Categories
ବିଶେଷ ଖବର ରାଜ୍ୟ ଖବର

ଶୀଘ୍ର କରନ୍ତୁ ଏହି ସହଜ ଉପାୟ, ୧୭ ରେ ମିଳିବ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି

ଭୁବନେଶ୍ଵର: ୨୧ ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ପରିବର୍ତ୍ତନଶୀଳ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ୱରୂପ ଓଡିଶା ସରକାର “ସୁଭଦ୍ରା” ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପାଞ୍ଚ ବର୍ଷରେ ୫୦୦୦୦ ଟଙ୍କା ପାଇବେ। ଏହି ଟଙ୍କା ବର୍ଷକୁ ୫୦୦୦ ଲେଖାଏଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ଯାହାର ପ୍ରଥମ କିସ୍ତି ୧୭ ସେପ୍ଟେମ୍ବର ୨୦୨୪ ରେ ଆକାଉଣ୍ଟରେ ଜମା ହେବ।

ଓଡିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଜରିଆରେ ଏହି ସେବାକୁ ଯୋଗାଇବ। ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ।

ଡାକ ଘର ଗୁଡିକ ପୂର୍ବରୁ CMKISAN, MNREGA, SC & ST ଛାତ୍ରବୃତ୍ତି ଏବଂ ଶ୍ରମିକ କଲ୍ୟାଣ ଭଳି ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ସରକାରୀ ଯୋଜନା ପାଇଁ ଆଇପିପିବି ମାଧ୍ୟମରେ Direct Benefit Transfer (DBT) ସେବା ପ୍ରଦାନ କରୁଛନ୍ତି।

ଓଡିଶାରେ ୨୯ ଲକ୍ଷ ନାଗରିକଙ୍କୁ DBT ମାଧ୍ୟମରେ ୧୮୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଧାର ସହ ମୋବାଇଲ୍ ନମ୍ବର ସଂଯୋଗ ସୁବିଧା ୬୫ ଲକ୍ଷ ନାଗରିକ ପାଇ ପାରିଛନ୍ତି। ଆଧାର ସେବାକୁ ସୁଗମ କରିବା ପାଇଁ ଓଡିଶାର ୩୫ ଟି ପ୍ରଧାନ ଡାକ ଘର ମାନଙ୍କରେ ଥିବା ଆଧାର ସେବା କେନ୍ଦ୍ର ଗୁଡିକ ନିରବଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶାର ଡାକଘରଗୁଡ଼ିକ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ DBT ସେବା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।  ପୋଷ୍ଟମ୍ୟାନ ମାନେ ହିତାଧିକାରୀଙ୍କ ଘରେ ପହଂଚି ଅର୍ଥ ବିତରଣ କରିବାର ସହଜ ବ୍ୟବସ୍ଥା କରାଯାଇଅଛି। ଗ୍ରାହକଙ୍କୁ ଏହି ସୁବିଧା ସୁଯୋଗ ନେବାକୁ ସଚେତନ କରିବା ପାଇଁ ଓଡିଶା ଡାକ ପରିମଣ୍ଡଳ ସବୁ ଜିଲ୍ଲାରେ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଉଛି।

ଜନସାଧାରଣ IPPB ଜରିଆରେ ନିମ୍ନଲିଖିତ ସେବା ଗୁଡିକ ପାଇ ପାରିବେ:-

୧- ତତକ୍ଷଣାତ୍ ସଞ୍ଚୟ ଖାତା: କେବଳ ମୋବାଇଲ୍ ଏବଂ ଆଧାର ନମ୍ବର ମାଧ୍ୟମରେ ଖୋଲା ଯାଇପାରିବ।

୨- ଆଧାର- ମୋବାଇଲ୍ ନମ୍ବର ସଂଯୋଗ ସେବା: ନିରବଛିନ୍ନ ଭାବରେ DBT ସୁବିଧା ସୁନିଶ୍ଚିତ କରିବା।

୩- ସ୍ପେସିଆଲ ପ୍ରିମିୟମ୍ ଆକାଉଣ୍ଟ୍: ୨୦୧ ଟଙ୍କା ମୂଲ୍ୟରେ ଉପଲବ୍ଧ।

୪- ବ୍ୟକ୍ତିଗତ ଦୁର୍ଘଟଣା ବୀମା: ୫୯୯ ଟଙ୍କାରେ ବାର୍ଷିକ ୧୦ ଲକ୍ଷ ଦୁର୍ଘଟଣା ଜନିତ ବୀମା ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର

ଯୋଗ୍ୟ ବିବାହିତ ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଛତିଶଗଡ଼ରେ ଯୋଜନା

ନୂଆଦିଲ୍ଲୀ: ପ୍ରତ୍ୟେକ ପରିବାରର ସାମଗ୍ରିକ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନରୁ ଆରମ୍ଭ ହୋଇଥାଏ।

ଛତିଶଗଡ଼ରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାତାରୀ ବନ୍ଦନ ଯୋଜନାର ଶୁଭାରମ୍ଭ କରିବା ସହ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ଯୋଗ୍ୟ ବିବାହିତ ମହିଳାମାନଙ୍କୁ ଡିବିଟି ଆକାରରେ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଛତିଶଗଡ଼ରେ ଏହି ଯୋଜନା ଆରମ୍ଭ କରାଯାଇଛି। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସୁନିଶ୍ଚିତ କରିବା, ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ ପରିବାରରେ ମହିଳାଙ୍କ ନିର୍ଣ୍ଣାୟକ ଭୂମିକାକୁ ସୁଦୃଢ଼ କରିବା ପାଇଁ ଏହା ପରିକଳ୍ପନା କରାଯାଇଛି।

୨୦୨୪ ଜାନୁଆରି ୧ ସୁଦ୍ଧା ରାଜ୍ୟର ୨୧ ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ବିବାହିତ ମହିଳାଙ୍କୁ ଏହି ଯୋଜନାରେ ସୁବିଧା ମିଳିବ। ବିଧବା, ଛାଡ଼ପତ୍ର ପ୍ରାପ୍ତ ଏବଂ ପରିତ୍ୟକ୍ତ ମହିଳାମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ପ୍ରାୟ ୭୦ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେବୀ ମା’ ଦାନ୍ତେଶ୍ୱରୀ, ମା’ ବମ୍ବଲେଶ୍ୱରୀ ଓ ମା’ ମହାମାୟାଙ୍କୁ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ରାଜ୍ୟ ଗସ୍ତକୁ ମନେ ପକାଇଥିଲେ ଯେଉଁଠାରେ ସେ ୩୫,୦୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ଆଜି ସରକାର ମୋଟ ୬୫୫ କୋଟି ଟଙ୍କାର ମହତାରୀ ବନ୍ଦନା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ଥାନରୁ ଆସିଥିବା ନାରୀ ଶକ୍ତିକୁ କୃତଜ୍ଞତା ଜଣାଇବା ସହ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ନଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଗତକାଲି ରାତିରେ ସେ କାଶୀ ବିଶ୍ୱନାଥ ଧାମରେ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। “ଆପଣଙ୍କୁ ପ୍ରତି ମାସରେ ଏହି ୧୦୦୦ ଟଙ୍କା ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, “ଯେତେବେଳେ ମା’ ଓ ଝିଅମାନେ ଶକ୍ତିଶାଳୀ ହୁଅନ୍ତି, ସେତେବେଳେ ପରିବାର ମଜବୁତ ହୋଇଥାଏ ଏବଂ ମା’ ଓ ଝିଅଙ୍କ କଲ୍ୟାଣ ଆମ ସରକାର ପାଇଁ ପ୍ରାଥମିକତା ହୋଇଥାଏ । ମହିଳାମାନେ ନିଜ ନାମରେ ପକ୍କା ଘର ଓ ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ପାଉଛନ୍ତି। ୫୦ ପ୍ରତିଶତ ଜନଧନ ଆକାଉଣ୍ଟ ମହିଳାଙ୍କ ନାମରେ, ୬୫ ପ୍ରତିଶତ ମୁଦ୍ରା ଋଣ ମହିଳାମାନେ ନେଇଛନ୍ତି, ୧୦ କୋଟିରୁ ଅଧିକ ଏସ୍ଏଚଜି ମହିଳା ଉପକୃତ ହୋଇଛନ୍ତି ଏବଂ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ୩ କୋଟି ଲଖପତି ଦିଦିଙ୍କ ଲକ୍ଷ୍ୟକୁ ଦୋହରାଇଥିଲେ । ନମୋ ଦିଦି କାର୍ଯ୍ୟକ୍ରମ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଆସନ୍ତାକାଲି ସେ ଏ ସଂକ୍ରାନ୍ତରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ କହିଥିଲେ।

ପ୍ରଧାନମନ୍ତ୍ରୀ ପାରିବାରିକ କଲ୍ୟାଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏକ ସୁସ୍ଥ ପରିବାର ଏହାର ମହିଳାମାନଙ୍କ କଲ୍ୟାଣରୁ ଉତ୍ପନ୍ନ ହୋଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସରକାର ପ୍ରତ୍ୟେକ ପରିବାରର ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନରୁ ଆରମ୍ଭ ହୋଇଥାଏ । ମାତୃ ଓ ଶିଶୁ ମୃତ୍ୟୁ ହାର ସମେତ ଗର୍ଭବତୀ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗର୍ଭବତୀ ମହିଳାଙ୍କ ପାଇଁ ମାଗଣା ଟିକାକରଣ ଏବଂ ଗର୍ଭବତୀ ମା’ମାନଙ୍କୁ ସହାୟତା କରିବା ପାଇଁ ଗର୍ଭାବସ୍ଥା ସମୟରେ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିଲେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଭଳି ଆଗଧାଡ଼ିର କର୍ମୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଉପଯୁକ୍ତ ପରିମଳ ସୁବିଧା ଅଭାବରୁ ମହିଳାମାନେ ସମ୍ମୁଖୀନ ହେଉଥିବା ଅତୀତର କଷ୍ଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ସେହି ଦିନ ଚାଲିଗଲା ଯେତେବେଳେ ଆମର ଭଉଣୀ ଓ ଝିଅମାନଙ୍କୁ ସେମାନଙ୍କ ଘରେ ଶୌଚାଳୟ ନଥିବାରୁ ଯନ୍ତ୍ରଣା ଏବଂ ଅପମାନ ସହିବାକୁ ପଡୁଥିଲା । ପ୍ରତ୍ୟେକ ଘରେ ଶୌଚାଳୟର ବ୍ୟବସ୍ଥା କରି ମହିଳାଙ୍କ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ।

ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସରକାର ନିଜ ପ୍ରତିଶ୍ରୁତି ପାଳନ କରୁଛନ୍ତି ଏବଂ ସେମାନଙ୍କ ପୂରଣ ସୁନିଶ୍ଚିତ କରୁଛନ୍ତି। ଛତିଶଗଡବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ମହତାରୀ ବନ୍ଦନା ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ୧୮ ଲକ୍ଷ ପକ୍କା ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହ କରାଯାଉଛି।

କୃଷି ସଂସ୍କାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଧାନ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଚାଷୀମାନଙ୍କୁ ବକେୟା ବୋନସ ଠିକ୍ ସମୟରେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଟଳଜୀଙ୍କ ଜୟନ୍ତୀ ଅବସରରେ ୩,୭୦୦ କୋଟି ଟଙ୍କାର ବୋନସ ବଣ୍ଟନ ସହ କୃଷକମାନଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରଙ୍କ କ୍ରୟ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସରକାର ଛତିଶଗଡ଼ରେ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାରେ ଧାନ କିଣିବେ। ୧୪୫ ଲକ୍ଷ ଟନ୍ ଧାନ ସଂଗ୍ରହ, କୃଷକଙ୍କ ପ୍ରତିଶ୍ରୁତି ପୂରଣ ଏବଂ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ସେ ଉତ୍ସବ ପାଳନ କରିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଅଂଶୀଦାର, ବିଶେଷ କରି ମହିଳାମାନଙ୍କର ମିଳିତ ପ୍ରୟାସ ଉପରେ ଆସ୍ଥା ପ୍ରକଟ କରିଥିଲେ। ବିଜେପି ସରକାରଙ୍କ ନିରନ୍ତର ସମର୍ପଣ ଓ ସେବା, ପ୍ରତିଶ୍ରୁତି ପୂରଣ କରିବା ଏବଂ ସମସ୍ତଙ୍କ ପାଇଁ ପ୍ରଗତି ସୁନିଶ୍ଚିତ କରିବା ପାଇଁ ସେ ଛତିଶଗଡ଼ବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ଏହି ଅବସରରେ ଛତିଶଗଡ଼  ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ମନ୍ତ୍ରୀଗଣ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ

ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଦାନ କଲେ ୩୬,୬୫୯ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଉପଯୋଗ କରି ମୋଟ ୩୬,୬୫୯ କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହାଦ୍ୱାରା ଦେଶର ମୋଟ ୧୬.୦୧ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥ ବିଭାଗ ଅଧୀନ ମହାଲେଖା ନିୟନ୍ତ୍ରକ (ସିଜିଏ)ଙ୍କ ଆକାଉଂଟରୁ ଏହି ଅର୍ଥ ସ୍ଥାନାନ୍ତର କରାଯାଇଛି ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଂଟକୁ ଲାଭ ହସ୍ତାନ୍ତରିତ ହୋଇଛି, ଫଳରେ ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର ଆସିପାରିଛି ।

କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ ରାଜ୍ୟଗୁଡ଼ିକୁ କେନ୍ଦ୍ରର ସହାୟତା ଯୋଜନା ଅଧୀନରେ ଡିବିଟି ଯୋଗେ ଅର୍ଥ ପଇଠ ଲାଗି ଅତ୍ୟାଧୁନିକ ଡିଜିଟାଲ ପେମେଂଟ ପ୍ରଯୁକ୍ତି ପିଏଫଏମଏସ ପଦ୍ଧତିର ଉପଯୋଗ କରାଯାଇଛି ।

ମୁଖ୍ୟ ବୈଶିଷ୍ଟ୍ୟ :

୧.କୋଭିଡ-୧୯ ଲକଡାଉନ ସମୟରେ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ) ୧୬.୦୧ କୋଟି ହିତାଧିକାରୀ (୧୧.୪୨ କୋଟି (କେନ୍ଦ୍ରୀୟ ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା) + ୪.୫୯ କୋଟି (ରାଜ୍ୟଗୁଡ଼ିକୁ କେନ୍ଦ୍ର ସହାୟତା ଯୋଜନା)) ପିଏଫଏମଏସ ଜରିଆରେ ମୋଟ ୩୬,୬୫୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ସହାୟତା ଡିବିଟି ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଂଟରେ ପାଇଛନ୍ତି । ଏଥିମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାରେ ୨୭,୪୪୨ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ବେଳେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ଯୋଜନାରେ ୯୭୧୭ କୋଟି ଟଙ୍କା ଜାରି କରାଯାଇଛି ।

୨.ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ଘୋଷଣା କରାଯାଇଥିବା ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ମହିଳା ଜନଧନ ଆକାଉଂଟଧାରୀମାନଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ମୋଟ ମୋଟ ୧୯.୮୬ କୋଟି ମହିଳା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ଅର୍ଥ ସେବା ବିଭାଗର ତଥ୍ୟ ଅନୁଯାୟୀ ବର୍ତମାନସୁଦ୍ଧା ମୋଟ ୯୯୩୦ କୋଟି ଟଙ୍କା ହସ୍ତାନ୍ତର କରାଯାଇ ସାରିଛି ।

୩.ଡିବିଟି ପଇଠ ଲାଗି ପିଏଫଏମଏସର ଉପଯୋଗ ଗତ ତିନୋଟି ଆର୍ଥିକ ବର୍ଷରେ ସର୍ବାଧିକ ସ୍ତରରେ ପହଁଚିଛି । ସେହିପରି ମୋଟ ଡିବିଟି ଅର୍ଥ ପଇଠ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ୪୫%କୁ ବୃଦ୍ଧି ପାଇଛି ।

କୋଭିଡ-୧୯ ଲକଡାଉନ ସମୟ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦) ମଧ୍ୟରେ ପିଏଫଏମଏସର ଉପଯୋଗ କରି ଡିବିଟି ଜରିଆରେ ହସ୍ତାନ୍ତରିତ ହୋଇଥିବା ନଗଦଗୁଡିକ ହେଲା..

୧.କୋଭିଡ-୧୯ ଲକଡାଉନ ସମୟ ଅର୍ଥାତ, ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ମଧ୍ୟରେ ସମସ୍ତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ପିଏଫଏମଏସ ଜରିଆରେ ଡିବିଟି ପଇଠ ପରିମାଣ ୨୭,୪୪୨.୦୮ କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ କିସାନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଂଟି ଯୋଜନା (ଏମଏନଆରଇଜିଏସ),  ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ), ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜାତୀୟ ବୃତି ପୋର୍ଟାଲ (ଏନଏସପି) ଜରିଆରେ ବିଭିନ୍ନ ମନ୍ତ୍ରଣାଳୟର ବୃତି ଯୋଜନାରେ ଅନ୍ତର୍ଭୂକ୍ତ ୧୧,୪୨,୦୨,୫୯୨ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଉପରୋକ୍ତ ପରିମାଣର ଅର୍ଥ ହସ୍ତାନ୍ତର କରାଯାଇଛି ।

୨.ଉପରୋକ୍ତ ଯୋଜନା ଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ଜନ ଧନ ଯୋଜନା ହିତାଧିକାରୀମାନଙ୍କ ଆକାଉଂଟକୁ ୫୦୦ ଟଙ୍କା ଲେଖାଏଁ ସହାୟତା ହସ୍ତାନ୍ତର କରାଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ଏହି ଯୋଜନାର ୧୯.୮୬ କୋଟି ହିତାଧିକାରୀଙ୍କୁ ମୋଟ ୯,୯୩୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । (ଅର୍ଥ ସେବା ବିଭାଗର ତଥ୍ୟ)

୩.କୋଭିଡ-୧୯ ସମୟରେ ଉତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତ୍ରିପୁରା, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ ଭଳି କେତେକ ରାଜ୍ୟ ଡିବିଟିର ଉପଯୋଗ କରି ସେମାନଙ୍କ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଅର୍ଥ ହସ୍ତାନ୍ତର କରିଛନ୍ତି । ପିଏଫଏମଏସ ସୁବିଧାର ଉପଯୋଗ କରି ରାଜ୍ୟ ସରକାରଗୁଡ଼ିକ ୧୮୦ଟି କଲ୍ୟାଣ ଯୋଜନାରେ ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ ୪, ୫୯,୦୩,୯୦୮ ହିତାଧିକାରୀଙ୍କ ଆକାଉଂଟକୁ ୯,୨୧୭.୨୨ କୋଟି ଟଙ୍କାର ଆର୍ଥିକ ସହାୟତା ବଂଟନ କରିଛନ୍ତି ।

ଦଶଟି ଶୀର୍ଷ କେନ୍ଦ୍ର ପ୍ରାୟୋଜିତ ଯୋଜନା/କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମଧ୍ୟରୁ

  • ପିଏମ କିସାନ ଯୋଜନାରେ ୮,୪୩,୭୯,୩୨୬ ଜଣ ହିତାଧିକାରୀଙ୍କୁ ୧୭,୭୩୩.୫୩ କୋଟି ଟଙ୍କା
  • ଏମଜିଏନଆରଇଜିଏ ଯୋଜନାରେ ୧,୫୫,୬୮,୮୮୬ ଜଣ ହିତାଧିକାରୀଙ୍କୁ ୫,୪୦୬.୦୯ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୯୩,୧୬,୭୧୨ ଜଣ ହିତାଧିକାରୀଙ୍କୁ ୯୯୯.୪୯ କୋଟି ଟଙ୍କା,
  • ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନାରେ ୧୨,୩୭,୯୨୫ ଜଣ ହିତାଧିକାରୀଙ୍କୁ ୧୫୮.୫୯ କୋଟି ଟଙ୍କା
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ୧୦,୯୮,୧୨୮ ଜଣ ହିତାଧିକାରୀଙ୍କୁ ୨୮୦.୮୦ କୋଟି ଟଙ୍କା
  • ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୭,୫୮,୧୫୩ ଜଣ ହିତାଧିକାରୀଙ୍କୁ ୨୦୯.୪୭ କୋଟି ଟଙ୍କା
  • ସଂଖ୍ୟାଲଘୁଙ୍କ ପାଇଁ ପ୍ରାକ ମାଟ୍ରିକ ବୃତି ଯୋଜନାରେ ୫,୭୨,୯୦୨ ଜଣ ହିତାଧିକାରୀଙ୍କୁ ୧୫୯.୮୬ କୋଟି ଟଙ୍କା
  • ଏନଏଫଏସଏ ଅଧୀନରେ ବିକେନ୍ଦ୍ରିକୃତ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ଖାଦ୍ୟ ସବସିଡି ଯୋଜନା ଅଧୀନରେ ୨,୯୧,୨୫୦ ଜଣ ହିତାଧିକାରୀଙ୍କୁ ୧୯.୧୮ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ପେନସନ ଯୋଜନାରେ ୨,୩୯,୭୦୭ ଜଣ ହିତାଧିକାରୀଙ୍କୁ ୨୬.୯୫ କୋଟି ଟଙ୍କା
  • ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ୨,୨୩,୯୮୭ ଜଣ ହିତାଧିକାରୀଙ୍କୁ ୩୦.୫୫ କୋଟି ଟଙ୍କା ପାଇଛନ୍ତି ।

ଗତ ତିନି ବର୍ଷ ମଧ୍ୟରେ ପିଏଫଏମଏସକୁ ଉପଯୋଗ କରି ଡିବିଟି କାରବାର ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି ।  ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧୧% ବୃଦ୍ଧି ପାଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୪୮% ବୃଦ୍ଧି ପାଇଛି । ସେହିପରି ମୋଟ ଡିବିଟ ଅର୍ଥ ଆବଂଟନ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ରେ ଏହା ୪୫%କୁ ବୃଦ୍ଧି ପାଇଛି ।