ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜେପି ନେତାଙ୍କ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପକାଇଲେ ଡେରା।

Published: Mar 9, 2019, 6:42 pm IST

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ସହିତ ମଧ୍ୟ ଦାମ ଦୀର୍ଘ ସମୟ ଧରି ସାକ୍ଷାତ କରିଛନ୍ତି। ତାଙ୍କ ପାଇଁ କନକ ବର୍ଦ୍ଦନ ସିଂଦେଓ ମଧ୍ୟ ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଜଣାପଡିଛି। ଯାହା ଜଣାପଡୁଛି ଯଦି ବିଜେପି ରାଷ୍ଟ୍ରୀୟ ନେତାମାନେ ରାଜି ହୁଅନ୍ତ ତେବେ ଦୁଇ ଦିନ ମଧ୍ୟରେ ଦାମ  ବିଜେପିରେ ମିଶିବେ। ଅନ୍ୟ ଏକ ସୁତ୍ର ଅନୁସାରେ ଜଣାପଡିଛି ଯେ, ଯଦି ବିଜେପିରେ ମିଶିବା ସମ୍ଭବ ହୋଇପାରିବ ନାହିଁ ତେବେ ସେ ବିଜେପି ସମର୍ଥନରେ ବିଜେଡି କିପରି ହାରିବ ତାହାର ରଣନୀତି ତିଆରି କରିବେ। ବହୁ ବର୍ଷ ଧରି ଦାମ ରାଉତ ବିଜେଡିର ଜଣେ ତୁଙ୍ଗ ନେତା ହିସାବରେ ପରିଗଣିତ ଥିଲେ। ସେ ବିଜେଡି ସରକାରରେ ବିଭିନ୍ନ ପଦପଦବୀରେ ମଧ୍ୟ ରହିଛନ୍ତି। ମୁଖ୍ୟତଃ ତାଙ୍କର ତୁଣ୍ଡ ପାଇଁ ମନ୍ତ୍ରୀ ପଦ, ଶେଷରେ ବିଜେଡିର ସଭ୍ୟପଦ ମଧ୍ୟ ଚାଲିଗଲା।  ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଏକ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଚେଷ୍ଟା କରିଥିଲେ। ହେଲେ ସେହି ମେଣ୍ଟରେ କେହି ଟାଣୁଆ ନେତା ଯୋଗ ନ ଦେବା ପରେ ତାହା ଫସର ଫାଟିଯାଇଥିଲା। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଯେ କୌଣସି ଉପାୟରେ ଗୋଟିଏ ଭଲ ଦଳକୁ ଯିବା ଚେଷ୍ଟାରେ ଅଛନ୍ତି ଦାମ।

ଖବର ଅନୁସାରେ ଦାମଙ୍କୁ ବିଜେପିରେ ମିଶାଇବା ପାଇଁ ଦଳର କେତେକ ତୁଙ୍ଗ ନେତା ବିରୋଧ କରୁଛନ୍ତି। ବିଜେଡିରେ ଥିବା ବେଳେ ଦାମ ବିଭିନ୍ନ ସମୟରେ ବିଜେପିକୁ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେପରି କଟାକ୍ଷ କରିଥିଲେ ତାହା ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି। ଏସବୁ ଜାଣିବା ପରେ ମଧ୍ୟ ଦାମ ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମନାଇବା ପାଇଁ ଦାମ କେତେକ ବିଜେପି ନେତାଙ୍କୁ ଲଗାଇଦେଇଛନ୍ତି। ଦାମ ଦେଖିଲେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ବିଜେଡିକୁ ଛାଡିଦେଲେ ବିଜେପି ଦ୍ବିତୀୟ ସ୍ଥିତିରେ ରହିବ। ଏପରି କ୍ଷେତ୍ରରେ କଂଗ୍ରେସକୁ ଯିବା ଅପେକ୍ଷା ବିଜେପି ଯିବା ସବୁଠୁ ଭଲ ହେବ ବୋଲି ସେ ଚିନ୍ତା କରି ଏହି ପଦକ୍ଷେପ ନେଉଛନ୍ତି। ପୂର୍ବରୁ ଏହି ଦୁଇ ଦଳରୁ ଦୂରେଇ ରହି ସେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିଥିଲେ। ସେଥିରେ ସେ ଆଶା କରିଥଲେ ଯେ ତାଙ୍କ ଦଳରେ ବଡବଡ ନେତା ଯୋଗଦେବେ। ଏଥିପାଇଁ ଦାମ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ବିଜେଡିର କେତେକ ବିଧାୟକ ଏବଂ ସାଂସଦଙ୍କ ସହିତ ମଧ୍ୟ କଥା ହୋଇଥିଲେ। ହେଲେ ପରବର୍ତ୍ତି ପରିସ୍ଥିତିରେ ଏମାନେ କେହି ତାଙ୍କୁ ସାଥ ଦେଲେ ନାହିଁ। ଏପରିକି ତାଙ୍କ ସାଥିରେ ଥିବା ପୂର୍ବତ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ସାଥ୍ ଦେଲେ ନାହିଁ। ବିଜେଡି ନେତା ନ ହେଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜୟ, ଦିଲ୍ଲୀପ ଏବଂ ଜୟ ପଣ୍ଡା ତାଙ୍କ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେଇଥିଲେ ସେ କାମ ଚଳାଇ ଦେଇଥାନ୍ତେ। ହେଲେ ସେମାନେ ମଧ୍ୟ ଦାମଙ୍କ ମୁହଁକୁ ଅନାଇଲେ ନାହିଁ। ଫଳରେ ସ୍ଥିତି ନ ଥିବା କେତେକ ନେତାଙ୍କୁ ନେଇ ବିଜେଡିକୁ ମୁକାବିଲା କରିବା ସମ୍ଭବପର ନୁହେଁ ବୋଲି ଦାମ ଅନୁଭବ କରିସାରିଥିଲେ। ସେଥିପାଇଁ ଦାମ ଅନ୍ୟ ଉପାୟ ନ ପାଇ ବର୍ତ୍ତମାନ ବିଜେପି ଶିବିରର ଶରଣ ପଶିଛନ୍ତି। ସବୁ ଦିନ ପାଇଁ ବିଜେପିରେ ନ ରହିଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜେଡିକୁ ଟକ୍କର ଦେବା ପାଇଁ ଏହି ନିର୍ବାଚନଟି ଭଲରେ ଭଲରେ ପାର ହୋଇଯିବ ବୋଲି ଦାମ ଚିନ୍ତା କରିଛନ୍ତି।

Related posts