ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିବା ନେଇ ରାଜନୀତି ସରଗରମ

Published: Jan 10, 2024, 7:42 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ। ଯାହାକୁ ନେଇ ଚିଲିକା ରାଜନୀତି ବେଶ ସରଗରମ ହୋଇ ଉଠିଛି।

ରଘୁନାଥ ପାଣ୍ଡିଆନଙ୍କୁ ଏକ ଉତ୍ତରୀୟ ପ୍ରଦାନ କରିବା ସହିତ ସୁନ୍ଦର ଫୁଲତୋଡାଟିଏ ଉପହାର ଦେଇଥିଲେ। ଯାହାକୁ ପାଣ୍ଡିଆନ ଆଗ୍ରହ ସହକାରେ ଗ୍ରହଣ ମଧ୍ୟ କରିଥିଲେ। ଚିଲିକାର ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ଏବଂ ସର୍ବ ସାଧାରଣଙ୍କ ସମ୍ମୁଖରେ ରଘୁନାଥ ଏହି ଉପହାର ଦେଇଥିଲେ।

କେବଳ ସେତିକି ନୁହେଁ, ରଘୁନାଥ ଭଗବତୀ ମନ୍ଦିର ନିକଟରେ ଭେଟିବା ପରେ ସେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ମଧ୍ୟ ଯାଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହିତ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ। ଭାଷଣ ଶେଷ ହେବା ପରେ ପାଣ୍ଡିଆନ ତଳକୁ ଆସିବା ପରେ ପୁଣି ରଘୁନାଥ ଆଉ ଏକ ନମସ୍କାର କରିଥିଲେ। ଏହାକୁ ନେଇ ଚିଲିକାର ବିଜେଡି ନେତା ସହଜରେ ହଜମ କରିପାରି ନାହାଁନ୍ତି।

ତେବେ ଏହି ଭେଟଘାଟକୁ ନେଇ ଚିଲିକା ରାଜନୀତିରେ ଏକ ଆଶଙ୍କା ସୃଷ୍ଟି ହେଲାଣି। ତାହା ହେଲା ରଘୁନାଥ କଣ ଏଥର ପୁଣି ଟିକେଟ ପାଇବେ କି ? କାରଣ ସେ  ଦୀର୍ଘ ଦିନ ଧରି ବିଜେଡିରେ ଥିଲେ ମଧ୍ୟ ଦଳରେ ସକ୍ରିୟ ନାହାଁନ୍ତି। ତାଙ୍କୁ ଦଳର କୌଣସି ସଭା ସମିତିକୁ ଡକାଯାଉ ନାହିଁ। ଫଳରେ ସେ ଚିଲିକା ବିଜେଡିରେ ଏକପ୍ରକାରର ଏକଘରକିଆ ହୋଇ ରହିଛନ୍ତି। ଏବେ ବାଣପୁରରେ ପାଣ୍ଡିଆନଙ୍କୁ ଭେଟିବା ପରେ ସେ ପୁଣି ଦଳରେ ପୁଣି ସକ୍ରିୟ ହେବେ ବୋଲି ତାଙ୍କ ସମର୍ଥକମାନେ ବଡ ଆଶା କରିଛନ୍ତି।

Related posts