Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଚଞ୍ଚଳ ରାଣା

ଖୋର୍ଦ୍ଧା: ଆଜି ଯୁବ ଆଇଏଏସ ଅଧିକାରୀ ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାଣା। ଶ୍ରୀ ରାଣା ଏହା ପୁର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ।

୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଙ୍ଗ ଭାବେ ବଲାଙ୍ଗୀରରେ ଯୋଗଦେବା ପରେ ଉକ୍ତ ଜିଲ୍ଲା ଏକାଧିକ ସଫଳତା ହାସିଲ କରିପାରିଛି। ଏପରିକି ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଶ୍ରୀ ରାଣା ଅନ୍ୟତମ ଜିଲ୍ଲାପାଳ ଥିଲେ ଯାହାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆ ଦିଲ୍ଲୀରେ ପୁରସ୍କୃତ କରିଥିଲେ।

ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ ଖୋର୍ଦ୍ଧା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଗୋ ଚାଲାଣ ରୋକିବା, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ଆଜି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱର ମାଇନର ମିନେରାଲ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ: ନୂତନ ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି

ଖୋର୍ଦ୍ଧା: ଆଜି ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଅତିରିକ୍ତ ଚକବନ୍ଦୀ କମିଶନର ଭାବେ ସୀତାଂଶୁ କୁମାର ରାଉତଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ବଦଳରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି।

ସେହିପରି ଆଇଏଏସ୍‌ କୀର୍ତ୍ତି ଭାସାନା ଗଞ୍ଜାମ କୋଭିଡ୍‌ ମ୍ୟାନଜେମେଣ୍ଟର ଓଏସ୍‌ଡିର ଦାୟିତ୍ବ ଦିଆଯାଇଛି। ଆଇଏଏସ୍‌ ଶୁଭଙ୍କର ମହାପାତ୍ର ହେଲା ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ସେହିପରି ଆଇଏଏସ୍‌ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳର ଦାୟିତ୍ବ ମିଳିଛି। ଆଇଏଏସ୍‌ ସୋନାଲ୍‌ ଙ୍କୁ ଗଜପତି କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଦାୟିତ୍ବ ଦିଆଯାଇଛି।

Categories
ଆଞ୍ଚଳିକ

ଜଗତସିଂହପୁରରୁ ପଠାଯାଇଥିବା ସମସ୍ତ ନମୂନା ନେଗେଟିଭ୍‌ : ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର : ଗୁରୁବାର ପରୀକ୍ଷଣ ପାଇଁ ଯାଇଥିବା ଜଗତସିଂହପୁରର 33ଟି ନମୂନାର ରିପୋର୍ଟ ଆସିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି 33ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସମସ୍ତ ନମୂନାର ରିପୋର୍ଟ ନେଗେଟିଭ୍‌ ଆସିଛି । ଏହି 33 ଜଣ ବ୍ୟକ୍ତି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ଅଧିକାରୀଙ୍କ ତୁଳନାରେ କମ୍‌ ଅଭିଯୋଗକାରୀ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜନ ଅଭିଯୋଗ ଶୁଣାଣିରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ ସହିତ ଏସ୍‌.ପି କନ୍‌ଓ୍ବର୍ ବିଶାଲ୍ ସିଂହ, ରେଢାଖୋଲ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ରେଢାଖୋଲ ବି.ଡିଓ ପରୀକ୍ଷିତ ସାହୁ ତହସିଲ୍‌ଦାର ରୁବି ବେହେରା, ସିଡିଏମ୍‌ଓ ଡା.ଶଶି ଭୁଷଣ ପଟେଲ୍ ଏବଂ ଜିଲ୍ଲାସ୍ତରୀୟ ତଥା ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣୀରେ 25ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ 7ଟି ଦଳଗତ ଅଭିଯୋଗ ଓ 18ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବିଶେଷ କରି ଜଙ୍ଗଲ ଜମି ରେଢାଖୋଲରେ ଆଦର୍ଶ ବିଦ୍ୟାଳୟ, ଇନ୍ଦିରା ଆବାସ, ସ୍ୱାସ୍ଥ୍ୟସେବା, ରେଢାଖୋଲ ଏସବିଆଇର ଏଟିଏମ୍ ଅଚଳ ସଂପର୍କିତ ଅଭିଯୋଗ ଥିଲା । 14ଟି ପଞ୍ଚାୟତ ନିମନ୍ତେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ମାତ୍ର 25ଟି ଅଭିଯୋଗ ଆସିବା ଅତ୍ୟନ୍ତ ନିରାଶାଜନକ । ଅଭିଯୋଗ ଶୁଣାଣିରେ ଅଧିକାରୀ ଅଧିକ ରହିଥିବା ବେଳେ ଅଭିଯୋଗ ଶୁଣାଣି ଏକ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Categories
ଆଞ୍ଚଳିକ

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ନିଜ ଗାଡିରେ ନେଲେ ଚିକିତ୍ସାଳୟ

ସମୀକ୍ଷା ବ୍ୟୁରୋ
ଶେରଗଡ଼/ହିଞ୍ଜିଳିକାଟୁ, ୨୨/୧୨ : ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତାର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ସରକାରୀ ଗାଡିରେ ଚିକିତ୍ସାଳୟ ନେଇ ଜିଲ୍ଲାପାଳ ପ୍ରଶଂସା ସାଉଁଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରବିବାର ସକାଳ ୯:୦୦ ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼ରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଶିବ ପ୍ରଧାନ ନାମକ ଜନୈକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉକ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ନିଜ ଗାଡିରେ ଆହତଙ୍କୁ ବସାଇ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଏହା ସହିତ ଆହତଙ୍କ ଚିକିତ୍ସା ନିଜ ଉପସ୍ଥିତିରେ ମଧ୍ୟ କରାଇଥିଲେ। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଦ୍ବାରା ସାଧାରଣ ଜନତାଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ମନୋଭାବ ନେଇ ସାଧାରଣରେ ରହିଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

 

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ ଅନ୍ତର୍ଗତ ନିଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି

ବାଣପୁର, ୨୭/୧୧: (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସପି ଅଜୟ ପ୍ରତାପ ସ୍ୱାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,  ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ  ବିଜୟ ମହାପାତ୍ର, ବାଲୁଗାଁ, ସବଡିଭିଜନାଲ୍‌ ପୋଲିସ୍‌ ଅଫିସର ଏସ୍‌କେ ଦାସ, ବାଣପୁରର ବିଡ଼ିଓ ତଥା ତହସିଲଦାର ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ପୂର୍ବତନ ଚିିଲିକା ବିଧାୟକ ରଘୁନାଥ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ନୀଳାଦ୍ରିପ୍ରସାଦ ସରପଞ୍ଚ ଆଶାମଣି ସାହୁ, ଦାମିଆ-ବରବରା ସରପଞ୍ଚ ଉପେନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଜରିଆରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଇଥିବାବେଳେ ଭିନ୍ନକ୍ଷମଙ୍କୁ ଭତ୍ତା ସହିତ ହ୍ବିଲ୍‌ ଚେୟାର୍‌ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଶ୍ରମ, କୃଷି, ଉଦ୍ୟାନ କୃଷି ଆଦି ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଦୁଇ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ସମସ୍ୟା ରହିଛି । ସେହିପରି ଅଧିକାଂଶ ସମୟରେ ବିଭିନ୍ନ ସରକାରୀ ସୁବିଧାରୁ ମଧ୍ୟ ଏହି ପଞ୍ଚାୟତବାସୀ ବଞ୍ଚିତ ରହୁଛନ୍ତି । ଆଜିର ଏହି ଜନଶୁଣାଣୀ ସମାବେଶରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସମାଗମ ହୋଇ ତାଙ୍କର ବିଭିନ୍ନ ଅସୁବିଧା ତଥା ଦାବି ଉପସ୍ଥାପନ କରିଥିଲେ। ଏହି ଜନଶୁଣାଣୀରେ ୪୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ଇନ୍ଦିରା ଆବାସ, ମୋ କୁଡ଼ିଆ, ଆଧାର କାର୍ଡ, ଖାଉଟି କାର୍ଡ ଓ ଭତ୍ତା ସମ୍ପର୍କିତ ବହୁ ଅଭିଯୋଗ ରହିଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ ସୁବିଧା ସମ୍ପର୍କରେ ଆଦିବାସୀମାନଙ୍କୁ ଜଣାଇବା ସହିତ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଅବସରରେ  ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘା‌ଟନ କରିଛନ୍ତି।

Categories
ବିଶେଷ ଖବର ମତାମତ

ଖଣି ମାଫିଆଙ୍କ ଚାପରେ ମାତ୍ର ୨୧ ଦିନରେ ବଦଳିଲେ କି କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ?

ସମୀକ୍ଷା ବ୍ୟୁରୋ

ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର ଅନୁମତି ଦରକାର ବୋଲି କୁହାଯାଇଥିଲା। ତେବେ ଏହି ନିୟମକୁ ରାଜ୍ୟ ସରକାର ମାନୁଛନ୍ତି କି?

କୋରାପୁଟ ଜିଲ୍ଲାପାଳଙ୍କ ବଦଳି ପ୍ରସଙ୍ଗରେ ଯାହା ଆଲୋଚନା ହେଉଛି, ତାହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଥିବା କୋଡିଙ୍ଗାମାଳୀ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଜିଲାପାଳ ପୋମା ଟୁଡୁ କାର୍ଯ୍ୟରେ ଯୋଗ ଦେବା ପରେ ପରେ କୋଡିଙ୍ଗାମାଳୀ ଖଣି ଦ୍ଵାରା ପ୍ରଭାବିତ ୨୨ ଖଣ୍ଡ ଗାଁ ର ଲୋକେ ଖଣି ଖନନ ବନ୍ଦ କରିବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ। କୋଡିଙ୍ଗାମାଳୀରେ ଖଣି ଖନନ ଯୋଗୁଁ ୨୨ ଟି ଗାଁ ର ଲୋକେ ଭୟଙ୍କର ପ୍ରଦୂଷଣ ର ଶିକାର ହେଉଛନ୍ତି ଓ ଖଣି ଖନନ କରୁଥିବା ଠିକାଦାର ସଂସ୍ଥା ଜାଲ ଗ୍ରାମସଭାର ରିପୋର୍ଟ ଆଧାରରେ ଖଣି ଖୋଳା ଚାଲିଛି ବୋଲି ଅଭିଯୋଗ ଆସିଥିଲା। ୩ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ କୋରାପୁଟ ଏସପି କେ.ବିଶାଳ ସିଂ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଲୋକଙ୍କୁ ବୁଝାଶୁଝା କରି ଫେରୁଥିବା ଜିଲାପାଳଙ୍କୁ ହଠାତ ବଦଳି କରାଗଲା। ମାତ୍ର ୨୦ ଦିନ ଭିତରେ ଲୋକଙ୍କ ସହ ମିଶି ଓ ପୁରା କୋରାପୁଟ ଜିଲ୍ଲା ଗସ୍ତ କରି ଲୋକଙ୍କ ପାଇଁ କାମ କରିବାକୁ ବଦ୍ଧପରିକର ଥିବା ପୋମା ଟୁଡୁଙ୍କୁ ହଠାତ ବଦଳି କରିବାର କାରଣ କଣ?

କୋଡିଙ୍ଗାମାଳୀ ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ରାଜନେତା ଓ ଖଣି ଠିକାଦାରଙ୍କ ମିଳିତ ଶୋଷଣର ଶିକାର ହେଉଥିବା ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରୁଛନ୍ତି। କମ୍ପାନୀ ର ପରିବହନ ବିଭାଗରେ କୋରାପୁଟର ପୂର୍ବତନ ସାଂସଦ, ଲକ୍ଷ୍ମୀପୁର ର କିଛି ପୂର୍ବତନ ବିଧାୟକଙ୍କ ଟ୍ରକ ଓ ଟିପର ଲାଗିଥିବାର ଅଭିଯୋଗ ହେଉଛି। ଓଏମସି ଏହି ଖଣିର ମୂଳ ମାଲିକ ହୋଇଥିବା ବେଳେ ଅନ୍ୟ ଏକ କମ୍ପାନୀକୁ ଠିକା ଦେଇ ଖନନ କାମ ଚାଲିଛି। ଏହି କମ୍ପାନୀ ଖଣି ଖନନ ନିୟମର ଉଲ୍ଲଂଘନ କରି ପ୍ରଦୂଷଣ ଓ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆସିଛି। ଖଣି ମାଫିଆ ଓ ରାଜନେତାଙ୍କ ଅବୈଧ ଚାପକୁ ଅଣଦେଖା କରି ଲୋକଙ୍କ କଥା ଶୁଣିଥିବାରୁ ଓ ଲୋକ ହିତରେ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି ବୋଲି କୋରାପୁଟରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି। ଜାଣିଶୁଣି ବିଧାନସଭା ଅଧିବେଶନ ସାରିବା ପରେ ପରେ ଏହି ବଦଳି କରାଯାଇଛି। ପୋମା ଟୁଡୁ ନୂଆପଡା ଜିଲ୍ଲାପାଳ ଥିବା ବେଳେ ଜିଲାର ଅଗମ୍ୟ ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ। ଜଣେ ଲୋକପ୍ରିୟ ଅଧିକାରୀଙ୍କୁ ଖଣି ମାଫିଆଙ୍କ ଚାପରେ ସତରେ ଯଦି ହଟା ଯାଇଥାଏ, ଏହା ନବୀନ ସରକାରଙ୍କ ସ୍ବଚ୍ଛତା ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିବ।