ମହାବିକାଶ ଅଘାଡିକୁ ଟାର୍ଗେଟ୍‌ କଲେ ଫଡ୍‌ନଭୀସ୍‌ : ଏମ୍‌ଭିଏ ଏକ ପରିବାର ନୁହେଁ ଏହା ହେଉଛି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌

Published: Jul 31, 2020, 8:59 pm IST

ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍‌ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍‌ସିପିର ମେଣ୍ଟ ସରକାର ଅର୍ଥାତ୍‌ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍‌-ରିଲେସନ୍‌ସିପ୍‌’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍‌ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍‌ନଭୀସ୍‌ କହିଛନ୍ତି ଯେ, ଆମେ  ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ ।  ଫଡ୍‌ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ ।

ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି ମହାରାଷ୍ଟ୍ରର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରମୁଖ ବାଲାସାହେବ ଥୋରାଟ କହିଛନ୍ତି ଯେ, ଏମ୍‌ବିଏ ଏକ ପରିବାର ପରି ।

ଥୋରାଟ୍‌ଙ୍କ ଜବାବରେ ପ୍ରତି ଉତ୍ତର ରଖି ଫଡ୍‌ନଭୀସ୍‌ କହିଛନ୍ତି  ମହାବିକାଶ ଅଘାଡି ଏକ ବିଭାଜିତ ପରିବାର । ଏହା ଏକ ପରିବାର ନୁହେଁ। ଖରାପ ଶବ୍ଦ ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ କିନ୍ତୁ ଏହା ହେଉଛି ତିନି ଦଳଙ୍କ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ।  ଏହି ସରକାର ଦୀର୍ଘ ସମୟ ଚାଲିପାରିବ ନାହିଁ । ତିନି ଦଳର ମତଭେଦ କାରଣରୁ ସରକାର ଭାଙ୍ଗି ଯିବ । ଆମ ପାଖରେ ଦାୟିତ୍ବ ରହିଛି । ଆମେ ଏକ ମଜବୁତ୍‌ ସରକାର ଦେବକୁ ବୋଲି ଫଡ୍‌ନଭୀସ କହିଛନ୍ତି ।

ସେହିପରି ଫଡ୍‌ନଭୀସ କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ ସହ ଗତ ବର୍ଷ ସରକାର ଗଢିବାର ପ୍ରୟାସ  ଅସଫଳ ରହିଥିଲା । ଯଦି ଏପରି ପଦକ୍ଷେପ ନ ନେଇଥାନ୍ତୁ ତେବେ ଉତ୍ତମ ହୋଇଥାନ୍ତା ବୋଲି କହିଛନ୍ତି ଫଡ୍‌ନଭୀସ୍‌ ।

ସୂଚନାଯୋଗ୍ୟ, ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର 80 ଘଣ୍ଟା ପରେ ସରକାର ଭାଙ୍ଗି ଯାଇଥିଲା। (ଏଜେନ୍ସି)

Related posts