Categories
ବିଶେଷ ଖବର

ପୁଲବାମା, ପ୍ରଧାନମନ୍ତ୍ରୀଙ୍କ ଚଳଚ୍ଚିତ୍ର ଶୁଟିଂ ଓ ଡିଜିଟାଲ ଇଣ୍ଡିଆରେ ପ୍ରଧାନମନ୍ତ୍ରୀଙ୍କ ଅପହଞ୍ଚ ନେଟୱାର୍କ

କେଦାର ମିଶ୍ର

ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ଥିଲେ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। ଏ ଅଭିଯୋଗଟି ଅବଶ୍ୟ ପିଲାଳିଆ। ଆତଙ୍କବାଦୀ ଘଟଣା ବିଷୟରେ କେହି କେବେ ଆଗରୁ ଜାଣିବାର ସମ୍ଭାବନା ନାହିଁ। ଗୋଟେ ଦୁର୍ଘଟଣା ଘଟିଲାବେଳେ ପ୍ରଧାନମନ୍ତ୍ରୀ ଯେ କେଉଁଠି ଥିବେ ତାହା ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ୟକ୍ରମ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସର ଅଭିଯୋଗ ଆସିବା ପରେ “ସରକାରୀ ସୂତ୍ର’ ରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଆହୁରି ପିଲାଳିଆ। “ସରକାରୀ ସୂତ୍ର” (ଯାହାକୁ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଉଦ୍ଧାର କରିଛନ୍ତି)ର କହିବା କଥା ହେଲା ସେଦିନ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଜିମ କର୍ବେଟ ଅଭୟାରଣ୍ୟ ରେ ଥିଲେ। ସେଦିନ ସନ୍ଧ୍ୟା ୬.୩୦ପର୍ଯନ୍ତ ମୋଦୀ ନିଜ ସିନେମା କାମରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ କରିଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ଆଗରୁ ଖୋଦ ସରକାର ଏ ବିଷୟରେ ନିଜର ପିଲାଳିଆ ପ୍ରତିକ୍ରିୟା ରଖିଛନ୍ତି। ସରକାରୀ ସୂତ୍ରର କହିବା ଅନୁସାରେ ସେ ଦିନ ଜିମ କର୍ବେଟ ଅଭୟାରଣ୍ୟ ଅଞ୍ଚଳରେ ଖରାପ ପାଣିପାଗ ଓ ଦୁର୍ବଳ ନେଟୱାର୍କ କାରଣରୁ ୨୫ ମିନିଟ ବିଳମ୍ବରେ ପ୍ରଧାନମନ୍ତ୍ରୀ ପୁଲବାମା ଖବର ପାଇଥିଲେ। ସେଦିନ ସକାଳ ୭ ଟାରେ ମୋଦୀ ଡେରାଡୁନରେ ପହଞ୍ଚିଥିଲେ ମଧ୍ୟ ଖରାପ ପାଗ କାରଣରୁ ଅଭୟାରଣ୍ୟରେ ଚାରି ଘଣ୍ଟା ବିଳମ୍ବ ଅର୍ଥାତ ୧୧.୧୫ ରେ ପହଞ୍ଚିଥିଲେ।

ସେଠାରେ ବାଘ ସଫାରି, ଇକୋ ଟୁରିଜମ କେନ୍ଦ୍ର ଇତ୍ୟାଦି ଉଦଘାତନ କରିବାକୁ ତିନି ଘଣ୍ଟା ରହିଥିଲେ। ତାପରେ ଡଙ୍ଗାରେ ବସି ସେ ଘଞ୍ଚ ଜଙ୍ଗଲ ଭିତରକୁ ଯାଇଥିଲେ। ଏହି ସମୟରେ ଏକା ପୁଲବାମା ଆକ୍ରମଣ ଘଟିଥିଲା। ଘଞ୍ଚ ଜଙ୍ଗଲ ଭିତରେ ହୁଏତ ଦୁର୍ବଳ ନେଟୱାର୍କ ଏକ ସାଧାରଣ ଘଟଣା। ହେଲେ ଭାରତର ପ୍ରଧାନମନ୍ତ୍ରୀ ନେଟୱାର୍କ ବାହାରେ ରହିବା ଡିଜିଟାଲ ଇଣ୍ଡିଆରେ ଏକ ଶୁଭ ଲକ୍ଷଣ କି? ସେ ଯାହା ବି ହେଉ ଖବର ପାଇଲା ପରେ ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଓ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇଥିଲେ। ଫେରିବାବେଳେ ପୁଣି ପାଗ ଖରାପ ହେବାରୁ ସେ ଆବୁଡା ଖାବୁଡା ରାସ୍ତାରେ ଫେରିଥିଲେ ବୋଲି କୁହାଯାଇଛି। ଏଠି ପୁଣି ପ୍ରଶ୍ନ ଉଠୁଛି, ବିଜେପି ଶାସିତ ଉତ୍ତରାଖଣ୍ଡରେ ରାସ୍ତାର ଅବସ୍ଥା କଣ ଏୟା?

୬.୩୦ ରେ ପ୍ରଧାନମନ୍ତ୍ରୀ ଚା ଜଳଖିଆ ଖାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।ସତେକି ପ୍ରଧାନମନ୍ତ୍ରୀ ଏ ଘଟଣା ପରେ ଖାଡା ଓପାସ ରୁହନ୍ତୁ ବୋଲି କଂଗ୍ରେସ ଚାହୁଁଥିଲା। ତେବେ କଂଗ୍ରେସକୁ ଜବାବ ଦେଇ ସରକାରୀ ସୂତ୍ର କହୁଛି, ପ୍ରଧାନମନ୍ତ୍ରୀ କିଛି ଖାଇନଥିଲେ। ଏ କି ପ୍ରକାର ସ୍ପଷ୍ଟୀକରଣ ଆମେ ବୁଝି ପାରୁନାହୁଁ। ପ୍ରଧାନମନ୍ତ୍ରୀ ଚା ପିଇବା କଣ ପାପ? ତେବେ ସବୁଠୁ ମଜାର କଥା ହେଉଛି, ସରକାର ପ୍ରଧାନମନ୍ତ୍ରୀ କିଛି ଖାଇନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେବା।

ଏ ପ୍ରକାର ନିହାତି ବ୍ୟକ୍ତଗତ ସ୍ତରର ଓ ଛୋଟ ଛୋଟ କଥାକୁ ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ବିତର୍କ ହେବାର କିଛି ଅର୍ଥ ଅଛି କି? ଅଯଥା ଭାବ ପ୍ରବଣତା ଓ ଗୁଡାଏ ନାଟକୀୟ ଆବେଗ ସୃଷ୍ଟି କରିବାକୁ ଯାଇ ଆମର ସରକାର, ରାଜନୈତିକ ଦଳ ଓ ଗଣ ମାଧ୍ୟମ ଆମର ଶହୀଦ ଜବାନଙ୍କ ରକ୍ତକୁ ଗୋଟେ ପ୍ରକାର ପ୍ରହସନରେ ପରିଣତ କରିଦେଲେଣି। ଖୋଦ ଭାରତୀୟ ଜନତା ପାର୍ଟିର ନେତା ମାନେ ଶହୀଦଙ୍କ ଶବ ଶୋଭାଯାତ୍ରାକୁ ଗୋଟେ ପ୍ରକାର ରାଜନୈତିକ ପ୍ରଚାର ମଞ୍ଚ କରିଦେଲେ। ତାର ପରିଣତି ସ୍ଵରୂପ ସବୁ ଦଳ ନିଜକୁ ଅଧିକରୁ ଅଧିକ ରାଷ୍ଟ୍ରବାଦୀ ଦେଖେଇ ହେବାର ପ୍ରତିଯୋଗିତାରେ ମାତିଲେ। ଗଣମାଧ୍ୟମ ଏଥିରେ ଆହୁରି ମସଲା ଢାଳି ଚାଲିଲା। ଶେଷରେ ଆମେ ପ୍ରଧାନମନ୍ତ୍ରୀ ସେଦିନ ଚା ସିଙ୍ଗଡା ଖାଇଥିଲେ କି ନାଇଁ ର ବିତର୍କରେ ପହଞ୍ଚିଲୁ।

ନିଜକୁ ଅଧିକ ରାଷ୍ଟ୍ରବାଦୀ ପ୍ରମାଣିତ କରିବାର ଦୌଡ ପ୍ରତିଯୋଗିତାରେ ବିଜେପି ଆଜି ନିଜ ଜାଲରେ ଫସି ଯାଇଛି। ସେଦିନ ସତରେ ପ୍ରଧାନମନ୍ତ୍ରୀ ଯଦି ଚଳଚ୍ଚିତ୍ର ପାଇଁ ସମୟ ଦେଇଥିଲେ ତାକୁ ମାନି ଯିବାରେ କୌଣସି ଅସୁବିଧା ନାହିଁ। ତାହା ନକରି ଏହା ଆମ ସେନା ବାହିନୀର ମନୋବଳକୁ ଦୁର୍ବଳ କରୁଛି ବୋଲି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପ୍ରତିକ୍ରିୟା “ମନ୍ଦିର ଭିତରେ କିଏ ରେ……’’ ଭଳି ଶୁଭୁଛି। ପ୍ରଧାନମନ୍ତ୍ରୀ ସେନା ବାହିନୀର ମୁଖିଆ ନୁହନ୍ତି। ଗଣତାନ୍ତ୍ରିକ ଶାସନରେ ପ୍ରଧାନମନ୍ତ୍ରୀ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ବାଧ୍ୟ। ପୁଲବାମା ଘଟଣାରେ ଗୁଇନ୍ଦା ବିଭାଗ ବିଫଳତା ଓ ଜବାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ସରକାରୀ ଉଦାସୀନତାକୁ ସମାଲୋଚନା କରାଯିବ ନିଶ୍ଚୟ। ଏଥିରେ ସେନା ର ମନୋବଳ ଭାଙ୍ଗିବାର କୌଣସି କାରଣ ନାହିଁ। ପ୍ରଧାନମନ୍ତ୍ରୀଙ୍କ ରାଜନୀତି ସହିତ ଭାରତୀୟ ସେନାବାହିନୀର କୌଣସି ସମ୍ପର୍କ ନାଇଁ। ବିଜେପି ଓ କଂଗ୍ରେସ ନିଜ ରାଜନୀତିର କୁସ୍ତି ଭିତରକୁ ସେନାବାହିନୀକୁ ଟାଣୁଛନ୍ତି କାହିଁକି?

ଶହୀଦଙ୍କୁ ସମ୍ମାନ ଦେବା ନାଁରେ ଉଗ୍ର ରାଷ୍ଟ୍ରବାଦ ଓ ନିକୃଷ୍ଟ ରାଜନୀତିର ବହୁ ଉଦାହରଣ ଆମେ ଇତି ମଧ୍ୟରେ ଦେଖି ସାରିଲୁଣି। ଅନ୍ତତଃ ପ୍ରଧାନମନ୍ତ୍ରୀ ସ୍ତରରେ ଏ ପ୍ରକାର ଉଗ୍ରତା ଓ ନୀଚତା ପ୍ରଦର୍ଶିତ ନହେଉ ବୋଲି ସାଧାରଣ ଭାରତୀୟ ନାଗରିକ ଭାବରେ ଆମେ ଆଶା କରିବୁ।

Categories
ବିଶେଷ ଖବର ମତାମତ

‘ପପ୍ପୁ’ ବୋଲି କହିଦେଲେ କେହି ନିର୍ବୋଧ ହୋଇ ଯାଏନା, ‘ପପ୍ପୁ’ ଗୋଟେ ଦେଶର ସମ୍ଭାବନା ବି ହୋଇପାରେ!

ସୁଧାଶ୍ରୀ ଦାଶ

ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଶବ୍ଦ ସାରା ଦେଶର ମଗଜରେ ପଶିଯାଇଥିଲା ଓ ସେ ଶବ୍ଦ ଟି ହେଉଛି ‘ପପ୍ପୁ’ । ସତ କହିବାକୁ ଗଲେ  ସେହି ଶବ୍ଦ ଯେମିତି ରାଜନୀତିର ପରିଭାଷାକୁ ବଦଳାଇ ଦେଲା । ପପ୍ପୁ ଶବ୍ଦର ଅର୍ଥ ମୂର୍ଖ, ଅଜ୍ଞାନ ଓ ଅବୋଧ ବୋଲି ଆମେ ଭାବିନେଲୁ। ତେବେ ଜଣେ ରାଜନେତାଙ୍କୁ ଏପରି ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଆଜି ବି ଆଲୋଚନା ସାପେକ୍ଷ । କିନ୍ତୁ ମୋ ମତରେ, ଗୋଟିଏ ବ୍ୟକ୍ତି କେବଳ ବିରୋଧୀ ଦଳର ବୋଲି ତାକୁ ପପୁ ବୋଲି କହିବା ଯଥାର୍ଥ ନୁହେଁ ।

ନିକଟରେ ସୋସିଆଲ ମିଡିଆରେ ଓ ନିଜର ରାଜନୈତିକ ବିରୋଧୀଙ୍କ ଦ୍ଵାରା ପପ୍ପୁ ଭାବରେ ସର୍ବାଧିକ ଗାଳି ଖାଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ଦୁବାଇ ଆସି ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । (ଏ ପ୍ରସଙ୍ଗରେ ମୁଁ ଆଗରୁ ଲେଖି ସାରିଛି) କେବଳ ନିଜ ଉତ୍କଣ୍ଠାକୁ ଶାନ୍ତ କରିବାକୁ ଯାଇ ମୁଁ ମଧ୍ୟ ଅନ୍ୟମାନଙ୍କ ଗହଣରେ ସାମିଲ୍‌ ହୋଇଥିଲି ତାଙ୍କ ସଭାରେ । Dubai International Cricket Stadiumରେ ଏକାଠି ହୋଇଥିବା ୪୦ ହଜାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମୁଁ ଜଣେ ଥିଲି । ଲୋକଙ୍କ ମଧ୍ୟରେ ରହିଥିବା ଆଶା ଓ ଆକାଂକ୍ଷାକୁ ସେମାନଙ୍କ ହସ ଖୁବ୍‌ ଭଲ ଭାବରେ ପ୍ରତିପାଦିତ କରୁଥିଲା । କୁନି କୁନି ପିଲାଙ୍କୁ ନେଇ ଯେତେବେଳେ ମହିଳାମାନେ ଷ୍ଟାଡିୟମ୍‌ ଭିତରକୁ ଯାଉଥିଲେ, ଲାଗୁଥିଲା, ‘ପପୁ’ ଉପରେ ବି ଲୋକଙ୍କ ଭରସା ରହିପାରେ ।

ଅବଶ୍ୟ ସାମ୍ପ୍ରତିକ ରାଜନୀତିରେ ଯେତେବେଳେ କେବଳ ଠକ ଓ ଭଣ୍ଡମାନେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି, ସେତେବେଳେ ଗୋଟିଏ ପପୁ ଉପରେ ବିଶ୍ବାସ ରଖିବା କିଛି ଖରାପ କଥା ନୁହେଁ । ଆମ ପାଇଁ ସମସ୍ତେ ନେତା ଓ ସମସ୍ତେ ଭାଷଣ ଦିଅନ୍ତି । ସେଥିରେ ମୋଦି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ କେଉଁଠି ? ୪୦ ହଜାର ଲୋକଙ୍କ ଭିଡ଼ ଓ ସେମାନଙ୍କ ସ୍ବର Dubai Police ପାଇଁ କିଛି ଅଲଗା ଅନୁଭୂତି ଥିଲା । ତାଙ୍କ ପାଇଁ ରାହୁଲ୍‌ ଗାନ୍ଧି ଥିଲେ କେବଳ  ଜଣେ ଭାରତୀୟ ନେତା । ତାଙ୍କ ପାଇଁ ଯେମିତି ମୋଦି ସେମିତି ରାହୁଲ୍‌ ଗାନ୍ଧି । ୨୦୧୫ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି UAE ଆସିଥିଲେ, ସେତେବେଳେ ଠିକ୍‌ ଏହିପରି ଏକ ପରିବେଶ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିଲା । Gulf News ଓ Khaleej Times ଭଳି ସମ୍ବାଦପତ୍ର (UAE based) ତାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲେ । ଆଉ ତିନିବର୍ଷ ପରେ ପୁଣି ତାର ପୁନରାବୃତ୍ତି ଘଟିଲା । ପପୁ ଓରଫ୍‌ ରାହୁଲ୍‌ ଗାନ୍ଧିଙ୍କ ଚିତ୍ର ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଲା । ରାହୁଲ୍‌ ଗାନ୍ଧି ତୀକ୍ଷ୍ଣ ଶବ୍ଦରେ ମୋଦିଙ୍କୁ ସମାଲୋଚନା କରିଥିଲେ । ୨୦୧୯କୁ UAE ’ସହନଶୀଳତାର ବର୍ଷ’ ବା ‘Year of Tolerance’ ବୋଲି ଘୋଷଣା କରିଛି । ତେବେ ଭାରତରେ ସହନଶୀଳତା ପ୍ରତିଟି ମୁହୂର୍ତ୍ତରେ ଲୋପ ପାଉଛି ବୋଲି ରାହୁଲ୍‌ ଗାନ୍ଧି କହିଥିଲେ । ସେହିପରି ମୋଦି, ଦେଇଥିବା ପ୍ରତିଶ୍ରୁତି ୫ ବର୍ଷରେ ଅପୂରଣୀୟ ହୋଇପଡିଛି । ତାହା କେତେ ସତ ବା ଭୁଲ୍‌ ତାହା ଆମେମାନେ ନିଜେ ବୁଝିବା ଦରକାର ।

ଗତ ୧୦ ବର୍ଷ ଧରି ମୁଁ ଭାରତ ବାହାରେ ରହି ଆସୁଛି । ଜଣେ ସଚେତନ ନାଗରିକ ହିସାବରେ ମୁଁ ମୋ ରାଷ୍ଟ୍ରର ଉନ୍ନତି ଚାହେଁ । ସରକାର ଯେ କେହି ଗଠନ କରୁ, ସେଥିରେ ଜଣେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ । ତେବେ ସରକାର କିପରି ସମାଜ ଗଠନ କରୁଛି, ତାହା ଆମକୁ ପ୍ରଭାବିତ କରେ । ଗଣମାଧ୍ୟମ ଅନେକ କଥା କୁହେ । ଆମକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ । କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍‌ ନୁହେଁ । ଆଗକୁ ନିର୍ବାଚନ ଆସୁଥିବାବେଳେ, ଆମର ପ୍ରତିଟି ଭୋଟ ଆମ ପାଇଁ ଏକ ସୁଯୋଗ । ସୁଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନର, ସୁଯୋଗ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନର । ନିର୍ବାଚନୀ ହାଓ୍ବା ଅନେକଙ୍କୁ ବୁହାଇ ନେଇଯାଏ । କିନ୍ତୁ ନିଜେ ସୁଦୃଢ ହୋଇ, ଚିନ୍ତାକରି, ବିଚାର କରି ନେତାଙ୍କ ଭାବମୂର୍ତ୍ତି ଗଠନ କଲେ ହିଁ ଏକ ‘ସୁନାର ଭାରତ’ ତିଆରି ହୋଇପାରିବ ।

It was not paper, call it popularity (ଏହି ମନ୍ତବ୍ୟ କେବଳ ବ୍ୟକ୍ତିଗତ, ଦଳଗତ ନୁହେଁ) ଏହା ପୂର୍ବରୁ ମୁଁ ଲେଖି ସାରିଛି, ମୋ ଧାରଣା କେମିତି ବଦଳିଛି ଜଣେ ନେତାଙ୍କ ବିଷୟରେ । ମୁଁ ମଧ୍ୟ ସେହି କୋଟି କୋଟି ଦର୍ଶକଙ୍କ ମଧ୍ୟରୁ ଜଣେ, ଯିଏ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ଖବରକାଗଜ ମାଧ୍ୟମରେ ଦେଶର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ବାଧ୍ୟହୁଏ । ମୁଁ ’ବାଧ୍ୟ’ ଲେଖିବାର କାରଣ ଏହିକି ଯେ, ଆମକୁ ଯାହା ଦେଖାହୁଏ ଓ ପଢାହୁଏ, ଆମେ ତାକୁ ବିଶ୍ବାସ କରୁ । ଟିଭି ପରଦା ଖୋଲିଲେ ଯାହା ଦେଖୁ ତାକୁ ବିନା ଦ୍ବିଧାରେ ଗ୍ରହଣ କରୁ । ଆମେ ନିଜେ କ’ଣ ଭାବୁ ଓ କ’ଣ ଚାହୁଁ, ତାକୁ ବା ପଚାରେ କିଏ । କିନ୍ତୁ ଗୋଟିଏ ସୁଦୃଢ ଗଣତନ୍ତ୍ର ପାଇଁ ତାହା ଏକମାତ୍ର ଗ୍ରହଣୀୟ ମାଧ୍ୟମ ହେବା ଉଚିତ ନୁହେଁ। ଆମକୁ ସତ୍ୟ କଣ ଜାଣିବାକୁ ହେଲେ ତାକୁ ଦେଖିବାକୁ ପଡିବ ଓ ବୁଝିବାକୁ ମଧ୍ୟ ପଡିବ।

Categories
ବିଶେଷ ଖବର

କଂଗ୍ରେସରେ ପ୍ରିୟାଙ୍କା ଯୁଗ; କଣ ହେବ ଭାରତୀୟ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀଙ୍କ ଭବିଷ୍ୟତ ଭୂମିକା !

କେଦାର ମିଶ୍ର

ପ୍ରିୟାଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା, ଗୋଟେ ବଡ ଖବର କି? ପ୍ରିୟାଙ୍କା ଆସିଲା ପରେ କଂଗ୍ରେସର ଆଭ୍ୟନ୍ତରୀଣ ମହଲରୁ ଖୁସିର ବାର୍ତ୍ତା ଆସିବା ସ୍ଵାଭାବିକ, ତେବେ ଏହାକୁ ନେଇ ବିଜେପି ଶିବିର ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଅତ୍ୟନ୍ତ ଆମୋଦଦାୟକ। ବିଜେପି ରାହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀଙ୍କୁ କେବଳ ବଂଶବାଦର ଲାଭାର୍ଥୀ ଓ ସେମାନଙ୍କର ରାଜନୈତିକଭବିଷ୍ୟତ ନାହିଁ ବୋଲି ବାରମ୍ବାର କହି ଆସୁଛି। ହେଲେ ରାହୁଲଙ୍କ ପ୍ରତ୍ୟେକ କଥାକୁ ବିଜେପି ଯେତେ ଆକ୍ରାମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରୁଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ରାହୁଲଙ୍କୁ ନେଇ ବିଜେପିର ଭୟ ବଢି ବଢି ଚାଲିଛି। ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଜୟ, ରାହୁଲ ଗାନ୍ଧୀଙ୍କୁ ଗୋଟେ ପ୍ରକାର ନୈତିକ ସାହସ ପ୍ରଦାନ କରିଛି। ଆଜି କଂଗ୍ରେସ ଭିତରେ ରାହୁଲଙ୍କ ନେତୃତ୍ବକୁ ନେଇ ଆଉ କୌଣସି ପ୍ରକାର ଆଶଙ୍କା ନାହିଁ। ସେମିତି ଏକ ସମୟରେ ପ୍ରିୟାଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିବା, ଭାରତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନର ସୂଚନା ଦେଉଛି।

ପ୍ରିୟାଙ୍କା ଆସିଲା ପରେ କଂଗ୍ରେସ ଭିତରେ ଅଧିକ ଉତ୍ସାହ ଆସିବ, ତାର ପ୍ରଥମ କାରଣ ହେଉଛି, ପ୍ରିୟାଙ୍କା ରାହୁଲଙ୍କଠାରୁ କଥା କହିବାରେ ଅଧିକ ସ୍ପ୍ପଷ୍ଟ। ସେ ପୂର୍ବରୁ ରାଏବରେଲି ଓ ଆମେଥିରେ ନିର୍ବାଚନ ପ୍ରଚାର କରିବା ସମୟରେ ଯେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ, ତାର ପ୍ରଭାବ ଯଥେଷ୍ଟ ରହିଥିଲା। ତେଣୁ ନିର୍ବାଚନ ସମୟରେ କଂଗ୍ରେସ ପାଇଁ ଏକ ପ୍ରଭାବଶାଳୀ ବକ୍ତା ମିଳିଗଲେ। ଦ୍ବିତୀୟରେ ପାରିବାରିକ ରାଜନୀତିକୁ ଭାରତୀୟ ଗଣମାଧ୍ୟମ ଯେତେ ନିନ୍ଦା କରୁଥିଲେ ମଧ୍ୟ, ଅସଲ କ୍ଷେତ୍ରରେ ରାଜନୈତିକ ପରିବାର ଓ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଆମର ଆକର୍ଷଣ ପ୍ରବଳ। ବର୍ତ୍ତମାନ ପରିସ୍ଥିତିରେ ପ୍ରିୟାଙ୍କା ଯାହା କହିବେ ତାହା ସ୍ଵାଭାବିକ ଭାବରେ ମୁଖ୍ୟ ଖବର ପାଲଟିଯିବ। ତୃତୀୟ ଏବଂ ସବୁଠୁ ପ୍ରଭାବଶାଳୀ କାରଣ ହେଉଛି, ରାହୁଲଙ୍କୁ ସମାଲୋଚନା କରିବାକୁ ଯାଇ ବିଜେପି ନେତାମାନେ ଯେଉଁ ଭାଷାର ପ୍ରୟୋଗ କରୁଥିଲେ, ପ୍ରିୟାଙ୍କାଙ୍କୁ ସେ ଭାଷାରେ ସମାଲୋଚନା କରିପାରିବେ ନାହିଁ।

ଏଇ ସବୁ ସାଧାରଣ କାରଣ ବ୍ୟତୀତ, ଉତ୍ତର ଭାରତ, ବିଶେଷ ଭାବରେ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରିୟାଙ୍କାଙ୍କ ଉପସ୍ଥିତିର ଏକ ଭିନ୍ନ ପ୍ରଭାବ ପଡିବାକୁ ଯାଉଛି। ଏହାର ଅର୍ଥ ଏୟା ନୁହଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର କିଛି ଗୋଟାଏ ଯାଦୁକରୀ ଫଳାଫଳ ହେବ। ପ୍ରିୟାଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ଵ ଦେଇ ରାହୁଲ ବିଜେପି ପାଇଁ ଏକ ବଡ ସଙ୍କେତ ଦେଇଛନ୍ତି। ବହୁଜନ ସମାଜବାଦୀ  ପାର୍ଟି ଓ ସମାଜବାଦୀ ପାର୍ଟି ଭିତରେ ଯେଉଁ ନିର୍ବାଚନ ବୁଝାମଣା ହୋଇଛି, ସେଥିରେ କଂଗ୍ରେସ ପ୍ରତିବନ୍ଧକ ନସାଜି, ବିଜେପିକୁ ହରାଇବା ପାଇଁ ଏକ ସତର୍କ ରଣନୀତି ର ପ୍ରୟୋଗ କରାଯିବ। କଂଗ୍ରେସ ହାତରେ ଆଜି ମଧ୍ୟ ଉତ୍ତର ପ୍ରଦେଶର ଉଚ୍ଚ ବର୍ଗ ଓ ମୁସଲମାନ ଭୋଟ କିଛିକାଂଶରେ ରହିଛି। ଏହି ଭୋଟ ବିଭାଜନ ଅଖିଳେଶ-ମାୟାବତୀ ମେଣ୍ଟକୁ ବେଶ ସୁହାଇବ ଓ ଅନେକାଂଶରେ ଏହା ବିଜେପି କୁ ଶକ୍ତ ଧକ୍କା ଦେବାରେ ସହାୟକ ହୋଇପାରେ। ତେଣୁ ଉତ୍ତରପ୍ରଦେଶ ରାଜନୀତିରେ ପ୍ରିୟାଙ୍କାଙ୍କ ଉପସ୍ଥିତି କଂଗ୍ରେସର ଲାଭ ପାଇଁ ଯେତିକି ନୁହେଁ, ବରଂ ବିଜେପିର କ୍ଷତି ପାଇଁ ସେତିକି ଚର୍ଚ୍ଚା ରେ ରହିବ।

ଯଦି କଂଗ୍ରେସ, ବିଏସପି ଓ ଏସପି ମେଣ୍ଟ ହୁଏ ତାହେଲେ ଉତ୍ତର ପ୍ରଦେଶରେ ବିଜେପି ପାଞ୍ଚଟି ମାତ୍ର ଆସନ ପାଇବ ବୋଲି ଏବେ ଇଣ୍ଡିଆ ଟୁଡେ ସର୍ଭେ ରୁ ଜଣା ପଡୁଛି। ଯଦି ଏ ପ୍ରକାର ଆକଳନ ସତ ହୁଏ ତାହେଲେ ବିଜେପି ଏବେ ନିଜ ସ୍ଥିତି ଓ କ୍ଷମତା ହରାଇବା ଅବସ୍ଥାକୁ ଆସିଯିବ। ଦିଲ୍ଲୀ କ୍ଷମତା ପାଇଁ ଉତ୍ତର ପ୍ରଦେଶ ହେଉଛି ଏକମାତ୍ର ବାଟ। ତେଣୁ ଉତ୍ତର ପ୍ରଦେଶରେ ଗଡ ରକ୍ଷା କରିବା ବିଜେପି ପାଇଁ ସବୁଠୁ ବଡ ଆହ୍ଵାନ। ଶେଠୀ ପାଇଁ କଂଗ୍ରେସ ନିଜର ସବୁଠୁ ଟ୍ରମ୍ଫ କାର୍ଡକୁ ଉତ୍ତର ପ୍ରଦେଶରେ ବ୍ୟବହାର କରିଛି। ଅବଧାରଣାର ଯୁଦ୍ଧରେ ବିଜେପିକୁ ପଛକୁ ଠେଲିବା ପାଇଁ ପ୍ରିୟାଙ୍କାଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଏବେ ବିଜେପିର ରକ୍ଷଣଶୀଳ ଓ ରୁଢିବାଦୀ  ନେତାମାନେ ପ୍ରିୟାଙ୍କାଙ୍କୁ ଆକ୍ରମଣ କରିବେ ଓ କଂଗ୍ରେସ ଲାଗି ତାହା ଏକ ବଡ ସୁଯୋଗ ପାଲଟିବ।

ପ୍ରିୟାଙ୍କା ସକ୍ରିୟ ରାଜନୀତିକୁ ଆସିବାର ବହୁମୂଖୀ ପ୍ରଭାବ ରହିଛି। ଏହାକୁ କେବଳ ଗାନ୍ଧୀ ପରିବାର, ବଂଶବାଦ ପରି କେତୋଟି ପାରମ୍ପରିକ ଶବ୍ଦରେ ସୀମିତ କରିଦେଲେ ହେବନାହିଁ।

Categories
ବିଶେଷ ଖବର

ପିସିସି ର ଦୁରବସ୍ଥା; ବୁଡି ଯାଉଥିବା ଜାହାଜର କପ୍ତାନ ନିରଞ୍ଜନ ପଟ୍ଟନାୟକ, ଏବେ କରିବେ କଣ?

କେଦାର ମିଶ୍ର

କଂଗ୍ରେସର ଜାହାଜ ବୁଡି ଯାଉଛି, କିନ୍ତୁ ଜାହାଜର କପ୍ତାନ କହୁଛନ୍ତି, ନା – ଆମର କିଛି ହୋଇନି। ମୂଷା ମାନେ ଡେଇଁ ସାରିଲେଣି। ଯିଏ ଯୁଆଡେ ଯିବା କଥା ଫେରାର ମାରିଲେଣି। କପ୍ତାନ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନିଜ ମଙ୍ଗକୁ ଆଣ୍ଟ କରି ଭିଡିଛନ୍ତି। କିଛି କିଛି ମୂଷାଙ୍କୁ ବରଖାସ୍ତ ମଧ୍ୟ କରୁଛନ୍ତି। ଗତ କାଲି  ଦଳର ଦୁଇଜଣ ତଗଡା ମୂଷାଙ୍କୁ ଜାହାଜରୁ ବହିଷ୍କାର କରି କପ୍ତାନ ପ୍ରମାଣିତ କରିବାକୁ  ଚେଷ୍ଟା କରିଛନ୍ତି ଯେ, ଏବେବି ଜାହାଜର ସବୁ କ୍ଷମତା ତାଙ୍କ ହାତରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରା ଯାଇଛି। ତେବେ ଯେଉଁ ଦଳର ଅସ୍ତିତ୍ଵ ଆଜି ସଙ୍କଟରେ ସେ ଦଳରୁ ବହିଷ୍କୃତ ହେବା ଗୋଟେ ସୁଯୋଗ ହୋଇପାରେ। ଶ୍ରୀକାନ୍ତ ଓ କୃଷ୍ଣ ଗତ କିଛି ମାସ ହେଲାଣି କଂଗ୍ରେସର ଯାହା କ୍ଷତି କରିବା କଥା କରିସାରିଛନ୍ତି।

ଦଳର ଜଣେ ପରେ ଜଣେ ବିଧାୟକ କଂଗ୍ରେସ ଛାଡୁଛନ୍ତି। ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀ ଓ ଆଉ କିଛି ବିଧାୟକ ଦଳ ଛାଡି ପାରନ୍ତି। ଦଳରୁ ଇସ୍ତଫାର ସୁଅ ଛୁଟୁଛି। ସେଥିରେ ଦଳକୁ ସଜାଡି ହେବ କେମିତି? ବୁଡି ଯାଉଥିବା ଜାହାଜର କପ୍ତାନ ନିଜର ଦମ୍ଭ ଯେତେ ଦେଖାଇଲେ ମଧ୍ୟ, ତାର କିଛି ପ୍ରଭାବ ଜାହାଜର ଭାଗ୍ୟ ଉପରେ ପଡେ ନାହିଁ। ଜାହାଜ ବୁଡୁଥାଏ, ଲୋକେ ଡିଆଁ ଡେଇଁ କରୁଥାନ୍ତି, ହେଲେ କପ୍ତାନ କହୁଥାଏ, ଅପେକ୍ଷା କର, ସବୁକିଛି ଠିକ ହୋଇଯିବ। କଂଗ୍ରେସର ଅବସ୍ଥା ଏବେ ଠିକ ସେମିତି।

ତେବେ କଂଗ୍ରେସର ଏ ବିପର୍ଯୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ନିରଞ୍ଜନ ବାବୁ ପିସିସି ସଭାପତି ହେବାର ବହୁତ ଆଗରୁ କଂଗ୍ରେସର ମରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବରଂ ସଭାପତି ହେବା ପରେ ନିରଞ୍ଜନ ବାବୁ ସେ ପ୍ରକ୍ରିୟାକୁ କିଛିଟା ଅଟକେଇ ପାରିଥିଲେ। ସଭାପତି ଦାୟିତ୍ଵ ନେବା ପରେ  ପ୍ରଥମ ତିନିମାସ, କଂଗ୍ରେସକୁ ନୂଆ ଉତ୍ସାହ ଦେବାରେ ନିରଞ୍ଜନଙ୍କର ବେଶ ଅବଦାନ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଅନୁଗତ ମାନଙ୍କୁ ନେଇ ଯେଉଁ ଟିମ ଗଢିଲେ, ସେଥିରୁ ଅନେକ ହେଉଛନ୍ତି, ଆଜିର ରାଜନୀତିରେ ଅଚଳ ଦୋ ଆଣି। ଦଳର ସଙ୍ଗଠନକୁ ମଜବୁତ କରିବା ଲାଗି ନୂଆ ସମୟର ଯେଉଁ ଆହ୍ଵାନ ଥିଲା, ତାକୁ ବୁଝିବାରେ ନିରଞ୍ଜନ ବାବୁ ସଫଳ ହେଲେ ନାହିଁ। ଏମିତିରେ ବି ଓଡିଶା ପାଇଁ କଂଗ୍ରେସର ଆହ୍ଵାନ ଅଲଗା ଥିଲା। ଏଠି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସହିତ ସମାନ୍ତରାଳରେ କଂଗ୍ରେସକୁ ଲଢିବାର ଥିଲା। ଗତ କୋଡିଏ ବର୍ଷ ଧରି ସବୁ ନିର୍ବାଚନରେ ପରାସ୍ତ ହୋଇ ହୋଇ ଦଳର ମନୋବଳ ପୂରା ଭାଙ୍ଗି ସାରିଥିଲା। ସେଥିରେ ଦଳର ସଂଗଠନ ଓ ଶକ୍ତିକୁ ଉଜ୍ଜୀବିତ କରିବା ଛୋଟିଆ କଥା ନୁହେଁ।

ନିରଞ୍ଜନ ବାବୁ ଚେଷ୍ଟା କରିଛନ୍ତି। ଅଶି ବର୍ଷ ବୟସ ଟପି ସାରିଥିଲେ ମଧ୍ୟ ଯୁବକ ଭଳି ପରିଶ୍ରମ କରିଛନ୍ତି ଓ କରୁଛନ୍ତି। ହେଲେ ଏ ପରିଶ୍ରମର କିଛି ମୂଲ୍ୟ ମିଳୁନି। ଦଳର ଜାହାଜ ଏବେ ଚାଲୁଣି ପରି। ସବୁଠି ଶତ ସହସ୍ର କଣା। ପାଣି ପଶି ଆସୁଛି ଜାହାଜ ଭିତରକୁ। କପ୍ତାନ କହୁଛନ୍ତି, କଣା ପୋତିବେ, ପାଣି ପଶିବା ବନ୍ଦ ହୋଇଯିବ। ହେଲେ ବନ୍ଦ ହେବା ପରିବର୍ତ୍ତେ ଘଳିଆ ସଂଖ୍ୟା ବଢୁଛି। ଏବେ ଜାହାଜ ବୁଡିବ, ଏକଥା କପ୍ତାନ ଓ ତାଙ୍କର ନାବିକ ମାନେ ଜାଣି ସାରିଲେଣି। ତଥାପି ବିଭିନ୍ନ ଯୋଜନା ଚାଲିଛି ଶେଷ ମୁହୂର୍ତ୍ତରେ ଜାହାଜକୁ ବଞ୍ଚାଇବା ପାଇଁ।

ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ନିଷ୍ପତ୍ତିର ପରିଣତି ମଧ୍ୟ ଖରାପ ସାବ୍ୟସ୍ତ ହୁଏ। ପିସିସି ସଭାପତି ହେବାପରେ ନିରଞ୍ଜନ ବାବୁ ନିଜର ଏକ ପ୍ରଭାବଶାଳୀ ମିଡିଆ ଟିମ ଗଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜ୍ୟ କଂଗ୍ରେସର ମିଡିଆ ଟିମ ବହ୍ଵାଡମ୍ବରେ ଲଘୁ କ୍ରିୟାର ଗୋଟେ ସଫଳ ଉଦାହରଣ। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ମିଡିଆରେ କଂଗ୍ରେସ ଏବେ ଯାବତୀୟ ଖରାପ କାରଣ ପାଇଁ ଚର୍ଚ୍ଚିତ। ସେହିପରି ଦଳର ଛାମୁଆ ସଂଗଠନ ଗୁଡିକରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା, ସେମାନେ କେହି ତୃଣମୂଳ ସ୍ତରର ପ୍ରଭାବଶାଳୀ ନେତା ନୁହନ୍ତି। ସେଥିରେ କଂଗ୍ରେସ ସଙ୍ଗଠନଯେ ଦୁର୍ବଳ ହେବ, ଏକଥା ସ୍ଵାଭାବିକ।

ତେବେ ନିର୍ବାଚନର ଠିକ ମାସେ ଆଗରୁ କଂଗ୍ରେସ ଭିତରେ ଯାହା ଘଟୁଛି, ତାହା ଦଳର ଅସ୍ତିତ୍ଵକୁ ଦୋହଲାଇ ଦେଇଛି। ଜାତୀୟ ସ୍ତରରେ କଂଗ୍ରେସର ଅଭ୍ୟୁଦୟ ଘଟୁଥିବା ବେଳେ ଓଡିଶାରେ ଏହାର ବିପର୍ୟୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଆଜିର ପରିସ୍ଥିତିରେ କଂଗ୍ରେସର ଜାହାଜ ବୁଡୁଛି ବୋଲି କହିବା ବେଳେ ପ୍ରସିଦ୍ଧ ହଲିଉଡ ସିନେମା “ଟାଇଟେନିକ” ର ଗୋଟେ ଦୃଶ୍ୟ କଥା ମନେ ପଡୁଛି। ବୁଡି ଯାଉଥିବା ଜାହାଜରୁ ଯେତେବେଳେ ଗୋଟେ ପରେ ଗୋଟେ ଲୋକ ଡେଇଁ ଯାଉଛନ୍ତି, ସେତେବେଳେ ଦଳେ ସଙ୍ଗୀତଜ୍ଞ ମସଗୁଲ ହୋଇ ନିଜର ଗୀଟାର ଓ ଭାଓଲିନ  ବଜାଇ ଚାଲିଛନ୍ତି। କଂଗ୍ରେସର ଏ ବିପର୍ୟୟ କାଳରେ ଯେତେବେଳେ ବି ନିରଞ୍ଜନ ବାବୁ ଦମ୍ଭ ଦେଖାଉଛନ୍ତି, ତାଙ୍କ ମୁହଁ ରେ ମୋତେ ସେ ସଙ୍ଗୀତଜ୍ଞମାନଙ୍କ ଛବି ଦିଶି ଯାଉଛି!