Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ପୁଣି କଲବଲ କରିପାରେ କରୋନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର, ବର୍ତ୍ତମାନ ମହାରାଷ୍ଟ୍ରରେ ଯେପରି କରୋନା ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି, ତାହାର ପ୍ରଭାବ ଓଡିଶାରେ ପଡିପାରେ। କାରଣ ଓଡିଶାର ବହୁ ସଂଖ୍ୟାର ଲୋକ ମହାରାଷ୍ଟ୍ରରୁ ଯିବାଆସିବା କରୁଛନ୍ତି। ସେମାଙ୍କୁ ନଜର ରଖିବା ସହିତ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଚିିଠି ଜିଲ୍ଲାପାଳଙ୍କ ସହିତ ମହାନଗର କମିଶନର, ପୋଲିସ କମିଶନର, ଏସପିମାନଙ୍କୁ ମଧ୍ୟ ଅବଗତ କରାଯାଇଛି।

ରୋଜଗାର ପାଇଁ ଓଡିଶାରୁ ବହୁ ଲୋକ ମହାରାଷ୍ଟ୍ରରେ ଅଛନ୍ତି। ସେମାନେ ବିଭିନ୍ନ ସମୟରେ ସେମାନଙ୍କ ଘରକୁ ଫେରିଥାନ୍ତି। ଏହାଦ୍ବାରା ଓଡିଶାରେ ପୁଣି ଥରେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଜଣାପଡିଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଏହି ସତର୍କ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ବଜାର, ଧର୍ମସ୍ଥାନ ଏବଂ ଗହଳି ସ୍ଥାନଗୁଡିକରେ ସତର୍କ ଦୃଷ୍ଟି ରଖାଯାଉ। ଏହି ସ୍ଥାନ ଗୁଡିକରେ ଯେପରି ଅଯଥା ଭିଡ ନ ହେବ ସେଥିପାଇଁ ଦୃଷ୍ଟି ଦେବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଓଡିଶାରେ କରୋନା ସଂକ୍ରାମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତକାଲି ଓଡିଶାରୁ ମାତ୍ର 53 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫଳରେ ପୂର୍ବ ଅପେକ୍ଷା କରୋନା ସ୍ଥିତିରେ ଢେର ପରିବର୍ତ୍ତନ ଆସିଛି। ବର୍ତ୍ତମାନର ତଥ୍ୟ ଅନୁସାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି। ସେହି ଜିଲ୍ଲାଗୁଡିକ ହେଲା ନବରଂଗପୁର, ଗଜପତି ଏବଂ କନ୍ଧମାଳ।

ତେବେ ଦେଶରେ ଏହାରସ୍ଥିତି ଗମ୍ଭୀର ରହିଛି। ଗୋଟିଏ ଦିନରେ ଦେଶରୁ 13 ହଜାର 193 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଚଳିତ ମାସର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କହିଛି। ଏହା ସୂଚାଇ ଦେଉଛି ଯେ, ବର୍ତ୍ତମାନ ସୁଦ୍ଧା କରୋନା ନିୟନ୍ତ୍ରଣକୁ ଆସି ନାହିଁ। ମୁଖ୍ୟତଃ ମହାରାଷ୍ଟ୍ର ଏବଂ କେରଳରେ ଏହାର ସ୍ଥିତି ଗମ୍ଭୀର ରହିଛି। କେବଳ ଏହି ଦୁଇ ରାଜ୍ୟରୁ 75 ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି।