିବା ସହିତ ଅପରାହ୍ଣରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭୋଟର ମାନଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦାନ ପାଇଁ ଅନୁରୋଧ କରି ଏକ ଟ୍ବିଟ୍‌ କରିଛନ୍ତି। ଆଜି ଅନ୍ତିମ ପର୍ଯ୍ୟାୟରେ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନରେ ପ୍ରାୟ ୧୦କୋଟି ଲୋକ ନିଜର ମତ ସାବ୍ୟସ୍ତ କରିବେ।

Categories
ଆଜିର ଖବର

ଭୋଟଦାନ ପାଇଁ ଯୁବ ଭୋଟରଙ୍କୁ ମୋଦିଙ୍କ ନିବେଦନ

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ପୂର୍ବରୁ ଅଧିକ ସଂଖ୍ୟାରେ ଯୁବ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି ମୋଦି। ମୋଦି ଲେଖିଛନ୍ତି ‘ପ୍ରିୟ ଭାରତୀୟ ଜନତା, ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜିଠୁ ଆରମ୍ଭ ହେଉଛି। ମୁଁ ନିଶ୍ଚୟ ଯେ ଆପଣ ମାନେ ଅଧିକ ସଂଖ୍ୟାରେ ଭୋଟ କରି ଗଣତନ୍ତ୍ରକୁ ଶଶକ୍ତ କରିବେ। ଅଧିକରୁ ଅଧିକ ଯୁବ ଭୋଟର ପୁଲିଂ ବୁଥ୍‌କୁ ଯିବା ସହିତ ଭୋଟ ଦାନ କରନ୍ତୁ। ସେହିପରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ନ୍ୟାୟ’ ପାଇଁ ଭୋଟ ପ୍ରଦାନ କରିବାକୁ ନିବେଦନ କରି ଟ୍ବିଟ୍‌ କରିଛନ୍ତି। ଆଜି ଭୋଟ କରିବା ସମୟରେ ବେକାର ଯୁବକ, ଅବହେଳିତ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜାତିପ୍ରଥା ଯୋଗୁଁ ନିର୍ଯାତିତ ଲୋକଙ୍କୁ ମନେପକାଇ ଭୋଟ କରନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।