ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ନିଜ ଗାଡିରେ ନେଲେ ଚିକିତ୍ସାଳୟ

Published: Dec 22, 2019, 1:07 pm IST

ସମୀକ୍ଷା ବ୍ୟୁରୋ
ଶେରଗଡ଼/ହିଞ୍ଜିଳିକାଟୁ, ୨୨/୧୨ : ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତାର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ସରକାରୀ ଗାଡିରେ ଚିକିତ୍ସାଳୟ ନେଇ ଜିଲ୍ଲାପାଳ ପ୍ରଶଂସା ସାଉଁଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରବିବାର ସକାଳ ୯:୦୦ ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼ରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଶିବ ପ୍ରଧାନ ନାମକ ଜନୈକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉକ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ନିଜ ଗାଡିରେ ଆହତଙ୍କୁ ବସାଇ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଏହା ସହିତ ଆହତଙ୍କ ଚିକିତ୍ସା ନିଜ ଉପସ୍ଥିତିରେ ମଧ୍ୟ କରାଇଥିଲେ। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଦ୍ବାରା ସାଧାରଣ ଜନତାଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ମନୋଭାବ ନେଇ ସାଧାରଣରେ ରହିଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

 

Related posts