Categories
ବିଶେଷ ଖବର

ବର୍ତ୍ତମାନ ସୁଦ୍ଧା ଦାମ ରାଉତ ନାମାଙ୍କନ ପତ୍ର ଦାଖଲ ନ କରିବା କାରଣ କଣ ? ତାଙ୍କର ଭୂମିକା ନେଇ ଜଗତସିଂହପୁର ଜିଲ୍ଲାରେ ସନ୍ଦେହ

ସମୀକ୍ଷା ବ୍ୟୁରୋ

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ବର୍ତ୍ତମାନ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଣ ବର୍ତ୍ତମାନ ଦାମ କଣ କରିବେ ସେ ନେଇ କିଛି ନିଷ୍ପତି ନେଇପାରୁ ନାହାଁନ୍ତି। ବିଜେପିରୁ ଟିକେଟ ପାଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ନା ନାମାଙ୍କନ ଦାଖଲ କରିଛନ୍ତି ନା ବିଜେପି କର୍ମିଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ଦ୍ବଦଲ୍ୟମାନ ସ୍ଥିତିରେ ପଡିଛନ୍ତି ଦାମୋଦର ରାଉତ। ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟ ଅନ୍ୟପଟେ ବିଜେପି ଦଳ ଏବଂ ତାଙ୍କର ପ୍ରାର୍ଥୀତ୍ବ, ଏସବୁ ଭିତରେ ଦାମ ପେଶି ହେବାରେ ଲାଗିଛନ୍ତି। ଦାମ ବିଜେପିରେ ଯୋଗଦେବା ପରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଛନ୍ତି ସତ, ହେଲେ ତାହା ତାଙ୍କ ପାଇଁ ଲାଭଦାୟ ସାବ୍ୟସ୍ତ ହୋଇପାରୁ ନାହିଁ । ପ୍ରଥମତଃ ସେ ବାଲିକୂଦା ଏରସମାର ବିଧାୟକ ଟିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ସେ ଦଳର ପ୍ରଚାର କମିଟ ଦାୟିତ୍ବ ମଧ୍ୟ ଦିଆଯାଇଛି। ନିଜ ନିର୍ବାଚନ ମଣ୍ଡଳି ସହ ରାଜ୍ୟର ଅନ୍ୟସ୍ଥାନକୁ ମଧ୍ୟ ସେ ପ୍ରଚାରରେ ଯିବା କଥା। ହେଲେ ଟିକେଟ ମିଳିବା ପରେ ସେ ବର୍ତ୍ତମାନ ଯେପରି ସକ୍ରିୟ ହେବା କଥା ତାହା ପରିଲକ୍ଷିତ ହେଉନାହିଁ। ପ୍ରକୃତ କଥା ହେଲା ସେ ଭାବି ଥିଲେ ଯେ, ବିଜେପିରେ ଯୋଗଦେବା ପରେ ବିଜେଡି ତାଙ୍କ ପରିବାରକୁ ସଂପୂର୍ଣ୍ଣ ଭୂଲିଯିବ। ଯାହାଦ୍ବାରା ସେ ଅନାୟସରେ ବିଜେପି ପାଇଁ ପ୍ରଚାର କରିପାରିବେ। ହେଲେ ନବୀନ ଯେଉଁ ଦୁଇଟି ମାଷ୍ଟର ଷ୍ଟ୍ରୋକ ଖେଳିଲେ ତାହା ତାଙ୍କ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।

ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେଇ ପ୍ରଥମ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନ ଦାମଙ୍କ ଗଡ ପାରାଦ୍ବୀପରେ ତାଙ୍କ ପୁଅଙ୍କୁ ଟିକେଟ ଦେଲେ। ଆଉ ଏକ ଘଟଣା ହେଲା ଦାମଙ୍କ ପତ୍ନୀଙ୍କ ବିୟୋଗ ସମୟରେ ନିଜେ ନବୀନ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଏହି ଦୁଇ ଘଟଣା ପରେ ଦାମଙ୍କ ମନରେ କୁଆଡେ ପରିବର୍ତ୍ତନ ଆସିଯାଇଛି ବୋଲି ଶୁଣାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ବିଜେଡି ବିରୋଧରେ ସେ ପ୍ରଚାର କରିବା କାହିଁକି କେଉଠି ତାଙ୍କ ବିବେକ ବାଧା ଦେଉଛି। ସେ ନେଇ ବର୍ତ୍ତମାନ ଦାମ କୁଆଡେ ମାନସ ମନ୍ଥନ କରୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ବର୍ତ୍ତମାନ ସବୁ ନେତା ଦଳୀୟ ଟିକେଟ ମିଳିବା ପରେ ସେମାନେ ବୈଠକ କରିବାଠାରୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋର କରିସାରିଲେଣି। ହେଲେ ଦାମୋଦର ରାଉତଙ୍କୁ ଟିକେଟ ମିଳିବା ପରେ ସେ ନାଁ ବିଜେପି କର୍ମିଙ୍କ ସହିତ କଥା ହେଉଛନ୍ତି ନା ସେ କର୍ମିଙ୍କୁ ଡାକି ବୈଠକ କରୁଛନ୍ତି। ଏପରି ସ୍ଥିତିରେ ଏରସମା ବାଲିକୂଦା ବିଜେପି କର୍ମିମାନେ ମଧ୍ୟ ବଡ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି। ଭିତିରିଆ ଖବର ଅନୁସାରେ ଦାମ ବର୍ତ୍ତମାନ ନିଜ କଥା ଛାଡି ପୁଅ ପାଇଁ କୁଆଡେ କର୍ମିମାନଙ୍କ ସହିତ ଅଲୋଚନା କରୁଥିବାର ଜଣାପଡିଛି। ସମ୍ବିତ କିପରି ନିଜ ଗଡରେ ସ୍ଥିତି ବଜାଇ ରଖି ବହୁ ଭୋଟରେ ଜିତିବେ ସେଥିପାଇଁ ଦାମ କୁଆଡେ ଗୁପ୍ତ ମନ୍ତ୍ରଣା କରୁଥିବାର ମଧ୍ୟ ଜଣାପଡିଛି। ତେବେ ସମ୍ବିତ 8 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ଭିତରେ ଦାମଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି।

( ମୋବାଇଲରେ ଫାଟଫଟ ଖବର ଜାଣିବା ପାଇଁ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ sankhipta app )

 

Categories
ବିଶେଷ ଖବର

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜେପି ନେତାଙ୍କ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପକାଇଲେ ଡେରା।

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ସହିତ ମଧ୍ୟ ଦାମ ଦୀର୍ଘ ସମୟ ଧରି ସାକ୍ଷାତ କରିଛନ୍ତି। ତାଙ୍କ ପାଇଁ କନକ ବର୍ଦ୍ଦନ ସିଂଦେଓ ମଧ୍ୟ ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଜଣାପଡିଛି। ଯାହା ଜଣାପଡୁଛି ଯଦି ବିଜେପି ରାଷ୍ଟ୍ରୀୟ ନେତାମାନେ ରାଜି ହୁଅନ୍ତ ତେବେ ଦୁଇ ଦିନ ମଧ୍ୟରେ ଦାମ  ବିଜେପିରେ ମିଶିବେ। ଅନ୍ୟ ଏକ ସୁତ୍ର ଅନୁସାରେ ଜଣାପଡିଛି ଯେ, ଯଦି ବିଜେପିରେ ମିଶିବା ସମ୍ଭବ ହୋଇପାରିବ ନାହିଁ ତେବେ ସେ ବିଜେପି ସମର୍ଥନରେ ବିଜେଡି କିପରି ହାରିବ ତାହାର ରଣନୀତି ତିଆରି କରିବେ। ବହୁ ବର୍ଷ ଧରି ଦାମ ରାଉତ ବିଜେଡିର ଜଣେ ତୁଙ୍ଗ ନେତା ହିସାବରେ ପରିଗଣିତ ଥିଲେ। ସେ ବିଜେଡି ସରକାରରେ ବିଭିନ୍ନ ପଦପଦବୀରେ ମଧ୍ୟ ରହିଛନ୍ତି। ମୁଖ୍ୟତଃ ତାଙ୍କର ତୁଣ୍ଡ ପାଇଁ ମନ୍ତ୍ରୀ ପଦ, ଶେଷରେ ବିଜେଡିର ସଭ୍ୟପଦ ମଧ୍ୟ ଚାଲିଗଲା।  ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଏକ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଚେଷ୍ଟା କରିଥିଲେ। ହେଲେ ସେହି ମେଣ୍ଟରେ କେହି ଟାଣୁଆ ନେତା ଯୋଗ ନ ଦେବା ପରେ ତାହା ଫସର ଫାଟିଯାଇଥିଲା। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଯେ କୌଣସି ଉପାୟରେ ଗୋଟିଏ ଭଲ ଦଳକୁ ଯିବା ଚେଷ୍ଟାରେ ଅଛନ୍ତି ଦାମ।

ଖବର ଅନୁସାରେ ଦାମଙ୍କୁ ବିଜେପିରେ ମିଶାଇବା ପାଇଁ ଦଳର କେତେକ ତୁଙ୍ଗ ନେତା ବିରୋଧ କରୁଛନ୍ତି। ବିଜେଡିରେ ଥିବା ବେଳେ ଦାମ ବିଭିନ୍ନ ସମୟରେ ବିଜେପିକୁ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେପରି କଟାକ୍ଷ କରିଥିଲେ ତାହା ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି। ଏସବୁ ଜାଣିବା ପରେ ମଧ୍ୟ ଦାମ ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମନାଇବା ପାଇଁ ଦାମ କେତେକ ବିଜେପି ନେତାଙ୍କୁ ଲଗାଇଦେଇଛନ୍ତି। ଦାମ ଦେଖିଲେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ବିଜେଡିକୁ ଛାଡିଦେଲେ ବିଜେପି ଦ୍ବିତୀୟ ସ୍ଥିତିରେ ରହିବ। ଏପରି କ୍ଷେତ୍ରରେ କଂଗ୍ରେସକୁ ଯିବା ଅପେକ୍ଷା ବିଜେପି ଯିବା ସବୁଠୁ ଭଲ ହେବ ବୋଲି ସେ ଚିନ୍ତା କରି ଏହି ପଦକ୍ଷେପ ନେଉଛନ୍ତି। ପୂର୍ବରୁ ଏହି ଦୁଇ ଦଳରୁ ଦୂରେଇ ରହି ସେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିଥିଲେ। ସେଥିରେ ସେ ଆଶା କରିଥଲେ ଯେ ତାଙ୍କ ଦଳରେ ବଡବଡ ନେତା ଯୋଗଦେବେ। ଏଥିପାଇଁ ଦାମ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ବିଜେଡିର କେତେକ ବିଧାୟକ ଏବଂ ସାଂସଦଙ୍କ ସହିତ ମଧ୍ୟ କଥା ହୋଇଥିଲେ। ହେଲେ ପରବର୍ତ୍ତି ପରିସ୍ଥିତିରେ ଏମାନେ କେହି ତାଙ୍କୁ ସାଥ ଦେଲେ ନାହିଁ। ଏପରିକି ତାଙ୍କ ସାଥିରେ ଥିବା ପୂର୍ବତ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ସାଥ୍ ଦେଲେ ନାହିଁ। ବିଜେଡି ନେତା ନ ହେଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜୟ, ଦିଲ୍ଲୀପ ଏବଂ ଜୟ ପଣ୍ଡା ତାଙ୍କ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେଇଥିଲେ ସେ କାମ ଚଳାଇ ଦେଇଥାନ୍ତେ। ହେଲେ ସେମାନେ ମଧ୍ୟ ଦାମଙ୍କ ମୁହଁକୁ ଅନାଇଲେ ନାହିଁ। ଫଳରେ ସ୍ଥିତି ନ ଥିବା କେତେକ ନେତାଙ୍କୁ ନେଇ ବିଜେଡିକୁ ମୁକାବିଲା କରିବା ସମ୍ଭବପର ନୁହେଁ ବୋଲି ଦାମ ଅନୁଭବ କରିସାରିଥିଲେ। ସେଥିପାଇଁ ଦାମ ଅନ୍ୟ ଉପାୟ ନ ପାଇ ବର୍ତ୍ତମାନ ବିଜେପି ଶିବିରର ଶରଣ ପଶିଛନ୍ତି। ସବୁ ଦିନ ପାଇଁ ବିଜେପିରେ ନ ରହିଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜେଡିକୁ ଟକ୍କର ଦେବା ପାଇଁ ଏହି ନିର୍ବାଚନଟି ଭଲରେ ଭଲରେ ପାର ହୋଇଯିବ ବୋଲି ଦାମ ଚିନ୍ତା କରିଛନ୍ତି।