ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ପଡିଲା ମହଙ୍ଗା : 25 ଜଣଙ୍କ ମଧ୍ୟରୁ 19 ଜଣଙ୍କଠାରେ କରୋନା ପଜିଟିଭ୍‌

Published: Jun 14, 2020, 12:24 pm IST

ତେଲେଙ୍ଗାନା :  ତେଲେଙ୍ଗାନାର ସାଙ୍ଗାରେଡ୍ଡିଠାରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିବା 25 ଜଣ ଲୋକଙ୍କ ମଧ୍ୟରୁ 19 ଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସମସ୍ତେ ଜୁନ୍‌10 ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦଠାରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିଲେ ।

କରୋନା ଲକ୍ଷଣ ଦେଖାଯିବା ପରେ ଏହି ସମସ୍ତ ଲୋକଙ୍କ ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ 19 ଜଣଙ୍କ ଠାରେ କରୋନା ପଜିଟିଭ୍‌ ଆସିବାର ସୂଚନା ରହିଛି । ଏହି ସମସ୍ତଙ୍କୁ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୃତ ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା ।

55 ବର୍ଷୀୟା ଏହି ମହିଳାଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। ଜୁନ୍‌ 9 ତାରିଖରେ ତାଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା  । ଏହା ପରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଦାୟିତ୍ବହୀନ ଭାବେ  କରୋନା ରିପୋର୍ଟକୁ ଅପେକ୍ଷା ନ କରି ମୃତ ମହିଳାଙ୍କ ଶବକୁ ପରିଜନକୁ ହସ୍ତାନ୍ତର କରିଦେଇଥିଲେ । ଏହା ପରେ ମହିଳାଙ୍କ ସମ୍ବନ୍ଧୀୟମାନେ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରାଇଥିଲେ । ଏହା ପରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିନ୍ତା ବଢି ଯାଇଥିଲା । ପ୍ରଶାସନ ଶାନ୍ତି ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିବାବେଳେ ସେଠାରେ ଥିବା 350 ଘରକୁ ଟେଷ୍ଟିଂ କରାଯାଉଛି ।  ସମସ୍ତଘରକୁ ସାନିଟାଇଜେସନ୍‌ ମଧ୍ୟ କରାଯାଉଛି। (ଏଜେନ୍ସି)

Related posts