Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଯାଇଥିବାରୁ ଘରେ ପୂରାଉ ନାହାନ୍ତି ଘର ମାଲିକ

ବାଲେଶ୍ବର: କରୋନା ପାଇଁ ସମସ୍ତେ ସତର୍କ ଓ ସଚେତନ ରହିବା ଭଲର କଥା କିନ୍ତୁ ଏହାକୁ ନେଇ ଭ୍ରମରେ ରହିବା ଆଦୌ ଉଚିତ୍‌ ନୁହେଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ବରରୁ ଜଣେ ବ୍ୟକ୍ତି ଘରକୁ ଫେରିଥିବାବେଳେ ତାଙ୍କୁ ଘରେ ପଶିବାକୁ ଦିଆଯାଉନାହିଁ। ଏହିପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ସହର ସହଦେବଖୁଣ୍ଟାରେ ଘଟିଯାଇଛି। ଭୁବନେଶ୍ବରର ଯାଇଥିବାରୁ ତାଙ୍କୁ ଘରେ ପୂରାଉ ନାହାନ୍ତି ଘର ମାଲିକ। ସମ୍ପୃକ୍ତ ବ୍ୟକ୍ତି ଜଣକ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ପରାମର୍ଶ କରି ସ୍ତ୍ରୀ, ପୁଅ ସହ ଆଜି ଘରକୁ ଫେରିଥିଲେ। ତେବେ କରୋନା ପ୍ରଭାବିତ ଭୁବନେଶ୍ବରରୁ ଫେରିଥିବାରୁ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଦିନ ସାଢ 11ଟାରୁ ଘର ବାହାରେ ବସିଥିଲେ ବି ଘରେ ପଶିପାରୁନାହାନ୍ତି ବ୍ୟକ୍ତି ଓ ତାଙ୍କ ପରିବାର। ଘଟଣାସ୍ଥଳରେ ଏଡିଏମ୍‌, ତହସିଲଦାର ଓ ପୋଲିସ୍‌ ପହଞ୍ଚି ବୁଝାସୁଝା କରାଇଛନ୍ତି। ରିପୋର୍ଟ ଲେଖା ସରିବା ପର୍ଯ୍ୟନ୍ତ ଘର ମାଲିକ ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ଆଲୋଚନା କରିନଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନ କଲେ 80 ଜଣ ଛାତ୍ରୀ

କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର 80 ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କର୍କଟ ପୀଡ଼ିତାଙ୍କ ପାଇଁ ସେମାନେ ଏହି କେଶ ଦାନ କରିଛନ୍ତି ।ଏହି କେଶରେ କ୍ୟାନସର୍‌ ପୀଡ଼ିତାଙ୍କ ପାଇଁ ଓ୍ବିଗ୍‌ ପ୍ରସ୍ତୁତ ହେବ। ଛାତ୍ରୀମାନେ କହିଛନ୍ତି ଯେ, କର୍କଟ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ଅସମର୍ଥ। କିନ୍ତୁ ତାଙ୍କ ମୁହଁରେ ହସ ଫୁଟାଇବା ଲାଗି ସେମାନେ ଏପରି ଏକ ନିଆରା ପଦକ୍ଷେପ ନେଇଛନ୍ତି । କେମୋଥେରାପି ପରେ କର୍କଟ ପୀଡ଼ିତଙ୍କ କେଶ ଉପୁଡି ଯାଇଥାଏ। ତେଣୁ ସେମାନେ ଦାନ କରିଥିବା ଏହି କେଶରେ ସେମାନଙ୍କ ପାଇଁ ଓ୍ବିଗ୍‌ ପ୍ରସ୍ତୁତ ହେବ। ଏହି ଅଭିଯାନରେ 200 ଜଣ ଛାତ୍ରୀ ସେମାନଙ୍କ କେଶ ଦାନ କରିବେ ବୋଲି ସୂଚନା ରହିଛି।(ଏଜେନ୍ସି)