ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା ରୋଗୀ ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କଲୁଣୁ । କରୋନା ରୋଗୀ ସହ ସେମାନଙ୍କ ପରିବା ପ୍ରତି ଆମେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛୁ । ଭାଗଲପୁର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଭାଗଲପୁରର ବରାରୀ ଶ୍ମଶାନ ଘାଟରେ କରୋନା ସଂକ୍ରମିତଙ୍କ ଶବର ଅନ୍ତିମ ସଂସ୍କାର ଅର୍ଥାତ୍ ଶବ ଦାହ ପାଇଁ ଦେଢ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶ୍ମଶାନରେ ଉପସ୍ଥିତ ଲୋକେ ଦେଢ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ମୃତକଙ୍କ ପରିଜନମାନେ ଟଙ୍କା ଦେଇପାରିବେ ନାହିଁ ବୋଲି ବହୁ ଅନୁନୟ କରିବାପରେ ବି ତାଙ୍କ କଥାକୁ ଶୁଣିନଥିଲେ । ଶବ ସହ ପରିଜନଙ୍କୁ ଶ୍ମଶାନରୁ ଫେରାଇ ଦେଇଥିଲେ । ଏହାପରେ ପରିଜନମାନେ ଶବକୁ ଶ୍ମଶାନ ଘାଟରୁ ଫେରାଇ ଆଣି ଶବଗୃହରେ ରଖିଥିଲେ । ପରେ ପୋଲିସ୍ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ବିଳମ୍ବିତ ରାତ୍ରିରେ ଶବ ଦାହ କରାଯାଇଥିଲା।
ରବିବାର ଦିନ ଏକ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଯିଏ ଭାଗଲପୁରରେ ଏକା ରହୁଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପରିଜନମାନେ ପାଟନାରେ ଆସି ପହଞ୍ଚିଥିଲେ । ଗାଇଡଲାଇନ ମୁତାବକ ଶବାଗାରରୁ ଶବକୁ ନେଇ ଶ୍ମଶାନ ଘାଟକୁ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ମୃତ୍ୟୁର କାରଣ କରୋନା ଜାଣିବା ପରେ ଦେଢ ଲକ୍ଷ ଟଙ୍କାର ଦାବି କରିଥିଲେ । ଏହା ପରେ ଶବକୁ ଦାହ ନ କରି ଫେରାଇ ଦେଇଥିଲେ । ପରେ ପୋଲିସ୍ ଏହି ଘଟଣାରେ ହସ୍ତକ୍ଷେପ କରି ଶବକୁ ଦାହ କରାଇଥିଲା । (ଏଜେନ୍ସି)