Categories
ଆଜିର ଖବର

ବିଜେପିରେ ଯୋଗ ଦେବା ପାଇଁ ଦିଲ୍ଲୀ ଗଲେ ଦାମୋଦର ରାଉତ, ଛିଡା ହେବେ କି ନାହିଁ ପରେ ନେବେ ନିଷ୍ପତି

ଶେଷରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେପି ସହିତ ଡିଲ ଫାଇନାଲ ହେଲା। ସେଥିପାଇଁ ଆଜି ଦାମ ବିଜେପିରେ ଯୋଗ ଦେବା ପାଇଁ ନୁଆ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଧବଧ ଭାବେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି। ପୂର୍ବରୁ ଦାମ ନୂଆଦିଲ୍ଲୀ ଗସ୍ତ କରି ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ସହିତ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ହେଲେ କଣ ହେଲା କେଜାଣି ଭୁବନେଶ୍ବର ଫେରିବା ପରେ ଦାମ ବିଜେପିରେ ମିଶିବା ନେଇ ସ୍ପଷ୍ଟ ସୂଚନା କିଛି ଦେଲେ ନାହିଁ। ଦୁଇ ଦିନ ପରେ ବିଜେପି ତରଫରୁ ଡକରା ଆସିବା ପରେ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଯାହା ଜଣାପଡୁଛି ଦାମ ବିଜେପି ସହିତ ଯେଉଁ ସର୍ତ୍ତ ରଖିଥିଲେ ସେଥିରେ ଦଳ ରାଜି ହୋଇଛି। ଆଜି ସଂଧ୍ୟାରେ କିମ୍ବା ଆସନ୍ତାକାଲି ସକାଳେ ଦାମ ବିଜେପିରେ ମିଶିବେ ବୋଲି ଜଣାପଡିଛି। ସେଥିପାଇଁ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆ ଦିଲ୍ଲୀ ଯାଇଛନ୍ତି।