Tag: corona
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 37ରେ ପହଞ୍ଚିଛି । ସୁସ୍ଥ ହୋଇଥିବା 2 ଆକ୍ରାନ୍ତ ଭୁବନଶ୍ବରର ବୋଲି ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 108ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 37 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର: ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ମୃ୍ତ୍ୟୁ ହେଲେ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ।
ହରପ୍ରସାଦ ବିଷୋୟୀ
ବେଗୁନିଆପଡା: କରୋନା ମହାମାରୀ ପାଇଁ ଯୋଦ୍ଧା ସାଜିଥିବା ବେଗୁନିଆପଡା ବ୍ଲକର ଯୋଦ୍ଧାଙ୍କୁ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଏହି କରୋନା ଯୋଦ୍ଧା ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଥାନା ଅଧିକାରୀ ଦିପ୍ତୀରଂଜନ ବେହେରା, ବ୍ଲକ୍ର ସମସ୍ତ ଡାକ୍ତର, ସମସ୍ତ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅଧିକାରୀ ଓ ସାମ୍ବାଦିକଙ୍କ କାର୍ଯ୍ୟ ଯୋଗୁଁ ବେଗୁନିଆପଡା ବ୍ଲକ କରୋନା ସଂକ୍ରମଣରୁ ମୁକ୍ତି ପାଇଛି ।
ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର ସଦସ୍ୟ ଦେବାଶିଷ ମହାରଣା, ଲିପୁନ ଦୋରା, ଶଙ୍କର ନାହାକ, ସନ୍ତୋଷିନୀ ମହାରଣା, ମାମା ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ ।
ଅହମ୍ମଦାବାଦ :ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ଅହମ୍ମଦାବାଦ ନଗର ନିଗମର ପାର୍ଷଦ ବଦରୁଦ୍ଦିନ ଶେଖ୍ଙ୍କ ଗତକାଲି ରାତ୍ରିରେ ପରଲୋକ ହୋଇଛି । ବଦରୁଦ୍ଦିନ କରୋନାରେ ସଂକ୍ରମିତ ହୋଇଥିଲେ । ଏସ୍ବିପି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ୍ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ବଦରୁଦ୍ଦିନ୍ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଭ୍ୟ ଥିବାବେଳେ 40 ବର୍ଷ ଧରି ଦଳ ସହ ଜଡିତ ରହିଥିଲେ । ବଦରୁଦ୍ଦିନ୍ ଶେଖ ବେହରାମପୁରାରୁ କଂଗ୍ରେସ ପାର୍ଷଦ ଥିଲେ । ଅପ୍ରେଲ୍ 15 ତାରିଖରେ ବଦରୁଦ୍ଦିନ୍ କରୋନା ସଂକ୍ରମିତ ହୋଇଥିଲେ ବୋଲି ସୂଚନା ମିଳିଥିଲା । ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । 8 ଦିନ ଧରି ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
- ଏମସ୍ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି।
- ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।
- ବାବୁ ଜଗଜୀବନ ରାମ ହସ୍ପିଟାଲରେ 65 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
- ରାଜୀବ ଗାନ୍ଧି କ୍ୟାନସର ହସ୍ପିଟାଲର ତିନି ଜଣ ଡାକ୍ତରଙ୍କ ସମେତ 21 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ମିଳିଛି ।
- ଲେଡି ହାର୍ଡିଙ୍ଗ୍ ହସ୍ପିଟାଲର 2 ଡାକ୍ତରଙ୍କ ସମେତ 6 ଜଣ ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
- କଲାବତୀ ଶରଣ ହସ୍ପିଟାଲରେ ଦୁଇ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି ।
- ସେହିପରି ମହୋଲ୍ଲା କ୍ଲିନିକ୍ ବାବରପୁର ଓ ମୌଜପୁର ଜଣେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2918ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 54ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦୁନିଆରେ କରୋନା ଭାଇରସ୍ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସାରା ବିଶ୍ବରେ ମୃତ୍ୟୁସଂଖ୍ୟା 2 ଲକ୍ଷ 6ହଜାର ପାର୍ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 29,94,731ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 73,859ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା 3,751ରେ ବୃଦ୍ଧି ହୋଇଛି । ବିଶ୍ବର 210ଟି ଦେଶକୁ ସଂକ୍ରମିତ ହୋଇଛି । ସେହିପରି 878,701ଜଣସଂକ୍ରମଣ ମୁକ୍ତ ହୋଇଛନ୍ତି ।
ଏହି ମହାମାରୀ କରୋନା ଯୋଗୁଁ ବିଶ୍ବର ଶକ୍ତିଶାଳୀ ଦେଶଗୁଡିକର ସ୍ଥିତି ବିପନ୍ନ ହୋଇପଡିଛି। ଆମେରିକା ସ୍ଥିତି ଅସମ୍ଭାଳ ହୋଇ ପଡିଛି । ମୃତ୍ୟୁ ସଂଖ୍ୟା 55 ହଜାର 413ରେ ପହଞ୍ଚିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 987,160ରେ ପହଞ୍ଚିଛି । ସେହିପରି ସ୍ପେନ୍ରେ ସଂକ୍ରମିତଙ୍କ ସଂଖ୍ୟା 2,26,629ରେ ପହଞ୍ଚିବାବେଳେ ମୃତ୍ୟୁ ସଂଖ୍ୟା 23,190ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1ଲକ୍ଷ 97 ହଜାର 675 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 26,644ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା 1,62,100 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22 ହଜାର 856 ଜଣ ରହିଛନ୍ତି । ସେହିପରି ବ୍ରିଟେନ୍ରେ ଏକ ଲକ୍ଷ 52 ହଜାର 840 ଜଣ ସଂକ୍ରମିତ ହୋଇଥିବାବେଳେ 20 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ରାଜ୍ୟରେ ଆଉ ନୂଆ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ୬ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ସୂଚନାମିଳିଛି। ଏମାନେ ସମସ୍ତେ ନିକଟ ଅତୀତରେ ପଶ୍ଚିମ ବଙ୍ଗରୁ ଫେରିଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି।
ଏହି ୬ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ଘଟିଛି। ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି।
ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରାଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରଗଡର ହୋଇଥିବାର ସରକାରଙ୍କ ତରଫରୁ ସୂଚନା ମିଳିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 34କୁ ବୃଦ୍ଧି ହୋଇଛି। ସମ୍ପ୍ରତି ରାଜ୍ୟରେ କୋଲକାତା ଲିଙ୍କ୍ ଚିନ୍ତା ବଢାଉଥିବାବେଳେ କରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ଆଶ୍ବସ୍ତି ପ୍ରଦାନ କରିଛି। ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94ରେ ପହଞ୍ଚିବାଥିବାବେଳେ 59ଜଣ ଚିକିତ୍ସାଧୀନ ରହିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ଏବେ କରୋନାମୁକ୍ତ ହୋଇଥିବାର ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ତିନି ଜଣ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ଜଣେ ସୁସ୍ଥ ହୋଇଛନ୍ତି ।
ରାଜ୍ୟର ମୋଟ୍ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡକୁ ମିଶାଇ 5ଟି ଜିଲ୍ଲା କରୋନାମୁକ୍ତ ହୋଇଛି । ଏହି କରୋନ ମୁକ୍ତ ଜିଲ୍ଲା ମଧ୍ୟରେ ରହିଛନ୍ତି ପୁରୀ, କଟକ, ଢେଙ୍କାନାଳ, କଳହାଣ୍ଡି ଓ ସୁନ୍ଦରଗଡ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 23 ହଜାର 452ରେ ପହଞ୍ଚିଛି । ସେହିପରି 17 ହଜାର 915ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି 4814ଜଣ । ଗତ 24 ଘଣ୍ଟାରେ 1752ଟି ନୂତନ ମାମଲା ଆସିଥିବାବେଳେ 37ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 83, ଦିଲ୍ଲୀରେ 50, ଆନ୍ଧ୍ରରେ 29, ତେଲେଙ୍ଗାନାରେ 26, ଉତ୍ତରପ୍ରଦେଶରେ 24, ତାମିଲନାଡୁରେ 20, କର୍ଣ୍ଣାଟକରେ 18, ପଞ୍ଜାବରେ 16ଜଣଙ୍କର ମୃତ୍ୟୁ ହୋଇଛି ।
ଗତ 28 ଦିନ ମଧ୍ୟରେ 15ଟି ଜିଲ୍ଲାର କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଦେଶରେ 80ଟି ଜିଲ୍ଲାରେ ଗତ 14 ଦିନ ଧରି କୌଣସି ନୂତନ ମାମଲା ମଧ୍ୟ ଆସିନାହିଁ। ସେହିପରି କରୋନା ସଂକ୍ରମିତ ଦ୍ବିଗୁଣ ହାର ଏବେ 10 ଦିନରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।
ସେହିପରି ଯେଉଁ କ୍ଷେତ୍ରକୁ ଗୁଡିକ କଣ୍ଟେନମେଣ୍ଟ ବା ହଟସ୍ପଟ୍ ଅନ୍ତର୍ଭୁକ୍ତ ନୁହେଁ, ସେଠାରେ ଏପ୍ରିଲ୍ 20 ତାରିଖ ପରଠାରୁ କିଛି କ୍ଷେତ୍ର ପାଇଁ ଅନୁମତି ଦିଆଯାଇଛି । ସେହିପରି କୌଣସି କାରଖାନାରେ କୋଭିଡ୍ କେସ୍ ମିଳିଲେ କାରଖାନା ବା କମ୍ପାନୀର ସିଇଓଙ୍କ ଦଣ୍ଡ ମିଳିବା ସହିତ ସମ୍ପୃକ୍ତ କମ୍ପାନୀକୁ 3 ମାସ ପାଇଁ ସିଲ୍ କରାଯିବ ବୋଲି ସୂଚନା ରହିଛି ।(ଏଜେନ୍ସି)
ନୂଆଦିଲ୍ଲୀ : ବିଗତ 14 ଦିନ ମଧ୍ୟରେ ଦେଶର 78ଟି ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ସୁଦ୍ଧା ସମୁଦାୟ 4257 ରୋଗୀ କରୋନା ମୁକ୍ତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତଙ୍କର ପ୍ରାୟ 19.89 ପ୍ରତିଶତ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 21,393ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 681 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 4257 ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର ମୃତ୍ୟୁସଂଖ୍ୟାରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 388ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଆକ୍ରାନ୍ତ ଜଣକ ଭୁବନେଶ୍ବରର ବୋଲଇ ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 33ରେ ପହଞ୍ଚିଛି । ଉଲ୍ଲେଖମଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 33 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଗୁଜୁରାଟ : କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ପରେ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି । ଗୁଜୁରାଟରେ ଏବେ ଦୁଇହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 103ରେ ପହଞ୍ଚିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ଘଟିଛି ।
ଗୁଜୁରାଟରେ ଅହମ୍ମବାଦଠାରେ ଅଧିକ ରୋଗୀ ରହିଛନ୍ତି । ଏଠାରେ 1501 ଜଣ ରହିଥିବାବେଳେ ସୁରତରେ 415, ବଡଦୋରାରେ 208, ରାଜକୋଟରେ 41, ଭାବନଗରରେ 32, ଆଣନନ୍ଦରେ 30, ଭରୁଚରେ 24, ଗାନ୍ଧିନଗର-ଅମରାବଲୀରେ 17, ବାନାସକାଣ୍ଠାରେ 16 , ପାଟନାରେ 15, ନର୍ମଦା-ମହୀସାଗରରେ 12, ଛୋଟା ଉଦେପୁର-ପଞ୍ଚମହଲରେ 11, ବୋଟାଦାରେ 9, ମେହସାନାରେ 7, କଚ୍ଛରେ 6, ଦୋହାତରେ 4 ରହିଛନ୍ତି ।
ଦେଶର ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନରେ 1935ଜଣ ସଂକ୍ରମିତ ରହିଥିବାବେଳେ 27ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 1629ଜଣ ସଂକ୍ରମିତ ହୋଇଥିବାବେଳେ 18ଜଣ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ 1587ଜଣ ସଂକ୍ରମିତ ହୋଇଥିବାବେଳେ 80ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ 1449 ଜଣ ସଂକ୍ରମିତ ହୋଇଥିବାବେଳେ 21ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 943ଜଣ ସଂକ୍ରମିତ ହୋଇଥିବାବେଳେ 24 ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ 24 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 813ଜଣ। ସେହିପରି କର୍ଣ୍ଣାଟକରେ 427ଜଣ ସଂକ୍ରମିତ ହୋଇଥିବାବେଳେ 17 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଜମ୍ମୁକାଶ୍ମୀରରେ 5 ଜଣ, ପଶ୍ଚିମବଙ୍ଗରେ 15 ଜଣ, ପଞ୍ଜାବରେ 16 ଜଣ, ହରିୟାଣାରେ 3 ଜଣ, ଝାଡଖଣ୍ଡରେ 4 ଜଣ, ହିମାଚଳ ପ୍ରଦେଶରେ 2 ଜଣ, ଆସାମ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 21 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 682କୁ ବୃଦ୍ଧି ପାଇଛି । (ଏଜେନ୍ସି)
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍ କରି ଦିଆଯାଇଛି। ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ 15 ତାରିଖରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରି ଦିଆଯାଇଛି। (ଏଜେନ୍ସି)
ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଲକ୍ ଡାଉନ୍ ନିୟମକୁ କଡାକଡି କରାଯାଇଛି। କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ଏହି ଲକ ଡାଉନ୍ ନିୟମ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅର୍ନ୍ତଗତ ଚଟୁଆ ଠାରେ ଥିବା ଦେବୀ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ସେଣ୍ଟରରେ ନାହିଁ ନ ଥିବା ଭିଡ଼ ପରି ଲକ୍ଷିତ ହୋଇଛି। କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଅସ୍ତ୍ର ହୋଇଥିବାବେଳେ ଏଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ 82ରେ ପହଞ୍ଚିଛି। ଅପରପକ୍ଷରେ ଏବେ ଆକ୍ରାନ୍ତମାନେ ମୁଖ୍ୟତଃ ଗ୍ରାମ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି। ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତମାନେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ସେମାନେ ସମେସ୍ତ ଗ୍ରାମ ଅଞ୍ଚଳରେ ରହୁଥିଲେ। ଏପରି ସମୟରେ ସାମାଜିକ ଦୂରତ୍ବକୁ ଭାଙ୍ଗିବା ଆମ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ଜିଲ୍ଲାପାଳ ଦୃଷ୍ଟିଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନୂଆଦିଲ୍ଲୀ : କରୋନା ଭାଇରସ୍ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍, ବ୍ରିଟେନ୍ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ର ଏବେ କରୋନା କବଳରେ କବଳିତ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ଯାଇଛି। ଆମେରିକାରେ ସର୍ବମୋଟ ମୃତକଙ୍କ ସଂଖ୍ୟା 45 ହଜାର ପାର୍ କରିଛି। ସେହିପରି ଆମେରିକାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 824,147ରେ ପହଞ୍ଚିଛି। ଆମେରିକାରେ ଏଯାବତ୍ 41 ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଆମେରିକାର ନ୍ୟୁୟର୍କରେ କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ 15 ହଜାର ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।
କରୋନା ଯୋଗୁଁ ବିଶ୍ବରେ 25 ଲକ୍ଷ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ 77 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ବରଣ କରିଛନ୍ତି । ସେହିପରି 6,94, 881ଜଣ ସୁସ୍ଥ ହୋଇଛନ୍ତି।
କେଦାର ମିଶ୍ର
ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଚୀନ କୁ ଏଥିପାଇଁ ଦାୟୀ କରୁଛନ୍ତି। କେବେ କେମିତି ସେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘକୁ ମଧ୍ୟ ଏଥିଲାଗି ଦାୟୀ କରୁଛନ୍ତି। ହେଲେ ନିଜ ଦେଶର ଜଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତାଙ୍କ ପ୍ରଶାସନର ବିଫଳତାକୁ ସେ ସ୍ଵୀକାର କରୁନାହାନ୍ତି। ସେମିତି ଭାରତରେ କରୋନା ସଂକ୍ରମଣ ଲାଗି କେତେବେଳେ ବିଦେଶୀ, ପୁଣି କେତେବେଳେ ତବଲିଗି ଜମାତକୁ ଦାୟୀ କରି ପ୍ରଚାର ଚାଲିଛି। ହେଲେ ଅସଲ ସତ୍ୟ ହେଉଛି କରୋନା ଭୂତାଣୁ କୌଣସି ରାଜନୈତିକ ସୀମା ଭିତରେ ନାହିଁ। ଏହା ପୃଥିବୀର ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗଙ୍କୁ ଆକ୍ରମଣ କରି ଚାଲିଛି। ତେଣୁ ଦେଶ ଦେଶ ଭିତରେ ଶତ୍ରୁତା ଅପେକ୍ଷା ଆଜି ସହଯୋଗୀ ହେବାର ଆବଶ୍ୟକତା ବେଶୀ।
ଗତ ସପ୍ତାହରେ ହଠାତ ଓଡିଶାରେ ଆକ୍ରାନ୍ତଙ୍କର ସଂଖ୍ୟା ବଢିଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ସପ୍ତାହରେ ପ୍ରାୟ ୨୪ ଜଣ ଆକ୍ରାନ୍ତଙ୍କର “କଲିକତା ସଂଯୋଗ” ବା “ବେଙ୍ଗଲ ଯାତ୍ରା” ର କଥା ଉଠିଛି। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ଭିତରୁ ଅଧିକାଂଶ କଲିକତା କିମ୍ବା ସୀମାନ୍ତ ପଶ୍ଚିମ ବଙ୍ଗ ଅଞ୍ଚଳରୁ ଆସିଛନ୍ତି। ତେବେ ଏଥିପାଇଁ ପଶ୍ଚିମବଙ୍ଗ ହିଁ ଓଡିଶାରେ କରୋନା ସଂକ୍ରମଣ ପାଇଁ ଦାୟୀ ବୋଲି କହିବା ଠିକ ହେବ କି? ଭାରତର ବିଭିନ୍ନ ରାଜ୍ୟ ଭିତରେ ଯିବା ଆସିବା ଏକ ସାଧାରଣ ବ୍ୟବସ୍ଥା। ଲକ ଡାଉନ ସମୟରେ ଏହା ବନ୍ଦ ରହିଥିଲେ ମଧ୍ୟ ବିଭିନ୍ନ ସ୍ତରରେ ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିଛି। ଭୂତାଣୁ ସଂକ୍ରମଣ ଲାଗି ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଦାୟୀ କରିବା କେବଳ ପିଲାଳିଆମୀ ନୁହେଁ, ଏହା ନିର୍ବୋଧତା।
ପଶ୍ଚିମ ବଙ୍ଗରୁ ଯେଉଁମାନେ ଫେରିଛନ୍ତି, ସେମାନେ ସମସ୍ତେ ଓଡିଆ। ତେଣୁ ସେ ଦିଗ ପ୍ରତି ଆମେ ଅଧିକ ସଂବେଦନ ରହିବା ଉଚିତ। କୋଟି କୋଟି ଲୋକ ଏବେ ଲକ ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଯୋଗାଡଯନ୍ତ୍ର କରି ନିଜ ଘରକୁ ଫେରି ଆସୁଛନ୍ତି। ସେମାନଙ୍କ ଭିତରେ କିଛି ସଂକ୍ରମିତ ମଧ୍ୟ ଅଛନ୍ତି। ସେମାନଙ୍କ ଭିତରେ କିଏ ଓଡିଆ, କିଏ ବଙ୍ଗାଳୀ, ତାହା ଜଣା ପଡିବ ନାହିଁ। କରୋନାକୁ ଭୌଗୋଳିକ, ସାମାଜିକ ଏବଂ ଧାର୍ମିକ ବନ୍ଧନୀରେ ବାନ୍ଧିବାକୁ ଚେଷ୍ଟା କଲେ ଆମେ ଏହାର ମୁକାବିଲା କରି ପାରିବା ନାହିଁ।
ଆଜି ହଠାତ ପଶ୍ଚିମବଙ୍ଗ କୁ ଦୋଷ ଦେଇ ଆମେ ଗଣମାଧ୍ୟମରେ କିମ୍ବା ସୋସିଆଲ ମିଡିଆରେ ବଡ ବଡ କଥା କହୁଛେ। ଏ କଥା କହିଲା ବେଳେ ଭୁଲି ଯାଆନ୍ତୁ ନାହିଁ ଯେ ଲକ୍ଷ ଲକ୍ଷ ଓଡିଆ ଆଜି ବି କଲିକତାରେ ଅଛନ୍ତି ଓ ପଶ୍ଚିମ ବଙ୍ଗ ସହିତ ଆମର ରୋଜ ଯିବା ଆସିବା ରହିଛି। ଦେଶ ଭିତରେ ରାଜ୍ୟ ରାଜ୍ୟକୁ ନେଇ ବିଭାଜନ ରେଖା ଟାଣିବା ଆମକୁ ମହଙ୍ଗା ପଡିବ। କେହି କେହି ଏହି ଘଟଣାରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଖଳ ନାୟକ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକ ରାଜ୍ୟ ସରକାର ନିଜ ନିଜ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ତେଣୁ ସବୁ ରାଜ୍ୟ ସରକାରଙ୍କ ଭିତରେ ସହଯୋଗର ସମ୍ପର୍କ ଆଜି ଜରୁରୀ। ଯେଉଁମାନେ ଆନ୍ତଃ ରାଜ୍ୟ ସୀମା ସିଲ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ଦେଶ ଭିତରେ ରାଜ୍ୟ ଗୁଡିକର ସୀମା କେମିତି ଥାଏ, ତାହା ବୋଧହୁଏ ଜାଣନ୍ତି ନାଇଁ। କେବଳ ଜାତୀୟ ରାଜପଥକୁ ଛାଡି ଦେଲେ ଅନ୍ୟ ସବୁ ରାସ୍ତା ଓ ସୀମାକୁ ସିଲ କରିବା ସମ୍ଭବ କି?
ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ତେଣୁ ଏଠି ରାଜ୍ୟ ରାଜ୍ୟ ଭିତରେ ସୀମାରେଖା କେବଳ ଏକ ରାଜସ୍ୱ ଆବଶ୍ୟକତା। ଏହାକୁ ଆମେ ପାକିସ୍ତାନ ବା ଚୀନର ସୀମା ବୋଲି ଭାବିବା ଉଚିତ ନୁହଁ। ପଶ୍ଚିମ ବଙ୍ଗ ଓ ଓଡିଶା ଭିତରେ ପ୍ରାୟ ୫୦୦ କିଲୋମିଟର ର ସୀମାରେଖା ରହିଛି। ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ସେ କଥା ଭାବିବା ମଧ୍ୟ ମୂର୍ଖାମୀ। ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିବ ଓ ଏହାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ଆମଲାଗି ସବୁଠୁ ବଡ ଆହ୍ଵାନ ହେଉଛି, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ କଣ କଣ କରିପାରିବା। ଆଜି ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ସାରିଛି। ଲକ ଡାଉନ ମାଧ୍ୟମରେ ତାକୁ କିଛିଟା ନିୟନ୍ତ୍ରଣରେ ସିନା ରଖିହେବ, ହେଲେ ଏହାକୁ ସମୂଳେ ମାରି ହେବନାଇଁ।
ଧର୍ମ, ଗୋଷ୍ଠୀ ଓ ରାଜ୍ୟ ଗୁଡିକ ଏବେ ପରଷ୍ପରର ସହଯୋଗୀ ହୋଇ କାମ କରିବାର ସମୟ ଆସିଛି। ତାହା ନକରି ପରଷ୍ପରକୁ ଦୋଷ ଦେବାର ରାଜନୀତି କଲେ ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା।
ଦେବ ରଞ୍ଜନ
କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା: ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର ନୁହନ୍ତି) ଚିହ୍ନିତ କରିବା ଓ ମୁଖ୍ୟଧାରର ଅଧିକାଂଶ ଟିଭି ମିଡିଆ ଏହାକୁ ପୁନରାବୃତ୍ତି କରିବା ଏହି ସନ୍ଦେହକୁ ନିଶ୍ଚିତ ଭାବରେ ବଳିଷ୍ଠ କରିଦେଉଛି ଯେ ଯାହା କରାଯାଉଛି ତାହା କେବଳ ଏକ ସାମ୍ପ୍ରଦାୟିକ ପରିବେଶ ପାଇଁ ନୁହେଁ ତ?
ବିଦେଶରୁ ଆସିଥିବା ଏହି ଭାଇରସକୁ କେବେ ଏନଆରଆଇ ଲିଙ୍କ ଅଥବା ପାସପୋର୍ଟ ଲିଙ୍କ ଭାବରେ ଆଖ୍ଯିତ କରାଯାଇନାହିଁ (ବା ସେଭଳି କରିବା ଉଚିତ ମଧ୍ୟ ନୁହେଁ) ଯଦିଓ ଏହା ପ୍ରାୟତଃ ସେହି ଧନିକ ବର୍ଗ ହିଁ ଏ ଦେଶକୁ ଆଣିଛନ୍ତି । କିନ୍ତୁ ମିଡିଆ ତବଲିଗ ଜମାତ ଘଟଣା ପରଠାରୁ ହଠାତ ମୁସଲମାନଙ୍କୁ ଲକ୍ଷ୍ୟ କରିବା ଆରମ୍ଭ କରିଦେଲେ । ଗଣମାଧ୍ୟମର ଭୂମିକାକୁ ସମୀକ୍ଷା କରିବା ସମୟରେ ଉଦାହରଣ ଭାବରେ ଉତ୍ତର ଭାରତର ବହୁଳ ପ୍ରସାରିତ ‘ଦୈନିକ ଜାଗରଣ’ ଖବରକାଗଜକୁ ନିଆଯାଇପାରେ ।
‘ଦୈନିକ ଜାଗରଣ’ର ଦିଲ୍ଲୀ ସଂସ୍କରଣରେ ପନ୍ଦର ଦିନ ମଧ୍ୟରେ (ମାର୍ଚ୍ଚ 28 ରୁ ଏପ୍ରିଲ 11) ତବଲିଗ ଜମାତ ସମ୍ପର୍କିତ ଖବରର ଏକ ସମୀକ୍ଷା ଦିଲ୍ଲୀର ଶୋଏବ ଡାନିଏଲ କରିଥିଲେ । ସେହି ପନ୍ଦର ଦିନର ‘ଦୈନିକ ଜାଗରଣ’ରେ 171ଟି ଷ୍ଟୋରି, ଆଠଟି ସମ୍ପାଦକୀୟ, ପାଞ୍ଚଟି କାର୍ଟୁନ ଓ ଗୋଟିଏ ସଂପୂର୍ଣ୍ଣ ପୃଷ୍ଠାର ଲେଖା ପ୍ରକାଶ ପାଇଥିଲା । ଏ ସମସ୍ତ ଲେଖାର ଭାଷା ଥିଲା ଅତ୍ୟନ୍ତ ସମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ । ‘ଦୈନିକ ଜାଗରଣ’ ଖବରକାଗଜ ହିନ୍ଦୀ ଭାଷୀ ଅଞ୍ଚଳରେ ସର୍ବାଧିକ ପାଠକ ଥିବା ଦାବି କରେ । ଏହି ସମୀକ୍ଷା ଦି ପ୍ରିଣ୍ଟ ଓ କାଉଣ୍ଟର କରେଣ୍ଟସରେ ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରେସ କାଉନସିଲ ଓ ଇଣ୍ଡିଆ, ସଂଖ୍ୟାନ୍ୟୁନ କମିଶନ, ମାନବିକ ଅଧିକାର କମିଶନ ଓ ଦିଲ୍ଲୀ ପୁଲିସ ଏହି ଖବରକାଗଜକୁ ‘ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ’ ଅଭିଯୋଗରେ କୌଣସି ପଦକ୍ଷେପ ନେଇନାହାନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ସାମ୍ପ୍ରଦାୟିକ ଭାବନାର ପ୍ରଚାର କରାଯାଉଥିବାକୁ ବିରୋଧ କରିବା ହେତୁ ଉତ୍ତର ପ୍ରଦେଶ ସରକାର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରିବା ଓ ଅନେକଙ୍କୁ ନୋଟିସ କରିବା ଆରମ୍ଭ କରିଛନ୍ତି ତାହା ପୁଣି ଏହି ଲକ ଡାଉନର ସମୟରେ ।
ଓଡିଶାର ପ୍ରକାଶିତ ଖବରକାଗଜ ଓ କେତେକ ଟିଭି ଚ୍ଯାନେଲ “ନିଜାମୁଦ୍ଦିନ ଲିଙ୍କ” ସମ୍ବନ୍ଧରେ ସେହି ସମ୍ପ୍ରଦାୟିକ ଭାବନା ଉଦ୍ରେକକାରୀ ଭାଷା ଏଭଳି ବ୍ୟବହାର କରୁଥିଲେ ଯଦି କେହି ତାହାର ମଧ୍ୟ ସମୀକ୍ଷା କରିଥାନ୍ତା ତେବେ ସେହି ସମାନ ତଥ୍ୟ ହୁଏତ ପାଇଥାନ୍ତା ।
କେନ୍ଦ୍ର ସରକାରଙ୍କ ନିୟମିତ “ନିଜାମୁଦ୍ଦିନ ଲିଙ୍କ”ର ଠାବ ଓ ଗଣମାଧ୍ୟମର ଭାଷା ସାଧାରଣ ଜନମାନସକୁ ମଧ୍ୟ ପ୍ରଭାବିତ କରିଦେଲା । ବିଜେପିର କେତେକ ଏମଏଲଏ ଏହାକୁ ‘କରୋନା ଜେହାଦୀ’ କହିବା ସତ୍ବେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବିରୋଧ କରାଯାଇନଥିଲା । (ଏବେ ମହାରାଷ୍ଟ୍ର ଓ ଗୁଜୁରାଟରେ ସଂକ୍ରମଣଙ୍କ ସଂଖ୍ୟା ବଢିବା ପରେ ଏହାକୁ କଣ କହିବେ?) ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁସଲମାନ ବ୍ୟକ୍ତିଙ୍କୁ ଲୋକେ ସନ୍ଦେହ କଲେ, ଆବଶ୍ୟକୀୟ ପଦାର୍ଥ ସେମାନଙ୍କ ହାତରୁ ନେବା ଲାଗି ମନା କରିଦେଲେ ଓ କେଉଁଠି କେଉଁଠି ଆକ୍ରମଣ ମଧ୍ୟ କରିଦେଲେ ।
ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ଓ ‘ବହୁଳ ପ୍ରସାରିତ’ ଗଣମାଧ୍ୟମ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ ସମ୍ବନ୍ଧଟିଏ ବହୁ ସମୟରେ ଦେଖିବାକୁ ମିଳିଥାଏ । ଏହା ଭାରତୀୟ ଗଣତାନ୍ତ୍ରିକ ସମାଜ ଲାଗି ଆଦୌ ଶୁଭ ସୂଚନା ନୁହେଁ । ନା ତବଲିଗ ଜମାତ ସମୁଦାୟ ମୁସଲମାନଙ୍କ ପ୍ରତିନିଧିତ୍ଵ କରୁଛି ନା ଯାହା ଜମାତରେ ହେଲା ତାହା ପଛରେ ସାଧାରଣ ମୁସଲମାନ ବ୍ଯକ୍ତିର କୌଣସି ଭୂମିକା ରହିଛି । ଜମାତର ନିଷ୍ପତ୍ତି ପଛରେ ଏହାର କର୍ମକର୍ତ୍ତା ଯେମିତି ଦାୟୀ ସେହିପରିମାଣରେ ଦିଲ୍ଲୀ ରାଜ୍ୟସରକାର ଓ କେନ୍ଦ୍ର ସରକାର ମଧ୍ୟ ଦାୟୀ।
କରୋନା ଦ୍ଵାରା ସବୁଠାରୁ ଅଧିକ ଆକ୍ରାନ୍ତ ଚୀନ ଓ ଇରାନର ସୀମା ସହିତ ଜଡିତ ଥିବା ହେତୁ ଉଭୟ ବଙ୍ଗଳାଦେଶ ଓ ପାକିସ୍ତାନ ଅଧିକ ସଂବେଦନଶୀଳ ଦେଶ । ଉଭୟ ଦେଶ ଆଜି ସଂପୂର୍ଣ୍ଣ ଲକ ଡାଉନ ସ୍ଥିତିରେ । ଆଜି ଭାରତୀୟ ମିଡିଆ ଯେଉଁ ତବଲିଗ ଜମାତକୁ ଦୋଷୀ କରୁଛି ସେହି ଜମାତ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡରର ସ୍ଥାନ ନେଇଛି । ଏହି ଜମାତ କରାଚିରେ ମାର୍ଚ୍ଚ ମାସରେ ଏକ ବିରାଟ ସମ୍ମିଳନୀ କରିଥିଲେ ଓ ଏହି କରାଚି ଅନ୍ତର୍ଗତ ପଞ୍ଜାବ ପ୍ରଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଦେଖାଯାଉଛନ୍ତି । ଏବେ ବଙ୍ଗଳାଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଏସିଆରେ ସର୍ବାଧିକ ଗତିରେ ବଢୁଛି । ଭାରତୀୟ ମିଡିଆରେ ସେସମ୍ପର୍କରେ କେବେ କେଉଁଠି ଆଲୋଚନା ହେଉନାହିଁ । କିନ୍ତୁ ଆପଣଙ୍କ ମନେଥିବା ଭାରତୀୟ ହିନ୍ଦୀ ଓ ଇଂରାଜୀ ଟିଭି ଚ୍ୟାନେଲେ କେଉଁଭଳି ପାକିସ୍ତାନର କେଉଁ ପ୍ରାନ୍ତର ଛୋଟ ଘଟଣାଟିକୁ ବି ଏକ ମୁସଲମାନ ବିରୋଧୀ ରଙ୍ଗ ଦେଇ ପ୍ରତିଦିନ ଘଣ୍ଟାଘଣ୍ଟା ସମୟ ପ୍ରସାରିତ କରୁଥିଲେ ।
ଗଲା ଏପ୍ରିଲ 12 ତାରିଖରେ ପ୍ରକାଶିତ ବିଶ୍ଵ ବ୍ୟାପୀ କରୋନା ବିପକ୍ଷରେ ସୁରକ୍ଷିତ ପ୍ରଥମ ଚାଳିଶଟି ଦେଶମାନଙ୍କ ତାଲିକାରେ ଭାରତ ନା ପାକିସ୍ତାନ ନା ଶ୍ରୀଲଙ୍କା ନା ବଙ୍ଗଳାଦେଶ କେହିନାହାନ୍ତି । (ଯଦିଓ ଜର୍ମାନୀ ଓ ଏସିଆ ଦେଶ ମଧ୍ୟରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ୟୁନିଟେଡ ଆରବ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଅଛନ୍ତି।) ଏହା ଆମର ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ବା ପବ୍ଲିକ ହେଲ୍ଥ ସିଷ୍ଟମର ଦୁର୍ବଳତାକୁ ଦର୍ଶାଉଛି ।
କରୋନା ଆତଙ୍କ ସତେରେ ମୁସଲମାନ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଏହି ଦେଶରେ କରାଯାଇଛି କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ କହିବ କିନ୍ତୁ ଏହି ସମୟରେ ସାମ୍ପ୍ରଦାୟିକ ବାତାବରଣ ତିଆରି କରିବାକୁ ଯେତେ ଦୃଢ ଭାବରେ ନିନ୍ଦା କଲେ ବି କମ ପଡିବ । ଆଜି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଉପଯୁକ୍ତ ଉପକରଣର ଅଭାବ, ଅସୁରକ୍ଷିତ ଭବିଷ୍ୟତ ସତ୍ବେ ଏ ଦେଶର ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ (ଡାକ୍ତରଙ୍କ ଠାରୁ ଆଶକର୍ମୀଙ୍କ ପର୍ଯ୍ୟନ୍ତ) ଯେଉଁ ମାନବିକତା ନେଇ ଆମର ସମଗ୍ର ସମାଜକୁ ବଞ୍ଚାଇବାରେ ଲାଗିଛନ୍ତି ତାହାକୁ ପ୍ରଶଂସା ନକରି ରହିହେବନି । ସେହି ମାନବିକତା ଓ ସାମାଜିକ ଭାବନା ବ୍ଯକ୍ତିର ଶୈଶବାରୁ ଆସିଥାଏ ଓ ସେଥିଲାଗି ସେମାନଙ୍କ ପିତାମାତା ଓ ସମାଜ ନିଶ୍ଚେ ପ୍ରଶଂସିତ ହେବା ଉଚିତ । କୌଣସି ବ୍ଯକ୍ତିର ନେତୃତ୍ଵ ନୁହେଁ ବରଂ ସେହି ସଂବେଦନଶୀଳ ସମାଜ କିପରି ବଞ୍ଚିରହିବ ଦେଶବାସୀ ବରଂ ସେ ଦିଗରେ ସଚେତନ ହେବା ଜରୁରୀ ।