ନୂଆଦିଲ୍ଲୀ, ୧୨/୧୨: ନାଗରିକତା ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଡିସେମ୍ବର ୧୨ରୁ ୧୪ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ଆଜି ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନାଗରିକତା ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବ ଭାରତରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ଏହା ବିରୋଧରେ ପ୍ରଦର୍ଶନ କରିବା ସହିତ ସମ୍ବିଧାନର ଆର୍ଟିକିଲ୍ ୧୪ର ଉଲ୍ଲଂଘନ ବୋଲି କହିଛନ୍ତି। (ଏଜେନ୍ସି)
Tag: Citizenship (Amendment) Bill
ଜ୍ୟୋତି ନନ୍ଦ
” ମୁଁ ଆସାମର ସମସ୍ତ ଭାଇ ଓ ଭଉଣୀଙ୍କୁ ଆଶ୍ୱସ୍ତ କରୁଅଛି ଯେ ସଂପ୍ରତି ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିବା କାରଣରୁ ସେମାନେ କୌଣସି ପ୍ରକାର ବିବ୍ରତ ହେବାର ଆବଶ୍ୟକତା ନାହିଁ I
ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁବି,କେହି ସେମାନଙ୍କର ଅଧିକାର, ଅସ୍ମିତା ଏବଂ ସୁନ୍ଦର ସଂସ୍କୃତିକୁ ଛିନ୍ନ କରିବ ନାହିଁ।ଏହା ନିରନ୍ତର ବିକଶିତ ଓ ବର୍ଦ୍ଧିତ ହେଉଥିବ।”
ଏହି ନିବେଦନ ଟି ଭାରତର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମାସ୍ତ୍ର ରେ ଅର୍ଥାତ୍ ଟ୍ୱିଟରରେ ଲିପିବଦ୍ଧ ହୋଇ ରହିଅଛି।ଏହି ଲିପିବଦ୍ଧ କଥାଟି ସର୍ବକାଳୀନ ସ୍ୱର୍ଣ୍ଣାକ୍ଷର ରେ ରହିଥାଉ ବୋଲି ଆମର ଏକାନ୍ତ କାମନା।ଆସାମବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ନିବେଦନ କୁ ଆମର ପରମ ସୌଭାଗ୍ୟ ଆମେ ଏଠାରେ ପଢିପାରିବା କାରଣରୁ ସଂପୂର୍ଣ୍ଣ ଆଶ୍ୱସ୍ତ ରହିଛୁ।ଆମର ଏଠିକାର ଶାଗୁଆ ସମ୍ରାଟ ବି ଏହି ଲେଖାକୁ ପଢି ଆମ ଠାରୁ ଯଥେଷ୍ଟ ଖୁସି ଅଛନ୍ତି।ଶାଗୁଆ ସମ୍ରାଟଙ୍କର ସେହି ପ୍ରିୟ ଓ ପବିତ୍ର ଓ ପୂର୍ଣ୍ଣତଃ ଧର୍ମ ନିରପେକ୍ଷ ପ୍ରଶ୍ନ ର ଅପେକ୍ଷାରେ ଆମେ ସମସ୍ତେ ଉଦଗ୍ରୀବ ରହିଛୁ ଯାହାର ଉପସ୍ଥାପନ କେବଳ ପୁନରାବୃତ୍ତି ହେବ,
ଆପଣମାନେ ଖୁସି ତ ?
ଆଜିଠୁ ଆମର ଶାଗୁଆ ସମ୍ରାଟଙ୍କୁ ଆମେ ସଂପୂର୍ଣ୍ଣ ଧର୍ମ ନିରପେକ୍ଷ ବୋଲି କହିବାକୁ ଏକରକମ ବାଧ୍ୟ। ରାଜାଙ୍କର ଜୟ ହେଉ।ପାଞ୍ଚ “ଟି” ର ଜୟ ହେଉ । ରାଷ୍ଟ୍ର ହିତରେ ଆଉ ଜନହିତରେ ଆହା କେତେ କଷ୍ଟ ସେ ନକରୁଛନ୍ତି ! ସେଥିରେ ପୁଣି ଧର୍ମ ନିରପେକ୍ଷ ରହିବା ଭଳି ବୈଷ୍ଣବ ସୁଲଭ ବାଉଁଶରାଣୀ ର ଚାଲି ! ଆହା ସମ୍ରାଟଙ୍କ ଶ୍ରୀଅଙ୍ଗ କେତେ ଯାତନା ସହୁଚି ଖାସ୍ ଆମରି ପାଇଁ ?
ଶାଗୁଆ ସମ୍ରାଟ ଙ୍କର ଜୟ ହେଉ।
ଏହି ଯେଉଁ ଐତିହାସିକ ଭୁଲ କୁ ସୁଧାରି ନିଆଯାଇପାରିଲା ସେଥିରେ ଆମ ଶାଗୁଆ ସମ୍ରାଟଙ୍କ ଧର୍ମ ନିରପେକ୍ଷ ତଥା ପରମ ରାଷ୍ଟ୍ରବାଦୀ ଦୃଷ୍ଟିଭଂଗୀକୁ ଯେତେ ପ୍ରଶଂସା କଲେ ତାହା କମ୍ ହେବ।ଆମର ଦୁଇ ମହାନୁଭବ ଶାହନଶାହ ଙ୍କର ଭୁମିକାର ତୁଳନାରେ ଆମର ସମ୍ରାଟଙ୍କ ଭୂମୀକାକୁ ସେତେ ନ୍ୟୁନ କରାଯାଇ ପାରିବ ନାହିଁ।ଆଜକୁ ହଜାର ବର୍ଷ ପରେ ଯଦି କେହି ଏହାକୁ ଇତିହାସର ଭୁଲ ଭାବେ ଦେଖେ(ଇତିହାସର ଭୁଲ କୁ ଦେଖିବା ଆଉ ସୁଧାରିବା ପାଇଁ ଇତିହାସ ପଢିବା ଆଦୌ ଦରକାର ହୁଏ ନାହିଁ ବୋଲି ଆମର ମନେ ରଖିବା ଉଚିତ।ଗୋଟିଏ ଧର୍ମଗ୍ରନ୍ଥ ଆଉ ଯଜ୍ଞାନୁଷ୍ଠାନ ପାଇଁ ଶ୍ରୁବ,ସ୍ରୂଚ ଆଉ କିଛି ସମିଧ କୁ ଏକାଠି ଗାମୁଛାକାନିରେ ବେଶ୍ ଭଲକରି ବୁଜୁଳୀ ବାନ୍ଧିଥିଲେ ଚଳିବ।ଆଉ ସେତିକି ହେଲେ ତମେ ଇତିହାସର ଭୁଲ ଦେଖିବା ପାଇଁ ପୁରା ପୁରି ଯୋଗ୍ୟ ହୋଇଗଲ।) ତେବେ ସେ ନିଶ୍ଚୟ ଆମର ଶାଗୁଆ ସମ୍ରାଟଙ୍କୁ ଭୁରି ଭୁରି ପ୍ରଶଂସା କରିବାରୁ ଜମା ବିରତ ରହିବ ନାହିଁ।
ସେ ଯାହା ହେଉ ମହାମହିମ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହି ବ୍ରହ୍ମାସ୍ତ୍ର ରୁ ଆମେ ସବୁକଥା ସଠିକ ଜାଣିପାରିଅଛୁ ଏବଂ ଆମର ଶାଗୁଆ ସମ୍ରାଟଙ୍କ ସହ ଆମେ ଏହାକୁ ଏଠାରେ ପଢିପାରିବା କାରଣରୁ ବେଶ୍ ଆଶ୍ୱସ୍ତ ବି ରହିଛୁ।
“ଆହା କି ଆନନ୍ଦଧାରା ବହିଛେ ଭୂବନେ”!
ଧର୍ମ ନିରପେକ୍ଷ ମହାନୁଭବ ମାନଙ୍କର ଜୟ ହେଉ।ସେମାନେ ଭାରତକୁ ଆହୁରି ଅନ୍ୟୁନ୍ୟ ଦୁଇ ଦଶନ୍ଧୀ ଶାସନ କରି ଆମର ଆନନ୍ଦ ବର୍ଦ୍ଧନ କରୁଥାଆନ୍ତୁ।
କେହି କେହି ଖଳ ପ୍ରକୃତିର ଲୋକେ କହି ପାରନ୍ତି ସେମାନଙ୍କର ଆସାମବାସୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ପରମବିଶ୍ୱାସଯୋଗ୍ୟ ସ୍ୱର୍ଣ୍ଣାକ୍ଷର ମାନଙ୍କୁ ଯେଉଁମାନେ ପ୍ରକୃତରେ ଆସାମବାସୀ ସେମାନେ ପଢିପାରିବେ ନାହିଁ।କାରଣ ସେଠାରେ ଏବେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।
ଏହା ଠିକ୍ ନୁହଁ।
ଆସାମ ଏଠାରେ ଆସାମ ନୁହଁ।ଆମର ସମସ୍ତ ଶାହନଶାହ ମାନଙ୍କର ପ୍ରତୀକ ପ୍ରୀତି ଯଥେଷ୍ଟ।ତେଣୁ ଆସାମକୁ ଧର୍ମ ନିରପେକ୍ଷତା ର ଏକ କାବ୍ୟିକ ପ୍ରତୀକ ଆକାରରେ ଆମର ବୁଝିଯିବା ଦରକାର ଆଉ ଉଚିତ୍ ବି। ଏହାପରେ ଆଉ ଅଧିକ ପ୍ରଶ୍ନ କାହିଁକି ?
କାହାରି ହୃଦୟରେ ଆସାମ ବୋଲି ଜାଗାଖଣ୍ଡେ ନାହିଁ ଯେ ?ଆମେ ମାନେ ଅତୀତକାଳରେ ଯେତେବେଳେ “ଉଚ୍ଛନ୍ନ “ହେଉ ଥିଲୁ ସେତେବେଳେ ଆସାମ ଯାଉଥିଲୁ ବୋଲି କବି “ଛୋଟ ମୋର ଗାଆଁଟିରେ” କହିଛନ୍ତି।ଆମେ ପଢିପାରିଲୁ ମାନେ ଆସାମ ପଢିପାରୁଛି ବୋଲି ତେଣୁ ଧରି ନେବାକୁ ହେବ।
ମହାମହିମ ଙ୍କ ବ୍ରହ୍ମାସ୍ତ୍ରର ଜୟ ହେଉ।
ଏବଂ ଆଉ ଏଇମିତି ଆଗକୁ ଯେତେ ଯେତେ ବ୍ରହ୍ମାସ୍ତ୍ର ପ୍ରୟୋଗ ହେବାକୁ ଅଛି ସେଥି ପ୍ରତି ଆମେ ଏବେଠୁ ହୃଦପାତି ପ୍ରସ୍ତୁତ ରହିସାରିଛୁ ମହାଭାଗ !
କେଦାର ମିଶ୍ର
ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି। ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ବିଜେପି ନେତୃତ୍ବକୁ ସତର୍କ କରାଇ ଦେଇଥିଲେ। ତା ସତ୍ତ୍ୱେ ଏହି ବିଲକୁ ଗୃହୀତ କରାଇ ନେବାକୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ତତ୍ପରତା ପ୍ରକାଶ କରିବାର କାରଣ କଣ?
କାଶ୍ମୀର ଭଳି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ମଧ୍ୟ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳ ହୋଇ ରହିବାର ସମ୍ଭାବନା ରହିଛି କି? ସଂସଦୀୟ ଗଣତନ୍ତ୍ରରେ ସଂଖ୍ୟା ଦୃଷ୍ଟିରୁ ଯେଉଁ ରାଜ୍ୟ ମାନଙ୍କର ପ୍ରତିନିଧିତ୍ଵ ଦୁର୍ବଳ ସେମାନଙ୍କ ଉପରେ ସଂଖ୍ୟା ଗରିଷ୍ଠତାର ଅହଂକାର ଦେଖାଇ ଜୁଲମ କରା ଯାଉନାହିଁ କି? ଉତ୍ତର ପୂର୍ବ ସ୍ଥିତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ ଓ ସିକିମ- ଏହି ୯ ଟି ରାଜ୍ୟର ମୋଟ ଲୋକସଭା ସଦସ୍ୟଙ୍କ ସଂଖ୍ୟା ମାତ୍ର ୨୭। ତାରି ଭିତରୁ କେବଳ ଆସାମରେ ଅଛନ୍ତି ୧୪ ଜଣ ଲୋକସଭା ସଦସ୍ୟ। ସଂଖ୍ୟା ଦୃଷ୍ଟିରୁ ଜାମ୍ମୁ କାଶ୍ମୀରର ଯେମିତି କୌଣସି ବିଶେଷ ପ୍ରଭାବ ନଥିଲା, ସେମିତି ଉତ୍ତର ପୂର୍ବ ରାଜ୍ୟ ଗୁଡିକର ମଧ୍ୟ କୌଣସି ପ୍ରଭାବ ନାହିଁ। ଯଦି ଏ ପ୍ରକାର ପ୍ରତିବାଦ ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ବା ବିହାରରେ ହୋଇଥାନ୍ତା, ତାହେଲେ ଲୋକମତକୁ ଉପେକ୍ଷା କରି ସରକାର ଏ ପ୍ରକାର ଆଇନ ପ୍ରଣୟନ କରିବାକୁ ସାହସ କରି ନଥାନ୍ତେ।
ଲୋକେ ପ୍ରତିବାଦ କରୁଥିବା ବେଳେ ଶାସକ ଦଳ ସେଇ ପ୍ରତିବାଦକୁ ଉପେକ୍ଷା କରି ନିଜ ମତକୁ ଲୋକଙ୍କ ଉପରେ ଚାପି ଦେବାର ଉଦ୍ୟମ କରୁଛନ୍ତି। ଏହାର ପରିଣତି ଆଗକୁ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଆଡେଇ ଦିଆ ଯାଇ ନପାରେ। ଏହି ବିଲ ସହିତ ଧର୍ମ ଏକ ମୌଳିକ ଆଧାର ବାବେ ସଂଯୁକ୍ତ ହୋଇଥିବାରୁ ବିଦେଶନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଆଗାମୀ ଦିନରେ ବହୁ ବିଦେଶୀ ରାଷ୍ଟ୍ର ଏହାକୁ ନେଇ ପ୍ରତିବାଦ କରିବେ। ବାଂଲାଦେଶ ଯିଏକି ଭାରତର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ରହି ଆସିଛି, ତାକୁ ଏକ ହିନ୍ଦୁ ବିଦ୍ଵେଷୀ ରାଷ୍ଟ୍ର ବୋଲି ବିଜେପି ତରଫରୁ ପ୍ରଚାର କରା ଯାଉଛି। ଗୋଟେ ପକ୍ଷରେ ବାଂଲାଦେଶ ସହିତ ଆମ ସମ୍ପର୍କ ଅତ୍ୟନ୍ତ ମଧୁର ବୋଲି କୁହା ଯାଉଥିବା ବେଳେ ଘରୋଇ ରାଜନୀତିରେ ବାଂଲାଦେଶକୁ ନିୟମିତ ବିରୋଧ କରାଯାଉଛି। ଏ ପ୍ରକାର ଦୋ ମୁହାଁ ନୀତିର ପରିଣତି ସାଂଘାତିକ ହୋଇପାରେ।
ସଂସଦରେ ଏହି ବିଲର ଆଲୋଚନା ସମୟରେ ଅମିତ ଶାହ ତାଙ୍କର ଚିରାଚରିତ ଘୋଷାପାଠ ଦୋହରାଇଛନ୍ତି। ସବୁ କଥା ପାଇଁ କଂଗ୍ରେସକୁ ଗାଳି କରି ଖସିଯିବାର ସହଜ ବାଟ ଛଡା ବିଜେପିକୁ ଅଧିକ କିଛି ଦେଖା ଯାଉନି। ଗୋଟେ ବିଲ ବିରୋଧରେ ୯ ଟି ରାଜ୍ୟର କ୍ରୋଧ ଓ ପ୍ରତିବାଦ ପାଇଁ କେବଳ କଂଗ୍ରେସକୁ ଦାୟୀ କରିବାର କୌଣସି ଯୁକ୍ତି ନାହିଁ। ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଅନେକ ଜାଗାରେ ବିଜେପି ସରକାର ରହିଛି ଓ ସମ୍ପୃକ୍ତ ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାର ବିରୋଧରେ କିଛି କହି ପାରୁନାହାନ୍ତି। ତଥାପି ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ଏହି ବିଲ ବିରୋଧରେ ନିଜର ସ୍ପଷ୍ଟ ମତ ଦେଇଛନ୍ତି। ହେଲେ ସେମାନଙ୍କ କଥା ଶୁଣିବ କିଏ?
ଛୋଟିଆ ରାଜ୍ୟ ଗୁଡିକ ଲୋକସଭା ଓ ରାଜ୍ୟସଭାରେ ସଙ୍ଖ୍ୟାବଳରେ ସବୁବେଳେ ଦୁର୍ବଳ ରହିବେ। ଏହାର ଅର୍ଥ କଣ ସେମାନଙ୍କ ମତ ଓ ପ୍ରତିବାଦର କିଛି ମୂଲ୍ୟ ନାହିଁ? ସଙ୍ଘିୟ ବ୍ୟବସ୍ଥାରେ ସବୁ ରାଜ୍ୟର ନିଜସ୍ଵ ଅଧିକାର ରହିଛି। ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଓ ଅନୁରୋଧକୁ ଉପେକ୍ଷା କରି କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି।
ନିଜ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ହେଲେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର କ୍ଷମତା ସଙ୍କୁଚିତ କରୁଥିବା ଆଇନକୁ ସମାର୍ଥନ ଦେଉଥିବା ବିଜୁ ଜନତା ଦଳ ଗୁଡିକ କଦାପି ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ବିଜେପିକୁ ସମର୍ଥନ କରି ସେମାନେ ସୁରକ୍ଷିତ ରହିବେ। କେନ୍ଦ୍ର ସରକାର ନିଜ ହାତରେ ସବୁ କ୍ଷମତା ଠୁଳ କରିବା ଲାଗି ଗୋଟାଏ ପରେ ଗୋଟେ ସଙ୍ଘିୟ ବ୍ୟବସ୍ଥାକୁ ଉଚ୍ଛେଦ କରି ଚାଲୁଛନ୍ତି ଓ ଚାଳିବେ ମଧ୍ୟ। କାଲି କାଶ୍ମୀର ଥିଲା, ଆଜି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ସେହି ଦୁର୍ଦ୍ଦଶା ଭୋଗୁଛନ୍ତି, ଆସନ୍ତା କାଲୀ ବିହାର କି ଓଡିଶା ଯେ ସେ ଦୁର୍ଦ୍ଦଶା ନ ଭୋଗିବେ, ତାହା ବିଲକୁଲ କହିହେବା ନାହିଁ!!
ନୂଆଦିଲ୍ଲୀ,10/12 : ଗତକାଲି ଲୋକସଭାରେ ପାରିତ ହେବା ପରେ ଆସନ୍ତା କାଲି ରାଜ୍ୟସଭାରେ ଆଗତ ହେବାକୁ ଯାଉଛି ନାଗରିକତ୍ବ ସଂଶୋଧନ ବିଲ୍ । ସଂସଦର ନିମ୍ନ ସଦନରେ ବିରୋଧୀ ଦଳଙ୍କ ହୋହଲ୍ଲା ସତ୍ତ୍ବେ 311-80 ବ୍ୟବଧାନରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଲୋକସଭାରେ ବିଜେପିର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ରାଜ୍ୟସଭାରେ ବିଜେପିର 83 ସାଂସଦ ରହିଛନ୍ତି । ସହଯୋଗୀ ଦଳ ମାନଙ୍କ ମଧ୍ୟରେ ଜେଡିୟୁ(6), ଶିରୋମଣୀ ଅକାଳୀ ଦଳ(1), ଏଲ୍ଜେପି(1), ଆରପିଆଇ(1) ନିକଟରେ 9 ଆସନ ରହିଛି । ଏହା ସହିତ 11 ଜଣ ମନୋନୀତ ସାଂସଦଙ୍କ ସମର୍ଥନ ବିଜେପି ନିକଟରେ ରହିଛି । ବିଲ୍କୁ ପାରିତ କରିବା ପାଇଁ 120 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଥିବା ବେଳେ ଏଆଇଡିଏମକେ, ବିଜେଡି, ଓ୍ବାଇଏସଆର କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଅବଶ୍ୟ ଲୋକସଭାରେ ବିଜେଡି ଏବଂ ଓ୍ବାଇଏସ୍ଆର କଂଗ୍ରେସ ବିଲ୍ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏଆଇଡିଏମ୍କେ ନିକଟରେ 11 ସାଂସଦଙ୍କ ସମର୍ଥନ ରହିଥିବାରୁ ଏହି ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । (ଏଜେନ୍ସୀ)
କେଦାର ମିଶ୍ର
ଗୋଟେ ସରକାରର କେତୋଟି ମୁହଁ- ଏକ ନା ଏକାଧିକ- ଏହା ଏକ ବିଚିତ୍ର ପ୍ରଶ୍ନ। ଏନଡିଏ ସରକାରର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର କହୁଛନ୍ତି ଯେ, ଦେଶରେ ଜଣେ ହେଲେ ବେଆଇନ ଅନୁପ୍ରବେଶକାରୀଙ୍କୁ ସେ ରଖାଇଦେବେ ନାହିଁ, ହେଲେ ଗତକାଲି ଲୋକସଭାରେ ସେ ନାଗରିକତ୍ଵ ସଂଶୋଧନ ଆଇନ ପାଇଁ ବିଲ ଉପସ୍ଥାପନ କରିଛନ୍ତି। ଯଦି ବେଆଇନ ଅନୁପ୍ରବେଶକାରୀ ରହିବେ ନାହିଁ, ତାହେଲେ ଏ ଆଇନର ଆବଶ୍ୟକତା କଣ? ଏହି ବିଲ ଜୁଲାଇ ୨୦୧୬ରେ ଏହି ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ପୂରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏହା ବିରୋଧରେ ଆନ୍ଦୋଳନ ତେଜିବାରୁ ବାଧ୍ୟ ହୋଇ ସରକାର ଏହାକୁ ଆଉ ଆଗକୁ ନେଇ ନଥିଲେ। ଏବେ ଅମିତ ଶାହ ପୁଣିଥରେ ସେହି ସମାନ ବିଲକୁ ଉପସ୍ଥାପନ କରିବା ପଛରେ ଉଦ୍ଦେଶ୍ୟ କଣ? ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଜନସଂଖ୍ୟା ର ସମୀକରଣ ବିଗାଡିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଏହି ରାଜ୍ୟ ଗୁଡିକ ବିଚାର କରୁଛନ୍ତି। ଏହି ସଂଶୋଧନ ସଂସଦରେ ଗୃହୀତ ହେଲେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ରୁ ଆସି ଭାରତରେ ରହି ଯାଇଥିବା ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିୟାନ, ଶିଖ ଓ ହିନ୍ଦୁମାନେ ନାଗରିକ ହେବାର ଅଧିକାର ପାଇବେ। ୩୧, ଡିସେମ୍ବର, ୨୦୧୪ ପୂର୍ବରୁ ଛଅ ବର୍ଷ ଭାରତରେ ରହିଥିବା ଏହି ସବୁ ଧର୍ମର ବିଦେଶୀ ନାଗରିକଙ୍କୁ ନାଗରିକ ଭାବରେ ମାନ୍ୟତା ଦିଆଯିବ।
ଦେଶର ସମ୍ବିଧାନ ଆମକୁ ମୌଳିକ ଅଧିକାରେ ସମାନତାର ଅଧିକାର ଦେଇଛି। ନାଗରିକତା ଦେବା ଲାଗି ଧର୍ମକୁ ଏକ ଆଧାର ଭାବେ ଗ୍ରହଣ କରିବା ସମ୍ବିଧାନର ଧାରା ୧୪ର ଖୋଲା ଉଲ୍ଲଙ୍ଘନ ନୁହେଁ କି? ସମ୍ବିଧାନର ଧାରା 14 ଅନୁସାରେ ଭାରତର ପ୍ରତ୍ଯେକ ନାଗରିକ ଆଇନ ଆଖିରେ ସମାନ। ରାଷ୍ଟ୍ର ବା ସରକାର ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ଜନ୍ମସ୍ଥାନ ଭେଦରେ ନାଗରିକକୁ କୌଣସି ଆଇନ ପାଖରେ ସମାନତାର ଅଧିକାରରୁ ବଞ୍ଚିତ କରି ପାରିବେ ନାହିଁ। ପ୍ରଥମ ଥର ଲାଗି ସମାନତାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରି ଧର୍ମ ଭେଦରେ ନାଗରିକ ଅଧିକାର ଦେବାର ଆଇନ ତିଆରି ହେଉଛି। ଏହା ସମ୍ବିଧାନର ମୌଳିକ ଢାଞ୍ଚା ଓ ବିଚାର ବିରୋଧୀ ହୋଇଥିବା ସତ୍ତ୍ୱେ ଅନେକ ରାଜନୈତିକ ଦଳ ଏହାକୁ ସମର୍ଥନ କରିବା ଆଶ୍ଚର୍ୟର କଥା।
ଏହି ବିଲକୁ ସଂସଦରେ ବିଜୁ ଜନତା ଦଳ ସମର୍ଥନ କରିବ କି ନାହିଁ, ତାକୁ ନେଇ ଅବଶ୍ୟ କୌଣସି ପ୍ରଶ୍ନବାଚୀ ନଥିଲା। ନିର୍ବାଚନ ପରଠୁ ବିଜେଡି ବିଜେପିର ପ୍ରତ୍ୟେକ ନୀତିକୁ ଆଖିବୁଜା ସମର୍ଥନ ଦେଇଆସୁଛି। କାଶ୍ମୀରଠୁ ଆରମ୍ଭ କରି ସୂଚନା ଅଧିକାର ବିଲର ସଂଶୋଧନ ପର୍ଯନ୍ତ ସବୁ ବିଲକୁ ବିଜେଡି ଉଭୟ ଗୃହରେ ସମର୍ଥନ ଦେଇ ଆସୁଛି। ତେଣୁ ଏହି ବିଲକୁ ବିଜେଡି ବିରୋଧ କରିବ ନାହିଁ ବୋଲି ସ୍ପଷ୍ଟ ଜଣା ପଡୁଥିଲା।ଭାଷଣରେ ଧର୍ମନିରପେକ୍ଷ ଆଦର୍ଶ ପ୍ରତି ନିଜର ଅଙ୍ଗୀକାରବଦ୍ଧତା ଦେଖାଉଥିବା ନବୀନ ପଟ୍ଟନାୟକ ଅନେକ ସମୟରେ ସାମ୍ପ୍ରଦାୟିକ ରାଜନୀତିରେ ବିଜେପିକୁ ଆଖିବୁଜା ସମର୍ଥନ ଦେବା ନୂଆ କଥା ନୁହେଁ। ନିତୀଶ କୁମାର ଓ ନବୀନ ପଟ୍ଟନାୟକ ନିଜର ଧର୍ମନିରପେକ୍ଷ ଚରିତ୍ରକୁ ସୁବିଧା ମୁତାବକ ବ୍ୟବହାର କରିବାରେ ବେଶ ଧୁରନ୍ଧର।ଏମାନେ ବିଭିନ୍ନ ସମୟରେ ବିଜେପି କୁ ସାମ୍ପ୍ରଦାୟିକ ବୋଲି କହିଥିବା ବେଳେ ଆସଲବେଳକୁ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡା ପ୍ରତି ନିଜର ନିଃସର୍ତ୍ତ ସମର୍ଥନ ଦେଇ ଆସିଛନ୍ତି। ସାମ୍ପ୍ରଦାୟିକ କେବଳ ନୁହେଁ, ଭାରତୀୟ ସମ୍ବିଧାନର ମୌଳିକ ଆଦର୍ଶକୁ ବିରୋଧ କରୁଥିବା ନାଗରିକତା ସଂଶୋଧନ ବିଲ ପ୍ରତି ନିଜର ସମର୍ଥନ ଜଣାଇ ବିଜେଡି ପୁଣିଥରେ ନିଜର ବୈଚାରିକ ସତ୍ୟତା କୁ ସାମ୍ନାରେ ସ୍ପଷ୍ଟ କରିଛି।
ଏହି ବିଲ ବିରୋଧରେ ଦେଶର ବିଭିନ୍ନ ରାଜ୍ୟ ନିଜର ସ୍ପଷ୍ଟ ମତ ରଖିଛନ୍ତି। ବିଶେଷ କରି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ଏହା ବିରୋଧରେ ତୀବ୍ର ସ୍ଵର ଉତ୍ତୋଳନ କରୁଛନ୍ତି। ଆସାମରେ ଏହା ୧୯୮୪ରେ ହୋଇଥିବା ଆସାମ ଚୁକ୍ତିନାମାକୁ ବିରୋଧ କରୁଛି। ଆସାମ ଗଣ ପରିଷଦ ସମେତ ସେହି ରାଜ୍ୟ ର ବିଜେପି ମଧ୍ୟ ଏହି ବିଲକୁ ବିରୋଧ କରିଥିଲା। ମଣିପୁର, ମିଜୋରାମ ଓ ମେଘାଳୟରେ ବାଂଲାଦେଶରୁ ଆସୁଥିବା ବୌଦ୍ଧ ଚକମା ମାନଙ୍କୁ ବିରୋଧ କରାଯାଉଛି। ନୂଆ ସଂଶୋଧନରେ ବୌଦ୍ଧ ମାନକୁ ନାଗରିକ ଅଧିକାର ମିଳିବାର ବ୍ୟବସ୍ଥା ଥିବାରୁ ଚକମାଙ୍କୁ ନେଇ ଏବେ ଅସ୍ଥିର ବାତାବରଣ ଲାଗି ରହିଛି।
ସମ୍ବିଧାନରେ ଧର୍ମ ଆଧାରରେ ଆଇନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲେ ମଧ୍ୟ ଧର୍ମ ଆଧାରିତ ନାଗରିକତା ଆମର ମୌଳିକ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଏକ ସାମ୍ପ୍ରଦାୟିକ ଉଦ୍ୟମ । ଏ ପ୍ରକାର ଉଦ୍ୟମ ଭବିଷ୍ୟତରେ ପୁଣି ଆମର ସାମାଜିକ ବ୍ୟବସ୍ଥାରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି।
ନାଗରିକତ୍ବ ସଂଶୋଧନ ବିଲ୍କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ,9/12: ନାଗରିକତ୍ବ ସଂଶୋଧନ ବିଲ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି । ବିଲ୍ରେ କୌଣସି ତ୍ରୁଟି ନଥିବାରୁ ଏହାକୁ ଜେପିସିକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଆଗତ କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରି ଏହି ବିଲ୍ ପ୍ରଣୟନର ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍ରେ ଏହ ବିଲ୍ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍କୁ ବିରୋଧ କରାଯାଇଥିଲା। ବିଲ୍ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍ର ବିରୋଧ କରିଥିଲେ। ଏହି ବିଲ୍ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍ 0.0001 ପ୍ରତିଶତ ମୁସ୍ଲିମ୍ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍ଲିମ୍ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍ପି ସାଂସଦ ଏନ୍କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍ ଭଙ୍ଗକରୁଛି। ଏହି ବିଲ୍ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)
ରଙ୍ଗାଚରଣ ପ୍ରଧାନ
ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି।
ଦୌଡିବା ଶରୀର ପାଇଁ ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ ? ଏବେ ତ ସରକାରଙ୍କର ବିକାଶ ଦର ବି ଦୌଡିବାକୁ ମନା କରି ଦେଲାଣି।
ଏଥର ଆପଣ ପୁଣି ଥରେ ଦୌଡିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏଥର ଦୌଡିବେ ଏନ୍.ଆର୍.ସିରେ ନାଁ ପଞ୍ଜିକରଣ ପାଇଁ। ନଚେତ୍ ଆପଣ ଆଉ ଦେଶର ନାଗରିକ ହୋଇ ରହିବେ ନାହିଁ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନୂଆ ‘ନାଗରିକ ସଂଶୋଧନ ବିଲ୍’ ଗ୍ରହଣ କରିଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହା ହୁଏତ ପାଶ୍ ହୋଇଯିବ। କେଉଁ କେଉଁ ସର୍ତ୍ତ ପୂରଣ ନ କଲେ କିମ୍ବା କେଉଁ ଦସ୍ତାବିଜ୍ ନ ଦେଖାଇପାରିଲେ ଆପଣ ନାଗରିକତ୍ବ ହରାଇବେ ଓ ସେ ବିଷୟରେ ଏହି ବିଲ୍ ରେ କ’ଣ ଲେଖା ଅଛି ତାହା ଏ ପର୍ଯ୍ୟନ୍ତ ଗୁପ୍ତ ଅଛି। ତେବେ ଏତିକି ଜଣା ଅଛି ଯେ ସରକାର ଚାହୁଁଛନ୍ତି ଦେଶରେ ଅଶୁଦ୍ଧ ନାଗରିକଙ୍କ ସଂଖ୍ୟା କେତେ ତାହା ଜାଣି ସେମାନଙ୍କୁ ଦେଶ ବାହାରକୁ ପଠାଯିବ କିମ୍ବା ଅବରୁଦ୍ଧ ଶିବିରରେ ରଖାଯିବ ଓ ସେଠାରେ ସେମାନଙ୍କୁ ହୁଏତ ଦ୍ବିତୀୟ ଶ୍ରେଣୀର ନାଗରିକ ବୋଲି ଧରାଯିବ ଏବଂ ପୂର୍ଣ ନାଗରିକ ଉପଭୋଗ କରୁଥିବା ସମସ୍ତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବ। ତେବେ କାହାକୁ ଅଶୁଦ୍ଧ ନାଗରିକ କୁହାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୄହମନ୍ତ୍ରୀ ଅମିତ ଶାହ ବିଭିନ୍ନ ନିର୍ବାଚନୀ ସଭାରେ ସେ ବିଷୟରେ କହି ସେମାନଙ୍କର ଉଦ୍ଦେଶ୍ୟ ପରିଷ୍କାର କରି ସାରିଛନ୍ତି।
ସେମାନଙ୍କ ଭାଷଣ ଅନୁଯାୟୀ ଭାରତ ବାହାରୁ ଯେଉଁମାନେ ବେଆଇନ୍ ଭାବେ ଆସି ଦେଶରେ ରହିଛନ୍ତି କିମ୍ବା ଯେଉଁମାନେ ଭିସାର ଅବଧି ସରିଯାଇଥିଲେ ମଧ୍ୟ ନିଜ ଦେଶକୁ ଫେରିନାହାନ୍ତି ସେମାନଙ୍କୁ ମଧ୍ୟ ଏଣିକି ଭାରତର ନାଗରିକତା ପ୍ରଦାନ କରାଯିବ ବା ସେମାନେ ହେବେ ଶୁଦ୍ଧ ନାଗରିକ। କିନ୍ତୁ ଏଥିରେ ଯେଉଁ ଗୋଟିଏ ସର୍ତ୍ତ ଅଛି ତାହା ହେଉଛି ସେମାନେ ମୁସଲମାନ ହୋଇ ନଥିବେ। ଯଦି ମୁସଲମାନ ହୋଇଥିବେ ତେବେ ଅମିତ୍ ଶାହଙ୍କ ଭାଷାରେ ସେମାନେ ହେଉଛନ୍ତି ଘୁଷପେଠି। ଧର୍ମୀୟ ବାଛବିଚାର ଆଧାରରେ ଏପରି ଏକ ତ୍ରୁଟିପୁର୍ଣ ଓ ଅଭିସନ୍ଧିମୁଳକ ଆଇନ୍ ସମ୍ବିଧାନର ମୂଳ ଆଧାରର ପରିପନ୍ଥି ହେବ କି ନାହିଁ କିମ୍ବା ସୁପ୍ରିମ୍ କୋର୍ଟଙ୍କ ତନଖିରେ ତାହା ତିଷ୍ଠି ପାରିବ କି ନାହିଁ ତାହା ଏକ ବିରାଟ ସନ୍ଦେହ ସୄଷ୍ଟି କରୁଛି। କିନ୍ତୁ ବର୍ତ୍ତମାନର ସରକାର ଏପରି ଆବଶ୍ୟକତାକୁ କେବେ ଭୄକ୍ଷେପ କରିଛି ଯେ ଏବେ ଆମେ ତାହା ତାଙ୍କଠାରୁ ଆଶା କରିବା ?
ଏହି ପ୍ରକ୍ରୀୟାର ପରୀକ୍ଷଣ ଆସାମରେ ହୋଇସାରିଛି। ଅବଶ୍ୟ ଆସାମରେ ଏନ୍.ଆର୍.ସି ଲାଗୁହେବାର ଏକ ଐତିହାସିକ ପୄଷ୍ଟଭୂମି ରହିଛି। ସତୁରି ଦଶକର ଶେଷରେ ବେଆଇନ୍ ଭାବରେ ରହୁଥିବା ବଙ୍ଗଳାଦେଶୀଙ୍କୁ ବହିଷ୍କାର କରିବା ପାଇଁ ସେଠାରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତାହାରି ମୁତାବକ ୧୯୭୧ ମସିହା ପରଠାରୁ ଯେଉଁ ବିଦେଶୀ ନାଗରିକ ଭାରତରେ ପଶି ଆସିଛନ୍ତି ଚିହ୍ନଟ କରିସାରିବା ପରେ ସେମାନଙ୍କୁ ବାଦ୍ ଦେଇ ଏକ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ଏହି ଚୁକ୍ତିରେ ଧର୍ମୀୟ ବାଛବିଚାର କଥା ନଥିଲା। ଏହାକୁ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ ବା ଏନ୍.ଆର୍.ସି କୁହାଗଲା। ଏହି ପ୍ରକ୍ରୀୟା ଦୀର୍ଘ ୩୫ ବର୍ଷ ଚାଲିବା ପରେ ଚଳିତ ବର୍ଷ ଯେତେବେଳେ ଏମିତି ଏକ ରେଜିଷ୍ଟର ପ୍ରସ୍ତୁତ ହେଲା ସେତେବେଳେ ଦେଖାଗଲା ଆସାମରେ ରହୁଥିବା ୪୦ ଲକ୍ଷ ଲୋକ ନାଗରିକ ରେଜିଷ୍ଟରରୁ ବାଦ୍ ପଡିଛନ୍ତି। ମାତ୍ର ସେଥିରେ ଅନେକ ତ୍ରୁଟି ଥିବାର ମନେହେବାରୁ ରେଜିଷ୍ଟରରେ ସଂଶୋଧନ ହେଲା। ସଂଶୋଧନ ପରେ ଏହି ସଂଖ୍ୟା ହ୍ରାସ ପାଇ ୧୯ ଲକ୍ଷରେ ପହଞ୍ଚିଲା। ତଥାପି ଏହି ସଂଖ୍ୟାରେ କେନ୍ଦ୍ରର ବିଜେପି ସରକାର, ଆସାମର ବିଜେପି ରାଜ୍ୟ ସରକାର ଓ ଆନ୍ଦୋଳନକାରୀ ସନ୍ତୁଷ୍ଟ ହୋଇପାରି ନାହାନ୍ତି। ସେମାନଙ୍କର ଆଶଙ୍କା ଯେ ଏହି ୧୯ ଲକ୍ଷ ଲୋକଙ୍କ ମଧ୍ଯରେ ଅନେକ ହିନ୍ଦୁ ରହି ଯାଇଛନ୍ତି ଓ ଏଥିରେ ଯଥେଷ୍ଟ ସଂଖ୍ୟକ ମୁସଲମାନ ନାହାନ୍ତି। ନୂଆ ‘ନାଗରିକ ସଂଶୋଧନ ବିଲ୍’ ଭିତ୍ତିରେ ପୁଣି ଥରେ ଏହି ରେଜିଷ୍ଟରକୁ ସଂଶୋଧନ କରାଗଲେ ସେଥିରେ ଆଉ ମାତ୍ର ଦୁଇରୁ ତିନି ଲକ୍ଷ ଲୋକ ରହିବେ ବୋଲି ଅନୁମାନ କରାଯାଉଛି।
ଏଥିରୁ ପରିଷ୍କାର ହେଉଛି ଯେ ସରକାରଙ୍କର ଉଦ୍ଦେଶ୍ଯ ସବୁ ଅନୁପ୍ରବେଶକାରୀଙ୍କୁ ତଡିବା ନୂହେଁ, ବରଂ କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କୁ ତଡିବା। ବର୍ତମାନ କେନ୍ଦ୍ର ସରକାର ଏହି ଆଧାରରେ ପୁରା ଦେଶ ପାଇଁ ଜାତୀୟ ନାଗରିକତା ରେଜିଷ୍ଟର ଲାଗୁ କରିବା କଥା କହୁଛନ୍ତି। ଅବଶ୍ୟ ନିକଟରେ ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭୋଟ ଧୄବିକରଣର ଏହି କୌଶଳ କାମ ଦେଲାନାହିଁ ଓ ବିଜେପି ତିନୋଟି ଯାକ ଆସନରେ ହାରିଲା। ଅର୍ଥାତ ଜନତା ଏହି ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି।
ତଥାପି ବିଜେପି ସାରା ଦେଶରେ ଏନ୍.ଆର୍.ସି ଲାଗୁକରିବା ପାଇଁ ତାହାର ଜିଦ୍ ରେ ଅଟଳ ଅଛି। ବର୍ତ୍ତମାନ ଚାଲୁଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବିଜେପି ଏହାକୁ ଏକ ବଡ ପ୍ରସଙ୍ଗ କରୁଥିବାର ଦେଖାଯାଉଛି। ସେମାନେ କହିବା କଥା ହେଲା ଯେ ଭାରତରେ ବହୁ ସଂଖ୍ୟକ ବିଦେଶୀ ଘୁଷପେଠି ରହିଥିବାରୁ ଭାରତର ବିକାଶର ଲାଭରେ ସେମାନେ ଦିମକ୍ ବା ରକ୍ତଶୋଷଣକାରୀ କୀଟ ଭଳି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କେତେ ସେ ବିଷୟରେ ହେଉଥିବା ବିଭିନ୍ନ ଦାବୀର କୌଣସି ଆଧାର ସେମାନେ ଦେଇ ପାରୁ ନାହାନ୍ତି। ଗତ ଦୁଇବର୍ଷରେ ପାର୍ଲିଆମେଣ୍ଟରେ ୭ ଥର ଏହି ପ୍ରଶ୍ନ ଉଠିଥିଲେ ମଧ୍ୟ ସରକାର ଏହାର ଏକ ଆକଳନ ମଧ୍ୟ ଦେବାକୁ ସମର୍ଥ ହୋଇନାହାନ୍ତି। ନୋଟବନ୍ଦୀବେଳେ ଯେମିତି ଏକ ଧାରଣା ଦିଆଯାଇଥିଲା ଯେ ପ୍ରାୟ ୨/୩ ଲକ୍ଷ କୋଟିର କଳାଟଙ୍କା ଅର୍ଥନୀତିରୁ ବାହାର ହୋଇଯିବ, ବର୍ତମାନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବିଷୟରେ ମଧ୍ୟ ବିନା କୌଣସି ଆଧାରରେ ସେମିତି ଏକ ଧାରଣାର ପ୍ରୋପାଗଣ୍ଡା ଚାଲିଛି।
ପ୍ରାୟ ୩.୨ କୋଟି ଆସାମବାସୀଙ୍କ ଉପରେ ଏନ୍.ଆର୍.ସିର ପ୍ରୟୋଗ କାମରେ ୫୫ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଥିଲା ଏବଂ ଏଥିରେ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ ମାତ୍ର ୩୦୦୦ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବା ପାଇଁ ୨.୫ ହେକ୍ଟର ଜମି ଉପରେ ପ୍ରଥମ ଅବରୁଦ୍ଧ ଶିବିର ତିଆରିରେ ସରକାର ୪୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପୁରା ଆସାମରେ ଚିହ୍ନଟ ଅନୁପ୍ରବେଶକାରୀଙ୍କ ପାଇଁ ଶିବିର ତିଆରିରେ ପ୍ରାୟ ୨୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ ବର୍ତ୍ତମାନ ପ୍ରାୟ ୧୪୦୦ ଟି ଜେଲ୍ ଅଛି ଯେଉଁଠାରେ ପ୍ରାୟ ସାଢେ ୩ ଲକ୍ଷ ବନ୍ଦୀ ଅଛି। ପୁରା ଦେଶରେ ଏନ୍.ଆର୍.ସି ଲାଗୁକରିବା ଓ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବାରେ କେତେ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ତାହାର ଏବେ କଳନା କରିବା କଷ୍ଟକର। ଏହା ବାଦ୍ ବର୍ଷ ପରେ ବର୍ଷ ସେହି ଶିବିରଗୁଡିକର ପରିଚାଳନା, ସେଠାରେ ରହିବାକୁ ଥିବା ଚିହ୍ନଟମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା ଖର୍ଚ୍ଚ ବି ରହିଛି।
ବଙ୍ଗଳାଦେଶ ବାରମ୍ବାର ପରିଷ୍କାର ଭାବେ ଜଣାଇଦେଇଛି ଯେ ସେମାନେ ସେହି ଲୋକମାନଙ୍କୁ ନିଜ ଦେଶରେ ପୁରାଇବେ ନାହିଁ। ତା’ଛଡା ନିକଟରେ ବଙ୍ଗଳା ଦେଶର ଜଣେ ସରକାରୀ ଉଚ୍ଚ ଅଧିକାରୀ ଏହି ପ୍ରସ୍ତାବକୁ ହସରେ ଉଡାଇ କହିଛନ୍ତି ଯେ ବଙ୍ଗଳାଦେଶର ଅର୍ଥନୀତି ଭାରତଠାରୁ ବହୁ ଉନ୍ନତ ଥିବାରୁ ତାଙ୍କ ଦେଶ ଛାଡି କେହି ଭାରତକୁ ଆସିଥିବାର ସମ୍ବାବନା ନାହିଁ। ଏକଥା ବି ସତ ଯେ ବଙ୍ଗଳା ଦେଶର ଜିଡିପି ଦର ଏବଂ ଅନ୍ୟ ସମସ୍ତ ସାମାଜିକ ସୁଚକାଙ୍କ ଭାରତଠାରୁ ଆଗରେ ଅଛି।
କିନ୍ତୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ବା ଜିଡିପି ଦର ବିଷୟରେ ଭାରତର ବର୍ତମାନର ଶାସକଗୋଷ୍ଠି ଚିନ୍ତିତ ଅଛନ୍ତି ବୋଲି କିଏ କହୁଛି ? ଯଦି ସରକାରଙ୍କ ନିଜ ତଥ୍ୟ ବି ଏକ ବିକଟ ଅର୍ଥନୀତି ବା ମାନ୍ଦାବସ୍ଥା ବିଷୟରେ ସୁଚନା ଦେଉଛି ସରକାର ତାକୁ ପ୍ରଥମେ ଲୁଚାଉଛନ୍ତି ଓ ପରେ ଅସ୍ବୀକାର କରୁଛନ୍ତି। ସରକାରଙ୍କ ପାଇଁ ତଥ୍ୟ ଓ ସମ୍ବିଧାନର କିଛି ମୂଲ୍ୟ ନାହିଁ। ସେମାନଙ୍କର ଆଧାରହୀନ ଧାରଣା ଓ କରାଗତ ପ୍ରଚାରତନ୍ତ୍ର ହିଁ ସେମାନଙ୍କ ପାଇଁ ସବୁକିଛି। ଏହି ବିଭାଜନକାରୀ ଓ ସମାଜରେ ବିଦ୍ବେଷସୄଷ୍ଟିକାରୀ ଧାରଣା ଦ୍ବାରା ଭୋଟରଙ୍କ ଧୄବିକରଣ ହୋଇ ସେଥିରୁ ଯଦି ନିର୍ବାଚନୀ ଫାଇଦା ଗୋଟାଇ ହେଉଛି ଏବଂ ସେମାନଙ୍କ ବ୍ରାଣ୍ଡର ପରିକଳ୍ପିତ ହିନ୍ଦୁରାଷ୍ଟର ଗଠନ ହେଉଛି ତେବେ ସରକାର ସେଥିରେ ସନ୍ତୁଷ୍ଟ।
କିନ୍ତୁ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶକାରୀ ଯେ ଏହି ବ୍ୟାଘାତ ସୄଷ୍ଟିକାରୀ ବାତାବରଣରେ ପୁଞ୍ଜିନିବେଶ କରିବେ ଓ ଦେଶରେ ରୋଜଗାର ସୄଷ୍ଟି ହେବ ସେ ଆଶା ନାହିଁ। ଅତୀତର ଅଭିଜ୍ଞତା ଭଳି ଏହାକୁ ମଧ୍ୟ ଆଉ ଏକ ଦେଶଭକ୍ତି ଯଜ୍ଞର ନାମ ଦେଇ ଦିଆଯାଇପାରେ। ଏହି ପ୍ରକ୍ରୀୟା ଆରମ୍ଭରୁ ସମସ୍ତଙ୍କୁ କୁହାଯିବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ସେମାନେ ନାଗରିକ ବୋଲି ପ୍ରମାଣ କରିବା ପାଇଁ ସେମାନଙ୍କୁ ପ୍ରମାଣ ନଥି ଧରି ଏନ୍.ଆର୍.ସି କେନ୍ଦ୍ରକୁ ଦଉଡିବାକୁ ପଡିବ। ସେ ଆଦିବାସୀ ହେଉ କି ବିସ୍ଥାପିତ ହେଉ, ଶିକ୍ଷିତ ହେଉ କି ଗ୍ରାମାଞ୍ଚଳର ଅଶିକ୍ଷିତ ମୁଲିଆ ହେଉ ସମସ୍ତଙ୍କୁ ନଥି ପ୍ରମାଣ ଯୋଗାଡ କରି କେନ୍ଦ୍ର ଆଗରେ ଧାଡିରେ ଛିଡା ହେବାକୁ ପଡିବ। ସମସ୍ତେ ପୁଣି ଥରେ ଦୌଡିବେ।
AGARTALA, DEC 5 (UNI):- Indigenous Nationalist Party of Twipra activists blocking rail track in protest against the Citizenship Amendment Bill -2109, near Agartala on Thursday. UNI PHOTO- 6U
ନାଗରିକତ୍ବ ସଂଶୋଧନ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏବେ ବିଲ୍କୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ତେବେ ଏହା ପାରିତ ହେବା ପୂର୍ବରୁ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର୍ । ଶଶୀ କହିଛନ୍ତି ଯେ, ଦଳ ଦୃଷ୍ଟିରୁ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେ ଏହି ବିଲ୍କୁ ସେ ସମର୍ଥନ କରିବେ ନାହିଁ । କାରଣ ଏହା ଧର୍ମ ଆଧାରରେ ଭେଦଭାବ କରୁଛି। ଏହା ସାମ୍ବିଧାନିକ ବିରୋଧ ମଧ୍ୟ କରୁଛି । ଆଇନ୍ ସମସ୍ତଙ୍କୁ ପାଇଁ ଏକ ହେବା ଉଚିତ୍ । ତେବେ ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ବିଜେପି ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି, ତେଣୁ ଲୋକସଭାରେ ଏହି ବିଲ୍ ପାରିତ କରିବାରେ ବିଜେପିକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଏହା ବିଜେପି ଲାଗି ବେଶ୍ ଅଡୁଆ ସ୍ଥିତି ସୃଷ୍ଟି କରିବ ।
GUWAHATI, DEC, 02 (UNI):- Activists of the All Assam Students Union (AASU) taking out a cycle rally in protest against the Citizenship (Amendment) Bill, in Guwahati on Monday.UNI PHOTO-67U