Categories
ଆଜିର ଖବର ଜାତୀୟ ଖବର

ମହାବିକାଶ ଅଘାଡିକୁ ଟାର୍ଗେଟ୍‌ କଲେ ଫଡ୍‌ନଭୀସ୍‌ : ଏମ୍‌ଭିଏ ଏକ ପରିବାର ନୁହେଁ ଏହା ହେଉଛି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌

ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍‌ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍‌ସିପିର ମେଣ୍ଟ ସରକାର ଅର୍ଥାତ୍‌ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍‌-ରିଲେସନ୍‌ସିପ୍‌’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍‌ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍‌ନଭୀସ୍‌ କହିଛନ୍ତି ଯେ, ଆମେ  ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ ।  ଫଡ୍‌ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ ।

ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି ମହାରାଷ୍ଟ୍ରର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରମୁଖ ବାଲାସାହେବ ଥୋରାଟ କହିଛନ୍ତି ଯେ, ଏମ୍‌ବିଏ ଏକ ପରିବାର ପରି ।

ଥୋରାଟ୍‌ଙ୍କ ଜବାବରେ ପ୍ରତି ଉତ୍ତର ରଖି ଫଡ୍‌ନଭୀସ୍‌ କହିଛନ୍ତି  ମହାବିକାଶ ଅଘାଡି ଏକ ବିଭାଜିତ ପରିବାର । ଏହା ଏକ ପରିବାର ନୁହେଁ। ଖରାପ ଶବ୍ଦ ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ କିନ୍ତୁ ଏହା ହେଉଛି ତିନି ଦଳଙ୍କ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ।  ଏହି ସରକାର ଦୀର୍ଘ ସମୟ ଚାଲିପାରିବ ନାହିଁ । ତିନି ଦଳର ମତଭେଦ କାରଣରୁ ସରକାର ଭାଙ୍ଗି ଯିବ । ଆମ ପାଖରେ ଦାୟିତ୍ବ ରହିଛି । ଆମେ ଏକ ମଜବୁତ୍‌ ସରକାର ଦେବକୁ ବୋଲି ଫଡ୍‌ନଭୀସ କହିଛନ୍ତି ।

ସେହିପରି ଫଡ୍‌ନଭୀସ କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ ସହ ଗତ ବର୍ଷ ସରକାର ଗଢିବାର ପ୍ରୟାସ  ଅସଫଳ ରହିଥିଲା । ଯଦି ଏପରି ପଦକ୍ଷେପ ନ ନେଇଥାନ୍ତୁ ତେବେ ଉତ୍ତମ ହୋଇଥାନ୍ତା ବୋଲି କହିଛନ୍ତି ଫଡ୍‌ନଭୀସ୍‌ ।

ସୂଚନାଯୋଗ୍ୟ, ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର 80 ଘଣ୍ଟା ପରେ ସରକାର ଭାଙ୍ଗି ଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମହା ଅଘାଡି ବିକାଶରେ ଫାଟ : ଭୀମା-କୋରେଗାଓଁ ମାମଲା ନେଇ ସରକାରଙ୍କୁ ପଓ୍ବାରଙ୍କ ସମାଲୋଚନା

କୋହ୍ଲାପୁର/ମହାରାଷ୍ଟ୍ର : ମହାରାଷ୍ଟ୍ରରେ ମହା ଅଘାଡି ବିକାଶ ମେଣ୍ଟରେ ଫାଟ ଦେଖାଦେଇଛି । ଭୀମା-କୋରେଗାଓଁ ମାମଲାର ତଦନ୍ତଭାର ଏନ୍‌ଆଇଏ ହାତକୁ ଯିବା ନେଇ ଏନ୍‌ସିପି ନେତା ଶରଦ ପଓ୍ବାର ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ତଦନ୍ତଭାର ଏନ୍‌ଆଇଏ ହାତକୁ ଯିବା ସମ୍ପୂର୍ଣ୍ଣ ଅଣସାମ୍ବିଧାନିକ ବୋଲି ପଓ୍ବାର ମତ ଦେଇଥିଲେ । ଏହି ମାମଲାର ତଦନ୍ତଭାର ରାଜ୍ୟ ସରକାରଙ୍କ ଅଧୀନରେ ରହିବା ଉଚିତ୍‌ ମାତ୍ର ଜାତୀୟ ତଦନ୍ତକାରୀ ସଂସ୍ଥାନକୁ ମାମଲାର ତଦନ୍ତ ଯିବା ଦୁର୍ଭାଗ୍ୟଜନକ ବୋଲି ପଓ୍ବାର କହିଛନ୍ତି । କୋହ୍ଲାପୁରରେ ଏକ ସଭାରେ ପଓ୍ବାର ଏହି ମତ ଦେଇଥିଲେ । ଭୀମା-କୋରେଗାଓଁ ହିଂସାରେ ମହାରାଷ୍ଟ୍ର ପୋଲିସ୍‌ର ଭୂମିକା ସନ୍ଦେହଜନକ ବୋଲି ପଓ୍ବାର ମତ ଦେଇଥିଲେ । (ଏଜେନ୍ସି)

Categories
ବିଶେଷ ଖବର

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଇତିହାସ ଓ ଐତିହାସିକ ପୃଷ୍ଠଭୂମି

ସାଗରିକା

ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ରୁପେ ଆଜି ଶପଥ ନେବେ ଉଦ୍ଧବ ଠାକରେ । ଆଜି ସନ୍ଧ୍ୟା ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶିବସେନା-କଂଗ୍ରେସ-ଏନସିପି ମିଳିତ ଭାବରେ  ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟର ନେତା ଭାବେ ଆଜି ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ମାସେ କାଳ ଲାଗି ରହିଥିବା  ରାଜନୈତିକ ସଂକଟ ପରେ ରାଜ୍ୟ ତା’ର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଲାଗିପଡିଛି । ତେବେ ଆସନ୍ତୁ ଜାଣିବା ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀଙ୍କ ଇତିହାସ ଓ ପୃଷ୍ଠଭୂମି ସମ୍ପର୍କରେ କିଛି କଥା-

୧୯୬୦ରେ ମହାରାଷ୍ଟ୍ର ସୌରାଷ୍ଟ୍ର ବା ବମ୍ବେ ପ୍ରଦେଶ  (ଗୁଜରାଟ ଓ ମହାରାଷ୍ଟ୍ର)ରୁ  ଅଲଗା ରାଜ୍ୟ ଭାବେ ମାନ୍ୟତା ପାଇଥିଲା ।  ସେହି ସମୟରେ  ବମ୍ବେ ପ୍ରଦେଶରେ ଦୁଇ ମୁଖ୍ୟମନ୍ତ୍ରୀ ରହୁଥିଲେ।  ପରେ ପରେ ବମ୍ବେ ପ୍ରଦେଶ ଅଲଗା ହୋଇ ଗୁଜୁରାଟ ଓ ମହାରାଷ୍ଟ୍ର ଦୁଇଟି ରାଜ୍ୟ ହୋଇଥିଲେ ।

ବମ୍ବେ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ରହିଥିଲେ ମୋରାରଜୀ ଦେଶାଇ । ସେ ୧୯୫୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୩୧ ଅକ୍ଟୋବର ୧୯୫୬ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ଏହି ସମୟରେ ରାଜ୍ୟ ପୁନର୍ଗଠନର ଦାବି ଉଠିଥିଲା । ଏହା ପରେ ବମ୍ବେ ପ୍ରଦେଶରେ ଯଶଓ୍ବନ୍ତ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯିଏ ଅଳ୍ପ ସମୟ ପାଇଁ ଏହି ପଦବୀରେ ରହିଥିଲେ ବି ଦୁଇ  ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୯୬୦ରେ ମହାରାଷ୍ଟ୍ର ଓ ଗୁଜୁରାଟ ଦୁଇ ଅଲଗା ଅଲଗା ରାଜ୍ୟ ହୋଇଥିଲା । ୧୯୬୦ରୁ ୨୦୧୯ ବର୍ଷ ମଧ୍ୟରେ ୫୯ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଓ ଯାଇଛନ୍ତି । ଏହି କ୍ରମରେ ସବୁଠାରୁ ଅଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଛନ୍ତି ଏନସିପି ନେତା ଶରଦ ପାଓ୍ବାର । ପାଖାପାଖି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସବୁଠାରୁ କମ୍‌ ଦିନ ପାଇଁ ଦେବେନ୍ଦ୍ର ଫଡ୍‌ନବୀସ୍‌ ରହିଛନ୍ତି । ୨୦୧୪ରେ ପାଞ୍ଚବର୍ଷ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟକରିଥିବା ଦେବେନ୍ଦ୍ର ଫଡ୍‌ନଭୀସ୍‌ ୨୦୧୯ରେ ମାତ୍ର ୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟକାଳ :

  • ଯଶଓ୍ବନ୍ତ ରାଓ ଚଭନ ୧୯୬୦ରୁ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧୯ ନଭେମ୍ବର ୧୯୬୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
  • ମାରୋତରାଓ୍ବ କନ୍ନମବାର ୧୯୬୨ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଥିବାବେଳେ ୧୯୬୩ ନଭେମ୍ବର ୨୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।
  • ଆରକେ ସାୱନ୍ତ ୧୯୬୩ ମସିହାରେ ମୁଖମନ୍ତ୍ରୀ ହୋଇ ୧୯୬୩ ଡିସେମ୍ବର ୪ ପର୍ଯ୍ୟନ୍ତ ରହିଥିଲେ ।
  • ଯଶଓ୍ବନ୍ତ ରାଓ ଚଭନ ତିନିଥର ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୬୩, ୧୯୬୭ ଓ ୧୯୭୨ ପର୍ଯ୍ୟନ୍ତ ରହିଥିଲେ ।
  • ଶଙ୍କରରାଓ ଚୌହ୍ବାଣ ମଧ୍ୟ ତିନିଥର ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୭୫, ୧୯୭୭ ଓ ୧୯୮୬ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଥିଲେ ।
  • ବସନ୍ତଦାଦା ପାଟିଲ୍‌ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଥିଲେ । ୧୯୭୮ ଓ ୧୯୮୩ରେ ସେ ଏହି ପଦବୀ ସମ୍ଭାଳିଥିଲେ ।
  • ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର ମହାରାଷ୍ଟ୍ରର ଚାରି  ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୯୭୮, ୧୯୮୮, ୧୯୯୦ ଓ ୧୯୯୩ରେ ସେ ଏହି ପଦବୀ ସମ୍ଭାଳିଥିଲେ ।
  • ଅବଦୁଲ୍‌ ରହମାନ୍‌ ଅନ୍ତୁଲେ ଜୁନ୍‌ ୯ ୧୯୮୦ରୁ ୧୨ ଜାନୁଆରୀ ୧୯୮୨ ପର୍ଯ୍ୟନ୍ତ ରହିଥିଲେ ।
  • ବାବାସାହେବ ଭୋସେଲ ଜାନୁଆରୀ ୨୧, ୧୯୮୨ରେ ମୁଖ୍ୟମନ୍ତ୍ରୀ ହୋଇ ଫେବୃଆରୀ ୧,୧୯୮୩ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ ।
  • ଶିବାଜୀରାଓ ପାଟିଲ୍‌ ଜୁନ୍‌ ୩, ୧୯୮୫ରୁ ମାର୍ଚ୍ଚ ୬, ୧୯୮୬ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।
  • ସୁଧାକରରାଓ ନାଏକ୍‌ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।
  • ମନୋହର ଯୋଶୀ ଶିବସେନା -ବିଜେପି ମେଣ୍ଟର ପ୍ରଥମ ନେତା ଭାବେ  ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ।
  • ନାରାୟଣ ରାଣେ ଫେବୃଆରୀ ୧୯୯୯ରୁ ଅକ୍ଟୋବର ୧୭, ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।
  • ବିଳାସରାଓ ଦେଶମୁଖ  ଦୁଇଥର ଏହି ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ରହିଥିଲେ । ପ୍ରଥମଥର ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଦ୍ବିତୀୟ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ ।
  • ସୁଶୀଲ୍‌ କୁମାର ସିନ୍ଧେ ଫେବୃଆରୀ ୧୮, ୨୦୦୩ରୁ ଅକ୍ଟୋବର ୩୦, ୨୦୦୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।
  • ଅଶୋକ ଚୌହ୍ବାଣ ଦୁଇ ଥର ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ରହିଥିଲେ । ପ୍ରଥମଥର ୨୦୦୯ ମସିହାରେ ଓ ପରବର୍ତ୍ତୀ ସମୟରେ ୨୦୧୦ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
  • ପୃଥ୍ବୀରାଜ ଚୌହ୍ବାଣ ନଭେମ୍ବର ୨୦୦୪ରୁ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ ।
  • ଦେବେନ୍ଦ୍ର ଫଡନଭିସ୍‌ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୪ରେ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଥିବାବେଳେ ୨୦୧୯ରେ ମାତ୍ର ୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ।
  • ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ନାମ ସାମିଲ୍‌ ହୋଇଛି । ସେ ୨୮ ନଭେମ୍ବର ୨୦୧୮ରେ ରାଜ୍ୟର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।