Categories
ଆଜିର ଖବର

ଲୋକାର୍ପଣ ହେଲା ଭାରତର ପ୍ରଥମ ଦୂରଗାମୀ ଗ୍ୟାସ ଚାଳିତ ବସ୍, ଗୋଟିଏ ଟାଙ୍କିରେ ଗଡିବ ହଜାରେ କିମି

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ: ଶେଷରେ ସ୍ବପ୍ନ ସତ ହେଲା। ଗଡିଲା ଗାଡି ଗ୍ୟାସ ଗାଡି। ପ୍ରଥମ ଥର ପାଇଁ ଭାରତରେ ଲୋକାର୍ପିତ ହୋଇଛି ଦୂରଗାମୀ ସିଏନଜି ଚାଳିତ ବସ। ନୂଆଦିଲ୍ଲୀର ଜବହାରଲାଲ ନେହୁର ଷ୍ଟାଡିୟମରେ ଏହି ଗାଡିକୁ ଲୋକାର୍ପିତ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗାଡିର ବିଶେଷତ୍ବ ହେଉଛି ଏହା ସଂପୂର୍ଣ୍ଣ ଭାବେ ସିଏନଜି ଇନ୍ଧନରେ ଚାଲିବ। ସେଥିପାଇଁ ବସଗୁଡିକ ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ନିର୍ମାଣ କରିଛନ୍ତି ଏକ ବିରାଟକାୟ ସ୍ବତ୍ୱନ୍ତ୍ର ସୁରକ୍ଷିତ ଗ୍ୟାସ୍ ଟାଙ୍କି। ସାଧାରଣତଃ ଘରୋଇ ଗ୍ୟାସ ଟାଙ୍କିଠାରୁ ଏହା ହଜାରେ ଗୁଣରେ ବଡ। ଗୋଟିଏ ଟାଙ୍କିରେ ଗ୍ୟାସ ଭର୍ତ୍ତି କରିଦେଲେ ତାହା ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ 5ଟି ବସ୍ କୁ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି। ପରବର୍ତ୍ତି ସମୟରେ ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାକୁ ସିଏନଜି ବସ ଚଳାଚଳ କରିବ। ଏହାପରେ ବିଭିନ୍ନ ରାଜ୍ୟରେ ମଧ୍ୟ ସିଏନଜି ବସ ଚଳାଚଳ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ କରିଛନ୍ତି। ଏହି ସିଏନଜି ବ୍ୟବହାର ଦ୍ବାରା ମୁଖ୍ୟତଃ ପେଟ୍ରୋଲ ସଞ୍ଚୟ ସହ ପରିବେଷ ପ୍ରଦୂଷଣରୁ ଢେର ମାତ୍ରାରେ ରକ୍ଷା ମିଳିବ। ପୂର୍ବରୁ କାର, ଅଟୋ ପ୍ରଭୃତି ଯାନ ସିଏନଜି ଇନ୍ଧନରେ ଚାଲୁଛି। ହେଲେ ଏ ପର୍ଯ୍ୟନ୍ତ ବସରେ ଏହା ବ୍ୟବହାର ହୋଇ ନ ଥିଲା।