Categories
ଆଜିର ଖବର

ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ : ଦ୍ବିତୀୟ ଦିନରେ ୧୩୭ ବିମାନ ଉଡାଣ ବାତିଲ

ଗତକାଲି ଏୟାର ଇଣ୍ଡିଆର ସର୍ଭର ଡାଉନ୍‌ ହେବା କାରଣରୁ ଏହାର ସମସ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ଉଡାଣ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛ। ରବିବାର ଏୟାର ଇଣ୍ଡିଆର ୧୩୭ ଟି ବିମାନ ଉଡାଣ ବାତିଲ ଘୋଷଣା କରାଯାଇଛି। ବର୍ତ୍ତମାନ ଏୟାର ଇଣ୍ଡିଆର ସମସ୍ତ ବିମାନ ଆପାତତଃ ୧୯୭ମିନିଟ୍‌ ବିଳମ୍ବରେ ଉଡାଣ ଭରୁଛି । ଯାତ୍ରୀମାନେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଗତକାଲି ମଧ୍ୟ ଏହି ଏୟାର ଲାଇନ୍ସ ନିଜର ୧୪୯ଟି ବିମାନର ଉଡାଣ ବାତିଲ କରିଥିଲା। ନିଜର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ସହିତ ଏୟାର ଇଣ୍ଡିଆ ଦୈନିକ ଭାବରେ ୬୭୪ ବିମାନ ଉଡାଣ କରିଥାଏ।

Categories
ଆଜିର ଖବର

ମହାରଥୀଙ୍କୁ ଜାମିନ୍‌ ମିଳିଲାନି, ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଲା

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ ପ୍ରାର୍ଥୀ। ପ୍ରଦୀପ ମହାରଥୀଙ୍କ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରପୋର୍ଟ ଆସି ନଥିବାରୁ ଶୁଣାଣି ଘୁଞ୍ଚିଛି ବୋଲିୀ ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏଏସ୍‌ଆଇଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍‌ଙ୍କ ତତ୍ୱାବଧାନରେ ଦୁଇଟି ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ଖୋଦ୍‌ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକମାନେ ଫ୍ଲାଇଂ ସ୍କ୍ୱାଡ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ମାଡ଼ ମାରିବା ସହିତ କ୍ୟାମେରା ଭାଙ୍ଗି ଦେଇଥିଲେ। ଆକ୍ରମଣରେ ମାଜିଷ୍ଟେଟ୍‌ ରବି ନାରାୟରଣ ପାତ୍ର, ଏଏସ୍‌ବଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଥିଲେ। ଏହାପରେ ଘଟଣାକୁ ଗୁରୁତର ସହ ନେଇଥିବା ଜିଲ୍ଲା ପ୍ରଶାସନ ଏବଂ ମହାରଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଝରପଡା ଜେଲକୁ ପଠାଯାଇଥିଲା। ମହାରଥୀଙ୍କ ବିରୋଧରେ ଦଫା-୩୦୭,୩୫୩,୫୪୧,୩୩୨,୧୪୭,୧୪୯, ଏବଂ ୧୭୧ (ବି), ୧୮୬ ଏବଂ ୧୨୩ ଲଗାଇଛି ପୋଲିସ୍‌।