Categories
ଆଜିର ଖବର ରାଜ୍ୟ ଖବର

ଟ୍ରଲର ପଛ ପଟୁ ଧକ୍କା ଦେଲା କାର: ଜଣେ ମୃତ, ଚାଳକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩ ମହିଳା

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଅଛନ୍ତି ଏବଂ ୩ ଜଣ ମହିଳା ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୋଟିଏ କାର ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ର ପୁର ଛକରେ ରାସ୍ତା ଉପରେ ହଠାତ ଏକ ଟ୍ରଲର ବ୍ରେକ ମାରିଥିଲା। ଫଳରେ ଟ୍ରଲର ପଛରୁ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲା। ହେଲେ କାରଟି ଏଭଳି ଭାବରେ ଧକ୍କା ଦେଇଥିଲା ଯେ, ଯେଉଁଥିରେ କାରର ଅଧିକାଂଶ ଅଂଶ ଟ୍ରଲର ଭିତରେ ପସିଯାଇଥିଲା।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରିବା ସହ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମରଜିତ ରାଉତ (୨୮) ନାମକ ଜଣେ ଯାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ଗୁରୁତର ଥିବା ଚାଳକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ୩ ଜଣ ମହିଳା ଯାତ୍ରୀଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।

ତେବେ ମୃତକ ଅମରଜିତଙ୍କ ଘର ଭଦ୍ରକ ଧାମ ନଗର ଅଞ୍ଚଳରେ ବୋଲି ଜଣାପଡିଥିବା ବେଳେ ଚାନ୍ଦପୁର ପୋଲିସ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର କୋଭିଡ୍‌ -19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ସୀତାରାମ ଅଗ୍ରଓ୍ବାଲ
ନୟାଗଡ : ରାଜ୍ୟ ସରକାରଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡର ଚାନ୍ଦପୁର ସ୍ଥିତ ସ୍ବତନ୍ତ୍ର କୋଭିଡ୍‌-19 ହସ୍ପିଟାଲ ଗସ୍ତ କରି ବିଭିନ୍ନ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଭୟ ଅଧିକାରୀ । ଚାନ୍ଦପୁରରେ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିବା ସହିତ ହସ୍ପିଟାଲର ଏସି ଏବଂ ଭେଣ୍ଟିଲେଟର ସୁବିଧା ବାବଦରେ ପଚାରି ବୁଝିଥିଲେ ଉଭୟ ଅଧିକାରୀ । ଏହା ସହିତ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡରେ ବର୍ତ୍ତମାନ ସୁଦ୍ଧା ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରକାଶିତ ଜୋନ୍‌ ଓ୍ବାରୀ ଜିଲ୍ଲା ତାଲିକାରେ ନୟାଗଡ ଗ୍ରୀନ୍‌ ଜୋନ୍‌ରେ ରହିଛି ।