Categories
ଆଜିର ଖବର ଜାତୀୟ ଖବର

ମହାବିକାଶ ଅଘାଡିକୁ ଟାର୍ଗେଟ୍‌ କଲେ ଫଡ୍‌ନଭୀସ୍‌ : ଏମ୍‌ଭିଏ ଏକ ପରିବାର ନୁହେଁ ଏହା ହେଉଛି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌

ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍‌ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍‌ସିପିର ମେଣ୍ଟ ସରକାର ଅର୍ଥାତ୍‌ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍‌-ରିଲେସନ୍‌ସିପ୍‌’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍‌ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍‌ନଭୀସ୍‌ କହିଛନ୍ତି ଯେ, ଆମେ  ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ ।  ଫଡ୍‌ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ ।

ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି ମହାରାଷ୍ଟ୍ରର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରମୁଖ ବାଲାସାହେବ ଥୋରାଟ କହିଛନ୍ତି ଯେ, ଏମ୍‌ବିଏ ଏକ ପରିବାର ପରି ।

ଥୋରାଟ୍‌ଙ୍କ ଜବାବରେ ପ୍ରତି ଉତ୍ତର ରଖି ଫଡ୍‌ନଭୀସ୍‌ କହିଛନ୍ତି  ମହାବିକାଶ ଅଘାଡି ଏକ ବିଭାଜିତ ପରିବାର । ଏହା ଏକ ପରିବାର ନୁହେଁ। ଖରାପ ଶବ୍ଦ ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ କିନ୍ତୁ ଏହା ହେଉଛି ତିନି ଦଳଙ୍କ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ।  ଏହି ସରକାର ଦୀର୍ଘ ସମୟ ଚାଲିପାରିବ ନାହିଁ । ତିନି ଦଳର ମତଭେଦ କାରଣରୁ ସରକାର ଭାଙ୍ଗି ଯିବ । ଆମ ପାଖରେ ଦାୟିତ୍ବ ରହିଛି । ଆମେ ଏକ ମଜବୁତ୍‌ ସରକାର ଦେବକୁ ବୋଲି ଫଡ୍‌ନଭୀସ କହିଛନ୍ତି ।

ସେହିପରି ଫଡ୍‌ନଭୀସ କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ ସହ ଗତ ବର୍ଷ ସରକାର ଗଢିବାର ପ୍ରୟାସ  ଅସଫଳ ରହିଥିଲା । ଯଦି ଏପରି ପଦକ୍ଷେପ ନ ନେଇଥାନ୍ତୁ ତେବେ ଉତ୍ତମ ହୋଇଥାନ୍ତା ବୋଲି କହିଛନ୍ତି ଫଡ୍‌ନଭୀସ୍‌ ।

ସୂଚନାଯୋଗ୍ୟ, ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର 80 ଘଣ୍ଟା ପରେ ସରକାର ଭାଙ୍ଗି ଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର

କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର :  ବିଜେପି ସାଂସଦ ଅନନ୍ତ ହେଗେଡ୍‌

ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍‌ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍‌ନଭୀସ୍‌ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା ।  ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍‌ ।

ହେଗେଡ୍‌ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ବଞ୍ଚାଇବା ଲାଗି ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଗେଡ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଇସା ଉପରେ ଶିବସେନା-ଏନ୍‌ସିପି- କଂଗ୍ରେସର ଖରାପ ନଜର ରହିଥିଲା । ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇ ଦେବେନ୍ଦ୍ର ଏହି ପଇସାର ସଠିକ୍‌ ଉପଯୋଗ କରିଛନ୍ତି ।  ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇ ୧୫ ଘଣ୍ଟା ମଧ୍ୟରେ ସେହି ସମସ୍ତ ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ର ସରକାରକୁ ଫେରାଇ ଦେଇଛନ୍ତି ।  ହେଗ୍‌ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାର ଉକ୍ତ ଅର୍ଥକୁ କିପରି ବିକାଶ କାର୍ଯ୍ୟରେ ବ୍ୟବହାର କରିପାରିବେ ସେଥିଲାଗି ଏପରି ନାଟକ କରାଗଲା। ବିଜେପି ଏହି ଯୋଜନା ବହୁ ଆଗରୁ କରିଥିଲା। ସେଥିପାଇଁ ଏପରି ନାଟକ କରିବାକୁ ଯୋଜନା କରାଯାଇଥିଲା। ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ୧୫ ଘଣ୍ଟା ମଧ୍ୟରେ ସେ ୪୦ ହଜାର କୋଟି ଟଙ୍କାକୁ ସେହି ସ୍ଥାନରେ ପହଞ୍ଚାଇଦେଲେ ଯେଉଁଠାରୁ​‌ ତାହା ଆସିଥିଲା। ଏଭଳି ଭାବେ ଫଡନଭୀସ ସମସ୍ତ ଟଙ୍କା କେନ୍ଦ୍ର ଫେରାଇ ତାହାକୁ ରକ୍ଷା କଲେ ବୋଲି ହେଗ୍‌ଡେ କହିଛନ୍ତି।

ସୂଚନାଯୋଗ୍ୟ,  ଚଳିତ ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ବିଜେପି ମିଳିତ ଭାବରେ ନିର୍ବାଚନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ପରିଶେଷରେ ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି – କଂଗ୍ରେସ ମିଳିତ ଭାବରେ ମେଣ୍ଟ ସରକାର ଗଠନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

କ୍ଷମତାର ଛକାପଞ୍ଝା ଭିତରେ ଦେବେନ୍ଦ୍ରଙ୍କ ଚାଷୀ କାର୍ଡ : ୫୩୮୦ କୋଟିକୁ ମିଳିଲା ମଞ୍ଜୁରୀ

ମୁମ୍ବାଇ, ୨୫/୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌  କିଶାନ କାର୍ଡ ଖୋଲିଛନ୍ତି । ଦେବେନ୍ଦ୍ର ଫଡ୍‌ନଭୀସ୍‌ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୩୮୦କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ସହ ବୈଠକ କରିଥିଲେ । ବନ୍ୟା ତଥା ବର୍ଷା ପ୍ରଭାବିତ ଚାଷୀଙ୍କୁ ଅତିରିକ୍ତ ସହାୟତା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଦେବେନ୍ଦ୍ର ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ଙ୍କ ସହ ଚର୍ଚ୍ଚା କରିଥିଲେ । (ଏଜେନ୍ସି)