Categories
ଆଜିର ଖବର ଜାତୀୟ ଖବର

ଆଜି କଂଗ୍ରେସକୁ ଡବଲ ଝଟକା, ମିଲିନ୍ଦ ଦେଓଡାଙ୍କ ପରେ ବର୍ତ୍ତମାନ ଆସାମର ଏହି ବଡ ନେତା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି କଂଗ୍ରେସକୁ ଡବଲ ଝଟକା ଲାଗିଛି। ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ ନେତା ମିଲିନ୍ଦ ଦେଓଡା ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଅପୂର୍ବ ଭଟ୍ଟାଚାର୍ଯ୍ୟ ଆସାମରେ କଂଗ୍ରେସ ସଚିବ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଏହି ଦୁଇ ନେତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି। ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟ ମହାରାଷ୍ଟ୍ର ଏବଂ ଆସାମରେ ହେବ।

ପ୍ରକାଶ ଯେ, ଆସାମରେ କଂଗ୍ରେସ ଦଳ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଏହାର ବହୁ ବଡ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଗତ ବର୍ଷ ନଭେମ୍ବରରେ ଆସାମ କଂଗ୍ରେସର ଦୁଇ ପ୍ରମୁଖ ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ଇସ୍ତଫା ଦେଇଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନଗାଓଁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁରେଶ ବୋରା, ଯିଏ ୨୦୨୧ ମସିହାରେ ବରହମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ସହିତ ଆସାମପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୋରିଟୁଶ ରୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିବା ନେଇ ରାଜନୀତି ସରଗରମ

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ। ଯାହାକୁ ନେଇ ଚିଲିକା ରାଜନୀତି ବେଶ ସରଗରମ ହୋଇ ଉଠିଛି।

ରଘୁନାଥ ପାଣ୍ଡିଆନଙ୍କୁ ଏକ ଉତ୍ତରୀୟ ପ୍ରଦାନ କରିବା ସହିତ ସୁନ୍ଦର ଫୁଲତୋଡାଟିଏ ଉପହାର ଦେଇଥିଲେ। ଯାହାକୁ ପାଣ୍ଡିଆନ ଆଗ୍ରହ ସହକାରେ ଗ୍ରହଣ ମଧ୍ୟ କରିଥିଲେ। ଚିଲିକାର ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ଏବଂ ସର୍ବ ସାଧାରଣଙ୍କ ସମ୍ମୁଖରେ ରଘୁନାଥ ଏହି ଉପହାର ଦେଇଥିଲେ।

କେବଳ ସେତିକି ନୁହେଁ, ରଘୁନାଥ ଭଗବତୀ ମନ୍ଦିର ନିକଟରେ ଭେଟିବା ପରେ ସେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ମଧ୍ୟ ଯାଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହିତ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ। ଭାଷଣ ଶେଷ ହେବା ପରେ ପାଣ୍ଡିଆନ ତଳକୁ ଆସିବା ପରେ ପୁଣି ରଘୁନାଥ ଆଉ ଏକ ନମସ୍କାର କରିଥିଲେ। ଏହାକୁ ନେଇ ଚିଲିକାର ବିଜେଡି ନେତା ସହଜରେ ହଜମ କରିପାରି ନାହାଁନ୍ତି।

ତେବେ ଏହି ଭେଟଘାଟକୁ ନେଇ ଚିଲିକା ରାଜନୀତିରେ ଏକ ଆଶଙ୍କା ସୃଷ୍ଟି ହେଲାଣି। ତାହା ହେଲା ରଘୁନାଥ କଣ ଏଥର ପୁଣି ଟିକେଟ ପାଇବେ କି ? କାରଣ ସେ  ଦୀର୍ଘ ଦିନ ଧରି ବିଜେଡିରେ ଥିଲେ ମଧ୍ୟ ଦଳରେ ସକ୍ରିୟ ନାହାଁନ୍ତି। ତାଙ୍କୁ ଦଳର କୌଣସି ସଭା ସମିତିକୁ ଡକାଯାଉ ନାହିଁ। ଫଳରେ ସେ ଚିଲିକା ବିଜେଡିରେ ଏକପ୍ରକାରର ଏକଘରକିଆ ହୋଇ ରହିଛନ୍ତି। ଏବେ ବାଣପୁରରେ ପାଣ୍ଡିଆନଙ୍କୁ ଭେଟିବା ପରେ ସେ ପୁଣି ଦଳରେ ପୁଣି ସକ୍ରିୟ ହେବେ ବୋଲି ତାଙ୍କ ସମର୍ଥକମାନେ ବଡ ଆଶା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନୀତେଶ କୁମାର ବ୍ୟାସ (ଭା.ପ୍ର.ସେ) ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଭୁବନେଶ୍ୱରସ୍ଥ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ସମୀକ୍ଷା ବୈଠକ କରାଇଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସଂକ୍ଷେପରେ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସଂପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଥିଲେ।

ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିକାରେ ଯୋଗଦେବା ନିମନ୍ତେ ଫର୍ମ, ତାଲିକାରୁ ବାଦ ଓ ତାଲିକାରୁ ତ୍ରୁଟି ସଂଶୋଧନ ନିମନ୍ତେ ଥିବା ବାକିଆ ଫର୍ମଗୁଡ଼ିକୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ମହିଳା, ଯୁବ, ବରିଷ୍ଠ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ପ୍ରାଚୀନ ଜନଜାତି ଗୋଷ୍ଠୀ (ପି.ଭି.ଟି.ଜି) ନିର୍ବାଚକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭୋଟର ତାଲିକାର ଶୁଦ୍ଧତା ଦୃଷ୍ଟିରୁ ସତର୍କତାର ସହ କଷ୍ଟସାଧ୍ୟ କ୍ଷେତ୍ର ପରିଦର୍ଶନ ସହ ଭୋଟର ତାଲିକା ପରୀକ୍ଷା କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ଓ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ନିର୍ବାଚନ ସମୟରେ ଚୋରାରେ କାରବାର ହେଉଥିବା ଟଙ୍କା, ମଦ, ନିଶାଦ୍ରବ୍ୟ ଚାଲାଣ ହେଉଥିବା ବାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସେହିସବୁ ସ୍ଥାନଗୁଡ଼ିକରେ ଜବତକାରୀ ଦଳମାନଙ୍କୁ ମୁତୟନ କରବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କାର୍ଯ୍ୟ ହୋଇପାରିବ।

ରାଜନୈତିକ ଦଳ ଓ ହିତାଧିକାରୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି। ଶେଷରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ ଓ ମୁକ୍ତ ଭାବେ ପରିଚାଳନା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇଦିନିଆ ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି ପୋଲିସ (ଆଇନଶୃଙ୍ଖଳା) ଶ୍ରୀ ସଂଜୟ କୁମାର (ଭା.ପୋ.ସେ) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଓଡିଶାରେ ଆରମ୍ଭ ହେବ ଇଭିଏମ ଯାଞ୍ଚ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମ୍‌ଗୁଡ଼ିକର ମାର୍‌ଫତ୍‌ଦାର ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମ୍‌ ସୁପରଭାଇଜର୍‌ ଅଟନ୍ତି।

ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆମ ରାଜ୍ୟରେ ଇଭିଏମ୍‌ର ଏଫ୍‌ଏଲ୍‌ସି ତନଖି କାର୍ଯ୍ୟ ଦୁଇଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩  ଅକ୍ଟୋବର ଠାରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ଗୋଟି ଜିଲ୍ଲା ପାଇଁ ଓ ଅବଶିଷ୍ଟ ୨୦ କୋଟି ଜିଲ୍ଲା ପାଇଁ  ୦୧ ନଭେମ୍ବର ଠାରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ତରଫରୁ ଏସ୍‌. ସୁନ୍ଦରରାଜନ୍‌ (ଭା.ପ୍ର.ସେ), ନିର୍ଦ୍ଦେଶକ, ଇଭିଏମ୍‌, ନିର୍ବାଚନ ଆୟୋଗଙ୍କ ସଚିବ ମଧୁସୂଦନ ଗୁପ୍ତା ଏବଂ ଭାରତ ଇଲେକ୍‌ଟ୍ରୋନିକ୍ସ କର୍ପୋରେସନ୍‌ର ଡେପୁଟି ଜି.ଏମ୍‌ ପି.ସି. ମଣ୍ଡଳ, ରାଜ୍ୟ ଇଭିଏମ୍‌ ନୋଡାଲ ଅଧିକାରୀ ତଥା ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟ ଇଭିଏମ୍‌ ତନଖି କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଆଗାମୀ ଦିନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇବେ ଓ ତନଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ହଲ୍‌ ମଧ୍ୟରେ ଫଟୋଗ୍ରାଫି/ଭିଡିଓଗ୍ରାଫି କିମ୍ବା ମୋବାଇଲ୍‌ ବ୍ୟବହାରକୁ ନିର୍ବାଚନ ଆୟୋଗଙ୍କ ତରଫରୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ହେଉଥିବା ହଲ୍‌ଟି ସଂପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ନିୟମିତ ଭାବେ ଇଭିଏମ୍‌ ତନଖି କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ। ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ଶେଷରେ ଇଭିଏମ୍‌ ସୁପରଭାଇଜର ଏକ ଏଫ୍‌ଏଲ୍‌ସି ସାର୍ଟିଫିକେଟ୍‌ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପ୍ରଦାନ କରିବେ।

ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଇଭିଏମ୍‌ ତନଖି କାର୍ଯ୍ୟ ନିମନ୍ତେ ନିର୍ବାଚନ ଆୟୋଗଙ୍କ ଜରିଆରେ ପ୍ରାୟ ୩୦୦ ଜଣ ଇଂଜିନିୟର ନିଯୁକ୍ତ ହେବେ ବୋଲି ଭାରତ ଇଲେକ୍‌ଟ୍ରୋନିକ୍ସର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ପ୍ରକାଶ କରିଛନ୍ତି। ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ।

ଏହି ସମୟରେ ବ୍ୟାପକ ସୁରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଏକ ସେକ୍‌ସନ୍‌ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍‌ଟର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ସଚିବ ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍‌, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।