Categories
ଆଜିର ଖବର

ସାମ୍ବାଦିକଙ୍କୁ ଗିରଫ ଘଟଣା : ଯୋଗୀଙ୍କ ପଦକ୍ଷେପକୁ ମୂର୍ଖାମୀ ଭାବରେ ଅଭିହିତ କଲେ ରାହୁଲ

ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ଗଣମାଧ୍ୟମ ଚ୍ୟାନେଲର ୫ ଜଣଙ୍କୁ ପୋଲିସ୍‌ ଗିରଫ କରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ଉଦ୍ୟମ କରିବା ଯୋଗୀଙ୍କ ମୂର୍ଖାମୀ ବୋଲି କହିଛନ୍ତି ରାହୁଲ। ଯଦି କିଛି ଭୁଲ୍‌ ଖବର ପ୍ରସାରଣ ପାଇଁ ଗଣମାଧ୍ୟମ ଅଧିକାରୀଙ୍କୁ ଜେଲ୍‌ରେ ରଖାଯାଏ ତେବେ ମାତ୍ରାଧିକ ବିଜେପି ଏବଂ ଆରଏସ୍‌ଏସ୍‌ କର୍ମୀ ଜେଲରେ ରହିବେ ବୋଲି ମତ ଦେଇଛନ୍ତି ରାହୁଲ। ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଉକ୍ତ ସାମ୍ବାଦିକଙ୍କୁ ତୁରନ୍ତ ଛାଡିବା ନିମନ୍ତେ ଆଦେଶ ଦେଇଛନ୍ତି। ପ୍ରଶାନ୍ତ କନୋଜିଆଙ୍କ ପତ୍ନୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Categories
ଆଜିର ଖବର

ନାସାର ଚନ୍ଦ୍ର ମିଶନକୁ ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାସାର ଚନ୍ଦ୍ର ମିଶନକୁ ସମାଲୋଚନା କରିଛନ୍ତି। ମଙ୍ଗଳକୁ ମାନବ ପ୍ରେରଣ ପୂର୍ବରୁ ପୁନର୍ବାର ଚନ୍ଦ୍ରକୁ ଫେରିବାର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଟ୍ରମ୍ପ। ଏହି ମିଶନକୁ ସ୍ବୟଂ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଦେଢ ବର୍ଷ ପୂର୍ବରୁ ସ୍ବୀକୃତି ମିଳିଥିଲା। ଚନ୍ଦ୍ରକୁ ଆମେରିକା ୫୦ ବର୍ଷ ପୂର୍ବରୁ ଯାନ ଏବଂ ମାନବ ପଠାଇ ସାରିଛି। ତେଣୁ ପୁନର୍ବାର ଏହି ମିଶନର କୌଣସି ଯଥାର୍ଥତା ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ୟୁରୋପ ଗସ୍ତରୁ ଫେରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ। ବିଜ୍ଞାନ ସର୍ବଦା ଆଗକୁ ବଢିବା ଉଚିତ୍‌ ମାତ୍ର ନାସା ୫୦ ବର୍ଷ ପଛକୁ ଫେରିବାକୁ ଚାହୁଁଛି ଯାହାକି ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ ଏୟାର ଫୋର୍ସ ଓ୍ବାନ୍‌ ପକ୍ଷରୁ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର

ପଇସା ପାଇଁ ଲୋକ କିଛି ବି କରି ପାରନ୍ତି : ବ୍ରାଡ ହଜ୍‌

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଓ୍ବିକେଟ ରକ୍ଷକ ଋଷଭ ପନ୍ତଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ବ୍ରାଡ ହଜ୍‌। ହିମାଳୟ କମ୍ପାନୀର ଏକ ତ୍ବଚା ଉତ୍ପାଦର ବିଜ୍ଞାପନରେ ଉଭୟ ଖେଳାଳି ନଜର ଆସିଛନ୍ତି। ଏହି ବିଜ୍ଞାପନକୁ ନିଜର ଟ୍ବିଟ୍ଟର ପେଜ୍‌ରେ କୋହ୍‌ଲି ସେୟାର କରିବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଏହାର ବିରୋଧ କରିଥିଲେ। ତେବେ ହଜ୍‌ ଏହି ଟ୍ବିଟ୍‌ ଉପରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ‘ ଏହା ଅତ୍ୟନ୍ତ ଚମତ୍କାର କି, ପଇସା ପାଇଁ ଲୋକ କିଛି ବି କରି ପାରନ୍ତି’। ଏହି ମନ୍ତବ୍ୟ ପରେ କୋହଲିଙ୍କ ସମର୍ଥକ ମାନେ ହଜ୍‌ଙ୍କୁ ଆକ୍ରମଣ କରିଥିଲେ। ହଜ୍‌ ପରେ ଅନ୍ୟ ଏକ ମେସେଜ୍‌ରେ ତାଙ୍କ ମନ୍ତବ୍ୟର ଅଲଗା ଅର୍ଥ ବାହାର କରାଯାଇଛି ବୋଲି ଲେଖିଥିଲେ। ଏହି ମାମଲା ଉପରେ ମନ୍ତବ୍ୟ ରଖି ଉଭୟ କୋହଲି ଏବଂ ପନ୍ତ କହିଛନ୍ତି ହିମାଳୟ ବ୍ରାଣ୍ଡ ଦୀର୍ଘ ୮୮ ବର୍ଷ ଧରି ସେବା ଯୋଗାଇ ଦେଉଛି। ଏହି ବ୍ରାଣ୍ଡ ଉପରେ ରହିଥିବା ଭରସା ଯୋଗୁଁ ଉଭୟ ଏହି ଚୁକ୍ତି ସାଇନ୍‌ କରିଛନ୍ତି ବୋଲି ଉଭୟ ଖେଳାଳି ପ୍ରକାଶ କରିଛନ୍ତି।