Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପୁଣି ରଘୁବାଣୀ: ଏଥର ସରକାରୀ ଅଧିକାରୀଙ୍କୁ କଲେ ଟ୍ୟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ପୁଣି ଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବଥର ସେ ସିଧା ନିର୍ବାଚିତ ବିଜେଡି ପ୍ରତିନିଧୀଙ୍କୁ ଟ୍ୟାର୍ଗେଟ କରିଥିଲେ। ହେଲେ ଏଥର ସେ ଚିଲିକା ଅଞ୍ଚଳର ସରକାରୀ ଅଧିକାରୀଙ୍କୁ ଟ୍ୟାର୍ଗେଟ କରିଛନ୍ତି। ଆଜି ରଘୁନାଥଙ୍କ ନେତୃତ୍ବରେ ଚିଲିକା ବ୍ଲକ କର୍ମି ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀ ପରେ ସେ ସାମ୍ବାଦିକଙ୍କୁ ରଘୁବାଣୀ ଶୁଣାଇଛନ୍ତି।

ରଘୁନାଥ କହିଛନ୍ତି ଯେ, ଚିଲିକାରେ ପିସି କାରବାର ଜୋରଯାର ଚାଲିଛି। ଏଥିରେ ନେତାଙ୍କ ସହିତ ସରକାରୀ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ଏଥିରେ ସେ ନାମ ନ ନେଇ କେତେକ ସରକାର ଅଧିକାରୀ ଦୁର୍ନିତି ଗସ୍ତ ବୋଲି କହିଛନ୍ତି। ସେ ସିଧା ବାଣପୁର ଏବଂ ଚିଲିକାର ଜେଇଇ ପିସି କାରବାରରେ ସଂପୃକ୍ତ ବୋଲି କହିଛନ୍ତି।

ସେହିପରି ଚିଲିକାର ଆରଆଣ୍ଡବି ର ଜଣେ ଏସଡିଓ ମ୍ୟାଡାମ ମଧ୍ୟ ଏହି ଦୁର୍ନିତିରେ ସଂପୃକ୍ତ ଅଛନ୍ତି। ତାଙ୍କ ନାମ ନ ନେଇ ରଘୁନାଥ କହିଛନ୍ତି ଯେ , ସେ ମ୍ୟାଡମ ପାଖକୁ ଗଲେ ସେ ବିଧାୟକଙ୍କୁ ଦେଖାକଲେ କାମ ମିଳିବ ବୋଲି କହୁଛନ୍ତି। ପୂର୍ବରୁ ଯେଉଁ ସରକାରୀ ଅଧିକାରୀ ବେଗୁନିଆ ବୋଲଗଡରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଚିଲିକାକୁ ବଦଳି କରି ପିସି କାରବାର କରାଯାଉଛି ବୋଲି ରଘୁ କହିଛନ୍ତି।

ଗତକାଲି ରଘୁଙ୍କ ବିରୋଧରେ ବିଜେଡିର ଏକ ବଡ ଗୋଷ୍ଠୀ କରିଥିବା ଆନ୍ଦୋଳନକୁ ନେଇ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରଘୁ କହିଛନ୍ତି ଯେ, ଯେଉଁମାନେ ଦୁର୍ନିତି କରି କାମ କରୁଛନ୍ତି ସେହିମାନେ ସେହି ଶୋଭାଯାତ୍ରାରେ ସାମିଲ ଥିଲେ। ସେମାନେ ଅଧିକାଂଶ କଣ୍ଟ୍ରାକ୍ଟର ଥିଲେ। ସେମାନଙ୍କ ଆନ୍ଦୋଳନର କୌଣସି ମାନେ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ଆଗାମୀ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ହେବ ତାହାର ଉତ୍ତରରେ ରଘୁ କହିଛନ୍ତି ଯେ, ମୁଁ ଟିକେଟ ପାଇଁ ଆଶା ରଖିଛି। ନବୀନ ପଟ୍ଟନାୟକ ଏଥର ମୋତେ ଟିକେଟ ଦେବେ ବୋଲି ଭାବିଛି। ମୋତେ ଚିଲିକାରେ ପ୍ରାୟ ଅଧିକାଂଶ ବିଜେଡି କର୍ମୀ ସମର୍ଥନ କରୁଛନ୍ତି ବୋଲି ରଘୁନାଥ ଦାବୀ କରିଛନ୍ତି। ଚିଲିକାରେ ନିଶ୍ଚିତ ବିଜେଡି ଜୟଯୁକ୍ତ ହେବ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ବିପକ୍ଷ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ସେମାନେ ତାଙ୍କର ନାମ ପ୍ରକାଶ ନ କରି କହିଛନ୍ତି ଯେ, ରଘୁନାଥଙ୍କ ପାଖରେ ଯଦି ଦୁର୍ନିତିର ପ୍ରମାଣ ରହିଛି ତେବେ ସେ ଭିଜିଲାନସ କିମ୍ବା କୋର୍ଟକୁ ଯାଆନ୍ତୁ। ତାହା ନ କରି ନିଜର ବାହାଦୂରୀ ପାଇଁ ଏପରି ଲୋକଙ୍କ ଆଗରେ ମିଛକଥା କହିବା ଠିକ୍ ନୁହେଁ।

ଚଳିତ ଏନଏସି ଏବଂ ପଞ୍ଚାୟତ ନିର୍ବାଚନରେ ରଘୁନାଥ କିପରି ଦଳୀୟ ବିରୋଧରେ କାମ କରିଥିଲେ ତାହାର ପ୍ରମାଣ ଦଳ ପାଖରେ ରହିଛି। ଆଗାମୀ ଦିନରେ ରଘୁନାଥଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ହେଲେ ରଘୁନାଥ ଯେଉଁ ସରକାରୀ ଅଧିକାରୀମାନଙ୍କ ବିରୋଧରେ କହିଛନ୍ତି ସେମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ଏକ ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେମାନେ ଏ ନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ଏପରିକି ସେମାନଙ୍କ ଅଫିସର ସଂଘ ସହିତ ଯୋଗାଯୋଗ କରି କଣ କରାଯିବ ସେ ନେଇ ବିଚାର କରୁଥିବାର ଜଣାପଡିଛି। କାରଣ ସର୍ବ ସମ୍ମୁଖରେ ରଘୁନାଥଙ୍କ ଏପରି ମନ୍ତବ୍ୟ ସେମାନଙ୍କ ସମ୍ମାନ ଉପରେ ବାଧା ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବିରୋଧରେ ବିସ୍ପୋରକ ମନ୍ତବ୍ୟ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲା

ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି।

ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଛନ୍ତି। ସେହିପରି ମାନସ ପ୍ରଧାନ ମଧ୍ୟ କୋଟିକୋଟି ଟଙ୍କାର କାମ ନେଇଛନ୍ତି। ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି। ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏହି ସାମ୍ବାଦିକ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନିତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗୀବେ। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି ରଘୁନାଥ କହିଛନ୍ତି। ଏ ନେଇ ସେ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ ଚିଲିକା ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି। ହଠାତ ରଘୁନାଥଙ୍କ ଜୟ ବିଜେଡି କହି ସାମ୍ବାଦିକ ସମ୍ମିଳନୀ କରିବା ନେଇ ଅନେକ ସନ୍ଦେହ କରିଛନ୍ତି। ତେବେ ଉଭୟ ରଘୁ ସାହୁ ଏବଂ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଚା ଚାଲିଛି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଭିନ୍ନ ରୂପ, ଭାବମୂର୍ତ୍ତି ସଜାଡିବା ପାଇଁ ଧାର୍ମିକ କାର୍ଯ୍ୟରେ ହେଉଛନ୍ତି ସାମିଲ

ଭୁବନେଶ୍ବର: ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ଫେରିବା ପରେ ଏବେ ଭିନ୍ନ ରୂପ ଧାରଣ କରିଛନ୍ତି। ସେ ବର୍ତ୍ତମାନ ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି। ନିଜ ଭିତରେ ଏବଂ ରାଜ୍ୟରେ ଶାନ୍ତି ଆଣିବା ପାଇଁ ବର୍ତ୍ତମାନ ସେ ନିଜକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖୁଛନ୍ତି।

ନିକଟରେ ଦୁର୍ଗାପୂଜା ଆଉ ଲକ୍ଷ୍ମୀ ପୂଜାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରୁଥିବାର ପରିଲକ୍ଷିତ ହୋଇଥିଲା। ବିଶେଷ କରି ସେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ହେଉଥିବା ଏହି ପୂଜାରେ ନିଜକୁ ନିୟୋଜିତ ରଖିଥିଲେ। ସେତିକି ନୁହେଁ ସେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦଙ୍କ ସହିତ ମଧ୍ୟ ସଂପର୍କ ଯୋଡିଥିଲେ।

ପ୍ରଶାନ୍ତ ଜଗଦେବ ଜଣେ ରାଗି ମିଞ୍ଜାଜର ନେତା ବୋଲି ଯେଉଁ ପ୍ରଚାର ଚାଲିଛି ସେଥିରେ ସେ ଭଟ୍ଟା ପକାଇବା ପାଇଁ ଏହି ନୂଆ ମାଧ୍ୟମକୁ ଆପଣେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଜଣେ ରାଗି ବ୍ୟକ୍ତି ନୁହଁନ୍ତି, ସେ ଜଣେ ସରଳ ଓ ଶାନ୍ତଶିଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ କରିବା ପାଇଁ ସେ ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ସେଥିପାଇଁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କରିବା ମଧ୍ୟ ଆରମ୍ଭ କରିଛନ୍ତି।

ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜାରେ ପରେ ଏବେ ସେ କାଳୀ ପୂଜାରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି।  ପବିତ୍ର କାଳୀପୂଜା ଅବସରରେ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ “ମା” ରକ୍ଷାକାଳୀଙ୍କ ମନ୍ଦିରର ବାର୍ଷିକ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରିଛନ୍ତି। ତାଙ୍କର ଧର୍ମପତ୍ନୀ ତଥା ସମାଜସେବୀ ସ୍ୱାଗତିକା ଜଗଦ୍ଦେବ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ କୋର୍ଟ ନିର୍ଦ୍ଦେଶ ଯୋଗୁଁ ପ୍ରଶାନ୍ତ ତାଙ୍କ ନିର୍ବାଚନ ମଣ୍ଡଳି ଚିଲିକାକୁ ଯାଇପାରୁ ନାହାଁନ୍ତି। ହେଲେ ସେ ଭୁବନେଶ୍ବରରେ ରହି ନିଜର ନିର୍ବାଚନ ମଣ୍ଡଳିକୁ ନିୟନ୍ତ୍ରିତ କରୁଛନ୍ତି। ସେହିପରି ଏହି କଟକଣା ପାଇଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେ ଅନ୍ୟ ସ୍ଥାନରେ ଏହି ଧାର୍ମିକ କାର୍ଯ୍ୟରେ ନିୟୋଜିତ କରି ନିଜର ଭାବମୂର୍ତ୍ତି ସଜାଡିବାରେ ଲାଗିଛନ୍ତି।