Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଦିଲ୍ଲୀପ ରାୟଙ୍କୁ ମିଳିଲା ଟିକେଟ

ଭୁବନେଶ୍ଵର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଓଡିଶା ବିଜେପି ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦିଲ୍ଲୀପ ରାୟଙ୍କୁ ରାଉରକେଲାରୁ ବିଜେପି ପ୍ରାର୍ଥୀ କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଆଜି ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀ ତାଲିକା:

୧- ଡାବୁଗାଁ- ସୋମନାଥ ପୂଜାରୀ

୨- ରାଜନଗର- ଲଳିତ ବେହେରା

୩- ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି

୪- ଜଗତସିଂହପୁର- ଅମରେନ୍ଦ୍ର ଦାଶ

୫- କାକଟପୁର- ବାଇଧର ମଲ୍ଲିକ

୬- ରଣପୁର- ସୁରମା ପାଢ଼ୀ

୭- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ

୮- କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

୯- ଝରିଗାଁ- ନରସିଂହ ଭତ୍ରା

୧୦- ରାଉରକେଲାରୁ – ଦିଲ୍ଲୀପ ରାୟ

୧୧- ପାଟଣା- ଅଖିଲ ଚନ୍ଦ୍ର ନାୟକ

୧୨- ସାରସକଣା- ଭାଦବ ହାଁସଦା

୧୩- ରାଇରଙ୍ଗପୁର- ଜୋଲେନ ବରଦା

୧୪- ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ

୧୫- ରାୟଗଡ଼ା- ବସନ୍ତ ଉଲାକା

୧୬- ଲକ୍ଷ୍ମୀପୁର- କୈଳାସ କୁଲେସିକା

୧୭- କୋଟପାଡ- ରୁପୁ ଭତ୍ରା

୧୮- ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

୧୯- ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା

୨୦- ମୋହନା- ପ୍ରଶାନ୍ତ ମଲ୍ଲିକ

୨୧- ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀଙ୍କୁ ମିଶାଇ ବିଜେପି ୧୩୩ ଜଣଙ୍କୁ ଟିକେଟ ଦେଇସାରିଛି। ୧୪୭ ଆସନ ବିଶିଷ୍ଟ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଆଉ ୧୪ ଜଣଙ୍କ ନାମ ଘୋଷଣା କରିବାକୁ ବାକି ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଓଡିଶାରେ ଆରମ୍ଭ ହେବ ଇଭିଏମ ଯାଞ୍ଚ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମ୍‌ଗୁଡ଼ିକର ମାର୍‌ଫତ୍‌ଦାର ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମ୍‌ ସୁପରଭାଇଜର୍‌ ଅଟନ୍ତି।

ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆମ ରାଜ୍ୟରେ ଇଭିଏମ୍‌ର ଏଫ୍‌ଏଲ୍‌ସି ତନଖି କାର୍ଯ୍ୟ ଦୁଇଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩  ଅକ୍ଟୋବର ଠାରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ଗୋଟି ଜିଲ୍ଲା ପାଇଁ ଓ ଅବଶିଷ୍ଟ ୨୦ କୋଟି ଜିଲ୍ଲା ପାଇଁ  ୦୧ ନଭେମ୍ବର ଠାରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ତରଫରୁ ଏସ୍‌. ସୁନ୍ଦରରାଜନ୍‌ (ଭା.ପ୍ର.ସେ), ନିର୍ଦ୍ଦେଶକ, ଇଭିଏମ୍‌, ନିର୍ବାଚନ ଆୟୋଗଙ୍କ ସଚିବ ମଧୁସୂଦନ ଗୁପ୍ତା ଏବଂ ଭାରତ ଇଲେକ୍‌ଟ୍ରୋନିକ୍ସ କର୍ପୋରେସନ୍‌ର ଡେପୁଟି ଜି.ଏମ୍‌ ପି.ସି. ମଣ୍ଡଳ, ରାଜ୍ୟ ଇଭିଏମ୍‌ ନୋଡାଲ ଅଧିକାରୀ ତଥା ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟ ଇଭିଏମ୍‌ ତନଖି କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଆଗାମୀ ଦିନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇବେ ଓ ତନଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ହଲ୍‌ ମଧ୍ୟରେ ଫଟୋଗ୍ରାଫି/ଭିଡିଓଗ୍ରାଫି କିମ୍ବା ମୋବାଇଲ୍‌ ବ୍ୟବହାରକୁ ନିର୍ବାଚନ ଆୟୋଗଙ୍କ ତରଫରୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ହେଉଥିବା ହଲ୍‌ଟି ସଂପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ନିୟମିତ ଭାବେ ଇଭିଏମ୍‌ ତନଖି କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ। ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ଶେଷରେ ଇଭିଏମ୍‌ ସୁପରଭାଇଜର ଏକ ଏଫ୍‌ଏଲ୍‌ସି ସାର୍ଟିଫିକେଟ୍‌ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପ୍ରଦାନ କରିବେ।

ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଇଭିଏମ୍‌ ତନଖି କାର୍ଯ୍ୟ ନିମନ୍ତେ ନିର୍ବାଚନ ଆୟୋଗଙ୍କ ଜରିଆରେ ପ୍ରାୟ ୩୦୦ ଜଣ ଇଂଜିନିୟର ନିଯୁକ୍ତ ହେବେ ବୋଲି ଭାରତ ଇଲେକ୍‌ଟ୍ରୋନିକ୍ସର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ପ୍ରକାଶ କରିଛନ୍ତି। ଇଭିଏମ୍‌ ତନଖି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ।

ଏହି ସମୟରେ ବ୍ୟାପକ ସୁରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଏକ ସେକ୍‌ସନ୍‌ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍‌ଟର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ସଚିବ ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍‌, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବିଜେଡି ରେ ନବ କଳେବରର ସଙ୍କେତ ସ୍ପଷ୍ଟ, ଦଳ ଏବେ ତରୁଣ ଓ ନୂଆ ମୁହଁ ପ୍ରତି ବେଶୀ ଆସ୍ଥାବାନ

ସମୀକ୍ଷା ବ୍ୟୁରୋ

ତିନି ସପ୍ତାହ ତଳେ ସମୀକ୍ଷା ଡଟ କମ ରେ ଆମେ ଗୋଟେ ବିଶ୍ଳେଷଣ ପ୍ରସ୍ତୁତ କରିଥିଲୁ,ଯେଉଁଥିରେ ଆମେ ସ୍ପଷ୍ଟ କହିଥିଲୁ ଯେ “କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ଲୋକସଭା ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି।” ଆଜି ବିଜେଡ଼ିର ତୃତୀୟ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଆମର ଆକଳନ ଏକ ପ୍ରକାର ସତ୍ୟ ପ୍ରମାଣିତ ହୋଇଛି। ୨୧ ଟି ଲୋକସଭା ଆସନରୁ ୧୮ ଟି ପାଇଁ ବିଜେଡି ପ୍ରକାଶ କରିଥିବା ନାମ ଭିତରୁ ମାତ୍ର ତିନି ଜଣ ପୁରୁଣା ସାଂସଦଙ୍କୁ ଦଳ ଟିକଟ ଦେଇଛି। ପୁରୀ ରୁ ପିନାକୀ ମିଶ୍ର, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂ ଦେଓ ଏବଂ ବାଲେଶ୍ବରରୁ ରବୀନ୍ଦ୍ର ଜେନାଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ବାକି ୧୫ ଜଣ ପୂରା ନୂଆ ପ୍ରାର୍ଥୀ।

ଯେଉଁ ସାଂସଦମାନଙ୍କ ଟିକଟ କଟିଛି ତାଙ୍କ ଭିତରେ ବହୁ ଅଭିଜ୍ଞ ଓ ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଓ ଅଭିଜ୍ଞ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ଟିକଟ ଦିଆ ଯାଇନାହିଁ।  ବାକିଥିବା କଟକ ଆସନରେ ପୁଣିଥରେ ଭର୍ତ୍ତୃହରି ମହତାବ ଟିକଟ ପାଇପାରନ୍ତି, କିନ୍ତୁ କେଉଁଝର ଓ ଢେଙ୍କାନାଳ ଆସନରେ ନୂଆ ଲୋକଙ୍କୁ ବିଜେଡି ଟିକଟ ମିଳିବ। ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଥିବାରୁ ଏହି ତିନୋଟି ଆସନ ଭିତରୁ ଗୋଟିଏ ଆସନରୁ ମହିଳା ପ୍ରାର୍ଥୀ ହେବା ସୁନିଶ୍ଚିତ। ଲୋକସଭା ପ୍ରାର୍ଥୀ ଚୟନରେ ବିଜେଡି ପୂରାପୂରି ନୂଆ ମୁହଁକୁ ଗୁରୁତ୍ଵ ଦେଇଛି। ପୂର୍ବରୁ ରାଜନୀତି ସହ ଜଡିତ ନଥିବା ପ୍ରମିଳା ବିଶୋୟୀ, କୌଶଲ୍ୟା ହିକକା, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଏବେ ବିଜେଡ଼ିର ଲୋକସଭା ପ୍ରାର୍ଥୀ। ଅଶି ଭାଗରୁ ନୂଆ ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ “ଏକୋଇଶରୁ ଏକୋଇଶ” ଜିତିବାର ଲକ୍ଷ୍ୟ ଧାର୍ୟ କରିଛନ୍ତି ତାହା ଦଳ ପାଇଁ କିଛି କମ ବଡ ଆହ୍ଵାନ ନୁହେଁ।

ସବୁଠୁ ରୋଚକ ସ୍ଥିତି ବର୍ତ୍ତମାନ କେନ୍ଦ୍ରାପଡା ଆସନରେ ଦେଖିବାକୁ ମିଳିବ। ଏହି ଆସନରେ ବିଜେଡି ରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ତରଫରୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବରେ ଓଡିଆ ସିନେମାର ସୁପର ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ଟିକଟ ମିଳିଛି। ଅନୁଭବ ୨୦୧୪ରୁ ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ ମଧ୍ୟ ସିଧାସଳଖ ନିର୍ବାଚନ ଲଢିବାର ଅଭିଜ୍ଞତା ତାଙ୍କର ନାହିଁ। ଆଜି ମଧ୍ୟ ବିଜୁ ପଟ୍ଟନାୟକଙ୍କ ଦୁର୍ଗ ବୋଲି ବିବେଚିତ ହେଉଥିବା କେନ୍ଦ୍ରାପଡାରେ ଉଭୟ ବୈଜୟନ୍ତ ଓ ଅନୁଭବ ବିଜୁ ବାବୁଙ୍କ ନାଁରେ ହିଁ ଭୋଟ ମାଗିବେ। କେନ୍ଦ୍ରାପଡା ଏବେ ବୈଜୟନ୍ତଙ୍କ ଅସ୍ତିତ୍ଵର ପ୍ରଶ୍ନ ହୋଇଥିବା ବେଳେ ଏହା ବିଜୁ ଜନତା ଦଳର ଅସ୍ମିତାର ପ୍ରଶ୍ନ ପାଲଟି ଯାଇଛି। ପରୋକ୍ଷ ଭାବରେ କେନ୍ଦ୍ରାପଡା ଜିତିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ତେଣୁ କେନ୍ଦ୍ରାପଡା ଲଢେଇ ଉପରେ ଏବେ ସାରା ରାଜ୍ୟର ଆଖି ରହିବ।

ଗତ ନିର୍ବାଚନରେ କେନ୍ଦ୍ରାପଡାରୁ ବିଜେଡି ଲୋକସଭା ସାଂସଦ ଭାବେ ବୈଜୟନ୍ତ ପଣ୍ଡା ଜିତିଥିଲେ। ତେବେ ସାତୋଟି ବିଧାନସଭା କ୍ଷେତ୍ରରୁ ତିନୋଟିରେ କଂଗ୍ରେସ ଜିତିବାର ଏକ ବିରଳ ରେକର୍ଡ ମଧ୍ୟ ଏହା ସହିତ ସୃଷ୍ଟି ହୋଇଥିଲା। ଆଳି, ରାଜନଗର ଓ ସାଲେପୁର ବିଧାନସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିବା ବେଳେ ମହାକାଳପଡା, ପାଟକୁରା, କେନ୍ଦ୍ରାପଡା ଓ ମାହାଙ୍ଗା ଆସନରୁ ବିଜେଡି ଜିତିଥିଲା। ଆଜି ଲୋକସଭା ପ୍ରାର୍ଥୀଙ୍କ ସହିତ ପାଞ୍ଚୋଟି ବିଧାନସଭା କ୍ଷେତ୍ର ଲାଗି ବିଜେଡି ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପାଞ୍ଚୋଟି ଯାକ ଆସନରେ ଅଭିଜ୍ଞ ଓ ପୁରୁଣା ଲୋକଙ୍କୁ ଟିକଟ ମିଳିଛି। ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ସାଲେପୁରରୁ ପ୍ରଶାନ୍ତ ବେହେରା, ଆଳୀରୁ ପ୍ରତାପ ଦେବ ଓ ମାହାଙ୍ଗାରୁ ପ୍ରତାପ ଜେନାଙ୍କୁ ଟିକଟ ମିଳିଛି। କେନ୍ଦ୍ରାପଡା ଓ ରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି। ପୁରୁଣା ନେତାଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ ରହିଛି ବୋଲି ବିଜେପି ଅଭିଯୋଗ ଆଣୁଛି। ବୈଜୟନ୍ତ ବିଜେପିକୁ ଆସିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଛି ବୋଲି ଏକ ସାଧାରଣ ଧାରଣା ସୃଷ୍ଟି ହୋଇଛି। ତେବେ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡ଼ିର ପ୍ରାର୍ଥୀ ବୈଜୟନ୍ତ ୬,୦୧,୫୭୪ (୫୨.୭୨%) ଭୋଟ ପାଇଥିବାବେଳେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩,୯୨,୪୬୬ (୩୪.୪%) ଭୋଟ ପାଇଥିଲେ। ସେଠି ବିଜେପି ର ଭୋଟ ସଂଖ୍ୟା ଥିଲା ୧,୧୮,୭୦୭ (୧୦.୪%) । ବୈଜୟନ୍ତ ବିଜେପିକୁ ଆସିବା ପରେ ତାଙ୍କ ସହିତ ବିଜେଡ଼ିରୁ କେତେ ଭୋଟ ଆସୁଛି, ତାହା ଦେଖିବା ବାକି ରହିଲା।

ତେବେ କଂଗ୍ରେସ ଓ ବିଜେପି ତୁଳନାରେ ବିଜେଡି ଅଧିକରୁ ଅଧିକ ନୂଆ ମୁହଁଙ୍କୁ ଏବେ ରାଜନୀତିରେ ସୁଯୋଗ ଦେଉଛି। ରାଜନୀତିରେ ଏହାକୁ “ରିସ୍କ ଫେକ୍ଟର” ବୋଲି କୁହା ଯାଇପାରେ।

Categories
ବିଶେଷ ଖବର

ନିର୍ବାଚନ ସର୍ବେକ୍ଷଣ; ରାଜନୈତିକ ବ୍ୟବସାୟ ମାତ୍ର

କେଦାର ମିଶ୍ର 

ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତିନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ

ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ସବୁ ଦଳ ଏମିତି କିଛି କିଛି ପୋଷା ସଂସ୍ଥା ରଖିଛନ୍ତିଏକଦା ଭାରତୀୟ ନିର୍ବାଚନ ସର୍ବେକ୍ଷଣର ଅନ୍ୟତମ ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ କହିଥିଲେ, ପ୍ରତ୍ୟେକ ଜନମତ ସର୍ଭେ ରେ ଭାରତୀୟ ଜନତା ପାର୍ଟିକୁ ବଢେଇ ଚଢେଇ ଦେଖେଇବା ଆମର ପରମ୍ପରା ପାଲଟିଛିକିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସବୁ ଜନମତ ସର୍ଭେ ଓ ଏଗଜିଟ ପୋଲ କୁ ଭୁଲ ପ୍ରମାଣିତ କରି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା

ନିକଟରେ ଓଡିଶା ରାଜନୀତିର ଗଣିତ କୁ ନେଇ କିଛି ସର୍ଭେ ଫଳାଫଳ ଆସିଛି। ପ୍ରାୟ ସବୁ ଜନମତ ସର୍ଭେ କହୁଛି, ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ସରକାର ପୁଣିଥରେ ଗଠିତ ହେବ, କିନ୍ତୁ ବିଜେପି ଲୋକସଭା ଆସନ ଅଧିକ ଜିତିବ। ଏ ପ୍ରକାର ଭବିଷ୍ୟବାଣୀର ଆଧାର କଣ? ୨୦୦୪,୨୦୦୯ ଓ ୨୦୧୪ ରେ ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଓ ସବୁଥର ଲୋକସଭା ଓ ବିଧାନସଭାର ବିଜୟହାର ସମାନ ରହିଛି। ରାଜ୍ୟରେ ଯିଏ ବିଧାନସଭା ନିର୍ବାଚନ ଜିତିଛି, ଲୋକ ସଭା ରେ ସେ ଦଳକୁ ଅଧିକ ଆସନ ମିଳିଛି।

୨୦୦୪ ରେ ବିଜେଡି-ବିଜେପି ମେଣ୍ଟ ବିଧାନସଭାରେ ୯୩ ଆସନ ପାଇଥିବା ବେଳେ ଲୋକସଭାରେ ୧୮ ଆସନ ଜିତିଥିଲେ। ସମାନ ଧାରା ୨୦୦୯ ୦ ୨୦୧୪ ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ରେ ବିଜେଡି ବିଧାନସଭାରେ ୧୦୩ ଓ ଲୋକସଭାରେ ୧୪ ଆସନ ପାଇଥିଲା। ୨୦୧୪ ରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ଓଡିଶାରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଟି ଆସନ ପାଇଥିଲାସେହି ଧାରା ସହ ତୁଳନା କରି ଦେଖିଲେ ଏଥର ରାଜ୍ୟରେ ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଲେ ଲୋକସଭାରେ ଏହାର ସଭ୍ୟ ସଂଖ୍ୟା କମିବ କେମିତି?

ସି-ଭୋଟର ସର୍ଭେରେ ବିଜେପି କୁ ଓଡିଶାରେ ୧୨ ଟି ଲୋକସଭା ଆସନ ମିଳିବ ବୋଲି କୁହାଯାଇଛିଓଡିଶାର ରାଜନୈତିକ ଜୀବନ ବିଷୟରେ ଜାଣିଥିବା ଯେକୌଣସି ସାଧାରଣ ଲୋକ ମଧ୍ୟ ଏ ପ୍ରକାର ଭବିଷ୍ୟବାଣୀକୁ ଅନ୍ତତଃ ବର୍ତ୍ତମାନ ବିଶ୍ଵାସ କରିବନାହିଁଏପରିକି ଖୋଦ ରାଜ୍ୟ ବିଜେପି ନେତାମାନେ ଏ ପ୍ରକାର ଆକଳନକୁ ବିଶ୍ଵାସ କରିପାରୁନାହାନ୍ତି

ତେବେ ୨୦୧୪ ରେ ଓଡିଶା ପାଇଁ ଯେଉଁ ସର୍ଭେ ପ୍ରସ୍ତୁତ ହୋଇଥିଲା ସେଥିରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନଥିଲା। ଅଗଷ୍ଟ ୨୦୧୩ ରୁ ଏପ୍ରିଲ ୨୦୧୪ ମଧ୍ୟରେ ୬ ଟି ଜନମତ ସର୍ଭେରେ ବିଜେଡି ଅତି ବେଶୀରେ ୧୨ ଟି ଲୋକସଭା ଆସନରେ ଜିତିପାରେ ବୋଲି କୁହାଯାଇଥିଲା। ପ୍ରତ୍ୟେକ ସର୍ଭେ କଂଗ୍ରେସ କୁ ଆପାତତଃ ୭ ଟି ଓ ବିଜେପି ୩ ଟି ଆସନ ଜିତିବା କଥା କହିଥିଲେ। -ଟାଇମ୍ସ ନାଓ-ସି-ଭୋଟର ର ଆକଳନ ଥିଲା- ବିଜେଡି ୧୨, କଂଗ୍ରେସ ୯, ଇଣ୍ଡିଆ ଟୁଡେ- ସି ଭୋଟର- ବିଜେଡି ୧୩, କଂଗ୍ରେସ ୮, ସିଏନଏନ-ଲୋକନୀତି, ବିଜେଡ଼ି ୧୦-୧୬, ବିଜେପି-୩-୭, କଂଗ୍ରେସ ୦-୪ ଆସନ ପାଇବେ ବୋଲି କହିଥିଲେ

ଚୂଡାନ୍ତ ଫଳାଫଳ ବେଳକୁ ବିଜେଡି ୨୦, ବିଜେପି ୧ ଓ କଂଗ୍ରେସ ୦ ଆସନ ପାଇଥିଲେ। ତେଣୁ କୌଣସି ଗୋଟିଏ ବି ସର୍ବେକ୍ଷଣ ର ସଠିକତା ନଥିଲା। ଆଜି ମଧ୍ୟ ଯାହା ସି-ଭୋଟର ଯାହା କହିଛି, ତାହା କେବଳ ଗାଲୁଆମୀ ଓ ସେଥିରେ ସଠିକତା ନାହିଁ ବୋଲି କୁହାଯାଇପାରେ। ଓଡିଶାରେ ଯେଉଁ ଦଳ ବିଧାନସଭାରେ ଭଲ କରିବ, ସେହି ଦଳ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠ ଆସନ ଜିତିବ